ଆନ୍ତର୍ଜାଲର ଜାଲରେ ଆମ କୃଷି

ସୁଜିତ କୁମାର ନାଥ

ଓଡ଼ିଶା ସରକାରଙ୍କ ଗୋସୁଗମ ପୋର୍ଟାଲ୍‌ରେ ନଭେମ୍ବର ତିରିଶ ସୁଦ୍ଧା ଚାଷୀମାନେ ରବିଫସଲ ଚାଷ ପାଇଁ ଆଗୁଆ ମଞ୍ଜି ବୁକିଙ୍ଗ୍‌ କରିପାରିବେ ଏହା ମୋ ସେବା କେନ୍ଦ୍ରରେ ଗୋସୁଗମ ଆପ୍‌ ମାଧ୍ୟମରେ କରାଯାଇପାରିବ। ଅଧିକ ସହାୟତା ପାଇଁ ଚାଷୀ ୧୫୫୩୩୩କୁ ଯୋଗାଯୋଗ କରିପାରିବେ। କହିବା ବାହୁଲ୍ୟ, ମଞ୍ଜି ହିଁ ଯେ କୌଣସି ଫସଲ ଚାଷର ପ୍ରଥମ ଆବଶ୍ୟକତା। ଠିକ୍‌ ସମୟରେ ଠିକ୍‌ ମାନର ମଞ୍ଜି ନ ପାଇଲେ କୃଷକ ସର୍ବାଧିକ କ୍ଷତିଗ୍ରସ୍ତ ହୁଏ। ସବୁ ସମୟରେ ଚାଷୀର ଏହା ମୁଖ୍ୟ ଅଭିଯୋଗ ହୋଇଥାଏ। ବର୍ଷବର୍ଷ ଧରି ଏପରି ଏକ ଜଟିଳ ସମସ୍ୟାର ଏତେ ସରଳ ଓ ସୁନ୍ଦର ସମାଧାନ କେବଳ ଇଣ୍ଟରନେଟ୍‌ (ଆନ୍ତର୍ଜାଲ) ଦ୍ବାରା ହିଁ ସମ୍ଭବ; ଏହା ଆଉ ଆଶ୍ଚର୍ଯ୍ୟର ପ୍ରସଙ୍ଗ ହୋଇ ରହିନାହିଁ। ବସ୍ତୁତଃ, ଭବିଷ୍ୟତ ଓଡ଼ିଶାର କୃଷି ଯେ ଇଣ୍ଟରନେଟ୍‌ ସେବା ଉପରେ ପୂର୍ଣ୍ଣ ନିର୍ଭରଶୀଳ ହେବ, ଏହା ଅନସ୍ବୀକାର୍ଯ୍ୟ।

ଇତିମଧ୍ୟରେ ଇଣ୍ଟରନେଟ୍‌ ସାରା ବିଶ୍ବର ଆବାଳବୃଦ୍ଧବନିତାଙ୍କୁ ନିଜ ଜାଲ ମଧ୍ୟରେ ଛନ୍ଦି ସାରିଲାଣି। ଏହା ଆଉ କେବଳ ଏକ ତଥ୍ୟ ପ୍ରେରଣକାରୀର ମାଧ୍ୟମ ହୋଇ ରହିନାହିଁ ବରଂ ଏହା ପୃଥିବୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ପରିବର୍ତ୍ତନର ମୁଖ୍ୟ କାରକ ହୋଇସାରିଛି। ଏକବିଂଶ ଶତାବ୍ଦୀର ମଣିଷର ଦୈନନ୍ଦିନ ଜୀବନଚର୍ଯ୍ୟାରେ ଏହା ସର୍ବାଧିକ ସେବା ପ୍ରଦାନ କରୁଛି। ୧୯୯୫ ମସିହାରେ ଦେଶରେ ଭାରତ ସଞ୍ଚାର ନିଗମ ଦ୍ବାରା ଆରମ୍ଭ ହୋଇ ଇଣ୍ଟରନେଟ୍‌ ସେବା ଅଧିକାର ୧୯୯୮ ମସିହାରେ ମୁକ୍ତ ବଜାରୀକରଣ ପ୍ରଭାବରେ ନିଜସ୍ବ କମ୍ପାନୀଙ୍କୁ ପ୍ରଦାନ କରାଗଲା। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ସାରାଦେଶର ସବୁକ୍ଷେତ୍ରକୁ ଇଣ୍ଟରନେଟ୍‌ରେ ଯୋଡ଼ିବାକୁ ଡିଜିଟାଲ ଇଣ୍ଡିଆ ଯୋଜନା ଆରମ୍ଭ କଲେ। ତା’ର ଫଳ ସ୍ବରୂପ ଏବେ ଆମ ଦେଶ ଦ୍ବିତୀୟ, ତୃତୀୟ, ଚତୁର୍ଥ ସୋପାନ ଅତିକ୍ରମ କରି ଇଣ୍ଟରନେଟ ସେବାର ପଞ୍ଚମ ସୋପାନରେ ଉପନୀତ। ସାଧାରଣ ଜନତାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଅଦ୍ୟାବଧି ଦେଶର ଗ୍ରାମାଞ୍ଚଳରେ ୪,୬୩,୭୦୫ଟି ଜନସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେମାନଙ୍କ ମାଧ୍ୟମରେ ସାଧାରଣ ଭାରତୀୟ ନାଗରିକ ସମସ୍ତ ସରକାରୀ ସୁବିଧା ପାଇବାର ବ୍ୟବସ୍ଥା ରହିଛି।

ଭାରତରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ମନୋରଞ୍ଜନ, ପର୍ଯ୍ୟଟନ, ବ୍ୟବସାୟ ଆଦି ସବୁ କ୍ଷେତ୍ରକୁ ଛୁଇଁବା ପରେ କୃଷି କ୍ଷେତ୍ରରେ ଇଣ୍ଟର ସେବାର ପ୍ରୟୋଗ ଆରମ୍ଭ ହେଲା। ଫଳ ସ୍ବରୂପ, ବର୍ତ୍ତମାନ ମୋବାଇଲରେ ଶହଶହ ସଂଖ୍ୟାରେ କୃଷିଭିତ୍ତିକ ୟୁଟ୍ୟୁବ୍‌ ଚ୍ୟାନେଲ ଓ ପୋର୍ଟାଲ ଖୋଲିଲା; କିନ୍ତୁ ୨୦୧୪ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦେଶର କୃଷକମାନଙ୍କୁ ମୋବାଇଲ୍‌ ସହ ଯୋଡ଼ିବାରେ ଏବେ ମାଇଲ୍‌ଖୁଣ୍ଟ ସାବ୍ୟସ୍ତହେଲା। ଡିଜିଟାଲ୍‌ ଇଣ୍ଡିଆ ସହ ଜନଧନ ଯୋଜନା, ସରକାରଙ୍କର ବିଭିନ୍ନ କୃଷିଭିତ୍ତିକ ଯୋଜନାର ସଫଳ ରୂପାୟନ ପାଇଁ ପଥ ପ୍ରଦର୍ଶକ ହେଲା। ଆମ ରାଜ୍ୟ ଓଡ଼ିଶା କଥା ଚିନ୍ତା କରାଯାଉ। ଏହାର ଶତକଡ଼ା ସତୁରି ପ୍ରତିଶତ ଲୋକ କୃଷି କ୍ଷେତ୍ର ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡ଼ିତ।

prayash

ଓଡ଼ିଶାର ଭୂମିରୂପ, ସାଧାରଣ ଜନତାଙ୍କ ଆର୍ଥିକ ମାନଦଣ୍ଡ, କୃଷିକୁ ଏବେ ନିଷ୍ପ୍ରଭ, ପାରମ୍ପରିକ ଓ ପଛୁଆ ପେଷା ଭାବେ ପରିଗଣିତ କରାଏ। ପ୍ରାକୃତିକ ସମସ୍ୟା ସହ କିଛି ମନୁଷ୍ୟକୃତ ସମସ୍ୟା, ଏଥିପାଇଁ ଦାୟୀ ବୋଲି ଅଭିଯୋଗ ହୁଏ। ସେପରି ମନୁଷ୍ୟକୃତ ସମସ୍ୟା ଦୂରୀକରଣ ପାଇଁ ଗତ କେତେବର୍ଷ ହେଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଇଣ୍ଟରନେଟ୍‌ ସେବା ଉପଯୋଗ କରିଆସୁଛନ୍ତି। ‘ବୀଜରୁ ବଜାର’ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତାକୁ ନିଶ୍ଚିତ କରିବାକୁ ଯାଇ ଓଡ଼ିଶା ସରକାରର ଏ ସବୁକୁ ପଞ୍ଚସୂତ୍ରୀ (୫-ଟି) ବିଭାଗରେ ସ୍ଥାନିତ କରିଛନ୍ତି। ଏଥିପାଇଁ ଇଣ୍ଟରନେଟ୍‌ ସେବା ହିଁ ସରକାରଙ୍କର ମୁଖ୍ୟ ମାଧ୍ୟମ ପାଲଟିଛି। ଏହାଦ୍ବାରା ସରକାର ଅନେକଗୁଡ଼ିଏ ୱେବ୍ ପୋର୍ଟାଲ ଓ ଆପ୍‌ ଖୋଲିଛନ୍ତି। ବର୍ତ୍ତମାନ ସରକାର କୃଷକ ଓଡ଼ିଶା ଆପ୍‌ ଖୋଲି ସମସ୍ତ ଚାଷୀଙ୍କ ସ୍ଥିତି ଜଣାଇବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଅଦ୍ୟାବଧି ପ୍ରାୟ ୪୯.୫ ଲକ୍ଷ କୃଷକ ଏଥିରେ ପଞ୍ଜିକୃତ ହୋଇସାରିଲେଣି। ସେମାନଙ୍କ ପାଇଁ ସରକାର ଉଚିତ୍‌ ଯୋଜନା କରିବାର ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶା ସିଡ ପୋର୍ଟାଲରେ ସରକାର ନିଜପାଖରେ ଥିବା ମଞ୍ଜିର ତଥ୍ୟ ଦେବା ସହ ରାଜ୍ୟର ୮୨୮୫୨ ଜଣ ମଞ୍ଜି ଉତ୍ପାଦନକାରୀଙ୍କ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ସରକାର ଗତ କିଛିବର୍ଷ ହେଲା ଏଗ୍ରିସ୍‌ନେଟ୍‌ ନାମକ ପୋର୍ଟାଲ ମାଧ୍ୟମରେ ଗଭୀର, ଅଗଭୀର କୂପ, ନଳକୂପ, ପମ୍ପସେଟ୍‌, କୃଷି ଯନ୍ତ୍ରପାତିର ସୁବିଧା ଯୋଗାଇ ଆସୁଛନ୍ତି। ପ୍ରତ୍ୟକ୍ଷ ସୁବିଧା ପ୍ରବର୍ତ୍ତନ (ଡିବିଟି) ପୋର୍ଟାଲ ଆସିଲା ପରେ ରିଆତି ସିଧାସଳଖ କୃଷକର ବ୍ୟାଙ୍କ୍‌ ଖାତାରେ ଜମା ହେଉଛି। ସେହିପରି ଜଳଉତ୍ସ ପାଇଁ ସୌର ଜଳନିଧି ପୋର୍ଟାଲ, ସମନ୍ବିତ କୃଷିପାଇଁ ଆଇଏଫ୍‌ଏସ୍‌ ପୋର୍ଟାଲ ପନିପରିବା ଫଳ ଫୁଲ ଚାଷର ବିକାଶପାଇଁ ହର୍ଟନେକ୍‌ ଆଦି ସରକାରୀ ଯୋଜନାର କାର୍ଯ୍ୟାନ୍ବୟନରେ ବିନିଯୋଗ ହେଉଛି। ଏପରିକି ରୋଗପୋକ ନିୟନ୍ତ୍ରଣ ପାଇଁ ଇ-ପେଷ୍ଟ ଓଡ଼ିଶା ପୋର୍ଟାଲ ସହ ମୋବାଇଲ ଆପ୍‌ର ବିନିଯୋଗ ପରେ ଠିକ୍‌ ଓ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁଛି। କରୋନା ମହାମାରୀ ସମୟରେ ନିୟନ୍ତ୍ରିତ ଯାତାୟାତକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଣ୍ଡ୍ରଏଡ୍‌ ଫୋନ ମାଧ୍ୟମରେ ଓଡ଼ିଆଭାଷାରେ ସଚିତ୍ର ବୈଜ୍ଞାନିକ ଜ୍ଞାନକୌଶଳ, ସଫଳ କାହାଣୀ ପ୍ରେରଣ କରିବା ସହ ଓଡ଼ିଆ ଭାଷାରେ ସ୍ବରବାର୍ତ୍ତା ପଠାଇବା ଆରମ୍ଭ କରିଛନ୍ତି। ବ୍ୟାବସାୟିକ କୃଷିକୁ ପ୍ରୋତ୍ସାହନ ଦେବାପାଇଁ ୧୯୯୬ ମସିହାରେ ଓଡ଼ିଶା ସରକାର ଆପିକଲ ପ୍ରତିଷ୍ଠା କରିଥିଲେ। ୨୦୧୮ ମସିହାଠାରୁ ମୁଖ୍ୟତଃ କୃଷି ଉଦ୍ୟୋଗ ଯୋଜନାରେ ଏହାର ସବୁ ଯୋଜନାକୁ ଇଣ୍ଟରନେଟ୍‌ ମାଧ୍ୟମରେ ସ୍ବଚ୍ଛ ଓ ସରଳୀକରଣ କରିବାଦ୍ବାରା ରାଜ୍ୟ ସଂପ୍ରତି ମାଛ, ମାଂସ, ଅଣ୍ଡା ଉତ୍ପାଦନରେ ସ୍ବାବଲମ୍ବନତା ଆଡ଼କୁ ଦ୍ରୁତ ଅଗ୍ରସର ହେଉଛି। ଏହାର ପୋର୍ଟାଲ ମାଧ୍ୟମରେ ଓଡ଼ିଶାର ପଢ଼ୁଆ ଯୁବକଯୁବତୀ ସରକାରୀ ସହାୟତା ନେଇ ସ୍ବାବଲମ୍ବୀ ହୋଇପାରୁଛନ୍ତି।

