ବିଶ୍ବ ଖାଦ୍ୟ ଉତ୍ପାଦନ ହ୍ରାସ କାହିଁକି
ନଟବର ଷଡଙ୍ଗୀ
୨୦୨୨-୨୩ କୃଷି ବର୍ଷରେ ପୃଥିବୀରେ ଖାଦ୍ୟ ଉତ୍ପାଦନ କମିଯାଉଛି। ଭାରତରେ ଧାନ ଓ ଗହମ। ଏସିଆ ମହାଦେଶରେ ଧାନ। ୟୁରୋପ ମହାଦେଶ ରୁଷିଆ ୟୁକ୍ରେନ ସମେତ ସମସ୍ତ ଗହମ ଉତ୍ପାଦନକାରୀ ଦେଶରେ ୧୦-୧୨ ପ୍ରତିଶତ ଉତ୍ପାଦନ କମିଯାଇଥିବା ଆକଳନ କରାଯାଇଛି। ଆଫ୍ରିକାରେ ମିଲେଟ ଉତ୍ପାଦନ ଅଧାଅଧି କମିଛି। ଖାଦ୍ୟ ଉତ୍ପାଦନ ହ୍ରାସ ବିଶ୍ବ ସମୁଦାୟ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଭବିଷ୍ୟତକୁ ଖାଦ୍ୟ ସଙ୍କଟ ହେବାର ଏହା ଏକ ସୂଚନା। ଆମେରିକା, ବିଲାତ ଭଳି ଦେଶରେ ଚାଉଳର ମୂଲ୍ୟ ୨ଗୁଣ ବଢି ଯାଇଛି। ଭାରତରେ ୪ ମାସ ତଳେ ଉସୁନା ଚାଉଳ କିଲୋ ୨୨/୨୩ ଟଙ୍କା ଥିଲା। ବର୍ତ୍ତମାନ ଏହା ୩୫/୪୦ ଟଙ୍କାରେ ବିକ୍ରି ହେଉଛି। ଗରିବର ପଖାଳ କଂସା ଉପରେ ପାହାର। ଖାଦ୍ୟ ଦର ବୃଦ୍ଧିରୁ ମୁଦ୍ରାସ୍ଫୀତି ମଧ୍ୟ ବଢୁଛି। ଖାଦ୍ୟ ଶସ୍ୟ ଉତ୍ପାଦନ ହ୍ରାସର କାରଣ ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ବୋଲି କୁହାଯାଇଛି। ଏହା ଆଂଶିକ ସତ୍ୟ। ମାତ୍ର ବଡ଼ କାରଣଟି ରାସାୟନିକ କୃଷି।
ବିଶ୍ବ ତାପାୟନ ଏଇ ୧୦-୧୫ ବର୍ଷର କଥା ନୁହେଁ। ଅଷ୍ଟମ ଶତାବ୍ଦୀରୁ ବିଶ୍ବତାପନ ଅନୁଭବ ହେଲାଣି। ଏଲ ନିନୋ ଓ ଲାନିନାର ପ୍ରଭାର ସେତେବେଳେ ମଧ୍ୟ ଥିଲା। ସମୁଦ୍ର ଉପରେ ଏଲନିନୋ ଉଷ୍ମବାୟୁ ପ୍ରଭାବରୁ ଆଫ୍ରିକାରେ କ୍ରମାଗତ ମରୁଡି ଓ ଦୁର୍ଭିକ୍ଷ ହୋଇଛି। ଚତୁର୍ଦଶ ଶତାବ୍ଦୀରେ ରୁଷ, ଫ୍ରାନ୍ସ, ଜର୍ମାନ ଇଂଲଣ୍ଡ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କରେ ଲଗାତାର ଭୟଙ୍କର ଦୁର୍ଭିକ୍ଷ ପଡିଛି। କାରଣ ଏଲନିନୋ। ଆଜି କିନ୍ତୁ ବିଶ୍ବ ତାପାୟନ ଉଗ୍ରରୂପ ନେଇଛି। ଏହା ମନୁଷ୍ୟ କୃତ; କିନ୍ତୁ ସାରା ପୃଥିବୀରେ ଏକ ସମୟରେ ଫସଲ ଉତ୍ପାଦନ ହ୍ରାସର କାରଣ କୃଷିକୁ ଶିଳ୍ପର ମାନ୍ୟତା ଦେବା। କୃଷି କ୍ଷେତ୍ରରେ ବହୁଦେଶୀୟ କମ୍ପାନୀମାନେ ଟ୍ରାକ୍ଟର, ହାର୍ବେଷ୍ଟର, ବୁଲ ଡୋଜର ଭଳି ଭାରି ଯାନମାନ ଚଳାଇ ମାଟି ଓ ପ୍ରକୃତି ଉପରେ ଅତ୍ୟାଚାର କଲେ। କମ୍ପାନୀ ବିହନ, ରାସାୟନିକ ସାର ଓ କୀଟନାଶକ ବିଷ ଟନ ଟନ କ୍ଷେତରେ ଢଳାହେଲା। ଆଜି ବି ଚାଲିଛି। ମାଟି ମା’ ଯନ୍ତ୍ରଣାରେ ଚିତ୍କାର କରୁଛି।
