ଆରେ ଢମଣା, ବୁଲି ବୁଲିକି ସେଇ ଅଗଣା
‘ହିଂସା, ପ୍ରତିହିଂସା, ମିତ୍ରତା ଓ ବୈରତା’, ବିବେକବାନ୍ ମଣିଷଠେଇ ବି ଅଛି। କେତେ ଯୁଦ୍ଧ ମହାଯୁଦ୍ଧ ଏ ବିଶ୍ବ ପୃଷ୍ଠରେ ବିଭିନ୍ନ ରାଜ୍ୟରେ, ଦେଶରେ ସଂଘଟିତ ନ ହୋଇଛି! ସବୁଥିରେ ପ୍ରାୟ ଅହଂ, ତୀବ୍ର କାମନା ହିଁ ମୂଳ ବୀଜ; କିନ୍ତୁ ଏ ସବୁ ରାଗ, େଷ, ବୈରତା ପଶୁ ଜଗତର ଭାବଠାରୁ ଢେର୍ ଭିନ୍ନ। ଅହଂ ହିଁ ମଣିଷ ବୈରତାର ଏକ ଜୀବାଣୁ। ରାଧାନାଥ ତ କହିଲେ, ‘‘ମୁଁ’ଭାବେ ଜଡ଼ିତ ଅମର ଚିତ୍-କଣା, ଦେଖାଉଛି ଭବେ ଅସଂଖ୍ୟ ପେଖନା।’’ ସତରେ କବିବର ରାଧାନାଥଙ୍କର ମଣିଷ ପାଇଁ ଇୟେ ଏକ ବ୍ରହ୍ମଜ୍ଞାନ। ଯାହାର ଏଇ ‘ମୁଁକାର’ ନାହିଁ, ଯିଏ ‘ତୃଣାଦପି ସୁନୀଚେନ ତରୋରପି ସହିଷ୍ଣୁନା। ଅମାନିନା ମାନଦେନ କୀର୍ତ୍ତନୀୟଃ ସଦା ହରିଃ।’ ସେ ତ ଏ ମର ଜଗତରେ ଅମର ବନିଯାଏ। ସତରେ ପ୍ରଭୁ ସୃଷ୍ଟିର ଏ ଜଗତରେ, ସଂସାରରେ ମୋହ, ଅହଂ ନ ଥିଲେ ଏ ଖେଳ ଜମନ୍ତା କେମିତି? ଏକୁ କିଏ ବି ନ ବୁଝିଛି? ମାତ୍ର ବୁଝିବା ଓ ହେଜିବା ମଧ୍ୟରେ ଫରକ ଆକାଶ ପାତାଳ। ପଶୁ ଜଗତରୁ ଭିନ୍ନ ଏ ମଣିଷ ନିମନ୍ତେ ସେଥିପାଇଁ କେତେ ନୀତିନିୟମ ଓ ବିଧାନ ପ୍ରବର୍ତ୍ତିତ। ମାତ୍ର କାଇଁ କିଏ ଏକୁ ମାନୁଛି। ଦୃଢ଼ ଓ ଦାଢ଼ ନୀତି ନିୟମକୁ ତ ଜୀବଧର୍ମ କୁହାଯାଇଛି। ଏକୁ ଯେ ନ ମାନେ, ଏ ଭାବ ଓ ସଚେତନତା ଯାହାର ନାହିଁ, ତା’କୁ ପଶୁ କୁହାଯାଇ ପାରିବ। ‘ଧର୍ମେଣ ହୀନା ପଶୁଭିଃ ସମାନା।’
