ଅହଂକାର: ଏକ ବୈଜ୍ଞାନିକ ଦୃଷ୍ଟିପାତ
ରମେଶ ଚନ୍ଦ୍ର ପରିଡ଼ା
ଦିନକୁ ଦିନ ମଣିଷ ଅଧିକରୁ ଅଧିକ ଅହଂକାରୀ ହେବାର ଦେଖାଯାଉଛି। ଅନ୍ୟକୁ ନିଜଠାରୁ ଛୋଟବୋଲି ମନେ କରିବାର ପ୍ରବୃତ୍ତି ତା’ର ବଢ଼ିଚାଲିଛି। ବସ୍ତୁବାଦୀ ଜୀବନଧାରାର ବିକାଶ ଏହାର ଅନ୍ୟତମ ମୁଖ୍ୟ କାରଣ ବୋଲି କହୁଛନ୍ତି ମନସ୍ତତ୍ତ୍ବବିତ୍ମାନେ। ସେମାନଙ୍କ ମତରେ ଆତ୍ମକୈନ୍ଦ୍ରିକ ନକାରାତ୍ମକ ଭାବପ୍ରବଣରୁ ଏହାର ସୃଷ୍ଟି।
ଚାଣକ୍ୟଙ୍କ ମତରେ ଧନୀଲୋକ ଅହଂକାରୀ ନ ହେବା କ୍ବଚିତ ଦେଖାଯାଏ। ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ଜ୍ଞାନୀ କିମ୍ବା ଶକ୍ତିଶାଳୀ ବୋଲି ମନେକରୁଥିବା ଲୋକେ ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ, ସମ୍ଭବତଃ ଅହଂକାର ଏକ ସହଜାତ ପ୍ରବୃତ୍ତି- କାହାଠାରେ ଏହା କମ୍ ତ ଆଉ କାହାଠାରେ ଅଧିକ ରୂପେ ପ୍ରକଟିତ ହୁଏ।
ଆଧୁନିକ ମନବିଜ୍ଞାନର ଜନକ ରୂପେ ପରିଗଣିତ ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ମନସ୍ତତ୍ତ୍ବବିତ୍ ସିଗ୍ମଣ୍ଡ ଫ୍ରଏଡ୍ ଜନ୍ମଗତ ପ୍ରବୃତ୍ତିଗୁଡ଼ିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଥିଲେ- ପ୍ରାଥମିକ ବା ସଚେତନ ଏବଂ ଦ୍ବିତୀୟକ ବା ନିେଶ୍ଚତନ। ସେ ନିେଶ୍ଚତନ ମନକୁ ଅହଂକାର ଭଳି ଆଚରଣମାନଙ୍କ ସହ ସଂଯୁକ୍ତ କରିବା ଲାଗି ଉଦ୍ୟମ କରିଥିଲେ ବୋଲି କୁହାଯାଏ। ଏଣୁ ବୟଲର୍ କଲେଜ ଅଫ୍ ମେଡ଼ିସିନ୍ସଠାରେ କାର୍ଯ୍ୟରତ ଆମେରିକୀୟ ମନ୍ତସ୍ତତ୍ତ୍ବବିତ୍ ସଂଘର ଅଧ୍ୟକ୍ଷ ଜନ୍.ଏମ୍.ଓଲ୍ଧାମ ବଢ଼ିବଢ଼ି ଚାଲିଥିବା ନିଜ ପ୍ରତି ସଚେତନତା ବା ଅହଂକାରଜନିତ ବ୍ୟକ୍ତିତ୍ବ ତ୍ରୁଟିର ଚିକିତ୍ସାଲାଗି ନୂତନ ବ୍ୟବସ୍ଥାମାନର ବିକାଶ କରୁଛନ୍ତି।
ଅହଂକାରର ମସ୍ତିଷ୍କ ଏବଂ ସ୍ନାୟୁବ୍ୟବସ୍ଥା ସହିତ ସଂପୃକ୍ତି ଥିବାର ସମ୍ଭାବନା ସପକ୍ଷରେ ମତ ଦିଅନ୍ତି ନିୟୁର୍କ ବିଶ୍ବବିଦ୍ୟାଳୟର ସ୍ନାୟୁବିଜ୍ଞାନୀ ଯୋଶେଫ୍ ଲେ ଡୋଭକସ୍। ଏହାକୁ ସେ ଅତ୍ୟଧିକ ଆତ୍ମ-ସଚେତନତାର ଏକ ରୂପବୋଲି ମନେକରନ୍ତି। ଅନ୍ୟକିଛି