ସମୃଦ୍ଧ, ସଶକ୍ତ ଓଡ଼ିଶା ନିର୍ମାଣରେ ନୀତି, ଆଦର୍ଶ ଓ ସୁଶାସନର ଭୂମିକା

ରଣେନ୍ଦ୍ର ପ୍ରତାପ ସ୍ବାଇଁ, (ମନ୍ତ୍ରୀ), କୃଷି ଓ କୃଷକ ସଶକ୍ତୀକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ

ଆଜି ରାଜ୍ୟବାସୀ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଓଡ଼ିଆ ସମୁଦାୟ ୮୮ତମ ‘ଓଡ଼ିଶା ଦିବସ’ ଶ୍ରଦ୍ଧା ଓ ଉତ୍ସାହ ସହିତ ପାଳନ କରୁଛନ୍ତି। ଓଡ଼ିଶାର କ୍ୟାଲେଣ୍ଡରରେ ଆଜିର ଦିନଟି ନିଶ୍ଚିତ ଭାବେ ଏକ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିବସ ଭାବେ ରେଖାଙ୍କିତ ହୋଇ ରହିଛି। କାରଣ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ୧୯୩୬ ମସିହା ଆଜିର ଦିନରେ ଗଠିତ ହୋଇଥିଲା।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଯାତ୍ରା ଏତେ ସହଜ ନ ଥିଲା। ଏଥିରେ ଅନେକ ସଂଘର୍ଷ, ତ୍ୟାଗ, ବଳିଦାନ ପ୍ରତ୍ୟକ୍ଷ ଭାବେ ଜଡିତ। ମଧୁବାବୁଙ୍କ ଡାକରେ ସେ ସମୟର ଅନେକ ବରପୁତ୍ର ଏହି ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ସେମାନଙ୍କ ମଧ୍ୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ପଣ୍ଡିତ ଗୋପବନ୍ଧୁ ଦାସ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ, ଗୌରୀଶଙ୍କର ରାୟ, ରମାଦେବୀ, ମାଳତୀ ଚୌଧୁରୀ ଆମର ଚିର ନମସ୍ୟ। ସ୍ବାଧୀନତା ଆନ୍ଦୋଳନର ଉଦ୍ଦାମତା ସହ ବ୍ରିଟିଶ ସରକାରଙ୍କ ଆଗରେ ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ଅତ୍ୟନ୍ତ କଷ୍ଟକର ଥିଲା; କିନ୍ତୁ ଓଡ଼ିଶାର ନେତୃବୃନ୍ଦ ଉଭୟ ଉଦ୍ଦେଶ୍ୟ ମଧ୍ୟରେ ସମନ୍ବୟ ରକ୍ଷାକରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଦାବି ହାସଲ କରିବାରେ ସଫଳ ହୋଇଥିଲେ।

ପରବର୍ତ୍ତୀ ଆହ୍ବାନ ଥିଲା ନୂତନ ଗଠିତ ରାଜ୍ୟର ସର୍ବାଙ୍ଗୀନ ବିକାଶ କରିବା। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କଠୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟର ବିକାଶ ପାଇଁ ନିଜର ଯୋଗଦାନ ଦେଇଛନ୍ତି। କିନ୍ତୁ ରାଜ୍ୟର ପ୍ରଗତିର ମାନଚିତ୍ରକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଏକବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ରାଜ୍ୟରେ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ପ୍ରଗତି ବିଶେଷ ଉଲ୍ଲେଖନୀୟ ନ ଥିଲା। ବିଭିନ୍ନ ସୂଚକାଙ୍କ ଏବଂ ମାନକରେ ରାଜ୍ୟ ଜାତୀୟ ସ୍ତରରେ ବହୁ ପଛରେ ଥିଲା।

