ବିଲୟ ପଥରେ ନଦୀ ମାତୃକା

ବିଭୁଧେନ୍ଦ୍ର ପ୍ରତାପ ଦାସ

ଦେଶର ସମସ୍ତ ରାଜ୍ୟର ନଦୀଜଳ ପ୍ରବାହ ଅଣମୌସୁମୀ ଋତୁରେ ୯୦% ସ୍ରୋତ ହ୍ରାସ ପାଇଛି। ଗଙ୍ଗା, ଗୋଦବରୀର ସ୍ରୋତ ପରିମାଣ ୮୦% ହ୍ରାସ ହୋଇଯାଇଛି। ପ୍ରାୟ ସମସ୍ତ ନଦୀଘାଟରେ ଏଥିପାଇଁ ନୌକା ଚାଲୁନାହିଁ। ନଦୀକୂଳମାନଙ୍କରେ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଜୀବିକା ହରାଇଛନ୍ତି।

ନଦୀମାନଙ୍କର ଜଳସ୍ରୋତ ହ୍ରାସର କାରଣ ୯୫% ପର୍ବତମାନଙ୍କରେ ମୂଲ୍ୟବାନ ଶାଳ ପିଆଶାଳ ଇତ୍ୟାଦି ବୃକ୍ଷ ଧ୍ବଂସ। ଉକ୍ତ କାରଣରୁ ୯୦% ଝରଣା ଏବେ ମୃତ। ନଦୀମାନଙ୍କର ନିଜସ୍ବ ଜଳ ସୃଷ୍ଟି କରିବାର କ୍ଷମତା ନଥାଏ। ପର୍ବତ ଉପରୁ ଝରଣା ପାଣି ନାଳ ଦେଇ ଛୋଟ ନଦୀମାଧ୍ୟମରେ ବଡ଼ନଦୀକୁ ଜଳ ପ୍ରବେଶ କରିଥାଏ। ହିମାଳୟ ପର୍ବତ ଉପରୁ ପାଇନ ଗଛ ଧ୍ବଂସ ପାଇଯାଇଥିବାରୁ ଶୀଘ୍ର ବରଫ ତରଳି ଯାଇ ଗଙ୍ଗାନଦୀ ଜଳସ୍ରୋତ ପରିମାଣ ହ୍ରାସ ପାଇଛି। ଏହା ବ୍ୟତୀତ ଆମ ରାଜ୍ୟ ସମେତ ଅନ୍ୟାନ୍ୟ ରାଜ୍ୟମାନଙ୍କର ଜଙ୍ଗଲ ଧ୍ବଂସ କାରଣରୁ ଓ ଉଚ୍ଚ ଅଟ୍ଟାଳିକା ଦ୍ବାରା ଭୂତଳ ଜଳ ବ୍ୟବହାର ଓ ପୋଖରୀକୁ ପୋତାଯାଇ ଘର ନିର୍ମାଣ ଦ୍ବାରା ମଧ୍ୟ ଭୂତଳ ଜଳସ୍ତର ହ୍ରାସ ପାଇଛି। ଓଡ଼ିଶାରେ ଗଭୀର ନଳକୂପ ଦ୍ବାରା ଉଠାଜଳସେଚନ ଯୋଗୁଁ ଭୂତଳ ଜଳସ୍ତର ସାଂଘାତିକ ଭାବେ ତଳକୁ ଚାଲିଗଲାଣି। ଏଥିପାଇଁ ଉପକୂଳ ଜିଲାମାନଙ୍କର ଲୁଣିଜଳ ଉପରକୁ ଉଠିଆସିଛି। ପୁରୀ ବଳିଆପଣ୍ଡା ଏହାର ଉଦାହରଣ।

ସରକାର ୨୦୨୪ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ନଦୀ ଜଳଭଣ୍ଡାରମାନଙ୍କରେ ଆବଶ୍ୟକତା ଅନୁସାରେ ଯଦି ପାଣି ରହିବ ନାହିଁ, ସରକାର ସମସ୍ତ ଗ୍ରାମକୁ ଜଳ ଯୋଗାଇ ପାରିବେ ତ? ଏହାର ପ୍ରତିକାର ପାଇଁ ନିମ୍ନ ପରାମର୍ଶଗୁଡ଼ିକ ଉଲ୍ଲେଖ କରାଯାଇପାରେ। ସରକାର ଗୁରୁତ୍ବ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନ ନେଲେ ଭାରତରେ ଜଳ ଓ ଖାଦ୍ୟ ଦୁର୍ଭିକ୍ଷ ଯେ ସୁନିଶ୍ଚିତ ଏପରି ମନେହୁଏ।

