ବାଘଙ୍କ ଅନ୍ତୁଡ଼ିଶାଳ- ଶିମିଳିପାଳ
ବିଜୟ କେତନ ପଟ୍ଟନାୟକ
ମହାବଳ ବାଘ ଭାରତର ଜାତୀୟ ପଶୁ। ୧୯୭୩ ମସିହା ଏପ୍ରିଲ୍ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ପ୍ରତିଷ୍ଠା ଅବସରରେ ବାଘକୁ ଜାତୀୟ ପଶୁର ମାନ୍ୟତା ପ୍ରଦାନ କରାଯାଇଥିଲା। ଜଙ୍ଗଲ ପରିସଂସ୍ଥାର ଶୀର୍ଷରେ ଥିବା ବାଘ ଏକ ସ୍ବତନ୍ତ୍ର, ରାଜକୀୟ ଆଗଧାଡ଼ିର ଶିକାରଜୀବୀ ପ୍ରାଣୀ। ସେହି ବର୍ଷ ଅର୍ଥାତ୍ ୧୯୭୩ରେ ଭାରତର ଯେଉଁ ନଅଗୋଟି ଅଭୟାରଣ୍ୟକୁ ‘ପ୍ରୋଜେକ୍ଟର ଟାଇଗର’ ଅନ୍ତର୍ଭୁକ୍ତ କରାଯାଇଥିଲା, ତନ୍ମଧ୍ୟରେ ଓଡ଼ିଶାର ‘ଶିମିଳିପାଳ’ ଅନ୍ୟତମ। ୧୧୯୫ ବର୍ଗକିଲୋମିଟର କେନ୍ଦ୍ରାଞ୍ଚଳ ଓ ୧୫୫୦ ବର୍ଗ କି.ମି. ବାହ୍ୟାଞ୍ଚଳକୁ ମିଶାଇ ଏହାର ମୋଟ ଆୟତନ ୨୭୫୦ ବର୍ଗ କି.ମି.। ଆୟତନ ଦୃଷ୍ଟିରୁ ବିଶାଳ ଏବଂ ଅନୁକୂଳ ସ୍ବାଭାବିକ ବାସସ୍ଥାନ କାରଣରୁ ଶିମିଳିପାଳ ଅରଣ୍ୟ ଦୀର୍ଘମିଆଦୀ ସୂତ୍ରରେ ଏକ ସ୍ବୟଂସଂପୂର୍ଣ୍ଣ ବାଘ ବଂଶ ଧାରଣ କରିବାକୁ ସକ୍ଷମ। ଜାତୀୟ ବ୍ୟାଘ୍ର ସଂରକ୍ଷଣର କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ହୋଇଥିବା ମାର୍ଗଦର୍ଶିକା କହେ, ୨୦ଟି ପ୍ରଜନନକ୍ଷମ ବାଘୁଣୀଙ୍କ ନିମନ୍ତେ ଅନ୍ତତଃ ପକ୍ଷେ ୮୦୦ରୁ ୧୨୦୦ ବର୍ଗକିଲୋମିଟର ଅଲଂଘନୀୟ ଜଙ୍ଗଲ ଦରକାର, ଯାହାକି ଭବିଷ୍ୟତରେ ୫୦ ରୁ ୬୦ ବାଘଙ୍କୁ ଧାରଣ କରିପାରିବ।
୧୯୭୨ ମସିହାରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା େହବା ପରେ ଏହାର ପ୍ରତିଷ୍ଠାତା କ୍ଷେତ୍ର ନିର୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ ସ୍ବର୍ଗତ ସରୋଜ ରାଜ ଚୌଧୁରୀ। ୧୯୬୯ ମସିହାେର ‘ଇଣ୍ଟରନ୍ୟାସନାଲ ୟୁନିୟନ ଫର କଞ୍ଜରଭେସନ ଅଫ୍ ନେଚର’ ମହାବଳ ବାଘକୁ ବିପଜ୍ଜନକ ତାଲିକାରେ ଅନ୍ତର୍ଭୁକ୍ତ କରିଲାପରେ ୧୯୭୨ ମସିହାରେ ଦେଶରେ ପ୍ରଥମଥର ପାଇଁ ବାଘ ପାଦଚିହ୍ନ ଅନୁଶୀଳନ ଓ ବିଶ୍ଳେଷଣ ପଦ୍ଧତିରେ ବାଘଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଏହି ଗଣନା ପଦ୍ଧତିର ପ୍ରବର୍ତ୍ତକ ଥିଲେ ଓଡ଼ିଶାର ତତ୍କାଳୀନ ଦକ୍ଷ ବନ ବିଭାଗ ଅଫିସର୰ ସରୋଜ ରାଜ ଚୌଧୁରୀ। ଗଣନାରୁ ଜଣା ପଡ଼ିଲା ଦେଶରେ ମୋଟ ୧୮୨୬ଟି ବାଘ ଅଛନ୍ତି। ତନ୍ମଧ୍ୟରୁ ଓଡ଼ିଶାରେ ୧୪୦ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ମାତ୍ର ୧୭ଟି ବାଘ, ଯାହାକି ରାଜ୍ୟ ବାଘ ସଂଖ୍ୟାର ୧୨ ପ୍ରତିଶତ। ଏହି ଗଣନାକୁ ଅସଂପୂର୍ଣ୍ଣ ଏବଂ ତ୍ରୁଟିପୂର୍ଣ୍ଣ ଦର୍ଶାଇ ପୁନର୍ବାର ୧୯୭୭ ମସିହାରେ ବାଘ ଗଣନା କରାଗଲା। ଏହି ଗଣନାରେ ଦେଶର ବାଘସଂଖ୍ୟା ୧୮୨୬ରୁ ୩୦୧୫, ଅର୍ଥାତ୍ ୬୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ, ଓଡ଼ିଶାର ବାଘସଂଖ୍ୟା ୧୪୦ରୁ ୧୭୫ (୨୧ ପ୍ରତିଶତ) ଏବଂ ବାଘସଂଖ୍ୟା ପ୍ରାୟ ୨୫୦ ପ୍ରତିଶତ ବୃଦ୍ଧିପାଇ ୧୭ରୁ ୬୦ରେ ପହଞ୍ଚିଲା। ଏହି ଦୁଇଟି ଗଣନାରୁ ସିଦ୍ଧ ହେଲା ଯେ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବାହାରେ, ରାଜ୍ୟର ବିଭିନ୍ନ ଜଙ୍ଗଲରେ ୧୦୦ରୁ ଊର୍ଦ୍ଧ୍ବ ବାଘ ରହିଛନ୍ତି। ଲେଖକ ମଧ୍ୟ ନିଜେ ଏହାର ପ୍ରତ୍ୟେକ୍ଷଦର୍ଶୀ। ୧୯୮୪-୮୫ ମସିହାରେ ଲେଖକ ରାୟଗଡ଼ା ବନଖଣ୍ଡ ଅଧିକାରୀ ଥିଲାବେଳେ, ସେଠିକାର ଗୁମ୍ମାଘାଟୀ, କୈଳାସକୋଟା ଘାଟୀ, ବିଷମକଟକ, କାଶୀପୁର ଏବଂ ନାରାୟଣ ପାଟଣା ଜଙ୍ଗଲରେ ଏକାଧିକ ବାର ମହାବଳ ବାଘଙ୍କର ସାମ୍ନାସାମ୍ନି ହୋଇଛି।
କିନ୍ତୁ ଏହାର ପରବର୍ତ୍ତୀ ସମୟରେ, ଅର୍ଥାତ୍ ୧୯୯୦ ପରଠାରୁ ରାଜ୍ୟରେ ଜଙ୍ଗଲର ଦ୍ରୁତ ଅବକ୍ଷୟ, ଗମନାଗମନର ବିକାଶ, ବ୍ୟାପକ ସହରୀକରଣ ଫଳରେ ଏବଂ ଅନ୍ୟାନ୍ୟ ଅନେକ କାରଣରୁ ମହାବଳ ବାଘଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସପାଇବାକୁ ଲାଗିଲା। ଅଥଚ ପ୍ରତି ଚାରିବର୍ଷ ଅନ୍ତରରେ, ପାଦଚିହ୍ନ ଅନୁଶୀଳନ ପଦ୍ଧତିରେ କରାଯାଉଥିବା ବାଘ ଗଣନାରେ ଉଭୟ ରାଜ୍ୟର ଓ ଶିମିଳିପାଳର ବାଘ ସଂଖ୍ୟା କିଛି ନା କିଛି ବୃଦ୍ଧି ପାଉଥିଲା। ଏହି ଗଣନା ଅନୁଯାୟୀ ଦେଶର ମୋଟ ବାଘସଂଖ୍ୟା ୩୬୪୨ରେ ପହଞ୍ଚିଥିଲା। ସେହି ଆକଳନରେ ଛୁଆଙ୍କୁ ମିଶାଇ, ଓଡ଼ିଶାର ବାଘଥିଲେ ୧୯୨ ଏବଂ ଶିମିଳିପାଳ ଅଭୟାରଣ୍ୟରେ ୧୦୨। ୨୦୦୭ ମସିହାରେ ଅନୁଗୋଳ ଜିଲାର ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଏବଂ ନୟାଗଡ଼ ଜିଲାର ବାଇଶିପାଲି ଅଭୟାରଣ୍ୟକୁ ନେଇ ‘ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ’ ଗଠନ ହେଲା। ୨୦୦୯ ମସିହାରେ ସୁନାବେଡ଼ା ଅଭୟାରଣ୍ୟ (ନୂଆପଡ଼ା ଜିଲା) କୁ ମଧ୍ୟ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପ ରୂପେ ସ୍ବୀକୃତି ଦିଆଗଲା। ଏହା ବ୍ୟତୀତ କେବଳ ସୁନ୍ଦରଗଡ଼ର ହେମଗିରି ବନାଞ୍ଚଳ, ଦେବ୍ରୀଗଡ଼ ଓ କୋଟଗଡ଼ ଅଭୟାରଣ୍ୟରେ ସାମୟିକ ଭାବେ ବାଘ ଦେଖାଯାଉଥିଲେ।
ଏହି ପୃଷ୍ଠଭୂମିରେ ୨୦୦୬ ମସିହାରେ ପାରମ୍ପରିକ ପାଦଚିହ୍ନ ଅନୁସରଣ ପଦ୍ଧତି ବଦଳାଇ ଦେଇ, ନୂତନ ଭାବେ ବିକଶିତ ହୋଇଥିବା ‘କ୍ୟାମେରା ଟ୍ରାପ’- ‘କାପ୍ଚର୍ ଓ ରି କାପ୍ଚର’ ପଦ୍ଧତିରେ ଦେଶସାରା ବାଘଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଏଥିରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଓ ଡେରାଡୁନସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା ମିଳିତଭାବେ ଅଂଶଗ୍ରହଣ କରିଥିଲେ। ଏହି ଗଣନାରୁ ଜଣାଗଲା, ଦେଶରେ ୩୬୪୨ଟି ବାଘଙ୍କ ସ୍ଥାନରେ ମାତ୍ର ୧୪୧୧ଟି ବାଘ ଅଛନ୍ତି। ଏବଂ ଓଡ଼ିଶାରେ ୧୯୨ ବାଘଙ୍କ ସ୍ଥାନରେ ମାତ୍ର ୪୫ଟି ବାଘ (ଛୁଆଙ୍କୁ ବାଦଦେଇ) ରହିଛନ୍ତି। ଉଭୟ ଦେଶ ଓ ରାଜ୍ୟରେ ବାଘ ସଂଖ୍ୟା ପାଖାପାଖି ଦୁଇତୃତୀୟାଂଶ ହ୍ରାସ ପାଇଛି। ଏହି ଫଳାଫଳ ବିଶ୍ବର ବ୍ୟାଘ୍ରପ୍ରେମୀ ଓ ବନ୍ୟପ୍ରାଣୀପ୍ରେମୀଙ୍କୁ ବିଚଳିତ କରିଛି। ବିଶ୍ବର ୧୩ଟି ‘ଟାଇଗର ରେଞ୍ଜ’ ଦେଶ ମଧ୍ୟରୁ ଭାରତରେ ୭୦ରୁ ୭୫ ପ୍ରତିଶତ ବାଘ ଦେଖିବାକୁ ମିଳୁଥିବାରୁ ଭାରତୀୟ ବାଘ ସମେତ ସମଗ୍ର ବିଶ୍ବରେ ବାଘଙ୍କର ସ୍ଥିତି ଓ ସଂରକ୍ଷଣ ପ୍ରତି ଆନ୍ତର୍ଜାତିକ ଦୃଷ୍ଟି ଆକର୍ଷିତ ହେଲା। ଏହି ଗଣନାରେ ଦର୍ଶାଯାଇଥିବା ଓଡ଼ିଶାର ୪୫ଟି