ଆମ ରାଜ୍ୟ ସରକାରଙ୍କର ଯୁଗାନ୍ତକାରୀ କାଳିଆ ଯୋଜନା ମାଧ୍ୟମରେ ଓଡ଼ିଶାର ନାମମାତ୍ର, କ୍ଷୁଦ୍ର, ଭୂମିହୀନ ଚାଷୀ ଓ କୃଷି ଶ୍ରମିକ ନିଜକୁ ପଞ୍ଜିକୃତ କରି ସିଧାସଳଖ ଆର୍ଥିକ ସହାୟତା ପାଇପାରୁଛନ୍ତି। ସେହି ଜ୍ଞାନକୌଶଳକୁ ବିନିଯୋଗକରି କୃଷକ ପ୍ରତ୍ୟେକ ବର୍ଷ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ମଧ୍ୟ ପାଉଛି। କୃଷିଜାତ ଦ୍ରବ୍ୟର ବିକ୍ରିକୁ ସୁଗମ କରିବାକୁ କେନ୍ଦ୍ର ସରକାର ଇ-ନାମ ପୋର୍ଟାଲ୍‌ରେ ସବୁ ମଣ୍ଡିକୁ ଯୋଡ଼ିଛନ୍ତି। ସେହିପରି ରାଜ୍ୟ ସରକାର ଇଣ୍ଟରନେଟ୍‌ ସେବାକୁ ପ୍ରୟୋଗକରି ଚାଷୀମାନଙ୍କ ବଳକା ଧାନକୁ କ୍ରୟକରି ସେମାନଙ୍କ ଅର୍ଥ ବ୍ୟାଙ୍କ ଜମାଖାତାକୁ ପ୍ରେରଣ କରିବାରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ପାଳନ ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ସରକାରଙ୍କର ସବୁ ବିଭାଗ ନିଜର ସମସ୍ତ କୃଷିଜାତ ଓ କୃଷକ ସମ୍ବନ୍ଧୀୟ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ ଇଣ୍ଟରନେଟ୍‌କୁ ବିଶ୍ବସ୍ତ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି।