ରାଜ୍ୟର ବିକାଶର ଦୃଶ୍ୟପଟ ୨୦୦୦ ମସିହା ପରେ ସଂପୂର୍ଣ୍ଣ ଭାବେ ବଦଳି ଯାଇଥିଲା। ଏକ ପଛୁଆ ତଥା ଗରିବ ରାଜ୍ୟର ଅପଖ୍ୟାତିକୁ ପଛରେ ପକାଇ ଆମ ରାଜ୍ୟ ବର୍ତ୍ତମାନ ଦେଶରେ ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ଲାଭ କରିଛି। ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଏବଂ ନୀତିକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ହେଉଛି ମୂଳମନ୍ତ୍ର। ଏହି ଛୋଟିଆ ଆଲେଖ୍ୟରେ ଗତ ଦୁଇ ଦଶନ୍ଧିର ବିକାଶର ଚିତ୍ର ସମ୍ପୂର୍ଣ୍ଣ ଭାବେ ଚିତ୍ରଣ କରିବା ସମ୍ଭବ ନୁହେଁ । କିଛି ମୁଖ୍ୟ କାର୍ଯ୍ୟକ୍ରମକୁ ବିଚାରକୁ ନେଲେ ବିକାଶର ଆକାର ହୃଦୟଙ୍ଗମ କରିହେବ।

ଯେତେବେଳେ ଏହି ସରକାର ପ୍ରଥମ ଥର ପାଇଁ କ୍ଷମତାକୁ ଆସିଲା, ସେତେବେଳେ ସବୁଠାରୁ ବଡ ସମସ୍ୟା ଥିଲା ଅନାହାର, ଅଳ୍ପାହାର, ଉତ୍କଟ ଦାରିଦ୍ର୍ୟ, ବିର୍ପଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା, ବେରୋଜଗାରୀ ଏବଂ ସ୍ୱଳ୍ପ ଶିଳ୍ପାୟନ । ବେଡି ଉପରେ କୋରଡା ମାଡ଼ ପରି, ରାଜକୋଷ ପ୍ରାୟ ଶୂନ୍ୟ ଅବସ୍ଥାକୁ ଆସିଯାଇଥିଲା। ଏପରି ପରିସ୍ଥିତିରୁ ଉଧୁରିବା ପାଇଁ ପ୍ରଥମେ କୃଷି କ୍ଷେତ୍ରରେ ନିଜକୁ ସ୍ବାବଲମ୍ବୀ କରିବା ଦରକାର ଥିଲା। କେବଳ ଚାଉଳ ନୁହେଁ, ପନିପରିବା, ମାଛ, ଅଣ୍ଡା, ମାଂସ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଥିଲା। ଏହାକୁ ସମାଧାନ କରିବା ପାଇଁ କୃଷି ଭିତ୍ତିଭୂମି ଯେପରି କି ଜଳସେଚନ, କମ ସୁଧରେ ଫସଲ ଋଣ, ସୁଲଭ ମୂଲ୍ୟରେ କୃଷି ସାମଗ୍ରୀ ଯୋଗାଣ, ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଉପରେ ଜୋର ଦିଆଗଲା। ଫଳସ୍ବରୂପ ବହୁତ କମ ଦିନ ଭିତରେ ରାଜ୍ୟରେ ଅନାହାର ଓ ଅଳ୍ପାହାର ଏକ ଇତିହାସ ହୋଇଗଲା। ଏହି ଦିଗରେ ଟଙ୍କିକିଆ ଚାଉଳ ପରି ଯୁଗାନ୍ତକାରୀ ଯୋଜନାର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଅଛି। କୃଷିକ୍ଷେତ୍ରକୁ ଜୋର ଦେବା ପାଇଁ ୨୦୧୩-୧୪ ଆର୍ଥିକ ବର୍ଷରୁ ପ୍ରାୟ ସାତ ହଜାର କୋଟି ଟଙ୍କାରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର କୃଷି ବଜେଟ ଆଜି ୨୪ ହଜାର କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି। କହିବା ବାହୁଲ୍ୟ ଯେ ଦେଶର କୃଷି ଅଭିବୃଦ୍ଧି ହାର ମାତ୍ର ୩ ପ୍ରତିଶତରେ ସୀମିତ ରହୁଥିବା ବେଳେ ଓଡ଼ିଶା କ୍ରମାଗତ ଭାବେ ୬ ପ୍ରତିଶତ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରାୟ ୧୦ ପ୍ରତିଶତରୁ ଅଧିକ ରହୁଛି। ଚଳିତ ଶତାବ୍ଦୀର ପ୍ରାରମ୍ଭରେ ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ସୂଚକାଙ୍କ ଯଥା ଶିଶୁ ଓ ମାତୃ ମୃତ୍ୟୁହାର, ମେଲେରିଆ, ଯକ୍ଷ୍ମା ଇତ୍ୟାଦି ପ୍ରତ୍ୟେକରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏହି ସବୁର ଦୂରୀକରଣ ପାଇଁ ମିଶନ ମୋଡରେ କାର୍ଯ୍ୟ ଆରମ୍ଭ ହେଲା। ଶିଶୁ ମୃତ୍ୟୁହାର କମାଇବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ। ସେହିପରି ମେଲେରିଆ କ୍ୟାପିଟାଲର ପରିଚୟକୁ ଆମେ ପଛକୁ ପକାଇବାରେ ଆମେ ନିଶ୍ଚିତ ଭାବ ସଫଳ ହୋଇଛୁ। ଏହା ସମ୍ଭବ ହୋଇଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ବୃହତ ବିନିଯୋଗ ଯୋଗୁଁ। ଏହାର ଫଳ କରୋନା କାଳରେ ପରିଲକ୍ଷିତ ହୋଇଥିଲା। ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କୁ ନିଃଶୁଳ୍କ ଚିକିତ୍ସା ପ୍ରଦାନ କରାଯାଇଥିଲା। ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶରେ ସବୁଠାରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଧୁନା, ରାଜ୍ୟ ସରକାର ଏଥିରେ ବାର୍ଷିକ ପାଖାପାଖି ୨ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯେତେବେଳେ ସାରା ଦେଶରେ ଆୟୁଷ୍ମାନ ଯୋଜନା ପାଇଁ ୭ ହଜାର ୨୦୦ କୋଟି ଟଙ୍କା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରାବଧାନ କରାଯାଇଛି।

