ଖାଉଟି ପାଇଁ ସୁରକ୍ଷା ଦରକାର କି?
ଡ. ନ୍ୟାୟମୂର୍ତ୍ତି ଦୁର୍ଗା ପ୍ରସନ୍ନ ଚୌଧୁରୀ
ପ୍ରତ୍ୟେକ ମଣିଷର ମୁଖ୍ୟତଃ ଘର, ଖାଇବା ଓ ପିନ୍ଧିବା ଦରକାର। ଆଦିମ ଯୁଗରେ ମଧ୍ୟ ମଣିଷ ଖାଦ୍ୟ ପାଇଁ ଶିକାର କରି ନିଜର କ୍ଷୁଧା ମେଣ୍ଟାଉଥିଲା, ରହିବାପାଇଁ କୁଡ଼ିଆଟିଏ କରି ବସବାସ କରୁଥିଲା, ଗଛର ବକଳ ପିନ୍ଧି ନିଜର ଶରୀରକୁ ଆବୃତ କରୁଥିଲା। କାଳକ୍ରମେ ମଣିଷର ବଂଶ ବୃଦ୍ଧି ଘଟିଲା। ଲୋକମାନେ େସଥିପାଇଁ ଗୋଷ୍ଠୀ ସଙ୍ଗତରେ ରହିବାକୁ ପସନ୍ଦ କରୁଥିଲେ। ଧୀରେ ଧୀରେ ମଣିଷର କ୍ଷୁଧା ସହିତ ନିଜର ଆବଶ୍ୟକତାର ବୃଦ୍ଧି ଘଟିଲା। ଲୋକମାନେ ଅନ୍ୟମାନଙ୍କ ଠାରୁ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ପଦାର୍ଥ କିଣିବାକୁ ପସନ୍ଦ କଲେ। ଯାହା ଜଣାପଡ଼େ, ପ୍ରଥମେ କଉଡ଼ି କିମ୍ବା ଅନ୍ୟାନ୍ୟ ଜିନିଷ କିଣା ବିକାର ମାଧ୍ୟମ ଭାବେ ବ୍ୟବହାର କରାଗଲା। ବିଜ୍ଞାନ ତଥା ସଭ୍ୟତାର ଉନ୍ନତି ସହିତ ମଣିଷ ସମାଜ ସାମୂହିକ ବିକାଶ ପାଇଁ ତତ୍ପର ହୋଇଉଠିଲା।
ସରକାର ଆନ୍ଦୋଳନ ଡେନ୍ମାର୍କର ଶିଳ୍ପାନୁଷ୍ଠାନରେ ଉନ୍ନତି ତଥା ଆର୍ଥିକ ଉନ୍ନତି ପାଇଁ ଖ୍ରୀଷ୍ଟାବ୍ଦ ୧୭୯୦ରେ ଗଢ଼ି ଉଠିଥିଲା। କୃଷିଜନିତ ବିକାଶ ଓ ଶିଳ୍ପର ଉନ୍ନତି ପାଇଁ ଉକ୍ତ ଆନ୍ଦୋଳନ ଘୋଷଣା ହୋଇଥିଲା। କାଳକ୍ରମେ ଉକ୍ତ ଶିଳ୍ପ ତଥା କୃଷି ବିକାଶ ଊନବିଂଶ (୧୯୦୦) ଶତାବ୍ଦୀରେ ଖାଉଟି ସେବା ଅନୁଷ୍ଠାନରେ ପରିଣତ ହେଲା। ଏହି ଖାଉଟି ସମବାୟ ଆନ୍ଦୋଳନ ବ୍ୟାଙ୍କ, ଗୃହ ଓ ଖଣି ନିର୍ମାଣ ସଂସ୍ଥାର ସୁଧାର ଆଣିବା ପାଇଁ ଚେଷ୍ଟା କଲେ। ଏହାର ଅର୍ଥ ଲୋକମାନେ ଏହି ସବୁ ସଂସ୍ଥାର ସୁବିଧାରେ କିଣାବିକାର ସୂତ୍ରପାତ କଲେ। ପ୍ରଥମେ କ୍ଷୀର ଓ ମାଂସ ପ୍ରଚୁର ପରିମାଣରେ ଡେନ୍ମାର୍କ ଦେଶରେ ମହଜୁଦ୍ ଥିବାରୁ ସମବାୟ ଖାଉଟି ସଂସ୍ଥାମାନେ ଏହାର ବଜାରକୁ ନିୟନ୍ତ୍ରଣ କରି ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ। ଏହିପରି ଭାବେ ଡେନ୍ମାର୍କରେ ଜନସାଧାରଣଙ୍କୁ ଖାଉଟିର ଅଧିକାର ପ୍ରଥମେ ସୂଚିତ କରାଗଲା।