ମାତ୍ର କ୍ରମେ କ୍ରମେ ଏ ଅର୍ଗଳ, ଏ ଅନୁଶାସନ, ଏ ଅଙ୍କୁଶ ଦୁର୍ବଳ ଓ ଶୀର୍ଣ୍ଣ ହୋଇଯାଉଛି। ଲକ୍ଷ୍ମଣରେଖା ଉଲ୍ଲଙ୍ଘନର ଭୟଙ୍କର ପରିଣତି ବିଷୟରେ କେହି ଅବହିତ ନୁହନ୍ତି, ସଚେତନ ନୁହନ୍ତି। ‘ଯାବତ୍ ଜୀବେତ୍ ସୁଖଂ ଜୀବେତ୍ ଋଣଂ କୃତ୍ବା ଘୃତଂ ପିବେତ୍’ ଆପ୍ତ ବାକ୍ୟର ବିକୃତ ଅର୍ଥରେ ଅନ୍ୟ ବେକରେ ଗୋଡ଼ ପକେଇ ମାଡ଼ି ଚାଲୁଚନ୍ତି। କିରେ ବାବୁ ସୁଖ କ’ଣ ଏଇଆ? ପୁଣ୍ୟ ସୁଖ ପ୍ରଦାନକାରୀ ଓ ‘ପରୋପକାର ପୁଣ୍ୟାୟ ପାପାୟ ପରପୀଡ଼ନମ୍’। ବୁଝନ୍ତୁ ଏଥିରୁ ‘ସୁଖ’ ଅର୍ଥ ଶୋଷଣ, ଲୁଣ୍ଠନ କି ଅନ୍ୟ ସ୍ବାର୍ଥକୁ ଆହତ, ବ୍ୟାହତ କରିବା। ଉପଦେଶ ଓ ପରାମର୍ଶର ଗୋଟାଏ ବେଳକାଳ ଥାଏ। ସେଇଥିପାଇଁ କୁହାଯାଇଛି, ‘ଯାହା ନୋହିଛି ବାଳ କାଳେ, ତା’ କି ହେବ ପାଚିଲା ବାଳେ?’ ବାଲ୍ୟକାଳ ଓ ଯୌବନର ଅଭ୍ୟାସ ପରବର୍ତ୍ତୀ ଜୀବନକୁ ନିୟନ୍ତ୍ରଣ କରିଥାଏ। ସେତେବେଳେ ଜୀବ ଓ ଜୀବନକୁ ନ ଜଗିଲେ ନେଡ଼ି ଗୁଡ଼ କହୁଣିକୁ ବୋହିଯିବ, ଯାଏ ବି। ଏବେ କିନ୍ତୁ ଶୀର୍ଷକୁ ଉଠିବା ପାହାଚମାନ ସାଧନ ବା ଚରିତ୍ରାନୁଗତ ନୁହଁ। ଯିଏ ପାରେ ସିଏ, ଆଗ ହେଉ ପଛ ହେଉ କବାଟ ବାଟେ ପହଞ୍ଚି ପାହାଚ ଉପରେ ଗୋଡ଼ ଥୋଇଲେ ତ ଉଠିଲ ଉପରକୁ। ଯେମିତି ଆଧୁନିକ ବିଦ୍ୟୁତ୍ ନିଶୁଣି (ଲିଫ୍ଟ)। ଯେଉଁମାନେ ସବୁ ଉପରକୁ ଉଠୁଥିଲେ, ଯେଉଁମାନଙ୍କୁ ‘ମହାଜନ’, ‘ମହାଜନଃ ଯେନ ଗତଃ ସଃ ପନ୍ଥା’ ବୋଲି ଯୁଧିଷ୍ଠିର ମହାରାଜ ‘କା ପନ୍ଥା’ର ଉତ୍ତରରେ କହିଥିଲେ। କାଇଁ ସେ ମହାଜନ? ମହାଜନେ ଦୁର୍ନୀତି, ଭ୍ରଷ୍ଟାଚାରରେ, ପାଚିଲା ବାଳରେ ଜିଅଲରେ ପଶନ୍ତି? ‘ଲକ୍ଷ୍ମଣ ରେଖା’, ନୀତିନିୟମକୁ ଏବେ ପୁନର୍ବିନ୍ୟାସ, ପୁନଃ ପରିଭାଷାରେ ପୁଟ ପାକ ଦିଆଯାଉଛି। ଏବେ ଅଦାଲତରେ ଏକ ନୂତନ ସଂସ୍କରଣ ହେଲାଣି। ‘ପରିବାର ଅଦାଲତ’। ଏଠି ବିଚାରଧାରା ଅଲଗା, ଆଇନର ଜାବକୁ ଏଡ଼େଇ ଆପୋସରେ ଯଦି ସମାଧାନ ହୋଇଗଲା ତ ଢେର୍ ବଡ଼ କଥା। ଆଗେ ଗାଁ ଗହଳିରେ ଅଦାଲତ ମଞ୍ଚରେ ଗାଁର ବରିଷ୍ଠ ଓ ଆଦର୍ଶ ସ୍ଥାନୀୟ ବ୍ୟକ୍ତିଙ୍କୁ ନେଇ ଗଠିତ ପଞ୍ଚାୟତ ଆପୋସ ଆଲୋଚନାକୁ ଢେର୍ ଗୁରୁତ୍ବ ଦେଉଥିଲେ। ଏ ସମାଧାନ ପରେ ଆଉ ବୈରତା ବା ପ୍ରତିଶୋଧପରାୟଣତା ନଥିଲା। ତଳ ଅଦାଲତରୁ ଶୀର୍ଷ ଅଦାଲତ ପର୍ଯ୍ୟନ୍ତ ମାମଲା ଘୁଷୁରୁ ନଥିଲା। ପକ୍ଷଙ୍କୁ ସର୍ବସ୍ବାନ୍ତ କରୁନଥିଲା। ଏବେ ପରିବାର ଅଦାଲତ ଓ ବିଭିନ୍ନ ବିଚାର ପଦ୍ଧତିରେ ଏ କଥା ଅନୁସରଣ କରାଯାଇ ସୁଫଳ ବି ମିଳୁଛି। ମାତ୍ର ଆପୋସରେ ଉଭୟ ପକ୍ଷଙ୍କୁ କିଛି ସାଲିସ କରିବାକୁ ହୋଇଥାଏ। ବାଧ୍ୟବାଧକତା ଅପେକ୍ଷା ବିଚାରବୋଧ, ଶାନ୍ତି ଚଳନିର ଭାବ ଏ ସବୁ ସମାଧାନରେ ସହାୟକ ହୋଇଥାଏ। ଇୟେ ସଂସାର କଥା। ମାତ୍ର ଯାହାର ଏ ଭାବ ନାହିଁ, ‘ବିନା ଯୁଦ୍ଧେ ନ ଦେବି ମୁଁ ସୂଚ୍ୟଗ୍ରେ ମେଦିନୀ’, ସେ ତ ରକ୍ତନଦୀ ପହଁରି ମରିବ, କି ଦାରୁଣ ଓ ହୀନାବସ୍ଥା।
ତେବେ ଭାରତୀୟ ସଂସ୍କୃତିରେ ଆପୋସୀ ରାଜିନାମା ଓ ସହାବସ୍ଥାନ ନୀତି ଜନଜୀବନକୁ ନିୟନ୍ତ୍ରିତ କରୁଥିଲା। ଏ ସବୁ ସତ୍ତ୍ବେ ‘ବସୁଧୈବ କୁଟୁମ୍ବକମ୍’ କୁହାଯାଉଥିଲା; ମାତ୍ର ସେ ସବୁ ଏବେ ଗପ ବନିଯାଇଛି। ଜଣେ ଯୋଗୀ ଗୋଡ଼ ଓ ହାତଗୁଡ଼ାକୁ ରବର ଭଳି ମୋଡ଼ାମୋଡ଼ି କରୁଥିବାବେଳେ ଆମେ ପଦ୍ମାସନରେ ବି ବସି ପାରୁନେ। ୟେ ମେଜିକ୍ ନୁହଁ ଅଭ୍ୟାସର କଥା, ସାଧନାର କଥା, ସଂସ୍କାର ଓ ସଂସ୍କୃତିର