ଗୌଣବିଧି ସାମ୍ବିଧାନିକ ମୂଲ୍ୟବୋଧକୁ ଦୁର୍ବଳ କରେ

ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଉପବାଚସ୍ପତି, ଓଡ଼ିଶା ବିଧାନସଭା

ସାମନ୍ତବାଦୀ ବ୍ୟବସ୍ଥାରେ ରାଜା ହିଁ ସମସ୍ତ କ୍ଷମତାର ଅଧିକାରୀ ଯେ’ କି ସମସ୍ତ ଶାସନ ଓ ବିଚାର ବ୍ୟବସ୍ଥାର ନିର୍ଣ୍ଣାୟକ ଅଟନ୍ତି । ଇଂଲଣ୍ଡରେ ୧୬୦୦ ମସିହା ଆରମ୍ଭ କ୍ରମେ ଆଇନ ପ୍ରଣୟନ କାର୍ଯ୍ୟ ସଂସଦ ନିୟନ୍ତ୍ରଣକୁ ଯିବା ପରେ ସଂସଦୀୟ ବ୍ୟବସ୍ଥାର ପୂର୍ଣ୍ଣାଙ୍ଗ ବିବର୍ତ୍ତନ ପାଇଁ ୫୦୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ସଂସଦୀୟ ଗଣତନ୍ତ୍ରର ଏହି ବିବର୍ତ୍ତନରେ ବ୍ରିଟେନ ରାଜଶକ୍ତି ଓ ପ୍ରଜାଶକ୍ତି ମଧ୍ୟରେ ସଙ୍ଘର୍ଷର ପରୀକ୍ଷାଗାର ଥିଲା । ଇଂଲଣ୍ଡରେ ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥା ବିକଶିତ ହେବା ପରେ ଏହା ବିଶ୍ବରେ କ୍ରମେ ସଂପ୍ରସାରିତ ହେଲା ଓ ଆଇନ ପ୍ରଣୟନ କ୍ଷେତ୍ରରେ ସଂସଦ ବା ପାର୍ଲାମେଣ୍ଟର ସାର୍ବଭୌମ ଅଧିକାର ରୂପେ ସ୍ଥାନ ପାଇଲା । ଆଇନ ନିର୍ମାଣ ଦିଗରେ ସଂସଦ ବା ପ୍ରତିନିଧି ସଭାର ଯେଭଳି ଅଧିକାର, ଆଇନକୁ ଲାଗୁ କରିବା କ୍ଷେତ୍ରରେ କାର୍ଯ୍ୟପାଳିକାର ଦାୟିତ୍ବ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ । ଆମେ ଦୈନନ୍ଦିନ ଯେଉଁ ଆଇନର ସମୁଖୀନ ହେଉ ତାହା ମୁଖ୍ୟତଃ ଦୁଇ ପ୍ରକାରର । ପାର୍ଲାମେଣ୍ଟ ଓ ବିଧାନସଭାରେ ଗୃହୀତ ଆଇନ ସୁପ୍ରିମ ବା ମୌଳିକ ଆଇନ କୁହାଯାଇପାରେ । କାର୍ଯ୍ୟପାଳିକା ଦ୍ବାରା ଆଇନ, ନିୟମ, ରେଗୁଲେସନ କରାଯାଇ, ମୂଳ ଆଇନକୁ ଲାଗୁ କରିବା ପାଇଁ ବିଭିନ୍ନ ସ୍ତରର କର୍ମଚାରୀଙ୍କୁ କ୍ଷମତା ପ୍ରଦାନ କରାଯାଇଥାଏ । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆଇନକୁ ଲାଗୁ କରିବା ପାଇଁ ଶାସନ ତନ୍ତ୍ର ବ୍ୟବସ୍ଥିତ ହୋଇଅଛି ଓ ନିର୍ଦ୍ଦିଷ୍ଟ କୌଣସି ଜଣେ ବ୍ୟକ୍ତି ଏକା ସମଗ୍ର ରାଷ୍ଟ୍ରରେ ଆଇନକୁ ଲାଗୁ କରିପାରିବ ନାହିଁ । ମୂଳ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସ୍ତରରେ କ୍ଷମତା, ଦାୟିତ୍ବ ବଣ୍ଟନ ପ୍ରତ୍ୟାୟୋଜନ ଓ ଗୌଣ ବିଧାନ ନିର୍ମାଣର ମୂଳ ଲକ୍ଷ୍ୟ ଓ ଆଇନର ଉଦ୍ଦେଶ୍ୟକୁ ହାସଲ କରିବା ଦିଗରେ ଅଧୀନସ୍ଥ କର୍ମଚାରୀଙ୍କୁ କ୍ଷମତା ପ୍ରଦାନକୁ ପ୍ରତ୍ୟାୟୋଜନ ବା ଗୌଣ ବିଧାନ ପ୍ରକ୍ରିୟାର ଅସଲ ଲକ୍ଷ୍ୟ। ସଂସଦୀୟ ପ୍ରଣାଳୀରେ କାର୍ଯ୍ୟପାଳିକାର ମୁଖ୍ୟ କହିଲେ ମନ୍ତ୍ରୀକୁ ବୁଝାଏ, ଯିଏ ନିର୍ଦିଷ୍ଟ ଆଇନର ପରିଚାଳନା ପାଇଁ ନୀତିଗତ ଭାବେ ସଂସଦ ପାଖରେ ଉତ୍ତରଦାୟୀ ରହିଥାନ୍ତି। ନିୟମାବଳୀ ମାଧ୍ୟମରେ, ମୂଳ ଅଧିକାରୀ ନିଜସ୍ବ ଉତ୍ତର ଦାୟିତ୍ବ ତାକୁ କଦାପି ଉତ୍ସର୍ଗ / ସ୍ଥାନାନ୍ତରିତ କରିପାରିବ ନାହିଁ । ଏହି ଉତ୍ତର ଦାୟିତ୍ବ ଦୁଇ ପ୍ରକାରର – ଗୋଟିଏ ବିଧିଗତ ଓ ଅନ୍ୟଟି ନୈତିକତା ପୂର୍ଣ୍ଣ । ଯେଭଳି ଲାଲ ବାହାଦୁର ଶାସ୍ତ୍ରୀ ଏକ ରେଳ ଦୁର୍ଘଟଣାକୁ ନେଇ ମନ୍ତ୍ରିତ୍ବରୁ ଇସ୍ତଫା ଦେଇଥିଲେ କିମ୍ବା ଆର୍ଥିକ ଯୋଜନାର ବିଫଳତା ପାଇଁ ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଲିଜ ଟ୍ରସ ଆର୍ଥିକ ଉତ୍ତରଦାୟିତ୍ୱ ନିଜ ମୁଣ୍ଡ ଉପରେ ରଖି ଶାସନରୁ ବିଦାୟ ନେଇଗଲେ । ଗୌଣ ବିଧାନଗୁଡିକର କାର୍ଯ୍ୟକାରିତା ଉପରେ ନିରୀକ୍ଷଣ, ସମୀକ୍ଷା କରିବା ବିଭାଗୀୟ ମୁଖ୍ୟଙ୍କ ସ୍ବାଭାବିକ କ୍ଷମତାର ଅଧିକାର ରହିଅଛି। ସାମ୍ବିଧାନିକ ବ୍ୟବସ୍ଥାରେ ଗୌଣ ଆଇନ ସୀମା ଲଂଘିବା କ୍ଷେତ୍ରରେ ବାଧା ଦେବା ପାଇଁ ସଂବିଧାନର ଅନ୍ତର୍ନିହିତ ଶକ୍ତି ରହିଅଛି । ନିକଟରେ ମାନ୍ୟବର ସୁପ୍ରିମ କୋର୍ଟ ଏଭଳି ଏକ ରାୟରେ କହିଛନ୍ତି ଯେ ଗୌଣ ବିଧାନ ମୂଳ ଆଇନର ଉଦ୍ଦେଶ୍ୟକୁ ଲଂଘିବା କ୍ଷେତ୍ରରେ ଅବୈଧ ବିବେଚିତ ହେବ। ଗୌଣ ଆଇନ ଅଧୀନରେ ପ୍ରତୀତ ବିଧି ମୂଳ ଆଇନର ବିରୋଧାଚରଣ କଲେ କିମ୍ବା ସୀମା ଲଙ୍ଘନ କଲେ କିମ୍ବା ମୂଳ ଆଇନରୁ ଚ୍ୟୁତ ହେବା କ୍ଷେତ୍ରରେ, ବିଚାରାଳୟ, ସଂବିଧାନ ପ୍ରଦତ୍ତ ଅନ୍ତର୍ନିହିତ ସମୀକ୍ଷା କ୍ଷମତା ବଳରେ ସମ୍ପୃକ୍ତ ବିଧି ବା ଉପବିଧିକୁ ଅବୈଧ ଘୋଷଣା କରିବା ସ୍ବାଭାବିକ ।

ମୂଳ ଆଇନ ବା ପ୍ରାଥମିକ ଆଇନ ସଂସଦ, ବିଧାନସଭାରେ ଗୃହୀତ ହେବା ପରେ ଓ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସ୍ବାକ୍ଷର ପରେ ଆଇନର ମାନ୍ୟତା ନିଏ । ନିୟମ ପ୍ରଣୟନକାରୀ କର୍ତ୍ତୃପକ୍ଷ ମୂଳ ଆଇନରେ ଧାର୍ଯ୍ୟ ଲକ୍ଷ୍ମଣରେଖା ଅତିକ୍ରମ କରିପାରିବ ନାହିଁ କାରଣ ମୂଳ ଆଇନର ବ୍ୟବସ୍ଥାର ପରିମାପ ଅନୁଯାୟୀ କେବଳ ଆନୁଷଙ୍ଗିକ ବିଧି ନିର୍ମାଣ କରିବା କାର୍ଯ୍ୟପାଳିକାର ଦାୟିତ୍ବ । ବିଧାନସଭା ଓ ସଂସଦରେ ଆଇନ ପ୍ରଣୟନ ବେଳେ ଯେଭଳି ଆଇନର ଉଦ୍ଦେଶ୍ୟ ଓ ବିଭିନ୍ନ ପ୍ରାବଧାନ ଉପରେ ତର୍କ ହୋଇଥାଏ, ଯାହାଦ୍ୱାରା ସଂସଦ ନିଷ୍କର୍ଷରେ ପହଞ୍ଚିଥାଏ; କିନ୍ତୁ ଗୌଣ ବିଧି ପ୍ରଣୟନ ବେଳେ ତା’ର ଅଭାବ ଥାଏ, କାରଣ ତାକୁ ବିଭାଗୀୟ ଅଧିକାରୀମାନେ ମୂଳତଃ ଗଢିଥାନ୍ତି ଯାହା କେବଳ ସଦନରେ ପେସ୍‌ ହୋଇଥାଏ ଓ କମ୍‌ କ୍ଷେତ୍ରରେ ଏହା ଉପରେ ଆଲୋଚନା ହୋଇଥାଏ । ଇଂଲଣ୍ଡ ଓ ଆମେରିକା ଭଳି ଗଣତାନ୍ତ୍ରିକ ଦେଶରେ ସଂସଦୀୟ ବ୍ୟବସ୍ଥା, କୌଣସି ବୈଧାନିକ ଅନୁଷ୍ଠାନ ବା ପ୍ରଶାସନ ଖଣ୍ଡ ମୂଳ ଆଇନ ଦ୍ବାରା ଅନୁମୋଦିତ କ୍ଷମତାର ସୀମାକୁ ପ୍ରଣୀତ ନିୟମ ବା ଉପନିୟମ ମୂଳ ଆଇନର ଲକ୍ଷ୍ୟକୁ କୌଣସି ପ୍ରକାରେ ଅତିକ୍ରମ ବା ଆଧିପତ୍ୟ ବିସ୍ତାର କରୁଛି କି ନାହିଁ ତା’ର ଟିକିନିଖି