ଯୁକ୍ତରାଷ୍ଟ୍ର ଆମେରିକାରେ ଖାଉଟି ଆନ୍ଦୋଳନ ଖାଉଟିମାନଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ। ଯେତେବେଳେ ବଡ଼ବଡ଼ କମ୍ପାନୀମାନେ ଖାଉଟିଙ୍କୁ ହଇରାଣ କରୁଥିଲେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାପାଇଁ ଖାଉଟି ସଂସ୍ଥାମାେନ ଆଗେଇ ଆସିଥିଲେ। ଖାଉଟି ସଂସ୍ଥା ସାଧାରଣତଃ ଲୋକମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ପ୍ରତି ଧ୍ୟାନ ଦେଇଥିଲେ। ସେଥିପାଇଁ ଗ୍ରାହକତ୍ତ୍ବ ପ୍ରତି ଧ୍ୟାନ ଆକର୍ଷଣ କରିଥିଲେ।
୧୯୬୦ ମସିହାରେ ଆମେରିକାରେ କେତେକ ଗୋଷ୍ଠୀ ଯଥା ଯୁକ୍ତରାଷ୍ଟ୍ର ଆମେରିକା ବ୍ୟାବସାୟିକ ସଂସ୍ଥା (ତଥା ଚେମ୍ବର ଅଫ କମର୍ସ) ଓ ନ୍ୟାସନାଲ ରିଟେଲ ଫେେଡରେସନ୍ ଗ୍ରାହକତ୍ବର ସୂତ୍ରପାତ କରି ଖାଉଟି ସୁରକ୍ଷା ପାଇଁ ଖୋରାକ ଯୋଗାଇଥିଲେ।
୧୯୬୨ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ୍ ଏଫ କେନେଡି ଗ୍ରାହକମାନଙ୍କର ଚାରିଟି ଅଧିକାର ଅଛି ବୋଲି ଘୋଷଣା କଲେ।
୧- ସୁରକ୍ଷାର ଅଧିକାର
୨- ଗ୍ରାହକର ଜାଣିବାର ଅଧିକାର
୩- ଗ୍ରାହକର ପଦାର୍ଥ ବା ସେବା ବାଛିବାର ଅଧକାର
୪-ଗ୍ରାହକ କଥାକୁ ସମ୍ମାନ ସହ ଶୁଣିବା
ସେହିପରି ଜାତିସଂଘ ଆମେରିକାର ଗ୍ରାହକମାନଙ୍କ ଅଧିକାରକୁ ପୂର୍ଣ୍ଣ ସମର୍ଥନ କରି ପ୍ରତ୍ୟେକ ମଣିଷ ପାଇଁ ୧୯୮୫ ମସିହାରେ ଆଉ ଚାରିଟି ଅଧିକାର ସ୍ଥାପିତ କଲେ। ସେଗୁଡ଼ିକ ହେଲା-
୧- ଅସାଧୁ ବ୍ୟବସାୟୀମାନଙ୍କ ଅସାଧୁ ବ୍ୟବସାୟ ବିରୋଧରେ ଖାଉଟି କିମ୍ବା ଗ୍ରାହକ ଅଭିଯୋଗ କରିବାରେ ଅଧିକାର
୨- ଖାଉଟି ସଚେତନତା ପାଇବାର ଅଧିକାର
୩- ଖାଉଟିମାନଙ୍କର ସମସ୍ୟାର ସମାଧାନ ପାଇବାର ଅଧିକାର
୪- ଖାଉଟିମାନଙ୍କର ବିଭିନ୍ନ ସେବା ପାଇବାର ଅଧିକାର
ଭାରତୀୟ ସମ୍ବିଧାନର ଆଇନ ୧୯-(ଜି) ଅନୁସାରେ ପ୍ରତ୍ୟେକ ନାଗରିକକୁ ନିଜର ଚାକିରି ବା ବ୍ୟବସାୟ କରି ନିଜର ଜୀବିକା ନିର୍ବାହ କରିବାର ମୌଳିକ ଅଧିକାର ଅଛି। ସେହିପରି ଆଇନ ୧୯-(୬) ଅନୁସାରେ ପ୍ରତ୍ୟେକ ଭାରତୀୟ ନାଗରିକର ଚାକିରି ବା ବ୍ୟବସାୟ କରିବାପାଇଁ ସରକାର ଚାହିଁଲେ ପ୍ରତିବନ୍ଧକ ଆଣିପାରିବେ ଯଦି ସାର୍ବଜନୀନ ପାଇଁ ଆବଶ୍ୟକ କରେ। ଏହା ମଧ୍ୟ ଦେଖିବା ଦରକାର ସରକାରଙ୍କ ଆଇନ ପ୍ରକୃତରେ ମୌଳିକ ଅଧିକାର କ୍ଷୁଣ୍ଣ କରୁଛି ବା ଏହା ମନମୁତାବକ କରାଯାଇଛି। ଏହା ମଧ୍ୟ ମନେରଖିବା ଉଚିତ୍ ଯେ ସମ୍ବିଧାନର ଧାରା-୨୧ ଅନୁସାରେ ପ୍ରତ୍ୟେକ ଭାରତୀୟର ଜୀବନ ଓ ଜୀବିକା ନିର୍ବାହ କରିବାର ମୌଳିକ ଅଧିକାର ଅଛି। ଯଦି ଏହା କ୍ଷୁଣ୍ଣ କରାଯାଏ, ତାହା ଆଇନ ଅନୁଯାୟୀ ନିଷିଦ୍ଧ କରାଯିବ।
ଲୋକମାନଙ୍କ ମୌଳିକ ଅଧିକାରକୁ ତଥା ଗ୍ରାହକମାନଙ୍କର ଆନ୍ତର୍ଜାତିକ ସ୍ତରରେ ଅଧିକାରଗୁଡ଼ିକୁ ଆଖି ଆଗରେ ରଖି ୧୯୮୬ ମସିହାରେ ଭାରତରେ ଖାଉଟି ସୁରକ୍ଷା ଆଇନ ଗଢ଼ାଗଲା। ଏହି ଆଇନ୍ ଭାରତ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇ ୧୯୮୬ ମସିହା ଡିସେମ୍ବର ୨୪ରେ ଆଇନ କାର୍ଯ୍ୟକାରୀ ହେଲା। ସେଥିପାଇଁ ଏହି ଦିନକୁ ଜାତୀୟ ଖାଉଟି ଦିବସ ରୂପେ ପରିଗଣିତ କରାଗଲା। ପ୍ରତିବର୍ଷ ସେହିପରି ୧୫ ମାର୍ଚ୍ଚକୁ ବିଶ୍ବ ଖାଉଟି ଦିବସ ରୂପେ ପାଳନ କରାଯାଉଅଛି। ଖାଉଟି ସୁରକ୍ଷା ଆଇନ ଖାଉଟିଙ୍କ ସ୍ବାର୍ଥ ତଥା ଅଧିକାର ସୁରକ୍ଷା ପାଇଁ ଗଢ଼ାଯାଇଥିଲା। ଖାଉଟି ସୁରକ୍ଷା ଆଇନ ୧୯୮୬ରେ ୪ଟି ଅଧ୍ୟାୟ ଥିଲା। ଉକ୍ତ ଆଇନରେ ମୁଖ୍ୟତଃ ଜିଲା, ରାଜ୍ୟ ତଥା କେନ୍ଦ୍ରୀୟ ଖାଉଟି କମିସନଙ୍କ କାର୍ଯ୍ୟ କରିବା ଉପରେ ଚର୍ଚ୍ଚା କରାଯାଇଛି।
୧୯୮୬ ଆଇନରେ ସୀମିତ ଅଧିକାର ଥିବାରୁ ଓ ସମସ୍ତ ପ୍ରକାର ସୁବିଧା ଆଦିରୁ ଖାଉଟି ବଞ୍ଚିତ ଥିବା ଅନୁଭବ କରି ମାନ୍ୟବର ସୁପ୍ରିମ୍କୋର୍ଟ ଆଇନରେ ପରିବର୍ତ୍ତନ ପାଇଁ କେତେକ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ମଧ୍ୟ ଖାଉଟିଙ୍କୁ ଉପଭୋକ୍ତାର ଆଠଟି ଅଧିକାର ସାବ୍ୟସ୍ତ କରିବାକୁ ଖାଉଟି ସୁରକ୍ଷା ଆଇନ ୨୦୧୯ର ପ୍ରଣୟନ କଲେ। ତାହା ୨୦୨୦ ଜୁଲାଇ ୨୦ରେ କାର୍ଯ୍ୟକାରୀ ହୋଇଛି। ଏହାଦ୍ବାରା ୧୯୮୬ ଆଇନର ପରିସମାପ୍ତି ଘଟିଛି।
