ମଲ୍ ଭିତରେ ୧୦ ଫୁଟ୍ର କୁମ୍ଭୀର
ମଣିଷଙ୍କ ସଉକ୍ ବଢ଼ୁଥିବାରୁ ସେମାନଙ୍କ ଚାହିଦା ମେଣ୍ଟାଇବାକୁ ଦେଶବିଦେଶରେ ବଡ଼ବଡ଼ ମଲ୍ ଖୋଲିଲାଣି। ମଜାର କଥା ହେଉଛି, ଏଭଳି ସ୍ଥାନକୁ ଏବେ ପଶୁପକ୍ଷୀମାନେ ବି ଆକର୍ଷିତ ହୋଇ ଆସୁଛନ୍ତି। ବଡ଼ଦିନର ଏଇ ଘଟଣାଟି। ଫ୍ଲୋରିଡାର ଏକ ବଡ଼ ମଲ୍ରେ ସ୍ଥାନୀୟ ଲୋକଙ୍କ ଗହଳି ବେଶ୍ ଜମିଥାଏ। ବଡ଼ଦିନ ପାଳିବାକୁ ପରିବାର, ବନ୍ଧୁଙ୍କ ସହ ଅଧିକାଂଶ ଲୋକ ଆସିଥିଲେ। ମଲ୍ର ସିଡି ଘର ପାଖ ଶୌଚାଳୟକୁ ଜଣେ ମହିଳା ଦ୍ବିପହର ବେଳା ଯିବା ସମୟରେ ବଡ଼ ଲାଞ୍ଜଟେ ଦେଖି ଚିତ୍କାର କଲେ। ଅନ୍ୟମାନେ ଦୌଡ଼ାଦୌଡ଼ି ହୋଇ ଆସି ସେହି ଲାଞ୍ଜଟିକୁ ଲକ୍ଷ୍ୟ କରି ଜାଣିପାରିଲେ ଯେ ବଡ଼ କୁମ୍ଭୀରଟେ ମଲ୍ ଭିତରକୁ ପଶିଆସିଛି। ଆଉ ବିଳମ୍ବ ନ କରି ଉପସ୍ଥିତ ଲୋକ ନିଜେ ସୁରକ୍ଷିତ ସ୍ଥାନକୁ ଯିବା ସହିତ ନିକଟସ୍ଥ ଚିଡ଼ିଆଖାନା ଅଧିକାରୀଙ୍କୁ ଡକାଇଥିଲେ। ୩୦ ମିନିଟ୍ ଭିତରେ ଚିଡ଼ିଆଖାନା ଅଧିକାରୀ ପହଞ୍ଚି କୌଶଳ କ୍ରମେ କୁମ୍ଭୀରକୁ କାବୁ କରି ଚିଡ଼ିଆଖାନାକୁ ନେଇଥିଲେ। ମଲ୍ରେ ଲାଗିଥିବା ସିସିଟିଭି ଦେଖିବା ପରେ ଜଣାପଡ଼ିଥିଲା ଯେ ରାତି ୨ଟା ପାଖାପାଖି ମଲ୍ ଭିତରକୁ ୧୦ ଫୁଟ୍ର ଏହି କୁମ୍ଭୀରଟି ପ୍ରବେଶ କରିଥିଲା। ତେବେ, କୁମ୍ଭୀର କେଉଁଠୁ ଆସି ମଲ୍ରେ ଲୁଚିଥିଲା, ତାହା ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।
Comments are closed.