MEllora 950×100

ମହିଳା ବିରୋଧୀ ମାନସିକତା କାହିଁକି?

ଦେବରଞ୍ଜନ

ଭାରତର ବିଭିନ୍ନ ପ୍ରାନ୍ତରେ ରହିଥିବା ଆଦିବାସୀମାନଙ୍କର କଥିତ ଭାଷାରେ ‘ବଳାତ୍କାର’ ଅଥବା ‘ଧର୍ଷଣ’ ଶବ୍ଦର ନିଜସ୍ବ କୌଣସି ପ୍ରତିଶବ୍ଦ ନାହିଁ। ଯଦି ବି କେଉଁଠି କେଉଁ ଆଦିବାସୀ ଜନଜାତି ଏହାର କୌଣସି ଶବ୍ଦ ବ୍ୟବହାର କରୁଥିବେ ତେବେ ତାହା ପାର୍ଶ୍ବବର୍ତ୍ତୀ ଓଡିଆ, ହିନ୍ଦୀ, ତେଲୁଗୁ ବା ଭୋଜପୁରୀ ଭାଷାର ପାଖାପାଖି କିଛି ଶବ୍ଦ ହୋଇଥିବ ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ଶବ୍ଦକୋଷକୁ ଆସିଛି। ଓଡ଼ିଶାରେ ଅନେକ ଆଦିବାସୀ ଜନଜାତି ‘ବଳାତ୍କାର’ ବା ‘ଧର୍ଷଣ’ର ନିଜସ୍ବ ଶବ୍ଦ ଭାବରେ “ଖରାପ” ହୋଇଯିବା ଶବ୍ଦ ବ୍ୟବହାର କରିଥାନ୍ତି ଯାହା କି ପୁଣି ଏକ ଓଡ଼ିଆ ଶବ୍ଦ। ତେଣୁ ଆଦିବାସୀ ସମାଜ ଯେ ଏଭଳି ଏକ ଜଘନ୍ୟ ଅପରାଧ ସହିତ ପୂର୍ବରୁ ଆଦୌ ପରିଚିତ ନଥିଲା ଏଥିରେ କୌଣସି ଦ୍ବିମତ ନାହିଁ ।

ଏହାର ସମାନ୍ତରାଳ ଭାବରେ ରହିଥିବା ଅଣଆଦିବାସୀ ସମାଜରେ ପୁରାଣଠାରୁ ଇତିହାସ ପର୍ଯ୍ୟନ୍ତ ବଳାତ୍କାରର ଅନେକ ଉଦାହରଣ ରହିଛି। ଯୁଦ୍ଧରେ ଜିତିଥିବା ରାଜାଙ୍କ ସୈନ୍ୟବାହିନୀର ଲୁଟ ଓ ବଳାତ୍କାରକୁ ମଧ୍ୟ ବିଜୟର ପ୍ରତୀକ ଭାବରେ ଧରାଯାଇଛି। ଅନେକ ସାମ୍ପ୍ରଦାୟିକ ଦଙ୍ଗା ଓ ଜାତିଗତ ହିଂସା କ୍ଷେତ୍ରରେ ମହିଳାମାନେ ହିଁ ଆକ୍ରମଣକାରୀଙ୍କ ଭୋଗ୍ୟ ପାଲଟିଯା’ନ୍ତି। ସୁରକ୍ଷାକର୍ମୀଙ୍କ ଦ୍ବାରା ବଳାତ୍କାରର ଶିକାର ହେବାର ଅନେକ ଉଦାହରଣ ଉତ୍ତର ପୂର୍ବ ରାଜ୍ୟ, କାଶ୍ମୀର ଓ ମଧ୍ୟଭାରତର ଆଦିବାସୀ ଅଞ୍ଚଳରେ ରହିଛି। ଆଦିବାସୀ ମହିଳା ଅଣଆଦିବାସୀ ଠିକାଦାର, ଅଫିସର, ପୁଲିସ ଇତ୍ୟାଦି ପୁରୁଷଙ୍କ ଦ୍ବାରା ଯୌନ ହିଂସାର ଶିକାର ହେବା ଆମେ ଜାଣିଛେ; କିନ୍ତୁ ସେହି ଆଦିବାସୀ ଅଞ୍ଚଳରେ ଅନେକ ମହିଳା ଶିକ୍ଷୟିତ୍ରୀ ଭାବରେ ଅଥବା ଖଣି, ପ୍ଲାଣ୍ଟ ଓ ସରକାରୀ ଅଫିସରେ ନିଯୁକ୍ତ ହୋଇଛନ୍ତି। ସେମାନେ ଆଦିବାସୀ ଗାଁରେ ଏକୁଟିଆ ଘର ଭଡା ନେଇ ରହୁଛନ୍ତି। ଏପରି କି ଅନେକ ଆଦିବାସୀ ପୁରୁଷ ସହରରେ ଆସି କାମ କରୁଛନ୍ତି। ଆଦିବାସୀ ପୁରୁଷ ଦ୍ବାରା ଅଣଆଦିବାସୀ ମହିଳାକୁ ବଳାତ୍କାର ବା ଯୌନପୀଡା ଦେବାର ଉଦାହରଣ ବିରଳ କାହିଁକି?