କଥା। ଏବେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସୁପ୍ରିମକୋର୍ଟଙ୍କ ଏକ ପରାମର୍ଶ କୌତୂହଳୋଦ୍ଦୀପକ ଯେମିତି ହସ ବି ମଡ଼ଉଚି ସେମିତି। ଆରେ ବାବୁ, ‘ଅହଂ ମଞ୍ଜ’ ତ ସେଇଟା କିଏ କାହାକୁ ଡାକିବ। ସଂସ୍କୃତରେ ଶ୍ଳୋକ ‘ଦଦାତି ପ୍ରତିଗୃହ୍ଣାତି ଗୁହ୍ୟମାଖ୍ୟାତି ପୃଚ୍ଛତି। ଭୁଙ୍କ୍ତେ ଭୋଜୟତେ ଚୈବ ଷଡ୍ବିଧଂ ପ୍ରୀତିଲକ୍ଷଣମ୍।’ ଦେବ, ନେବ, ଗୋପନ କହିବ, ପଚାରିବ, ଖାଇବ ଓ ଖୋଇବ– ଏ ଛ’ଟି ପ୍ରୀତିଲକ୍ଷଣ। ଏଇଟା େସୗହାର୍ଦ୍ୟ, ଆନ୍ତରିକତା ବଢ଼ାଇଥାଏ। ମାତ୍ର ଫିରିଙ୍ଗି ଓ ମୋଗଲ ଶାସନ ଆମ ଏ ସଂସ୍କୃତିକୁ ଲୋପ କରିଦେଲା। ତେବେ ପଶ୍ଚିମବଙ୍ଗରେ କାମଚଳା କୁଳପତି ନିଯୁକ୍ତି ନେଇ ପଶ୍ଚିମବଙ୍ଗ ସରକାର ଶୀର୍ଷ ଅଦାଲତକୁ ଯାଇଛନ୍ତି। ଖଣ୍ଡା ଧାରୁଆ ବିଚାର କ’ଣ ହେବ କେଜାଣି। ଏବେ ଅଦାଲତ କହିଲେଣି, ‘‘ତମେ ଏବେ ଚା’ ଟେବୁଲରେ ବସି ୟାର ସମାଧାନ କର।’’ ଏ ଦିହେଁ କ’ଣ ଇସ୍କୁଲ ପିଲା ଯେ ତାଙ୍କୁ ମାଷ୍ଟ୍ରେ କହିବେ କୁଣ୍ଢାକୁଣ୍ଢି ହୋଇ ମିଳାମିଶା ହୋଇଯା’। ଏମାନେ ସବୁ ପୋଖତ ବ୍ୟକ୍ତିତ୍ବ, କେତେ ଗଳିକନ୍ଦି, କଣ୍ଟାଝଣ୍ଟା ଦେଇ ଆସିଛନ୍ତି। ସମସ୍ତେ କଂସାରିଘରର ପାରା। ‘ଚା’ ଟେବୁଲ’ କୁତୁକୁତୁ ଏଙ୍କୁ କୋଉ ପ୍ରଭାବିତ କି ପ୍ରଚୋଦିତ କରିବ।
ତେବେ ଆମ ସଂସ୍କାର, ସଂସ୍କୃତିର ମୂଳ ଭାବ ଆପୋସି ଆଲୋଚନାକୁ ଯେ ମାନ୍ୟବର ଶୀର୍ଷ ଅଦାଲତ ବିଶ୍ବାସ କରୁଛନ୍ତି ତା’ ଢେର୍ ଆଶ୍ବାସନା ଓ ପ୍ରେଚାଦନାର କଥା। ‘ଆରେ ଢମଣା, ବୁଲି ବୁଲି କି ସେଇ ଅଗଣା।’
Comments are closed.