ଓଡ଼ିଶା ସାରା ଦେଶରେ ଦ୍ବିତୀୟ ବୃହତ୍ତମ ଖଣିଜ ପଦାର୍ଥ ଗଚ୍ଛିତ ଥିବା ରାଜ୍ୟ; କିନ୍ତୁ ଆମର ଦୁର୍ଭାଗ୍ୟ ଥିଲା, ପ୍ରକୃତି ପ୍ରଦତ୍ତ ଏହି ବିପୁଳ ଖଣିଜ ଦ୍ରବ୍ୟକୁ ଉପଯୋଗ କରି ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟର ପ୍ରଗତିକୁ ଗତି ଦେଇ ପାରିନଥିଲୁ । ଏହି ଅସଙ୍ଗତିକୁ ଦୂରକରି ରାଜ୍ୟକୁ ଏକ ଶିଳ୍ପୋନ୍ନତ ରାଜ୍ୟରେ ପରିଣତ କରିବାକୁ ଆବଶ୍ୟକ ଶିଳ୍ପନୀତି ସହିତ ଭିତ୍ତିଭୂମି ପ୍ରତିଷ୍ଠା କରାଗଲା। ଫଳସ୍ୱରୂପ ଆଜି ଓଡ଼ିଶା ଦେଶର ‘ଇସ୍ପାତ ରାଜଧାନୀ’ ଭାବେ ଜଣାଶୁଣା। ପଚାଶରୁ ଅଧିକ ମଧ୍ୟମ ଓ ବୃହତ୍‌ ଇସ୍ପାତ ଗଢିଉଠିଛି। ଯାହା ରାଜ୍ୟର ଯୁବକ ଯୁବତୀଙ୍କୁ ରୋଜଗାର ଦେଉଛି। ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାରେ ବେକାରୀ ହାର ଦେଶରେ ସବୁଠାରୁ କମ।