୨୦୨୨ ମସିହାରେ ଓଡ଼ିଶା ସରକାର ନିଜର ସବୁ କୃଷିଭିତ୍ତିକ ଯୋଜନା ରୂପାୟନକୁ ସରଳୀକରଣ କରିବାକୁ ଦୁଇଟି ପୋର୍ଟାଲ୍‌ ଆରମ୍ଭ କରିଛନ୍ତି। ସରକାରଙ୍କର କୃଷି, ଉଦ୍ୟାନକୃଷି, ପ୍ରାଣୀପାଳନ, ମତ୍ସ୍ୟ ବିଭାଗର ସବୁ ଯୋଜନା ଓ କାର୍ଯ୍ୟକ୍ରମ ଏବେ ସୁଗମ ପୋର୍ଟାଲରେ ପଞ୍ଜିକୃତ। ଚାଷୀ ପାଇବେ ବୋଲି ନିକଟରେ ବିଜ୍ଞପ୍ତି ଜାରି କରାଯାଇଛି। ସେହିପରି ଚାଳିଶରୁ ଊର୍ଦ୍ଧ୍ବ ବ୍ୟାଙ୍କ୍‌ ସହ ସମନ୍ବୟ ରକ୍ଷାକରି ଓଡ଼ିଶା ସଫଲ ପୋର୍ଟାଲ ମାଧ୍ୟମରେ ସରକାର ତିନିଶହ ପ୍ରକାର କୃଷି ସମ୍ବନ୍ଧୀୟ ଋଣ ସାହାଯ୍ୟରେ ବ୍ୟାବସାୟିକ କୃଷି କରିବାର ରାସ୍ତା ପ୍ରଶସ୍ତ କରିଛନ୍ତି। ସବୁକ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ଇଣ୍ଟରନେଟ୍‌ ସେବାର ସାହାଯ୍ୟନେଇ ତ୍ବରିତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ କରିଛନ୍ତି।

ଅପରପକ୍ଷେ, ଏ କଥା ଆଲୋଚ୍ୟର ପ୍ରସଙ୍ଗ ଯେ ମାସିକ ୫୧୧୨ଟଙ୍କା ଆୟ କରୁଥିବା କୃଷକ ପରିବାର ପାଇଁ ଏ ସେବା ପାଇବା କେତେଦୂର ସମ୍ଭବପର ହୋଇପାରିବ? ତେୟାନବେ ପ୍ରତିଶତ ନାମମାତ୍ର, କ୍ଷୁଦ୍ରଚାଷୀଙ୍କ ପାଇଁ ଆଣ୍ଡ୍ରଏଡ୍‌ ଫୋନ ଓ ବ୍ୟବହାରର ଖର୍ଚ୍ଚ କେତେ ଲାଭପ୍ରଦ ହୋଇପାରିବ? ପାହାଡ଼ ଜଙ୍ଗଲଭରା ଓଡ଼ିଶାର ଅନୁନ୍ନତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାର ଭିତ୍ତିଭୂମି କେତେ ସୁଦୃଢ଼ ସାରା ଦେଶ ଇଣ୍ଟରନେଟର ପଞ୍ଚମ ସୋପାନ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିଲାବେଳେ ଫୋନ୍‌ ସଂଯୋଗୀକରଣ ବଳୟର ବାହାରେ ଥିବା ଓଡ଼ିଶାର ୨୫୦୬୭ ଗ୍ରାମର କୃଷକମାନେ କେମିତି ଏ ସୁବିଧା ପାଇବେ? ଏସବୁ ଆମ କୃଷିର ଉନ୍ନତିରେ ମୁଖ୍ୟ ଅନ୍ତରାୟ ହେବ ବୋଲି ମନେହୁଏ। ଅତଏବ, କୃଷକମାନଙ୍କ ସ୍ଥିତି ଓ ଅବସ୍ଥିତିକୁ ଅନୁଶୀଳନ କରି ଇଣ୍ଟରନେଟ୍‌ ଯୋଗାଯୋଗ ସେବାକୁ ସୁଦୃଢ଼ କଲେ ଓଡ଼ିଶାର କୃଷି ଅର୍ଥନୀତି ନିଶ୍ଚିତ ସମୃଦ୍ଧ ହେବ। ଏଥିରେ ଅନ୍ୟଥା ନାହିଁ।

kalyan agarbati

Comments are closed.