ଗବେଷକଙ୍କ ମତରେ ମସ୍ତିଷ୍କର ଉଚ୍ଚତର ଜନ୍ମଗତ କ୍ରିୟାକଳାପର ପ୍ରକ୍ରିୟାକରଣ କରୁଥିବା ‘ଫ୍ରଣ୍ଟାଲ୍ଲୋବ୍’ (ସମ୍ମୁଖଖଣ୍ଡ)ର ଏକ ଅଂଶବିଶେଷ ହୋଇଥିବା ‘ମେଡ଼ିଆଲ୍ ଫ୍ରଣ୍ଟାଲ୍ କୋରଟେକ୍ସ’ (ମଧ୍ୟାଭିମୁଖୀ ସମ୍ମୁଖ ଅଧ୍ୟାଂଶ) ସହିତ ଏହାର ସମ୍ପର୍କ ରହିଛି। ଏହି ଅଧ୍ୟାଂଶଟି ମସ୍ତିଷ୍କର ‘ବିଚ୍ୟୁତିରୀତି’ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ। ୱାଶିଂଟନ ବିଶ୍ବବିଦ୍ୟାଳୟର ପ୍ରସିଦ୍ଧ ସ୍ନାୟୁବିଜ୍ଞାନୀ ମାର୍କସ୍ ଇ.ରାଇଚ୍ଲେ ଏ ବିଷୟରେ ପ୍ରଥମ ସୂଚନା ଦେଇଥିଲେ ୨୦୦୧ ମସିହାରେ। ତାଙ୍କ ମତରେ ସମ୍ଭବତଃ ଏହି ‘ବିଚ୍ୟୁତିରୀତି’ ଅବସ୍ଥା କ୍ରିୟାକଳାପ ହେଉଛି ଅତ୍ୟଧିକ ଆତ୍ମ-ସଚେତନତା ସ୍ନାୟୁ ବିଜ୍ଞାନର ଚାବିକାଠି।
ଏପରିସ୍ଥଳେ ଏହାକୁ ଅହଂକାର ବୋଲି କୁହାଯାଇ ପାରିବ କି? ଇଂପେରିଆଲ କଲେଜ୍, ଲଣ୍ଡନର ରବିନ୍ ଚାର୍ହାର୍ଟ-ହରିଶ୍ ଏବଂ କାର୍ଲ ଫିଷ୍ଟନ ଏହି ପ୍ରଶ୍ନ ଉପରେ ଅଧ୍ୟୟନ ଚଳାଇ ୨୦୧୦ ମସିହାରେ ଗବେଷଣାପତ୍ରିକା ‘ଦ’ ବ୍ରେନ୍’ରେ ସୂଚିତ କରିଥିଲେ ଯେ ଫ୍ରଏଡ୍ଙ୍କ ପ୍ରାଥମିକ ଏବଂ ଦ୍ବିତୀୟକ (ଅହଂକାର) ଜନ୍ମଗତ ପ୍ରକ୍ରିୟାମାନ ଆଧୁନିକ ଧାରଣା ଏବଂ ମସ୍ତିଷ୍କ ସମ୍ପର୍କୀୟ ମତବାଦ ସହିତ ସହଜରେ ଖାପଖୁଆଇ ପାରିବେ। ତଦନୁଯାୟୀ ଅଧରାଂଶ ‘ଚିନ୍ତନ’ (କୋର୍ଟିକାଲ୍ ଥିଙ୍କିଙ୍ଗ୍) ହେଉଛି ମସ୍ତିଷ୍କର ଉଚ୍ଚତର ଅନୁକ୍ରମ ଏବଂ ସେଥିପାଇଁ ଏହା ଅବ୍-ଅଧ୍ୟାଂଶ ‘ଆଦିମ ମସ୍ତିଷ୍କ’ (ପ୍ରିମିଟିଭ୍ ବ୍ରେନ୍)କୁ ନିୟନ୍ତ୍ରଣ କରିଥାଏ।
ଅହଂକାର, ଅର୍ଥାତ୍ ଆତ୍ମବଡ଼ିମାର ସ୍ନାୟୁ ବିଜ୍ଞାନ ଦିଗକୁ ମଧ୍ୟ ମନସ୍ତାତ୍ତ୍ବିକ ନିଦାନତତ୍ତ୍ବ ଅନୁସାରେ ଦେଖିହେବ। ଏହାକୁ ପ୍ରଭାବିତ କରୁଥିବା ଅନେକ ଅବ୍ୟବସ୍ଥା ବା ତ୍ରୁଟି ରହିଛି। ଓଲ୍ଧାମ୍ଙ୍କ ମତରେ ଆତ୍ମ ଅନୁରାଗ ପ୍ରବଣ ବ୍ୟକ୍ତିତ୍ବ ତ୍ରୁଟିର ଅନ୍ୟତମ ଲକ୍ଷଣ ହେଲା ଆତ୍ମ-ବଡ଼ିମାର ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନ। ଏଥିରେ ବ୍ୟକ୍ତିଟି ଏତେ ମଜ୍ଜି ରହେ ଯେ’ ଅନ୍ୟମାନଙ୍କ ଦୃଷ୍ଟିକୋଣରୁ କୌଣସି କଥା ଦେଖିବାର ସାମର୍ଥ ହରାଇଦିଏ। ସେହିପରି ଦ୍ବି-ମେରୁୟ ତ୍ରୁଟିର ଉନ୍ମତ୍ତ ପର୍ଯ୍ୟାୟ ଅଧିକାଂଶ ସମୟରେ ଆଡ଼ମ୍ବର ପ୍ରକଟ ଦ୍ବାରା ସୂଚିତ ହୋଇଥାଏ। ଅହଂକାରର ଏହା ଗୋଟିଏଗୋଟିଏ ରୂପ। ଯାହାକି ଅତ୍ୟଧିକ ଆତ୍ମାନୁରାଗରୁ ସୃଷ୍ଟି।
ଅହଂକାର ତଥା ଅନ୍ୟାନ୍ୟ ମନସ୍ତାତ୍ତ୍ବିକ ନିଦାନୀୟ ଆଚରଣ ଭଳି ସମସ୍ତ ବ୍ୟକ୍ତିତ୍ବ ବୈଶିଷ୍ଟ୍ୟମାନ ଏକ ନିରବଚ୍ଛିନ୍ନ ଆକାରରେ ରହେ। ଏହା ଉଭୟ ଆମ ଜିନ୍ ଏବଂ ପରିବେଶର ପ୍ରଭାବ ସହିତ ସଂପୃକ୍ତ। ତେବେ, ଏଥି ସମ୍ପର୍କରେ ଅଧ୍ୟୟନ ତଥା ତାହାକୁ ବୁଝିବା ଏବେ ଅତ୍ୟନ୍ତ ଶୈଶବାବସ୍ଥାରେ ଅଛି। ଅଧିକ ଗବେଷଣା ହିଁ ଏହା ଉପରେ ନିର୍ଦିଷ୍ଟ ରୂପେ ଆଲୋକପାତ କରିବ ବୋଲି ମତ ଦିଅନ୍ତି ଅନେକ ବୈଜ୍ଞାନିକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଅହଂକାର ସହିତ ମସ୍ତିଷ୍କର ପ୍ରତ୍ୟକ୍ଷ ସଂପୃକ୍ତି କିଛିମାତ୍ରାରେ ନିର୍ଦ୍ଧାରିତ ହୋଇଛି। ତଦନୁଯାୟୀ ଏହାର ‘ଆଣ୍ଟେରିଅର୍ ସିଙ୍ଗୁଲାର୍ କୋର୍ଟେକସ୍’ ଏବଂ ‘ଫ୍ରଣ୍ଟାଲ୍ ଇନସୁଲାର୍ କୋର୍ଟେକସ୍’ରେ ହିଁ ତାହା ଅବସ୍ଥାନ କରିଥାଏ।
ଶେଷରେ ଏତିକି କୁହାଯାଇପାରେ ଯେ ଅହଂକାର ହେଉଛି ଏକ ନକାରାତ୍ମକ ମନସ୍ତାତ୍ତ୍ବିକ ଅବସ୍ଥା, ଯାହାକି ସ୍ବପରିଚୟ ସହିତ ଅତ୍ୟଧିକ ମଜ୍ଜି ରହିବାହେତୁ ସୃଷ୍ଟି ହୋଇଥାଏ। ଏହା ଭିନ୍ନଭିନ୍ନ ଲୋକଙ୍କଠାରେ ଭିନ୍ନଭିନ୍ନ ରୂପେ ପ୍ରକଟିତ ହୁଏ। ଅଧିକାଂଶ ସମୟରେ ଏହି ମନସ୍ତାତ୍ତ୍ବିକ ଅସ୍ବାଭାବିକତା ଭୟାବହ ପରିଣାମ ମାନ ସୃଷ୍ଟି କରିଥାଏ- ଦୁେର୍ଯ୍ୟାଧନଙ୍କ କୁରୁକ୍ଷେତ୍ର, ହିଟଲରଙ୍କ ଦ୍ବିତୀୟ ବିଶ୍ବଯୁଦ୍ଧ ଏବଂ ବର୍ତ୍ତମାନ ପୁଟିନ୍ଙ୍କ ୟୁକ୍ରେନ୍ ଆକ୍ରମଣକୁ ଏହାର ଗୋଟିଏଗୋଟିଏ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ। ଏପରିସ୍ଥଳେ, ଏହାର ନିୟନ୍ତ୍ରଣ ଲାଗି ଓଲଧମଙ୍କ ଭଳି ଚିକିତ୍ସା ବ୍ୟବସ୍ଥାର ନାନା ଦିଗରୁ ବିକାଶ ଘଟାଇବା ସହିତ ଶିକ୍ଷା ଓ ସାମାଜିକ ଜୀବନରେ ଆବଶ୍ୟକ ପରିବର୍ତ୍ତନ ଦିଗରେ ଧ୍ୟାନ ଦିଆଯିବା ଦରକାର।
Comments are closed.