୧୭୫୦ ଶିଳ୍ପ ବିପ୍ଲବ ଆରମ୍ଭ। ସେ ପର୍ଯ୍ୟନ୍ତ ୟୁରୋପ, ଏସିଆ, ଆଫ୍ରିକାରେ ହଳ ଲଙ୍ଗଳରେ ଚାଷ ହେଉଥିଲା। ୟୁରୋପରେ ଘୋଡା ଯୋଚି, ଏସିଆରେ ବଳଦ, ଗାଈ, ଷଣ୍ଢ ଆଫ୍ରିକାରେ ମଇଁଷି, ପୋଢ ଯୋଚି ଚାଷୀ ଚାଷ କରୁଥିଲେ। ମାଟି ମା’ର ହେପାଜତ କରୁଥିଲେ। ମାଟି ଉର୍ବର ଥିଲା। ଫାଳେ ପକେଇଲେ ଗୋଟେ ଫଳୁଥିଲା। ହସ ଖୁସି ଯାନି ଯାତ୍ରା ବି ଚାଲିଥିଲା। ଏ ପ୍ରକାର କୃଷିକୁ ନିରନ୍ତର କୃଷି କୁହାଯାଉଥିଲା। ଟ୍ରାକ୍ଟର ଯୋଗୁଁ ଲୋକେ ହଳ ଲଙ୍ଗଳ ଛାଡିଦେଲେ। ଜଙ୍ଗଲ କାଟି ପକାଇଲେ। ମାଟିକୁ ହାଣି, ତାଡି, ଖୋଳି ପକାଇଲେ। ମାଟି ମା’ ରୋଗିଣୀ ହେଲା। ଉତ୍ପାଦନ କମିଗଲା।
ନିକଟରେ ଗୋଟିଏ ବୃତ୍ତ ଚିତ୍ର (ଡକ୍ୟୁମେଣ୍ଟାରି) ଦେଖିବାକୁ ପାଇଲି ‘Kiss the ground’ ମାଟିକୁ ଭଲ ପାଅ। ଆମେରିକାରେ ତିଆରି। ପରଦାରେ ଦେଖିଲି ଆମେରିକାରେ କୃଷି କ୍ଷେତ୍ରରେ ରାସାୟନିକ ସାର, କୀଟନାଶକ ବିଷର ବନ୍ୟା। ଡ୍ରୋନରେ ସାର ଓ କୀଟନାଶକର ବର୍ଷା, ଆମେରିକାର ବହୁଦେଶୀୟ କମ୍ପାନୀ ମନସାଣ୍ଟୋ ଘାସମରା ଗ୍ଲାଇଫସେଟ ମକା କିଆରିରେ ଆକାଶରୁ ସିଞ୍ଚନ କଲା। ମକା ଚାଷୀ ଖୁସ। କମ୍ପାନୀ ମାଲାମାଲ। ଜଣାପଡିଲା ପ୍ରତ୍ୟେକ ଆମେରିକୀୟ ୩ପାଉଣ୍ଡ କୀଟନାଶକ ଜଣା ବା ଅଜଣାରେ ଖାଉଛନ୍ତି। ଘରେ ଘରେ କ୍ୟାନ୍ସର। କ୍ୟାନ୍ସର ରୋଗୀମାନେ ମନସାଣ୍ଟୋ ବିରୁଦ୍ଧରେ କ୍ଷତି ପୂରଣ ପାଇଁ କାର୍ଲିଫର୍ଣ୍ଣିଆ ଅଦାଲତରେ ମକଦ୍ଦମା କଲେ। ଜିତିଲେ। ୨ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୦ କୋଟି ଟଙ୍କା) କମ୍ପାନୀକୁ ଜୋରିମାନା ହେଲା। ଅପିଲ ନକରି ଜୋରିମାନା ଦେଲା। ସରକାର ଗ୍ଲାଇଫସେଟ ଉପରେ ରୋକ ଲଗାଇଲେ। ବ୍ରାଣ୍ଡନେମ ବଦଳାଇ ଗ୍ଲାଇଫସେଟ ବେପାର ଚଲାଇଲା। ମଦ ପୁରୁଣା ବୋତଲ ନୂଆ !
