ବ୍ୟବସ୍ଥାର ଅଂଶ ଆପ୍‌

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ ଶେଷ କଥା ନୁହେଁ, ସମୟ କହିବ ସିବିଆଇ ଚଢ଼ଉର ଯଥାର୍ଥତା କେତେ

ବ୍ୟୟ ବହୁଳ ନିର୍ବାଚନ ରାଜନୀତି ଓ କଳାଟଙ୍କାର ବିପୁଳ ଉପଯୋଗ ଏକ ସ୍ବାଭାବିକ ପ୍ରକ୍ରିୟାରେ ପରିଣତ ହୋଇଛି। ଭୋଟ ଦାନ ପୂର୍ବରୁ ଉପକୃତ ହେଉଥିବା ଭୋଟର କେବେ ଚିନ୍ତା କରେନି ଏହି କଳା ଟଙ୍କା ଆସୁଛି କେଉଁଠୁ? ନିର୍ବାଚନ ଖର୍ଚ୍ଚ କଟକଣା କେବଳ ଲୋକଦେଖାଣିଆ। ଖର୍ଚ୍ଚ ଯାଞ୍ଚ କରିବା ଦାୟିତ୍ବରେ ଥିବା ଅଧିକାରୀ କ୍ଷମତାସୀନ ଦଳର ହାତବାରିସି ବା ବୋଲକରା ହୋଇଥିବାରୁ ପ୍ରଚଳିତ ବ୍ୟବସ୍ଥାରେ ଯାବତୀୟ ବିଶୃଙ୍ଖଳା ଉପୁଜୁଛି। ପ୍ରାର୍ଥୀଙ୍କ ଦକ୍ଷତା ଓ ଯୋଗ୍ୟତା ଏବେ ଅର୍ଥହୀନ ହୋଇପଡ଼ିଛି। ସାଧାରଣ ମତଦାତା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ବଦଳରେ ଦଳକୁ ଦେଖି ଭୋଟ ଦେଉଥିବାରୁ ଅନେକ କ୍ଷେତ୍ରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ନିରର୍ଥକ ହୋଇପଡ଼ିଛି। ପରୋକ୍ଷରେ ଏହି ପ୍ରକ୍ରିୟା ହାଇକମାଣ୍ଡଙ୍କ ରାଜନୈତିକ ପ୍ରଭୁତ୍ବକୁ ପ୍ରାଧାନ୍ୟ ଦେଇଆସିଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ୟକ୍ତିବାଦର ଅଭ୍ୟୁଦୟ ସକାଶେ ଏହି ପଥ ପରିଷ୍କାର କରିଛି। ଏହିଭଳି ବ୍ୟୟବହୁଳତାକୁ ଆମେ ସୁଯୋଗ ଦେଇଥିବାରୁ ନୂଆ ଦଳ ଓ ନେତା ନିର୍ବାଚନ ରାଜନୀତିରେ ସଫଳ ହୋଇପାରୁ ନାହାନ୍ତି। କିଛି ସଚେତନ ନାଗରିକ ଓ ସାମାଜିକ କର୍ମୀ ବିକଳ୍ପ ନେତୃତ୍ବ ସୃଷ୍ଟି ସକାଶେ ଦେଉଥିବା ଆହ୍ବାନ ଏଭଳି ଏକ ପ୍ରତିକୂଳ ରାଜନୈତିକ କ୍ରିୟାକଳାପରେ ବିଶେଷ ଫଳପ୍ରଦ ହେଉନାହିଁ।

ନିକଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି। ମଦ ବିକ୍ରି ଲାଇସେନ୍ସ ଦୁର୍ନୀତିର ତଦନ୍ତ କରି ସିିବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି। ଏ ସମ୍ପର୍କରେ କିଛି ମତାମତ ଦେବା ପୂର୍ବରୁ ଦିଲ୍ଲୀ ରାଜନୈତିକ ଚିତ୍ର ଓ ଚରିତ୍ର ଆଲୋଚନାକୁ ଆସିବା ଆବଶ୍ୟକ। ୨୦୧୧ ଆନ୍ନା ହଜାରେଙ୍କ ଦୁର୍ନୀତି ମୁକ୍ତ ଭାରତ ଆନ୍ଦୋଳନରୁ ଅରବିନ୍ଦ କେଜିରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ସୃଷ୍ଟି ହୋଇଛି। ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଆହ୍ବାନ ଦେଇ ସେ ଦିଲ୍ଲୀ ରାଜନୀତିକୁ କ୍ରମାଗତଭାବେ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହୋଇଛନ୍ତି। କ୍ରମେ ଏହି ଆପ୍‌ ପଞ୍ଜାବରେ କ୍ଷମତା ଦଖଲ କରିଛି। କ୍ରମାଗତ ଭାବେ ତିନିପାଳି ଧରି ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନକୁ ନିୟନ୍ତ୍ରଣରେ ରଖିଥିବା ବିଜେପିଠାରୁ ଗତ ନିର୍ବାଚନରେ ଆପ୍‌ ଛଡ଼ାଇ ନେଇଛି। ଆଗକୁ ହରିଆନାରେ କ୍ଷମତାସୀନ ବିଜେପି ପାଇଁ ଆପ୍‌ ବିପଦ ହେବାର ସମ୍ଭାବନା ଅଛି। ଦିଲ୍ଲୀ କ୍ଷମତାକେନ୍ଦ୍ର ନାକ ତଳେ କେଜରିୱାଲଙ୍କ ଏହି ପତିଆରା ବୃଦ୍ଧି ନିଶ୍ଚୟ ଅସହ୍ୟ ହେବ। ତେଣୁ କ୍ରମାଗତ ଭାବେ ଦିଲ୍ଲୀ ସରକାର ଗୋଟିକ ପରେ ଗୋଟିଏ ପ୍ରହାରର ସମ୍ମୁଖୀନ ହୋଇଛନ୍ତି। ତେବେ ମଦ ବିକ୍ରି ଲାଇସେନ୍ସରେ ରହିଥିବା ଗଫଲତିର ଆଗପଛ କ’ଣ ହେବ ତାହା ଭିନ୍ନ କଥା। ସିବିଆଇ ଘଟଣାର ତଦନ୍ତ କରି ଦିଲ୍ଲୀ ସରକାରର ଉପମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧି ପକାଇବା କିଛି ଛୋଟ କଥା ନୁହେଁ। ଆପ୍‌ର ଭାବମୂର୍ତ୍ତି ଉପରେ ଏହା ନିଶ୍ଚୟ ପ୍ରତିକୂଳ ପ୍ରଭାବ ପକାଇବ। ଏହା ପଛରେ ରାଜନୈତିକ ଆକ୍ରୋଶ ଅଛି କି ନାହିଁ ତାହା ସମୟ କହିବ। ବିଚାର ବ୍ୟବସ୍ଥା ଉପରେ ଏ​‌େ​‌ବ ବି ସମସ୍ତଙ୍କ ଭରସା ଅଛି। ଏମ୍‌ସିଡି ନିର୍ବାଚନରେ ଆପ୍‌ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଦଳର ମେୟର ପ୍ରାର୍ଥୀଙ୍କୁ ଜିତେଇ ନଦେବା ସକାଶେ ଯେଉଁ ହୀନ ରାଜନୀତି ହେଲା ତାହା ସମସ୍ତଙ୍କୁ ଅଳ୍ପବହୁତେ ଜଣା। ଶେଷରେ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ଅବସ୍ଥା ସୁଧୁରିଲା। ଏହା ଅର୍ଥ ନୁହେଁ ସରକାରଙ୍କ ସବୁ କାର୍ଯ୍ୟକଳାପ ସନ୍ଦେହରୁ ଊର୍ଦ୍ଧ୍ବରେ। ସିବିଆଇ ଓ ଇଡିକୁ କେନ୍ଦ୍ର ସରକାର ପ୍ରତିଦ୍ବନ୍ଦ୍ବୀଙ୍କ ବିରୋଧରେ ପ୍ରୟୋଗ କରୁଥିବା ଅଭିଯୋଗ କିଛି ନୂଆ ନୁହେଁ। କଥା କଥାକେ ଏକାଧିକ ବିରୋଧୀ ନେତା ଅନୁରୂପ ଆକ୍ରୋଶର ସମ୍ମୁଖୀନ ହେଉଥିବାର ତଥ୍ୟ ସମ୍ମୁଖକୁ ଆସୁଛି। ଏପରିକି ଯଦି ପ୍ରତିପକ୍ଷଙ୍କ କିଛି