ବଳାତ୍କାର ଭଳି ଏକ ଯୌନ ଅପରାଧକୁ ସଂପୂର୍ଣ୍ଣ ବ୍ୟକ୍ତିଗତ ଧରିବା କାରଣରୁ ବଳାତ୍କାରୀକୁ ଅଧିକ ଦଣ୍ଡ ଦେଲେ ବାକି ଅପରାଧୀ ଡରିଯିବେ ଓ ଅପରାଧ ବନ୍ଦ ହୋଇଯିବାର ଏକ ବିଚାର ସର୍ବଦା ଆମ ଭିତରେ ରହିଆସିଛି। ଆମେ ମନେପକାଇବା ଯଦି ତେବେ ଦେଖିବା ଯେ ନବେ ଦଶକ ପର୍ଯ୍ୟନ୍ତ ବଳାତ୍କାରୀକୁ ସର୍ବାଧିକ ସାତ ବର୍ଷ ଜେଲ ଦଣ୍ଡ ଦେବାର ବ୍ୟବସ୍ଥା ଥିଲା। ନବେ ଦଶକ ପରେ ଏହାକୁ ଦଶ ବର୍ଷକୁ ବଢାଇଦିଆଗଲା। ନାବାଳକ/ନାବାଳିକାଙ୍କ ଉପରେ ଯୌନ ଅତ୍ୟାଚାରକୁ ରୋକିବା ଦିଗରେ ଆଇପିସିର ଧାରା ୩୭୫, ୩୫୪ ଓ ୩୭୭ ଯଥେଷ୍ଟ ନହେବା କାରଣରୁ ପୋକ୍‌ସୋ ଆଇନ ୨୦୧୨ରେ ପ୍ରଣୟନ ହେଲା। ପୁଣି ନିର୍ଭୟା ଘଟଣା (୨୦୧୩) ପରେ କୋଡିଏ ବର୍ଷ ଜେଲ ଓ ମୃତ୍ୟୁଦଣ୍ଡ (ବଳାତ୍କାର ଓ ହତ୍ୟା) ଦେବାର ନିୟମ ରହିଲା। ମୃତ୍ୟୁ ଦଣ୍ଡ ପରେ ତ ଅନ୍ୟ କୌଣସି ଦଣ୍ଡ ନାହିଁ! ତଥାପି କାହିଁକି ଏହି ଅପରାଧ କମୁନାହିଁ?