ଫରାସୀ ନୋବେଲ ବିଜେତା ଆଲେକସୀସ କ୍ୟାରେଲ ୧୯୦୨ରେ ସତର୍କ ଘଣ୍ଟି ବଜାଇଲେ। ମାଟି ଅସୁସ୍ଥ। ସୁସ୍ଥ ହେବା କଷ୍ଟ ସାଧ୍ୟ। କାରଣ ରାସାୟନିକ ସାର ଓ କୀଟନାଶକ ବିଷ। ବୃତ୍ତ ଚିତ୍ରରେ ଦର୍ଶାଯାଇଛି ପ୍ରତି ଘନ ସେଣ୍ଟିମିଟର ସୁସ୍ଥ ମାଟି (ପଡିଆ ମାଟି)ରେ କୋଟି କୋଟି ଅଣୁଜୀବ ଥାନ୍ତି। ଏମାନଙ୍କୁ ମାଇକ୍ରୋବ କୁହାଯାଏ। ଏମାନେ ଉଦ୍ଭିଦଜ, ପ୍ରାଣିଜ। ଜୀବନ ଅଛି। ମାଟିରୁ ଖାଦ୍ୟ ଖାଇ ବଞ୍ଚନ୍ତି। ମାଟିରେ ଥିବା ଅଦ୍ରବଣୀୟ ଧାତବ ଲବଣକୁ ଉଦ୍ଭିଦର ଖାଦ୍ୟ ଉପଯୋଗୀ କରି ମୂଳରେ ପହଞ୍ଚାଇଥାନ୍ତି। ଏହା ଏକ ନିରନ୍ତନ ପ୍ରକ୍ରିୟା। ମାଟିରେ ରାସାୟନିକ ସାର ଓ କୀଟନାଶକ ବିଷ ପ୍ରୟୋଗ ଯୋଗୁଁ ମାଇକ୍ରୋବମାନେ ଛଟପଟ ହୋଇ ମରିଯାଉଛନ୍ତି। ମାଟି ମରିଯାଉଛି। ଖପରା। ଫସଲ ଆଉ ମାଟିରୁ ପ୍ରାକୃତିକ ଖାଦ୍ୟ ପାଉନାହିଁ। ରାସାୟନିକ ସାର ଖାଇ ଆଉ କେତେ ଫଳିବ ? ଫଳ କମି କମି ଯାଉଛି। ମାଟି ଅଧିକରୁ ଅଧିକ ସାର ଦରକାର କରୁଛି। କୃଷି କ୍ଷେତ୍ରରେ ଖର୍ଚ୍ଚ ବଢି ବଢି ଯାଉଛି। ତଥାପି ମଧ୍ୟ ଉତ୍ପାଦନ କମି କମି ଯାଉଛି।
ପ୍ରଥମେ ପୃଥିବୀର ଚାରିପଟେ ୭୦-୮୦ ସେଣ୍ଟିମିଟର ବହଳ ମାଟି ଥିଲା। ଏହାକୁ ଉପର ମାଟି କୁହାଯାଏ। ଶିଳା ଉଦ୍ଭିଦ କ୍ଷୟ ହୋଇ ମାଟିରେ ମିଶୁଥିଲା। ଏହାକୁ ହ୍ୟୁମସ କୁହାଯାଏ। ଉଦ୍ଭିଦ ପାଇଁ ସବୁପ୍ରକାର ଖାଦ୍ୟ ଏଥିରେ ଭରପୂର ଥିଲା। ପ୍ରାଣୀ ଓ ଉଦ୍ଭିଦ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ମାଟି ଖାଇ ବଞ୍ଚିଛନ୍ତି। ୧୯୭୦ ପରଠାରୁ ବ୍ୟାପକ ଭାବେ ସବୁଜ ବିପ୍ଳବ ଚାଲୁହୁଏ। ଗତ ୫୦-୬୦ ବର୍ଷ ଭିତରେ ଏହି ଉପର ମାଟିର ପ୍ରାୟ ୫୦ ପ୍ରତିଶତ କ୍ଷୟ ହୋଇ ସମୁଦ୍ରକୁ ବୋହିଗଲାଣି ଅବଶିଷ୍ଟ ଉପର ମାଟି ଶେଷ ହେବାକୁ ଆଉ ୫୦-୬୦ ବର୍ଷ ଲାଗିପାରେ। ମାଟିକୁ ସୁଧାରିବାକୁ ଯଦି ଆଜିଠୁ ଉଦ୍ୟମ ନହୁଏ ଆମେ ଆଉ ୬୦ଟି କୃଷି