ବାଘଙ୍କ ମଧ୍ୟରୁ ଶିମିଳିପାଳରେ ସର୍ବାଧିକ ୨୦ଟି, ସାତକୋଶିଆରେ ୬ଟି ଏବଂ ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲରେ ୧୯ଟି ବାଘ ଥିବାର ଜଣାଗଲା। ଚାରିବର୍ଷ ପରେ ୨୦୧୦ ମସିହା ଗଣନାରେ ଦେଶର ବାଘସଂଖ୍ୟା ୧୪୧୧ରୁ ୧୭୦୬କୁ ବୃଦ୍ଧି ପାଇଥିଲାବେଳେ, ଆମ ରାଜ୍ୟ ଓଡ଼ିଶାର ବାଘସଂଖ୍ୟା ୪୫ରୁ ୩୨କୁ ଖସି ଆସିଲା। ତନ୍ମଧ୍ୟରୁ ଶିମିଳିପାଳରେ ୨୩ଟି, ସାତକୋଶିଆରେ ୮ଟି ଏବଂ ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲରେ ମାତ୍ର ଗୋଟିଏ ବାଘ ଥିବାର ଦର୍ଶାଯାଇଥିଲା। ଅବଶ୍ୟ ପ୍ରସ୍ତାବିତ ସୁନାବେଡ଼ା ବ୍ୟାଘ୍ର ଅଭୟାରଣ୍ୟରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା କାରଣରୁ ସେଠାରେ ଗଣନା କରାଯାଇନଥିଲା।
୨୦୧୪ରେ କ୍ୟାମେରା ଟ୍ରାପ ପଦ୍ଧତିରେ କରାଯାଇଥିବା ବ୍ୟାଘ୍ର ଗଣନାରେ ଦେଶର ମୋଟ ବାଘସଂଖ୍ୟା ୨୦୨୬ରେ ପହଞ୍ଚିଲା। ସେଥର ପ୍ରଥମଥର ପାଇଁ ପଶ୍ଚିମବଙ୍ଗର ସୁନ୍ଦରବନରେ ବାଘଗଣନା କରାଯାଇଥିଲା। ୨୦୦୬ ଗଣନା ତୁଳନାରେ ଦେଶର ବାଘ ସଂଖ୍ୟା ୫୮ରୁ ୬୦ ପ୍ରତିଶତ ବୃଦ୍ଧି ପାଇଲା। କିନ୍ତୁ ଏହି ସମୟ ଅବଧି ଭିତରେ ଓଡ଼ିଶାର ବାଘସଂଖ୍ୟା ପୁନର୍ବାର ୩୨ରୁ ୨୮କୁ ଖସିଆସିଲା। ଏଥି ମଧ୍ୟରୁ ଶିମିଳିପାଳରେ ସର୍ବାଧିକ ୨୦ଟି ବାଘ ଥିଲେ। ୨୦୧୮ରେ ହୋଇଥିବା ଗଣନାରେ ଓଡ଼ିଶାର ବାଘ ସଂଖ୍ୟା େସହି ୨୮ରେ ସ୍ଥିର ରହିଲା। ଯଦିଚ ଏହି ସମୟ ମଧ୍ୟରେ ଦେଶର ବାଘସଂଖ୍ୟା ୨୦୦୬ ଗଣନା ତୁଳନାରେ ଦୁଇଗୁଣ ବୃଦ୍ଧି ପାଇ ୨୯୬୭ରେ ପହଞ୍ଚିଥିଲା। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରକାଶିତ ୨୦୧୮ରିପୋର୍ଟରେ ଦର୍ଶାଯାଇଛି, ଏହି ସମୟରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୮ଟି ବାଘ ଥିଲେ। କିନ୍ତୁ ଏହାର ପାର୍ଶ୍ବବର୍ତ୍ତୀ କରଞ୍ଜିଆ, ବାରିପଦା ଜଙ୍ଗଲରୁ ବା କେନ୍ଦୁଝରର ହଦଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବାଲେଶ୍ବର କୁଲଡିହା ଅଭୟାରଣ୍ୟରୁ ଏଠାକୁ ବରାବର ୧୨ଟି ବାଘ ଆସୁଥିଲେ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ମଧ୍ୟ କେତୋଟି ବାଘ ସେଠାକୁ ଆସିଥାଇ ପାରନ୍ତି; କାରଣ ସାତକୋଶିଆ ଏବଂ ଶିମିଳିପାଳ ମଧ୍ୟରେ ଯେଉଁ ଯାତାୟାତ ପଥ ବା କରିଡର ଥିଲା, ତାହା ଏବେ ବିଭିନ୍ନ କାରଣରୁ ଖଣ୍ଡ ବିଖଣ୍ଡିତ। ୨୦୨୨ ମସିହାରେ ହୋଇଥିବା ସର୍ବଶେଷ ବାଘଗଣନା ରିପୋର୍ଟରୁ ଜଣାପଡ଼ିଛି, ଦେଶର ବାଘ ସଂଖ୍ୟା ବୃଦ୍ଧି ପାଇ ୩,୧୬୭ରେ ପହଞ୍ଚିଥିଲେ ମଧ୍ୟ ରାଜ୍ୟର ବାଘସଂଖ୍ୟା ୨୮ରୁ ୨୦କୁ ଖସି ଆସିଛି। ସେଥିରୁ ଶିମିଳିପାଳରେ ୧୬, ସାତକୋଶିଆ ବାଘଶୂନ୍ୟ ଏବଂ ଶିମିଳିପାଳ ପାଖଆଖ ଜଙ୍ଗଲରେ କେବଳ ୪ଟି ମାତ୍ର ବାଘ ଅଛନ୍ତି। ତେଣୁ ନିର୍ଦିଷ୍ଟ ଭାବରେ କୁହାଯାଇପାରିବ, ଏବେ ଓଡ଼ିଶାର ବାଘବଂଶ ପାଇଁ ଶିମିଳିପାଳ ହିଁ ଅନ୍ତୁଡ଼ିଶାଳ। ଯେତିକି ବାଘ ରାଜ୍ୟରେ ଅଛନ୍ତି, ସେମାନେ ମୁଖ୍ୟତଃ ବ୍ୟାଘ୍ର ପ୍ରକଳ୍ପ ଓ ତା’ର ବାହ୍ୟାଞ୍ଚଳକୁ ଲାଗିଥିବା ଜଙ୍ଗଲରେ ଅଛନ୍ତି। ରିପୋର୍ଟରେ ସ୍ପଷ୍ଟଭାବେ ଦର୍ଶାଯାଇଛି, ରାଜ୍ୟର ପ୍ରସ୍ତାବିତ ସୁନାବେଡ଼ା ବ୍ୟାଘ୍ରପ୍ରକଳ୍ପ ଓ କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗୋଟିଏ ହେଲେ ବି ବାଘ ନାହାନ୍ତି; ଯଦିଓ ପୂର୍ବରୁ ଏଠାରେ ବାଘ ଦେଖିବାକୁ ମିଳୁଥିଲେ, ପୂର୍ବରୁ ଦେବ୍ରୀଗଡ଼ଠାରେ ଗୋଟିଏ ବାଘର ଯେଉଁ ଫଟୋ ଉତ୍ତୋଳିତ ହୋଇଥିଲା, ସେହି ବାଘଟିକୁ ଏବେ ଛତିଶଗଡ଼ର ଉଦନ୍ତୀ-ସୀତାପୁର ବ୍ୟାଘ୍ର ପ୍ରକଳ୍ପର ଠାବ କରାଯାଇଛି।
ଏକଦା ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଦେଖାଯାଉଥିବା ବାଘଙ୍କର ବିହନ ଏବେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସୀମାବଦ୍ଧ। ଗତ କିଛି ବର୍ଷ ହେଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପରିଚାଳନାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ଗତ ମୂଲ୍ୟାୟନରେ (ଏନଟିସିଏ କର୍ତ୍ତୃକ) ଭାରତର ଅନ୍ୟ କେତେକ ବ୍ୟାଘ୍ର ପ୍ରକଳ୍ପ ସହିତ ଏହା ‘ଅତି ଉତ୍ତମ’ ବର୍ଗରେ ସ୍ଥାନ ପାଇଛି। ପୂର୍ବରୁ କେନ୍ଦ୍ରାଞ୍ଚଳରେ ଥିବା ଚାରିଟି ଗାଁ ଯଥା ଜେନାବିଲ, କବାଟଘାଇ, ଯମୁନାଗଡ଼ ଓ ବକୁଆ ପ୍ରାୟତଃ ଅଭୟାରଣ୍ୟ ବାହାରକୁ ସ୍ଥାନାନ୍ତରିତ ହୋଇ ସାରିଲାଣି। ଉପର ବାରାକାମୁଡ଼ା ଓ ବାଘ ଘରରେ ଥିବା ଦୁଇଟି ଶ୍ରମିକ ବସତି ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କେନ୍ଦ୍ରାଞ୍ଚଳ ଏବେ ସଂପୂର୍ଣ୍ଣରୂପେ ଅଲଙ୍ଘନୀୟ ଓ ସୁରକ୍ଷିତ। ମନୁଷ୍ୟମାନଙ୍କର ଅନୁପ୍ରବେଶ ଏଠାରେ ନାହିଁ। ଏହି ଚାରିଟି ଗ୍ରାମର ଚାଷଜମିଗୁଡ଼ିକ ଏବେ ଚାରଣ ଭୂମିରେ ପରିଣତ ହୋଇଛି। ବିସ୍ତୀର୍ଣ୍ଣ ଘାସ ପଡ଼ିଆ, ଫଳରେ ହରିଣ, କୁଟୁରା, ସମ୍ବର, ଠେକୁଆ, ବାର୍ହା ଓ ଗୟଳ ଆଦି ତୃଣଭୋଜୀ ପ୍ରାଣୀଙ୍କର ସଂଖ୍ୟା ବେଶ୍ ବଢ଼ିଛି। ତୃଣଭୋଜୀ ପ୍ରାଣୀଙ୍କର ସଂଖ୍ୟା ବୃଦ୍ଧି ବାଘ ସଂଖ୍ୟା ବୃଦ୍ଧିର ଏକ ସ୍ପଷ୍ଟ ସୂଚକାଙ୍କ। ବନ ବିଭାଗ ଅଫିସର୍ମାନେ କହନ୍ତି ଶିମିଳିପାଳ ଜଙ୍ଗଲରେ ୬ଟି ବା ୭ଟି ବିଶ୍ବ ବିରଳ ‘ମେଲାନିଷ୍ଟିକ’ ବାଘ ଅଛନ୍ତି। ତିନିଟିରୁ ଚାରିଟି ଛୁଆ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ସେମାନେ ଭବିଷ୍ୟତ ବାଘ ବଂଶର ଧରୋହର। ନିକଟରେ ରାଜ୍ୟସରକାର ଶିମିଳିପାଳ, ହଦଗଡ଼ ଓ କୁଲଡିହା ମଧ୍ୟରେ ଥିବା ବନାଞ୍ଚଳକୁ ‘କଞ୍ଜରଭେସନ ରିଜର୍ଭ’ ବୋଲି ଘୋଷଣା କରିଛନ୍ତି। ଫଳରେ ଏହି ଜଙ୍ଗଲରେ ଖଣିଖନନ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ବନ୍ଦ ହୋଇଯିବ ଏବଂ ବାଘମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ସ୍ବଚ୍ଛନ୍ଦରେ ବିଚରଣ କରିପାରିବେ। ଏହା ସେମାନଙ୍କ ବଂଶବୃଦ୍ଧିରେ ସହାୟକ ହେବା ସହିତ, ଭବିଷ୍ୟତରେ ‘ଅନ୍ତଃ ଅଭିଜନନ’ ପ୍ରକ୍ରିୟାକୁ ଏଡ଼ାଯାଇ ପାରିବ। ସାଂପ୍ରତିକ ସ୍ଥିତିରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ରାଜ୍ୟରେ ବାଘମାନଙ୍କର ପ୍ରଜନନ ଓ ପରିବର୍ଦ୍ଧନ ପାଇଁ ଏକମାତ୍ର ଅନ୍ତୁଡ଼ିଶାଳ!
Comments are closed.