ମଧୁଶ୍ରୀ ମୁଖାର୍ଜୀ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ମଧ୍ୟରେ ରହିଥିବା ଜରୱା, ଓଙ୍ଗୋ ଓ ସାଣ୍ଟିନେଲିଜମାନଙ୍କ ଉପରେ ଗବେଷଣା କରି ପୁସ୍ତକ ‘The land of naked people’ ପ୍ରକାଶ କରିଛନ୍ତି। ବାହାରୁ ଯାଇ ରହୁଥିବା ଭାରତୀୟମାନେ ଆଣ୍ଡାମାନର ଆଦିବାସୀଙ୍କ ଜମି ଓ ଜଙ୍ଗଲ ଅକ୍ତିଆର କରିବା ଲାଗି ଆକ୍ରମଣ କରିଛନ୍ତି, ଆଦିବାସୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଓ ସେମାନଙ୍କ ମହିଳାଙ୍କୁ ଧର୍ଷଣ କରିଛନ୍ତି। ଏହା ପୁଲିସର ରିପୋର୍ଟରେ ଅଛି; କିନ୍ତୁ ସ୍ଥାନୀୟ ଆଦିବାସୀ ପ୍ରତିକ୍ରିୟା ବଶତଃ ଅଣଆଦିବାସୀଙ୍କ ଉପରେ ଆକ୍ରମଣ କରିଛନ୍ତି, ଜିନିଷ ନଷ୍ଟ କରିଛନ୍ତି କିନ୍ତୁ ଅଣଆଦିବାସୀ ମହିଳାଙ୍କୁ ସାମାନ୍ୟତମ ଆଘାତ ଦେବାର କୌଣସି ଉଦାହରଣ ନାହିଁ। ଏହା ମଧ୍ୟ ଅଣଆଦିବାସୀମାନେ ଦେଇଥିବା ଅଭିଯୋଗ ଓ ପୁଲିସର ରିପୋର୍ଟରେ ଉଲ୍ଲେଖ ରହିଛି। ଆଦିବାସୀ ସମାଜରେ ନାରୀ ପ୍ରତି ଦୃଷ୍ଟିଭଙ୍ଗୀ ଏପରି କ’ଣ ରହିଛି ଯାହା ଅଣଆଦିବାସୀ ବାକି ସମାଜରେ ନାହିଁ?

ଓଡ଼ିଶାର ରାୟଗଡ଼ା ଜିଲା ଟିକିରି–କାଶୀପୁର ଭଳି ଏକ ଆଦିବାସୀ ବହୁଳ ଅଞ୍ଚଳରେ ପ୍ରଥମ ଧର୍ଷଣ ଓ ହତ୍ୟା ମାମଲା ଆଲୁମିନା କମ୍ପାନୀ ଆସିବା ପରେ ହୋଇଛି। ଅଭିଯୁକ୍ତ ନିଜେ କମ୍ପାନୀର କର୍ମଚାରୀ, ବାହାର ଜିଲାର। ବଳାତ୍କାର ଓ ହତ୍ୟା କରାଯାଇଥିବା ମହିଳା ଦଳିତ ସମ୍ପ୍ରଦାୟର ଓ ନିକଟବର୍ତ୍ତୀ ଗାଁର। ସେ କମ୍ପାନୀରେ ଠିକା ଶ୍ରମିକ ହୋଇ କାମ କରୁଥିଲେ। ଘଟଣା ପରେ ପୁଲିସ ତୁରନ୍ତ ଗିରଫ ନକରିବା କାରଣରୁ ଉଭୟ ଦଳିତ ଓ ଆଦିବାସୀ ମହିଳା ତୁରନ୍ତ ଆସି ଦୋରାଗୁଡା ଥାନାକୁ ଘେରାଉ କରିବା ପରେ ଅଭିଯୁକ୍ତ ଧରା ହୋଇଥିଲେ। ଏବେ କମ୍ପାନୀର କର୍ମଚାରୀ ଜଣକ ଆଜୀବନ କାରାଦଣ୍ଡ ପାଇ କୋରାପୁଟ ଜେଲରେ ଅଛନ୍ତି। ଦକ୍ଷିଣ ଓଡ଼ିଶାରେ ଝିଅ ଉଦୁଳିଆ ଯିବା ଓ ମନ ନପାଇଲେ ଫେରିଆସିବାର ସଂସ୍କୃତି ରହିଛି; କିନ୍ତୁ ଏହା କେବେ ବଳାତ୍କାର ଓ ହତ୍ୟାର ରୂପ ନେଇନଥିଲା। ଏହି ସବୁ ଆଦିବାସୀ ଅଞ୍ଚଳରେ ଅନେକ କାରଖାନା, ନଦୀବନ୍ଧ, ଖଣି, କାର୍ଯ୍ୟାଳୟ ହେଲା। ଓଡ଼ିଶାର ବେଶ୍‌ କେତେକ ଆଦିବାସୀ ଅଞ୍ଚଳରେ ‘ଉଦୁଳିଆ’ ବିବାହ ନାମରେ କମ୍‌ ବୟସର ଆଦିବାସୀ ଝିଅଙ୍କୁ ଆଦିବାସୀ ପୁଅ ଉଠାଇ ନେବା ଓ ଝିଅର ଇଚ୍ଛାକୁ ଗୁରୁତ୍ବ ନଦେଇ ଶାରୀରିକ ସମ୍ପର୍କ ଲାଗି ଉଦ୍ୟମ କରିବା ଦେଖିବାକୁ ମିଳୁଛି। ସେମାନେ ଅଧିକ ସଂଖ୍ୟାରେ ପୋକ୍‌ସୋ ଆଇନରେ ଗିରଫ ହେଉଛନ୍ତି।

ଭାରତୀୟ ସମାଜରେ ବଳାତ୍କାରର ଶିକାର ହୋଇଥିବା ମହିଳାଙ୍କୁ ନେଇ ଯେତିକି ଆଲୋଚନା ହୁଏ ବଳାତ୍କାରୀ ସମ୍ପର୍କରେ ତାହାଠାରୁ ବହୁତ କମ ଆଲୋଚନା ହୋଇଥାଏ। ବଳାତ୍କାରୀର ଜାତି, ବୟସ, ଧର୍ମ ଓ ଆର୍ଥିକ ସ୍ଥିତି ଇତ୍ୟାଦି ସମ୍ପର୍କରେ ଆମର କୌଣସି ସର୍ଭେ କେବେ ହୋଇନାହିଁ, ବରଂ ବଳାତ୍କାର ଓ ଯୌନ ହିଂସା ବଢିବା ପଛରେ ସର୍ବଦା ଝିଅମାନଙ୍କର ପୋଷାକ, ଖାଦ୍ୟ ରୁଚି, ଚରିତ୍ର, ମୋବାଇଲ ଯନ୍ତ୍ରର ଅଧିକ ବ୍ୟବହାର, ନାରୀ ଓ ପୁରୁଷର ବନ୍ଧୁତା ଓ ଉଚ୍ଛୃଙ୍ଖଳ ବ୍ୟବହାର ଇତ୍ୟାଦି ସମ୍ପର୍କରେ ଅଧିକ ଆଲୋଚନା ହୋଇଛି। ଏଠାରେ ଆଲୋଚନା ବା ବକ୍ତବ୍ୟ ରଖୁଥିବା ଲୋକ ପ୍ରାୟତଃ ପୁରୁଷ ହୋଇଥା’ନ୍ତି। ସେହିମାନେ ପୁଣି ସମାଧାନର ରାସ୍ତା ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥା’ନ୍ତି। ବିଡମ୍ବନା ଯେ ବଳାତ୍କାରର ଶିକାର ହେଉଥିବା ମହିଳାଙ୍କୁ ନିଜର ସୁରକ୍ଷା ଲାଗି ବିଭିନ୍ନ ତାଲିମ (ଜୁଡୋ, କରା‌େଟ ଇତ୍ୟାଦି) ବ୍ୟବସ୍ଥା କରିଦିଆଯାଏ। ପରୋକ୍ଷରେ ଏହା ଧରିନିଆଯାଏ ଯେ ପୁରୁଷମାନେ ଏକୁଟିଆ ପାଇଲେ ନାରୀ ପ୍ରତି ଏଭଳି ଆଚରଣ କରିବେ, ନାରୀକୁ ସେଥିଲାଗି ସୁରକ୍ଷିତ ରହିବା ଆବଶ୍ୟକ।