ବର୍ଷ ପାଇବା। ୨୦୯୦ ବେଳକୁ ପୃଥିବୀଟି ଜୀବଜନ୍ତୁ ଉଦ୍ଭିଦ ଶୂନ୍ୟ ମରୁଭୂମି ପାଲଟି ଯିବ। ପୃଥିବୀର ୨୦ଟି ସଭ୍ୟତା ଏମିତି ଭୁଶୁଡି ପଡିଲାଣି। ବୈଜ୍ଞାନିକମାନେ ସତର୍କ କଲେଣି ‘ରାସାୟନିକ କୃଷି ଛାଡ’। ୨୦ ବର୍ଷ ପ୍ରାକୃତିକ କୃଷି କଲେ ମାଟି ସୁଧୁରିଯାଇପାରେ। ମାତ୍ର କମ୍ପାନୀମାନେ ଭସ୍ମାସୁର ସାଜୁଛନ୍ତି। ଜଳବାୟୁ ପରିବର୍ତ୍ତନ ସହଣି କୃଷି ନାଁରେ ସେମାନେ ଜିଏମ ବିହନ ପ୍ରଚଳନ କରିବେ। ନାନୋ ୟୁରିଆ, କୀଟନାଶକ ବିଷ ଡ୍ରୋନରେ ସ୍ପ୍ରେ ହେବ। ବିଟି ବାଇଗଣ, ଗୋଲଡେନ ରାଇସ ଏହି ମଉକାରେ ଚାଷ ହେବ। ଛୋଟ ଓ ନାମମାତ୍ର ଚାଷୀ ମଲେ ଜାଣ। କୃଷି କ୍ଷେତ୍ରକୁ ଯାନ୍ତ୍ରିକୀକରଣ ବା ଶିଳ୍ପୀକରଣ କାମଟି ସରକାର ମାନଙ୍କ ପ୍ରୋତ୍ସାହନରେ ବହୁଦେଶୀୟ କମ୍ପାନୀମାନେ ଖୁବ୍ ଜୋରରେ ଚଲାଉଛନ୍ତି। ପ୍ରକୃତି, ଜୈବ ବିବିଧତା, ମାଟି ମରିଯିବ। ମହାତ୍ମା ଗାନ୍ଧୀଙ୍କ ବିଚାର ଆଜି ଅଧିକ ପ୍ରାସଙ୍ଗିକ ମନେହୁଏ। ସେ କହୁଥିଲେ, ‘ପ୍ରକୃତି ପାଖରେ ମଣିଷର ଆବଶ୍ୟକତା ପାଇଁ ଯଥେଷ୍ଟ ଅଛି ମାତ୍ର ତାର ଲୋଭ ପାଇଁ ନୁହେଁ।’
୧୯୩୨ ମସିହା ଓକ୍ଲାହୋମା ରାଜ୍ୟ ଗହମ ଉତ୍ପାଦନରେ ଶୀର୍ଷରେ ଥାଏ। ଏହି ରାଜ୍ୟକୁ ଆମେରିକାର ଭାତ ହାଣ୍ଡି କୁହାଯାଉଥିଲା। ଆହୁରି ଅଧିକ ଉତ୍ପାଦନ ପାଇଁ ରାସାୟନିକ କୃଷିକୁ ପ୍ରୋତ୍ସାହନ ଦିଆଗଲା। ମାତ୍ର ୪୦ ବର୍ଷ ନୂଆ ଚାଷ ଯୋଗୁଁ ଓକ୍ଲାହୋମା ଧୂଳିପାତ୍ରକୁ ରୂପାନ୍ତରିତ ହୋଇଗଲା। ସେଇ ଆମେରିକା ବରାଦରେ ଆମ ଦେଶରେ କୃଷି। ପୃଥିବୀରେ ମଣିଷକୃତ୍ୟ ମରୁଭୂମି କାୟା ବିସ୍ତାର କରି ଚାଲୁଛି। ବୃତ୍ତ ଚିତ୍ରରୁ ତଥ୍ୟ ମାନ ପୃଥିବୀରେ ୬୦-୬୫ ପ୍ରତିଶତ ଜମି ବର୍ତ୍ତମାନ ମରୁଭୂମି ବା ମରୁଭୂମି ପ୍ରବଣ। ପ୍ରତିବର୍ଷ ୧୦ ଲକ୍ଷ ଶରଣାର୍ଥୀ (ଗରିବ ଲୋକ) ମରୁଭୂମିରୁ ବିଦେଶକୁ ଜୀବନ ରକ୍ଷା ପାଇଁ ଯାଉଛନ୍ତି। ତଥାପି ରାସାୟନିକ କୃଷିର ମାୟା!!
ୟୁରୋପ ଓ ଆମେରିକାର ସରକାରମାନେ ପ୍ରାକୃତିକ କୃଷି ଆଡକୁ ମୁହାଁଇଲାବେଳେ ଭାରତ ସରକାରଙ୍କ କୃଷି ମନ୍ତ୍ରୀ କହନ୍ତି, ୨୦୨୫ ସୁଦ୍ଧା ଭାରତ ପୃଥିବୀର ବୃହତ୍ କୀଟନାଶକ ଉତ୍ପାଦନକାରୀ ଦେଶ ହେବ। ତେବେ କଣ ପ୍ରଧାନମନ୍ତ୍ରୀଙ୍କ ପ୍ରାକୃତିକ କୃଷି ଯୋଜନା ଖାଲି କଥାରେ। କମ୍ପାନୀମାନେ ଚାରିଆଖିଆ। ଏବେ ସେମାନେ ଅର୍ଗାନିକ ଫର୍ଟିଲାଇଜର ବିକିବା ଆରମ୍ଭ କରିଦେଲେଣି। ରାସାୟନିକ ସାରରେ କାର୍ବନ ବୋଳିଦେଲେ ହେଲା। କିଏ ବା ପରୀକ୍ଷା କରୁଛି।
ଧାନଚାଷକୁ ଗତ ୩/୪ ବର୍ଷ ହେଲା କମ୍ପାନୀ ରାଷ୍ଟ୍ର ମୁଖ୍ୟମାନେ ବିରୋଧ କରୁଥିଲେ। କାରଣ ଧାନ ବେଶି ପାଣି ଖାଉଛି। ମିଥେନ ଗ୍ୟାସ ଛାଡୁଛି। ଚାଉଳରେ ଖାଦ୍ୟ ସାର କମ ଇତ୍ୟାଦି। ଆଜି ପୁଣି କୁହାଗଲାଣି ଅଧିକ ଜମିରେ ଧାନ ଚାଷ କର। ବେଙ୍ଗ ବୋଲେ ବେଙ୍ଗୁଲୀଲୋ ପୃଥୀ କ୍ଷଣ କ୍ଷଣକେ ଆନ। ଚାଷୀ, ଖାଉଟି, ଶ୍ରମିକ, ମାଟି ଓ ପ୍ରକୃତି ବଞ୍ଚିବାର ଏକ ମାତ୍ର ବିକଳ୍ପ ପ୍ରାକୃତିକ କୃଷି ବା ଦେଶୀ ଚାଷ। ଆମ ବ୍ୟବସ୍ଥାପକମାନେ ବାମପନ୍ଥୀମାନେ ସରକାରଙ୍କ ପାଖେ ସାର କୀଟନାଶକ ପାଇଁ ଦାବି ନ କରି ଦେଶୀ ବିହନ ସୁରକ୍ଷା, ହଳ, ଲଙ୍ଗଳ ପାଇଁ ଦାବି କଲେ କୃଷି ଓ କୃଷକ ବଂଚିବେ। ବିଷ ଚାଷ କମ୍ପାନୀ ପୋଷ। ଦେଶୀ ଚାଷ, ଚାଷୀ ମୁହଁରେ ଫୁଟିବ ହସ।
Comments are closed.