୧. ଘରମାନଙ୍କରେ କବାଟ, ଝରକା ଓ ଆବାସରେ ମୂଲ୍ୟବାନ ଶାଳ, ପିଆଶାଳ, ବାନ୍ଧଣ, ଶିଶୁ ଇତ୍ୟାଦି ବୃକ୍ଷର କାଠ ବ୍ୟବହାର ପାଇଁ ନିଷେଧ ଆଇନ ପ୍ରଣୟନ ଏବଂ ଆଇନ ଭଙ୍ଗକାରୀଙ୍କୁ କଠୋର ଅର୍ଥ ଦଣ୍ଡ ବ୍ୟବସ୍ଥା କରାଯାଉ। ଟିକ୍‌ ଚାରା ନିଜ ଜମିରେ ରୋପଣ କଲେ କଟାଯିବା ପାଇଁ ଓ ରାସ୍ତାରେ ନେବା ପାଇଁ ଅନୁମତି ନେବା ନିୟମକୁ ଉଠାଇ ଦିଆଯାଉ। ଉକ୍ତ ନିୟମ କରାଗଲେ ଘରୋଇ ସଂସ୍ଥା ଓ ବ୍ୟକ୍ତି ବିଶେଷ ଟିକ୍‌ ଚାରା ରୋପଣ କରିବେ। ପ୍ରକାଶଥାଉ କି କବାଟ, ଝରକା ପାଇଁ ଷ୍ଟିଲ ଆଲୁମିନିୟମ ବ୍ୟବହାର କରାଯାଇପାରିବ।

୨. ସଫଳ ଚାରା ରୋପଣ ନିମନ୍ତେ ଜାପାନ ପଦ୍ଧତିରେ ଉଡ଼ାଜାହାଜ ଦ୍ବାରା ଉପରୁ ମଞ୍ଜି ନିକ୍ଷେପଣ କରାଯାଉ। ଜଙ୍ଗଲ ବିଭାଗ ଦ୍ବାରା ବନୀକରଣ କାର୍ଯ୍ୟ ବିଶେଷ ସଫଳ ହେଉନଥିବାରୁ ଘରୋଇ ସଂସ୍ଥାମାନଙ୍କ ଜରିଆରେ ଚାରାରୋପଣ କରାଯାଉ। ଏଥିପାଇଁ ସଂସ୍ଥାକୁ ୨୦% ଲାଭ ଦିଆଯିବା ସହ ସେମାନଙ୍କଠାରୁ ବ୍ୟାଙ୍କ ଗ୍ୟାରେଣ୍ଟି ରଖାଯାଉ।

୩. ହାଇସ୍କୁଲ, କଲେଜ ଶିକ୍ଷାରେ ଚାରାରୋପଣ ଓ ପରିବେଶ ଶିକ୍ଷା ବାଧ୍ୟତାମୂଳକ କରାଯାଉ। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ୨ଟି ଦୀର୍ଘଜୀବୀ ଫଳ ଚାରାରୋପଣ ନିଜ ଜମିରେ ଓ ସରକାରୀ ଜମିରେ କରିପାରିବେ। ସରକାରୀ ଜମିରେ ଛାତ୍ରଛାତ୍ରୀ ଚାରାରୋପଣ କଲେ ଫଳ ଉପରେ ଅଧିକାର ରହିବା ଆବଶ୍ୟକ।

୪. ଓଡ଼ିଶା ସରକାର ଜଙ୍ଗଲରୁ ଚୋରାକାଠ ଚାଲାଣକୁ ରୋକିବା ନିମନ୍ତେ ‘ଓଡ଼ିଶା ରିୱାର୍ଡଫର ଫରେଷ୍ଟ ଅଫେଣ୍ଡର’ ନିୟମ ପ୍ରଣୟନ କରିଛନ୍ତି। ଏଥିରେ ଜଙ୍ଗଲ ସମ୍ପଦ ଚୋରା ଚାଲାଣ ସମ୍ପର୍କରେ ଖବରଦାତାକୁ (ନାମ ଗୁପ୍ତ ରଖାଯାଇଛି) ସମୁଦାୟ କାଠ ମୂଲ୍ୟର ଶତକଡ଼ା ୩୫ ଅର୍ଥ ପୁରସ୍କାର ବ୍ୟବସ୍ଥା ଅଛି। ଏହି ବିଧିକୁ ପ୍ରଚାର ପାଇଁ ଖବରକାଗଜ ଓ ଦୂରଦର୍ଶନ, ରେଡ଼ିଓରେ ବହୁଳ ପ୍ରସାରଣ କରାଯାଉ।