ପୁରୁଷର ଏହା ଗୁଣ ଯେ ସେ ସୁନ୍ଦରୀ ନାରୀ ଦେଖିଲେ ନିଜର କରିବାକୁ ଚେଷ୍ଟା କରେ, ନାରୀଟି କାନ୍ଦିବା ଦେଖିଲେ ଏହାର କାରଣ ନପରଖି ଅଧିକ ସହାନୁଭୂତିଶୀଳ ହୋଇଯାଏ; ସାହାଯ୍ୟ କରିବା ଲାଗି ଅଧିକ ଉଗ୍ର ଓ ଉତ୍କଣ୍ଠିତ ହୋଇପଡେ; ନାରୀକୁ କାହାର ମାଆ ବା ସ୍ତ୍ରୀ ବା ଭଉଣୀ (ଏବେ ମ୍ୟାଡାମ) ସମ୍ବନ୍ଧ ଭିତରେ ଦେଖିବାକୁ ଚାହେଁ, ସେଭଳି ପରିଚୟ ନଥିବା ବାକି ମହିଳାଙ୍କୁ ନିମ୍ନ ଦୃଷ୍ଟି (ଯେମିତି ‘ବିଧବା’, ‘ଦେହଜୀବୀ’ ବା ‘ଏକୁଟିଆ ମହିଳା’ଙ୍କ କ୍ଷେତ୍ରରେ ହୋଇଥାଏ)ରେ ଦେଖେ; ଯେଉଁ ନାରୀକୁ ନିଜର ଜାତି, ଧର୍ମ, କ୍ଷମତା ଓ ସମ୍ପତ୍ତି ବଳରେ ନିଜ ଠାରୁ ଦୁର୍ବଳ ମନେକରେ ତାହାଙ୍କୁ ବହୁ ଶୀଘ୍ର ବଶୀଭୂତ କରିବାକୁ ଚେଷ୍ଟା କରିଥାଏ; ସେଥିଲାଗି ଲିଫ୍ଟ ମଧ୍ୟରେ, ବସ୍‌ରେ, ପାର୍କରେ, ରାତିର ଅନ୍ଧାରରେ, ଘରେ ବା କୌଣସି ଏକ ନିରୋଳା ସ୍ଥାନରେ ଭେଟୁଥିବା ମହିଳାଙ୍କୁ ତୁରନ୍ତ ଅସଦାଚରଣ କରିବସେ। ଅଳ୍ପ ଦିନର ସମ୍ବନ୍ଧରେ ଶାରୀରିକ ସମ୍ପର୍କ ଲାଗି ଅଧିକ ଉଗ୍ର ହୋଇପଡେ; ନାରୀର ହାବଭାବ ତାକୁ ଇସାରା ବା ସମ୍ମତି ବୋଲି ମନେହୁଏ। ଏହି ପୁରୁଷଗତ ଗୁଣ ସେହିମାନଙ୍କ ନିକଟରେ ଦେଖାଯାଏ ଯେଉଁମାନେ ନିଜକୁ ପ୍ରଥମେ ମଣିଷ ବୋଲି ଭାବିବା ବଦଳରେ ନିଜେ ପୁରୁଷ ବୋଲି ଗର୍ବ କରିଥାନ୍ତି। ସେମାନଙ୍କ ମଣିଷପଣିଆର ଅବକ୍ଷୟ ଘଟେ। ଅନ୍ୟ ପଟରେ, ନାରୀ ମଧ୍ୟ ସେହିସବୁ ବ୍ୟବହାର କରିଥାଏ (ଯଥା ହଠାତ କାନ୍ଦିବା, ନିଜ ପରିବାରର ବିପକ୍ଷରେ ଅଧିକ ଅଭିଯୋଗ କରିବା, ଲାଜେଇବା ଓ ଭୟଭୀତ ବୋଲି ପ୍ରକାଶ କରିବା ଇତ୍ୟାଦି); ଯାହା ତାକୁ ଦୁର୍ବଳ ବୋଲି ପୁରୁଷ ଆଗରେ ପ୍ରମାଣିତ କରିଥାଏ।