ସମାଜରେ ମହିଳା ହେଉଛନ୍ତି ସମୁଦାୟ ଜନସଂଖ୍ୟାର ପ୍ରାୟ ଅଧା। ଯେତେ ପର୍ଯ୍ୟନ୍ତ ନାରୀଙ୍କ ଉତ୍ଥାନ ହୋଇନାହିଁ ସେତେ ପର୍ଯ୍ୟନ୍ତ ସମାଜର କଲ୍ୟାଣ ହେବ ନାହିଁ। ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ପଦମର୍ଯ୍ୟାଦାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଚେଷ୍ଟିତ। ଏଥିପାଇଁ ମିଶନ ଶକ୍ତି ରୂପରେ ଏକ ସ୍ବତନ୍ତ୍ର ବିଭାଗ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମା’ ମାନେ ଏହି ଯୋଜନାରେ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ। ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ନୁହେଁ; ଏହା ଶାସନ ପଦ୍ଧତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୨୦୨୩-୨୪ ବଜେଟକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ମିଶନ ଶକ୍ତି ସମେତ ରାଜ୍ୟର ପ୍ରାୟ ସବୁ ବିଭାଗରେ ମହିଳାଙ୍କ ପାଇଁ ବ୍ୟୟ ବରାଦ କରାଯାଇଛି। ସବୁ ବିଭାଗକୁ ନେଇ ମୋଟ ୫୩୯ ପ୍ରକାର କାର୍ଯ୍ୟକ୍ରମ ଏବଂ ଯୋଜନା ଅଛି ଯେଉଁଥିରେ ଅତି କମରେ ୩୦ ପ୍ରତିଶତ ଟଙ୍କା ମହିଳାଙ୍କ ବିକାଶ ପାଇଁ ବ୍ୟୟ ଅଟକଳ କରାଯାଇଛି। ଏହା ମଧ୍ୟରେ ୧୦୨ ପ୍ରକାର ଏପରି ଯୋଜନା ଅଛି ଯେଉଁଥିରେ ମହିଳାଙ୍କ ବିକାଶ ପାଇଁ ୧୦୦ ପ୍ରତିଶତ ଅର୍ଥ ବରାଦ କରାଯାଇଛି। ମହିଳାଙ୍କ ବିକାଶ ପାଇଁ ରାଜ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସର୍ବମୋଟ ୬୧ ହଜାର ୮୩୦ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ଯାହା ସାଧାରଣ ବଜେଟର ୨୬.୮୮ ପ୍ରତିଶତ। ଅର୍ଥନୈତିକ କ୍ଷେତ୍ର ସହିତ, ରାଜନୈତିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ପଞ୍ଚାୟତ ସ୍ତରରୁ ସଂସଦ ପର୍ଯ୍ୟନ୍ତ ସବୁ ସ୍ତରରେ ଉଦାରତାର ସହ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ ପ୍ରଦାନ କରୁଛନ୍ତି।

ଶତାବ୍ଦୀର ପ୍ରାରମ୍ଭରେ ରାଜ୍ୟରେ ପ୍ରାୟ ୬୩ ପ୍ରତିଶତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବେଳେ ବର୍ତ୍ତମାନ ଏହି ହାରକୁ ୨୯ ପ୍ରତିଶତରୁ ବି କମକୁ ଅଣାଯାଇପାରିଛି। ମୁଖ୍ୟମନ୍ତ୍ରୀ ଏହାକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୦ ପ୍ରତିଶତରୁ ବି କମକୁ ଆଣିବା ପାଇଁ ଘୋଷଣା କରିଛନ୍ତି।

୮୭ ବର୍ଷ ତଳେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହା ଆଜି ପ୍ରଗତିର ନୂତନ ଶିଖରକୁ ଛୁଉଁଛି। ବିକାଶ ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ସରକାରଙ୍କ ସହିତ ସାଧାରଣ ଜନତା ମଧ୍ୟ ନିଜ ନିଜର ଯୋଗଦାନ କରିବା ବାଞ୍ଛନୀୟ। ଓଡ଼ିଶା ଦିବସ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। (ବନ୍ଦେ ଉତ୍କଳ ଜନନୀ )

Comments are closed.