ଖାଉଟି ସୁରକ୍ଷା ଆଇନ ୨୦୧୯ରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଖାଉଟି କମିସନ ସହ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଆୟୋଗ ମଧ୍ୟ ଗଠନ କରାଯାଇଛି। ଏହି କେନ୍ଦ୍ରୀୟ କର୍ତ୍ତୃପକ୍ଷ ମଧ୍ୟ ଖାଉଟିର ଅଧିକାର କିପରି ସାବ୍ୟସ୍ତ ହୋଇପାରିବ ତାହା ଦୃଷ୍ଟି ଦେବେ ବୋଲି ରଖାଯାଇଛି। ଏହି ନୂତନ ଆଇନ୍ରେ ଖାଉଟିର ଅଧିକାର ମଧ୍ୟ ବର୍ଣ୍ଣନା କରାଯାଇଛି। ତଥା:
୧. ମଣିଷ ଜୀବନ ପ୍ରତି ବିପଦ ଥିବା ବସ୍ତୁ କିମ୍ବା ସେବାର କିଣା ଅବା ବିକ୍ରି କରିବାରେ ଖାଉଟିକୁ ସୁରକ୍ଷା ପ୍ରଦାନ କରିବା।
୨. ଖାଉଟିମାନଙ୍କ ଯେ କୌଣସି ବସ୍ତୁ ବା ସେବା ଗୁଣାତ୍ମକ ଉପାଦେୟତା, ସ୍ବତନ୍ତ୍ରତା, ମୂଲ୍ୟାୟନ, ବିଶୁଦ୍ଧତା, ପରିମାଣ ତଥା ସମସ୍ତ ତଥ୍ୟ ଉପରେ ଜାଣିବାର ଅଧିକାର।
୩. ଖାଉଟିମାନଙ୍କ ଚାହିଦା ମୁତାବକ ବିଭିନ୍ନ ପଦାର୍ଥ ବା ବସ୍ତୁ ମଧ୍ୟରେ ବାଛିବା ଅଧିକାର।
୪. ପ୍ରତ୍ୟେକ ଖାଉଟିଙ୍କ ଅଭିଯୋଗକୁ ଶୁଣାଣି କରିବା ଉଚିତ।
୫. କୌଣସି ବ୍ୟାବସାୟରେ ଅସାଧୁତା, ସଂକୁଚିତ ବ୍ୟବସାୟିକତା କିମ୍ବା ଖାଉଟିମାନଙ୍କୁ ଶୋଷଣ ବିରୁଦ୍ଧରେ ଖାଉଟିମାନଙ୍କ ଅଭିଯୋଗ କରିବାର ଅଧିକାର।
୬. ଖାଉଟିମାନଙ୍କୁ ସଚେତନ କରିବା
ଏହି ଆଇନ୍ରେ ଇ-କମର୍ସ ଦ୍ବାରା ଯାହା ପଦାର୍ଥ କିଣାବିକା କରାଯାଏ, ସେଥିରେ ଖିଲାପ କରିବା ମଧ୍ୟ ଏହାର ପରିସରଭୁକ୍ତ ଅଟେ। ବେଆଇନ୍ ଚୁକ୍ତିନାମା ପ୍ରଥମ ଥର ପାଇଁ ଏହି ଆଇନ୍ ଅନ୍ତର୍ଗତ ବିଚାର କରାଯିବା ପାଇଁ ଜଣାପଡ଼େ। ଯେଭଳି ଭାବେର ବିଭିନ୍ନ ବିଜ୍ଞାପନ ସଂସ୍ଥା ମିଥ୍ୟା ବିଜ୍ଞାପନ କରୁଛନ୍ତି ତାହା ମଧ୍ୟ ଏହି ଆଇନ୍ର ପରିସରଭୁକ୍ତ । ଯେଉଁ ଖ୍ୟାତନାମା କଳାକାର ଉକ୍ତ ବିଜ୍ଞାପନ କରିବେ ସେ ମଧ୍ୟ ଦୋଷୀ ହୋଇପାରନ୍ତି। କୌଣସି ପଦାର୍ଥ ଯେତେବେଳେ ତିଆରି ହୁଏ ଏହାର ନିର୍ମାଣ ତଥା ବିକ୍ରେତା ଓ ବ୍ୟବହାର ଦେଉଥିବା ସେବା ଉଚ୍ଚ ମାନଦଣ୍ଡର ହେବା ଦରକାର। ଏହି ଆଇନର ବିଶେଷତ୍ବ ହେଉଛି ଯଦି ଜିଲା ତଥା ରାଜ୍ୟ ଖାଉଟି କମିସନ ଓ ଜାତୀୟ ଖାଉଟି କମିସନଙ୍କ ଆଦେଶ ଅମାନ୍ୟ ହୁଏ ତାହା ହେଲେ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି।
ଖାଉଟି ସୁରକ୍ଷା ଆଇନ ୨୦୧୯ ତଥା ଉକ୍ତ ଆଇନ ଅନ୍ତର୍ଗତ ନିୟମାବଳୀ ଓ ରେଗୁଲେସନ ଅନୁସାରେ ରାଜ୍ୟ ଖାଉଟି କମିସନଙ୍କ ସଭାପତି ତଥା ସଦସ୍ୟ ଓ ଜିଲା ଖାଉଟି କମିସନଙ୍କ ସଭାପତି ଓ ସଦସ୍ୟଙ୍କରେ ନିଯୁକ୍ତି ପାଇଁ ସେମାନଙ୍କ ଯୋଗ୍ୟତା, ଚୟନ ପ୍ରଣାଳୀ ଓ କାର୍ଯ୍ୟ ପ୍ରଣାଳୀ ବିଷୟରେ ବିସ୍ତୃତ ବିବରଣୀ ରହିଛି। ଉକ୍ତ ଆଇନକୁ କାର୍ଯ୍ୟ କରିବା ପାଇଁ ମାନ୍ୟବର ସୁପ୍ରିମ୍କୋର୍ଟ ବାରମ୍ବାର ଆଦେଶ ଜାରି କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ଚୟନ ପ୍ରଣାଳୀକୁ ତ୍ବରାନ୍ବିତ କରିବା ପାଇଁ ନିେର୍ଦଶ ଦେଇଛନ୍ତି। ବର୍ତ୍ତମାନ ଓଡ଼ିଶା ଓ ଅନ୍ୟ କେତେକ ରାଜ୍ୟ କମିସନମାନଙ୍କ ସଭାପତି ପଦ ଖାଲିପଡ଼ିଛି। ଏଥିପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜଣାଯାଏ। ରାଜ୍ୟ କମିସନ ସଭାପତି ପଦ ପାଇଁ ରାଜ୍ୟ ମାନ୍ୟବର ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଓ ଅବସରପ୍ରାପ୍ତ ବିଚାରପତି ଆେବଦନ କରିଥାନ୍ତି। ଏବେ ସେମାନେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେବା ପାଇଁ ରାଜ୍ୟ ସରକାର ଯାହା ବ୍ୟବସ୍ଥା କରିଛନ୍ତି ସେଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଚାର ବିମର୍ଶ କରିବା ଦରକାର। କେନ୍ଦ୍ର ସରକାର ଚୟନ ପ୍ରଣାଳୀର ଧାରା ୬ (ଛ) ଅନ୍ତର୍ଗତ ଉପାଧାରା ୯(୯)ର ପରିବର୍ତ୍ତନ କରିଛନ୍ତି; କିନ୍ତୁ ଉକ୍ତ ୬ (ଛ)ଧାରାର ଅନ୍ତର୍ଗତ ୮ ଉପଧାରା ଅପରିବର୍ତ୍ତିତ ରହିଛି। ତତ୍ ଅନୁସାରେ ଚୟନ କମିଟି ଯଦି ଆବେଦନକାରୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରନ୍ତି, ତାହାହେଲେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେବେ।