ପ୍ରମୁଖ, ଦଳ ତ୍ୟାଗ କରି କ୍ଷମତାସୀନ ଦଳରେ ଯୋଗ ଦେଉଛନ୍ତି ସେମାନେ ତଦନ୍ତ ନିର୍ଯାତନାରୁ ବର୍ତ୍ତି ଯାଉଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି। ଏଭଳି ଏକ ଆକ୍ଷେପ କଲାବେଳେ ଆମକୁ ସ୍ବୀକାର କରିବାକୁ ପଡୁଛି ଯେ ଅତୀତରେ ମଧ୍ୟ ସିବିଆଇର ଦୁରୁପଯୋଗ ହେଉଥିଲା। ତେବେ ଯେତେବେଳେ ମାତ୍ରାଧିକ ହୋଇଥାଏ, ଏଭଳି କିଛି ପ୍ରତିକ୍ରିୟା ନିଶ୍ଚୟ ହେବ। ଏଠାରେ ଉଲ୍ଲେଖ କରାଯାଇପାରେ କି ନିର୍ବାଚନ ବଣ୍ଡ ବ୍ୟବସ୍ଥାକୁ ଯେଭଳି ପ୍ରୟୋଗ କରାଯାଉଛି ସେଥିରେ ବିରୋଧୀଙ୍କ ଚାନ୍ଦା ଘଡ଼ା ନିଶ୍ଚୟ ପୂରଣ ହେବନି। ତାହାର ସ୍ବତନ୍ତ୍ର ଫାଇଦା କିଏ କିଭଳି ନେଇଛି ଭିନ୍ନ କଥା। ଆମେ ପୁଣି ଥରେ ଆପ୍‌ ନିକଟକୁ ଫେରିବା। ଏକ ନଗରାଞ୍ଚଳକୁ ନେଇ ଦିଲ୍ଲୀ ସରକାର ମୁଣ୍ଡ ଟେକିଥିବାବେଳେ ସେମାନଙ୍କ ଦଳୀୟ ପାଣ୍ଠି ବୃଦ୍ଧିର ସମ୍ଭାବନା ଯଥେଷ୍ଟ କମ୍‌। ଏଭଳି ଆର୍ଥିକ ସ୍ଥିତିରେ ଦଳ ଗୋଆ ଓ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାର ଆର୍ଥିକ ସାମର୍ଥ୍ୟ ପାଇଲା କେଉଁଠୁ? ଏଭଳି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ଗତ ଗୋଆ ନିର୍ବାଚନରେ ଆପ୍‌ ମଦ ବିକ୍ରି ଦୁର୍ନୀତିରୁ କିଛି ଅର୍ଥ ସଂଗ୍ରହ କରି ଖର୍ଚ୍ଚ କରିଥିବା ସନ୍ଦେହ ବିଭିନ୍ନ ମହଲରେ ଘନୀଭୂତ ହୋଇଛି। ତେଣୁ ଏହି ସଂଯୋଗକୁ ନେଇ ସିବିଆଇ ତଦନ୍ତ ଅଗ୍ରସର ହେଉଥିବାର କିଛି ତଥ୍ୟ ଆଲୋଚନା ପରିସରକୁ ଆସିଛି। ଆମକୁ ଏଠାରେ କହିବାକୁ ପଡୁଛି ଯେ ସିବିଆଇ ତଦନ୍ତ ପ୍ରକ୍ରିୟା ଶେଷ କଥା ନୁହେଁ। ଏହି ତଥ୍ୟ ଅଦାଲତରେ ପ୍ରମାଣ ହେବାର ଅଛି, ତେଣୁ ଆଗକୁ ସମୟ କହିବ କିଏ ସତ, କିଏ ମିଛ।

ଆମ ନିର୍ବାଚନ ବ୍ୟବସ୍ଥାରେ ସଂଶୋଧନ ଅଣାଯିବା ଜରୁରୀ ହୋଇପଡ଼ିଛି। ଦଳ ମତ ନିର୍ବିଶେଷରେ ସୁଯୋଗ୍ୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାର ସୁଯୋଗ ସୃଷ୍ଟି ନ ହେଲେ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ବ୍ୟାହତ ହେବ। କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି କ୍ଷମତାର ମଙ୍ଗ ଧରିଥିବା ନେତାମାନେ ନିଜକୁ ସୁହାଇଲା ଭଳି ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାନ୍ତି। ତେଣୁ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା କେବଳ ପାଠ୍ୟ ପୁସ୍ତକରେ ସୀମିତ ରହିଛି। ଯିଏ ଯେଝା ବାଟରେ ସୁବିଧା ମାରି ଚାଲିଛନ୍ତି। ଭାରତ ଭଳି ବିଶ୍ବର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ପରିଚାଳନା କିଭଳି ଅନ୍ୟମାନଙ୍କ ପାଇଁ ଆଦର୍ଶ ସ୍ଥାନୀୟ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

Comments are closed.