ନିରୀକ୍ଷଣ କରିଥାନ୍ତି । ଏଭଳି କୌଣସି ପ୍ରତିନିୟମ, ନିୟମ ବା ବିନିମୟ ବ୍ୟବସ୍ଥାରେ ମୂଳ ଆଇନର ଅନୁପାଳନରେ ନାଗରିକ ଅଧିକାରକୁ କ୍ଷତି ପହଞ୍ଚାଇବା, ନାଗରିକଙ୍କୁ ହଇରାଣ ହରକତ କରିବାର ବିଧି ସଂବିଧାନ ଲଙ୍ଘନକାରୀ ବିବେଚିତ କରାଯାଇ, ପାର୍ଲାମେଣ୍ଟକୁ ରିପୋର୍ଟ ଦିଆଯାଏ ଓ ଏଥିପାଇଁ ଇଂଲଣ୍ଡରେ ଆଇନଗତ ବ୍ୟବସ୍ଥା ରହିଅଛି ।

ଆମ ସଂସଦୀୟ ବ୍ୟବସ୍ଥାରେ ଗୌଣ ବିଧାନ ଉପରେ ସମୀକ୍ଷା କରିବା ପାଇଁ ସଂସଦୀୟ କମିଟି ଗଢା ହୋଇଥାଏ। ଏହାର ମୂଳ ଲକ୍ଷ୍ୟ ହେଲା ଆଇନର ମୂଳ ଉଦ୍ଦେଶ୍ୟ ପ୍ରତି କୌଣସି ବିଧି ବା ଉପବିଧି, ଅନୁକୂଳ ବା ପ୍ରଯୁଜ୍ୟ କି ନାହିଁ ତାର ସମୀକ୍ଷା କରିବା । ପ୍ରଥମ ବାଚସ୍ପତି ଜି. ଭି. ମାଭଲଙ୍କର ଗୌଣ ଆଇନ କମିଟିର ଦାୟିତ୍ୱ ଗୁରୁତ୍ବପୂର୍ଣ ଦର୍ଶାଇ ଥିଲେ ଯେ ଏହି କମିଟି ସଂସଦର ସୁରକ୍ଷା କବଚ ଯାହା କାର୍ଯ୍ୟପାଳିକାକୁ ତା’ର ସୀମା ଭିତରେ ରଖିଥାଏ । କାର୍ଯ୍ୟ ପାଳିକାର ଶୀର୍ଷ ଅଧିକାରୀ କିମ୍ବା ନିମ୍ନ ଅଧିକାରୀ ପ୍ରତ୍ୟେକେ ସଂପୃକ୍ତ ଆଇନକୁ ଲାଗୁ କରିବା ଦିଗରେ ଲକ୍ଷ୍ମଣରେଖା ଅତିକ୍ରମ ହେବା କ୍ଷେତ୍ରରେ ଉତ୍ତର ଦାୟିତ୍ବ ବହନ କରିବା ଏକ ଅନ୍ତର୍ନିହିତ ବା ସହଜାତ ସାମ୍ବିଧାନିକ ମୂଲ୍ୟବୋଧ, ଯାର ସୁରକ୍ଷା ଦିଗରେ ସଂପୃକ୍ତ ସଂସଦୀୟ କମିଟି ଦ୍ବାରା ସମ୍ୟକ୍‌ ପରୀକ୍ଷା ଅନିବାର୍ଯ୍ୟ। ଗଢା ଯାଇଥିବା ବିଧିରେ ବିଚାରାଳୟର କ୍ଷମତା ଉପରେ ଅଙ୍କୁଶ ଲଗାଇବାର ବ୍ୟବସ୍ଥା ଥିଲେ ତାର ପ୍ରତ୍ୟାହାର ପାଇଁ ସଂସଦୀୟ କମିଟି ପରାମର୍ଶ ଦେଇଥାଏ । କୌଣସି ଗୌଣ ବିଧି ମୂଳ ଆଇନର ଲକ୍ଷ୍ୟ ବାହାରକୁ ଯାଇ, ନାଗରିକଙ୍କୁ ଆର୍ଥିକ ବା ଅନ୍ୟ ବାଟରେ ଦଣ୍ଡ ଦେବାଭଳି ବିଧି ବ୍ୟବସ୍ଥାର ଉପଯୋଗ ହେବା କ୍ଷେତ୍ରରେ ସଂସଦୀୟ କମିଟି ଅନୁସନ୍ଧାନ ଓ ପରୀକ୍ଷା କରି ସମୟ ସମୟରେ ରିପୋର୍ଟ ପାର୍ଲାମେଣ୍ଟକୁ ପ୍ରଦାନ କରିଥାଏ, ଯାହା ଉପରେ ସଦସ୍ୟ ମାନେ ଚାହିଁଲେ ବିତର୍କ କରି କାର୍ଯ୍ୟପାଳିକାକୁ ସଂପୃକ୍ତ ବିଧି ବା ଉପବିଧି ସଂଶୋଧନ ପାଇଁ ଉତ୍ତରଦାୟୀ କରିପାରିବେ । ସେହିଭଳି ବିଧାନସଭା ଦ୍ବାରା ଗୃହୀତ ମୂଳ ଆଇନର ପରିସର ଭିତରେ କୌଣସି ବିଧି ବା ଉପବିଧି ଯଥାର୍ଥଭାବେ ଗଠିତ ହୋଇଛି କି ନାହିଁ ତାହା ଯାଞ୍ଚ କରି ବିଧାନସଭାକୁ ରିପୋର୍ଟ ଦେବା ନିମିତ୍ତ ଗୌଣ ବିଧାନ କମିଟି ଗଠନ କରାଯାଇଥାଏ। ଓଡ଼ିଶା ବିଧାନସଭାର ନିୟମ ୧୬୦ ରେ ସୂଚିତ ହୋଇଥିବା ସେପରି ପ୍ରତ୍ୟେକ ‘ଆଦେଶ’ ବିଧାନସଭାରେ ଉପସ୍ଥାପିତ ହେଲା ପରେ କମିଟି ଆଇନର ସାଧାରଣ ବ୍ୟବସ୍ଥାକୁ ଅନୁସରଣ କରି ନିର୍ମିତ ନିୟମ, ତଦନୁସାରେ ହୋଇଛି କି ନାହିଁ ଓ ତାହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଅଦାଲତର କ୍ଷେତ୍ରାଧିକାରକୁ ବାଧା ଦେଉଛି କି କିମ୍ବା ମୂଳ ଆଇନ ଦ୍ବାରା ପ୍ରଦତ୍ତ କ୍ଷମତାର କୌଣସି ଅସ୍ବାଭାବିକ ବା ଅପ୍ରତ୍ୟାଶିତ ବ୍ୟବହାର ଦିଗରେ ନିର୍ମିତ ବିଧି ଓ ଉପବିଧିର ଲକ୍ଷ୍ମଣ ରେଖାକୁ ଲଙ୍ଘନ କରୁଛି କି ନାହିଁ, ବିଷୟକୁ ସମୀକ୍ଷା କରିଥାନ୍ତି ।

ପ୍ରତ୍ୟାୟୋଜନ ବିଧି ନିର୍ମାଣ କ୍ଷେତ୍ରରେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଯାଞ୍ଚ କଡାକଡି ନିମନ୍ତେ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ଦିଗରେ, ଇଂଲଣ୍ଡରେ ୧୮୯୩ ରୁ ଆଇନ ମହଜୁଦ ରହିଅଛି; କିନ୍ତୁ ଏହି ବ୍ୟବସ୍ଥା ଭାରତ ପାଇଁ ଆଇନ ତିଆରିରେ ଲାଗୁ ହେଉ ନଥିଲା । ବ୍ରିଟିଶ ଶାସନ କାଳରେ ଭାରତ ପାଇଁ ଯେଉଁ ସବୁ ଆଇନ ବ୍ରିଟିଶ ପାର୍ଲାମେଣ୍ଟରେ ଗଢାଯାଇଥିଲା ତା’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା, କିଭିଳି