୨୦୨୧ ଓ ୨୦୨୨ ମସିହାରେ ବହୁ ସୁଦୂର ପ୍ରଚାରୀ ରାୟ ମାନ୍ୟବର ସୁପ୍ରିମ୍କୋର୍ଟ ପ୍ରଦାନ କରିଛନ୍ତି। ନୀନା ଅର୍ନେଜା ବନାମ ଜୟପ୍ରକାଶ କେସ୍ରେ ବିଚାର କରି ଏହା କୁହାଯାଇଛି ଯେ ପୁରୁଣା ଆଇନ୍ ୧୯୮୬ ଅନୁସାରେ ଯେଉଁ କେସ୍ ଯେଉଁଠି ଦରଜ ହୋଇଥିବ ତାହା ସେହି ଆଇନ ଅନୁସାରେ ଉକ୍ତ କୋର୍ଟରେ ଚାଲିବ, ଯଦିଓ ନୂତନ ଆଇନ୍ ୨୦୧୯ରେ ଜିଲା କମିସନର ଅର୍ଥନୈତିକ କ୍ଷମତା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ ଏକ କେସ୍ରେ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ପ୍ରତିବାଦୀମାନେ ୪୫ ଦିନ ମଧ୍ୟରେ ଜବାବ ଦେବାକୁ ନିଶ୍ଚିତ କରିଛନ୍ତି। ପୁନଶ୍ଚ ମାନ୍ୟବର ସୁପ୍ରିମ୍କୋର୍ଟ ଗୁରୁ ସିନ୍ଦର ସିଂ ବନାମ ଶ୍ରୀରାମ ଜେନେରାଲ ବୀମା କମ୍ପାନୀକୁ କେସ୍ରେ ପଲିସିଭୁକ୍ତ ଗାଡ଼ି ଚୋରି ହେବା ମାତ୍ରେ ପୁଲିସ କିମ୍ବା ବୀମା କମ୍ପାନୀକୁ ଜଣାଇବେ ବୋଲି କୁହାଯାଇଛି। ମାନ୍ୟବର ସୁପ୍ରିମ୍କୋର୍ଟ ନିେର୍ଦଶ ଦେଇଛନ୍ତି ଯେ, ଫ୍ଲାଟ୍ କିଣୁଥିବା ଲୋକମାନଙ୍କୁ ଘର ଦେବାରେ ଅହେତୁକ ବିଳମ୍ବ ବା ହଇରାଣ କରୁଥିବା ବିଲ୍ଡର କିମ୍ବା ମାଲିକ ପର୍ଯ୍ୟାପ୍ତ ପଇସା ଫେରାଇବା ବା କ୍ଷତିପୂରଣ ଦେବାକୁ ବାଧ୍ୟ ଅଟନ୍ତି।
ଉପରୋକ୍ତ ଖାଉଟି ସୁରକ୍ଷା ଆଇନ ତଥା ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ରାୟ ଖାଉଟିର ସୁରକ୍ଷାକୁ ଦୃଢ଼ତା ପ୍ରଦାନ କରିଛନ୍ତି। ଗ୍ରାହକମାନଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଣ କରିବା ଦରକାର; କିନ୍ତୁ ଗ୍ରାହକ ସଚେତନ ନ ହେଲେ ଆଇନ ଆଇନ ଜାଗାରେ ରହିଯିବ। ସେଥିପାଇଁ ସମାଜର ସମସ୍ତ ବର୍ଗର ଲୋକ ଚେଷ୍ଟା କରିବା ଦରକାର। ମନେରଖିବା ଦରକାର ଗ୍ରାହକ ଭଗବାନଙ୍କ ଅଂଶବିଶେଷ। ଏହାର ଅଧିକାର ହସ୍ତକ୍ଷେପ, କେବଳ ଆଇନ ଅନୁସାରେ ଦଣ୍ଡନୀୟ, ତାହା ନୁହେଁ ସେମାନେ ମଧ୍ୟ ଦୁର୍ନୀତିଯୁକ୍ତ ବୋଲି ବିବେଚନା କରାଯାଇପାରେ। ଗ୍ରାହକମାନଙ୍କ ଅଧିକାରକୁ ସୁରକ୍ଷା ଦେବା କମିସନ ଓ ସରକାରଙ୍କ କର୍ତ୍ତବ୍ୟ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
Comments are closed.