prayash

୫. ଜଙ୍ଗଲ ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ସ୍ଥାନାନ୍ତରିତ ପାଇଁ ମଧ୍ୟପ୍ରଦେଶ ଢାଞ୍ଚାରେ ଚାଷଜମି ତିଆରି କରି ଆଦର୍ଶ ଗ୍ରାମ ନିର୍ମାଣ କରି ସ୍ଥାନାନ୍ତରିତ କରାଯାଉ। ସ୍ଥାନାନ୍ତରିତ ପ୍ରତ୍ୟେକ ପରିବାରରୁ ଜଣଙ୍କୁ ଫରେଷ୍ଟ ଗାର୍ଡ ନିଯୁକ୍ତି କରାଗଲେ ସେମାନେ ସ୍ବତଃ ସ୍ଥାନାନ୍ତରିତ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ।

୬. ହାତୀ ଓ କେତେକ ପକ୍ଷୀ ଫଳ ଖାଇ ଅନ୍ୟତ୍ର ମଞ୍ଜି ପକାଇବା ଦ୍ବାରା ଜଙ୍ଗଲ ବୃଦ୍ଧିପାଏ। ଏହା ବ୍ୟତୀତ ଏମାନେ ଜଙ୍ଗଲ ମଧ୍ୟରେ ରହିଲେ କାଠ ଚୋରି ହୁଏନାହିଁ। ଏମାନଙ୍କ ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀଙ୍କ ହତ୍ୟାକାରୀମାନଙ୍କ ସମ୍ପର୍କରେ ଖବରଦାତାଙ୍କୁ ୫୦ହଜାରରୁ ୧ଲକ୍ଷ ଟଙ୍କା (ନାମ ଗୁପ୍ତ ରଖି) ପୁରସ୍କାର ଓ ବନ୍ୟପ୍ରାଣୀ ଶିକାରୀମାନଙ୍କ ବିରୋଧରେ ମୋକଦ୍ଦମା ଶୀଘ୍ର ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ। ଏହା ବ୍ୟତୀତ ଏମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ସ୍କାର୍ଡ (ଅବସରପ୍ରାପ୍ତ ଯୁଦ୍ଧତାଲିମପ୍ରାପ୍ତ ସୈନିକମାନଙ୍କୁ ପୁଲିସ କ୍ଷମତା ଦିଆଯାଇ) ଗଠନ କରିବା ଆବଶ୍ୟକ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମଧ୍ୟପ୍ରଦେଶ ସରକାର ୫ଟି ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିଛନ୍ତି ଓ ଏଥିରୁ ସୁଫଳ ମିଳୁଛି। ଏହା ବ୍ୟତୀତ ଆନ୍ଧ୍ର ସରକାର ନାଲିଚନ୍ଦନ କାଠ ଚୋରଙ୍କ ମୋକଦ୍ଦମା ଶୀର୍ଘ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିଛନ୍ତି।

୭. ଜଙ୍ଗଲରେ ଅଗ୍ନିକାଣ୍ଡ ଯୋଗୁଁ ବହୁ ଛୋଟବଡ଼ ବୃକ୍ଷ ନଷ୍ଟ ହେଉଛି। ଅଗ୍ନିକାଣ୍ଡ ସ୍ଥାନରେ ମାଟି ମରିଯାଏ ଓ ଉକ୍ତ ସ୍ଥାନରେ ନୂତନ ବୃକ୍ଷ ସୃଷ୍ଟି ହୁଏ ନାହିଁ ବୋଲି ଭୂବିଜ୍ଞାନୀଙ୍କ ମତ, ଏଣୁ ଅଗ୍ନିକାଣ୍ଡ ନ ହେବା ପାଇଁ ପତ୍ରଝଡ଼ା ଋତୁର ପତ୍ରଗୁଡ଼ିକୁ ସଂଗ୍ରହ କରାଯାଇ ବନୀକରଣ ନିମନ୍ତେ କମ୍ପୋଷ୍ଟ ତିଆରି କରାଯାଉ। ନିକଟବର୍ତ୍ତୀ ଗ୍ରାମ ଲୋକ ମହୁଲ, ଶାଳ ମଞ୍ଜି ସଂଗ୍ରହ ପାଇଁ ନିଆଁ ଲଗାଇ ଦିଅନ୍ତି। ଏଣୁ ପତ୍ର ସଂଗ୍ରହକାରୀମାନଙ୍କୁ ପାରିଶ୍ରମିକ କିଲୋପ୍ରତି ୫ଟଙ୍କା ଦିଆଗଲେ ସେମାନେ ଅଗ୍ନି ଲଗାଇବେ ନାହିଁ।