ଶାସନକୁ ନିୟନ୍ତ୍ରଣ କରି ଅଧିକରୁ ଅଧିକ କ୍ଷମତା କାର୍ଯ୍ୟ ପାଳିକା ହାତରେ ଠୁଳ କରିବା । ଏହି ସବୁ ଆଇନର ଯାଞ୍ଚ ଦିଗରେ ୧୮୯୩ ଆଇନ ପରିମାପ ଭାରତ ପାଇଁ ଲାଗୁ ହେଉ ନଥିଲା କହିଲେ ଚଳେ। ପରବର୍ତ୍ତୀ କାଳରେ ୧୯୪୬ ମସିହାରେ ଓ ୧୯୪୭ ରେ ଷ୍ଟେଚ୍ୟୁଟାରୀ ଇଂଷ୍ଟ୍ରୁମେଣ୍ଟ୍ ଆଇନ ପ୍ରଣୀତ ହୋଇ ଗୌଣ ବିଧାନକୁ ବ୍ୟାଖ୍ୟା କରିଅଛି । ବୈଧାନିକ ବିନିମୟ ଆଇନ ଅଧୀନରେ ଗୌଣ ବିଧାନଗୁଡିକର ପରିସୀମା ସ୍ଥିରୀକୃତ କରାଯାଇଅଛି। ଯଦିଓ ବ୍ରିଟିଶ ସରକାର ନିଜ ଦେଶରେ ଗୌଣ ବିଧାନକୁ ବିଧିମତ ଓ ସାମ୍ବିଧାନିକ ଅନୁକୂଳ ଢାଞ୍ଚାରେ ପରିଚାଳନା ପାଇଁ ବିଭିନ୍ନ ଆଇନ ତିଆରି କରିଥିଲେ, ଏହା ଭାରତ ପାଇଁ ଇଂଲଣ୍ଡ ପାର୍ଲାମେଣ୍ଟର ଆଇନ ପାଇଁ ଏହି ସବୁ ପରିସୀମା ଲାଗୁ ହେଉନଥିଲା । ୧୮୯୭ରେ ସାମନ୍ତବାଦୀ ସରକାରଙ୍କ ଏପିଡେମିକ ଆକ୍ଟ ପୁନେ ଓ ବମ୍ବେରେ ପ୍ଲେଗ୍‌ ରୋଗକୁ ଦୃଷ୍ଟିରେ ରଖି କରାଯାଇଥିଲା, କିନ୍ତୁ ଏଥିରେ ପ୍ରଶାସକ ମାନଙ୍କୁ ଅତ୍ୟଧିକ କ୍ଷମତା ଦେବା ଦ୍ବାରା ଆଇନର ଅପପ୍ରୟୋଗ ହେଉଥିବା ନେଇ ଲୋକମାନ୍ୟ ତିଲକ ଆନ୍ଦୋଳନ କରିଥିଲେ ଏବଂ ନିଜ ପ୍ରକାଶିତ ପତ୍ରିକାରେ ଲେଖା ପ୍ରଦର୍ଶନ କରି ଗିରଫ ହୋଇଥିଲେ । ମୋଗଲ ଶାସନ ପରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ଶାସନରେ ରେଗୁଲେସନ ମାଧ୍ୟମରେ ଶାସନକୁ ନେଇ ବିଭ୍ରାଟ ଓ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା, ଯାହାକୁ ନେଇ କମ୍ପାନୀ ଉପରେ ଲଗାମ ପାଇଁ ବ୍ରିଟିଶ ପାର୍ଲାମେଣ୍ଟ ୧୭୭୩ରେ ରେଗୁଲେସନ ଆକ୍ଟ ଲାଗୁ କରିଥିଲେ । ୧୮୫୮ ମସିହାରେ ଭାରତ ଓ ରାଜୁଡା ରାଜ୍ୟଗୁଡିକ ଉପରେ ବ୍ରିଟିଶ ସରକାର ପୂର୍ଣ ନିୟନ୍ତ୍ରଣ ନେଲେ ଓ ରାଷ୍ଟ୍ରର ମୁଖ୍ୟ ରୂପେ ଗଭର୍ଣ୍ଣର ଜେନେରାଲ ଓ ଭାଇସ ରାୟ ଶାସନକୁ ନିୟନ୍ତ୍ରଣ କଲେ, ଯେଉଁଥିପାଇଁ ବ୍ରିଟିଶ ଶାସନର ସ୍ବାର୍ଥକୁ ଆଖି ଆଗରେ ରଖି ନିୟମାବଳୀ ଓ ଆଦେଶ ଦ୍ବାରା ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କଲେ, ଯେଉଁ ପରିସ୍ଥିତି ଊଣା ଅଧିକେ ଦେଶ ସ୍ବାଧୀନ ହେବା ପର୍ଯ୍ୟନ୍ତ ଜାରି ରହିଥିଲା । ଭାରତରେ ଉପନିବେଶ ଶାସନର ସୁରକ୍ଷା ପାଇଁ ବିଦେଶୀ ସରକାର ଗୌଣ ବିଧାନ ପରିସରକୁ ଅତି ମାତ୍ରାରେ କାର୍ଯ୍ୟପାଳିକା ହାତରେ ନ୍ୟସ୍ତ କରିଥିଲେ, ଯାହା ଆମ ସମ୍ବିଧାନର ମୂଳ ଢାଞ୍ଚା ଓ ପ୍ରତିନିଧି ମୂଳକ ଶାସନର ସ୍ବାଭାବିକ ଭାବେ ପ୍ରତିକୂଳ ସ୍ଥିତି ପ୍ରଦାନ କରେ। ଏଭଳି ମାତ୍ରାଧିକ କ୍ଷମତା ପ୍ରତ୍ୟାୟୋଜନ ସମ୍ବିଧାନ ମୂଲ୍ୟବୋଧର ବିରୋଧୀ । ଆମ ସମ୍ବିଧାନର ରଚୟିତାମାନେ ସମ୍ବିଧାନର ୩୭୨ଧାରାରେ ସମ୍ବିଧାନ ପ୍ରଣୟନ ପୂର୍ବରୁ ଦେଶରେ ପ୍ରଚଳିତ ଶହ ଶହ ଆଇନକୁ ଜାରି ରଖିବା ପାଇଁ ସାମ୍ବିଧାନିକ ମଞ୍ଜୁରୀ ଦେଇଦେଲେ କାରଣ ଏସବୁର ଆଇନ ସମ୍ବିଧାନର ମୂଲ୍ୟବୋଧରେ ତୋଳିବା ପାଇଁ ଯେଉଁ ବିସ୍ତୃତ ଆଲୋଚନା ଆବଶ୍ୟକ କରୁଥିବା ପରିପ୍ରେକ୍ଷୀରେ, ଭବିଷ୍ୟତରେ ଏଭଳି ଆଇନ/ଗୌଣ ବିଧାନର ପ୍ରୟୋଗ କ୍ଷେତ୍ରରେ ସମ୍ବିଧାନର ୧୩ ଧାରାରେ ଏକ ଅପୂର୍ବ କ୍ଷମତା ନାଗରିକ ଓ ସଂସଦକୁ ଦେଇଦେଲେ ଯେଉଁଥିରେ ଏହି ସବୁ ଔପନିବେଶିକ ଯୁଗର ଆଇନ ନାଗରିକ ସ୍ବାଧୀନତା ବିରୋଧୀ ହେବା କ୍ଷେତ୍ରରେ ତାହା ସ୍ବାଭାବିକ ଭାବେ ଅବୈଧ ବିବେଚିତ ହେବା ନେଇ ସାମ୍ବିଧାନିକ ପ୍ରତିବନ୍ଧତାକୁ, ସଂବିଧାନରେ ସ୍ଥାନ ଦିଆଗଲା । ସମ୍ବିଧାନର ଧାରା ୧୩ ଓ ୩୭୨ (୨) ଅଧୀନରେ ଔପନିବେଶିକ କାଳର ଆଇନ ସଂଶୋଧନ କିମ୍ବା ପ୍ରତ୍ୟାହାର ପାଇଁ ସଂସଦ ଓ ସମ୍ପୃକ୍ତ ବିଧାସଭାକୁ ମଧ୍ୟ ଆମ ସଂବିଧାନ କ୍ଷମତା ଅର୍ପଣ କରିଅଛି। ସମ୍ବିଧାନ ଧାରା ୧୩ ର ଚିଠା ପ୍ରସ୍ତାବରେ ସ୍ବାଧୀନତା ପୂର୍ବ ଓ ପର ଆଇନର ସାମ୍ବିଧାନିକ ବୈଧତାକୁ ସମୀକ୍ଷା କରିବା ପାଇଁ ନ୍ୟାୟାଳୟର କ୍ଷମତାକୁ ସଂକୁଚିତ କରାନଯିବା ପାଇଁ ସର୍ଦ୍ଦାର ହୁକୁମ ସିଂ, ନାସିରୁଦ୍ଦିନ ଅହମ୍ମଦ ମତବ୍ୟକ୍ତ କରିଥିଲେ । ବ୍ରିଟିଶ ସରକାରଙ୍କ ଦ୍ବ‌ାରା ପ୍ରଣୀତ ଫୌଜଦାରୀ ସଂଶୋଧନ ଆଇନ, ପ୍ରେସ ଆଇନ ଓ ନିରାପତ୍ତା ଆଇନର ପ୍ରଚଳନକୁ ଜାରି ରଖିବା, ବିପଦ ସୃଷ୍ଟି କରିବ ବୋଲି ଯୁକ୍ତିକରି ମୌଳିକ ଅଧିକାରକୁ ସଂସଦ ଓ ବିଧାନସଭାର ଦୟା ଉପରେ ଛାଡି ଦିଆଯିବା ଉଚିତ ହେବ ନାହିଁ ବୋଲି ଉଲ୍ଲେଖ କରିଥିଲେ । ସମ୍ବିଧାନ ସଭାର ୧୯୪୮ ଡିସେମ୍ବର ଏକ ତାରିଖ ଅଧିବେଶନରେ ହୁକୁମ ସିଂ ବ୍ୟକ୍ତି ସ୍ବାଧୀନତାକୁ ଖର୍ବ କରୁଥିବା ଯେ କୌଣସି ଆଇନ ଅବୈଧ କରିବାର କ୍ଷମତା ଆମେରିକାର ସୁପ୍ରିମ କୋର୍ଟ ଭଳି ଭାରତର ସୁପ୍ରିମ କୋର୍ଟର ରହିବା ଉଚିତ ବୋଲି ଯୁକ୍ତି ଉପସ୍ଥାପନା କରି ବାକ୍ ସ୍ବାଧୀନତା ଉପରେ ଆଇନଗତ କଟକଣା ଓ ଦେଶଦ୍ରୋହ ଭଳି ସାମନ୍ତବାଦୀ ଆଇନର ଅପପ୍ରୟୋଗରେ କଲବଲ ନାଗରିକ, ଏକ ସ୍ବାଧୀନ ରାଷ୍ଟ୍ରର ମୌଳିକତାକୁ ଦୁର୍ବଳ କରୁଛି ବୋଲି ମନ୍ତବ୍ୟ ରଖିଥିଲେ ଯାହା ପରବର୍ତ୍ତୀ କାଳରେ କିଛିକାଂଶରେ ସତ୍ୟରେ ପ୍ରତିପାଦିତ ହୋଇଛି । ଏ ପରିପ୍ରେକ୍ଷୀରେ ସମ୍ବିଧାନର ଧାରା ୧୩ ଓ ୩୭୨ (୨) ଅନ୍ତର୍ଗତ କ୍ଷମତାର ପ୍ରଭାବୀ ପ୍ରୟୋଗ ଦିଗରେ ଆମେ ପଛରେ ରହିଅଛୁ। ବ୍ରିଟିଶ ସରକାରଙ୍କ ଦ୍ବାରା ପ୍ରଚଳିତ ପ୍ରତ୍ୟେକ ଆଇନର ସାମ୍ବିଧାନିକ ପରିସୀମା ଲଙ୍ଘନ ଉପରେ ଗବେଷଣା, ଅନୁଶୀଳନ କରିବା ସଂସଦ ଓ ବିଧାନସଭାର ମୌଳିକ ଦାୟିତ୍ବ ହୋଇଥିବା ଯୋଗୁଁ ବିଭିନ୍ନ ଗୌଣ ଆଇନ, ବିଧି ଓ ଉପବିଧି ସମୀକ୍ଷା କରିବା ଦିଗରେ ସ୍ଥାୟୀ ବ୍ୟବସ୍ଥା ଆବଶ୍ୟକ କରୁଛି।

Comments are closed.