୮. ସମସ୍ତ ନଦୀକୂଳରେ ୨୦୦/୩୦୦ ମିଟର ବ୍ୟବଧାନରେ ଛୋଟ ବ୍ୟାରେଜ ନିର୍ମାଣ କରାଯାଉ। ଏହା ବ୍ୟତୀତ କୂଳମାନଙ୍କରେ ଏନ୍‌ଆରଜିଏସ୍‌ ଅର୍ଥରେ ରିଚାର୍ଜିଂ କୂପ ଖନନ କରାଯାଉ। ଏହାଦ୍ବାରା ବର୍ଷାଜଳ ନଦୀ ମଧ୍ୟକୁ ପ୍ରବେଶ କରି ଜଳସ୍ରୋତ ସୃଷ୍ଟି ହୋଇପାରିବ। ଏଥିନିମନ୍ତେ ଏନ୍‌ଆର୍‌ଜି ଅର୍ଥ ସୁବିନିଯୋଗ ପାଇଁ ତେଲଙ୍ଗାନା ପଞ୍ଚାୟତିରାଜ ଆଇନ ୨୦୧୬ ଭଳି ସବୁ ରାଜ୍ୟ ଆଇନ ପ୍ରଣୟନ କରନ୍ତୁ।

୯. ଗ୍ରାମ, ସହରରେ ଥିବା ସମସ୍ତ ପୋଖରୀ ଓ ଜଳାଶୟଗୁଡ଼ିକ ପୁନଃଉଦ୍ଧାର କରାଯାଉ। ବିଭିନ୍ନ ଖଣିଜ ପଦାର୍ଥ ଉତ୍ତୋଳନ ହୋଇସାରିଥିବା ଖଣି ମଧ୍ୟରେ ନିକଟସ୍ଥ ନଦୀମାନଙ୍କରୁ କେନାଲ ମାଧ୍ୟମରେ ଜଳଭଣ୍ଡାର ସୃଷ୍ଟି କରାଯାଉ। ଏହା ଶିଳ୍ପସଂସ୍ଥାମାନଙ୍କ ଦ୍ବାରା କରାଯାଉ ଓ ଜଳଭଣ୍ଡାରରୁ ଶିଳ୍ପକୁ ଜଳ ଦେବା ନିମନ୍ତେ ନୀତି ନିର୍ଦ୍ଧାରଣ କରାଯାଉ।

୧୦. ଗଭୀର ନଳକୂପ ଖନନ ଯୋଗୁଁ ଭୂତନ ଜଳସ୍ତର ହ୍ରାସ ପାଇଯାଉଛି। ଏଣୁ ଏହାକୁ ତୁରନ୍ତ ନିଷେଧ କରାଯାଉ।

ଉପରୋକ୍ତ ପ୍ରସ୍ତାବଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କାର୍ଯ୍ୟକାରୀ ନିମନ୍ତେ ଓଡ଼ିଶା କୃଷକ ମହାସଂଘ ବିଗତ ୧୦ବର୍ଷ ହେବ ପତ୍ର ମାଧ୍ୟମରେ ପଠାଇଥିଲେ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏଣୁ ଗଣମାଧ୍ୟମ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀମାନେ ସ୍ବର ଉତ୍ତୋଳନ ନ କଲେ ୫ ବର୍ଷ ମଧ୍ୟରେ ଦେଶରେ ଜଳ ଓ ଖାଦ୍ୟ ଦୁର୍ଭିକ୍ଷ ସୃଷ୍ଟି ହେବାର ସମ୍ଭାବନା ରହିଛି।

kalyan agarbati

Comments are closed.