ଅଣଆଦିବାସୀ ସମାଜରେ ବେଶ୍‌ କିଛି ଭ୍ରାନ୍ତ ଧାରଣା ପିଲା ବେଳୁ ପୁରୁଷ ଭିତରେ ରହିଆସିଛି। ସେଗୁଡିକ ହେଲା; କ) ନାରୀ ଯୌନ ସମ୍ପର୍କ ପାଇଁ ଆଗ୍ରହୀ ଓ ସେ ଭାଷାରେ ନକହି ନିଜର ପୋଷାକ ଓ ଶରୀରର ଭାବଭଙ୍ଗୀ ଦ୍ବାରା ତାହା ସୂଚାଇଥାଏ (ଯାହା ଆମେ ବିଭିନ୍ନ ଚଳଚ୍ଚିତ୍ରରେ ମଧ୍ୟ ଦେଖିଥାଉ); ଖ) ଏଭଳି ଘଟଣା ପଛରେ ନାରୀର ମଧ୍ୟ ଭୁଲ ରହିଛି; ଗ) ମହିଳାମାନେ କେବଳ ଅଜଣା ଲୋକଙ୍କ ଦ୍ବାରା ବଳାତ୍କାରର ଶିକାର ହୁଅନ୍ତି ଓ ତାଙ୍କ ପୁରୁଷ ସମ୍ପର୍କୀୟ ତାଙ୍କୁ ଏଥିରୁ ସୁରକ୍ଷା ଦେଇଥାନ୍ତି (ଯଦିଓ ସମସ୍ତ ସର୍ବେକ୍ଷଣ କହୁଛି ଯେ ୯୦ ପ୍ରତିଶତ ମାମଲାରେ ବଳାତ୍କାରୀଙ୍କୁ ମହିଳା ଜଣକ ପୂର୍ବରୁ ଜାଣିଥିଲେ); ଘ) ମହିଳାମାନେ ଚାହିଁଲେ ବଳାତ୍କାରକୁ ଏଡାଇପାରିଥା’ନ୍ତେ; ଚ) ବଳାତ୍କାରୀ ଜଣେ ମାନସିକ ରୋଗୀ। ପ୍ରକୃତ କ୍ଷେତ୍ରରେ ଏଥିରୁ କୌଣସିଟି ବି ସତ୍ୟ ନୁହେଁ। ନାରୀ ବି ସମାନ ଭାବରେ ଜଣେ ମଣିଷ ଯିଏ ନିଜର ଆଗ୍ରହ, ନିଜର ପସନ୍ଦ ଓ ପ୍ରେମକୁ ନେଇ ବେଶ୍‌ ସଚେତନ। କୌଣସି ବି ନାରୀ ନିଜ ଉପରେ ହୁକୁମ କରୁଥିବା ପୁରୁଷକୁ ବନ୍ଧୁ କରିବା ଲାଗି ପସନ୍ଦ କରିନଥା’ନ୍ତି।

ଆଦିବାସୀ ସମାଜ ଅଣଆଦିବାସୀ ସମାଜଠାରୁ ବେଶ ଭିନ୍ନ। ସେଠାରେ ନାରୀର ନିଜସ୍ବ ପସନ୍ଦ ଉପରେ ବାପା ବା ଭାଇର ମଧ୍ୟ କୌଣସି କର୍ତ୍ତୃତ୍ବ ନାହିଁ। ସେ ନିଜ ଇଚ୍ଛାରେ ବିବାହ କରିଥାଏ ଓ ଯେତେବେଳେ ମନ କଲା ଯଦି ସ୍ବାମୀର ବ୍ୟବହାର ଠିକ ନରହେ ତେବେ ମା’ଟିଏ ମଧ୍ୟ ପିଲାମାନଙ୍କୁ ସ୍ବାମୀ ପାଖରେ ରଖିଦେଇ ଖୁସିଖୁସିରେ ଘର ଛାଡ଼ି ଚାଲିଆସେ। ଆଦିବାସୀ ବିବାହିତା/ଅବିବାହିତା ନାରୀର ପୁରୁଷ ଲାଗି ବ୍ରତ ରଖିବାର ପରମ୍ପରା ଆଦୌ ନାହିଁ । ଆଦିବାସୀ ସମାଜରେ ‘ସ୍ବାମୀପରିତ୍ୟକ୍ତା’,‘ବିଧବା’,‘ବେଶ୍ୟା’ ଭଳି କୌଣସି ଶବ୍ଦ ମଧ୍ୟ ନାହିଁ। ଏପରିକି “ଅବୈଧ ସନ୍ତାନ” ବୋଲି କିଛି ନଥାଏ। ସମସ୍ତେ ସେହି ଗାଁର ନିଜ ସମାଜର ବୋଲି ଧରିନିଆଯାଇଥାଏ; କିନ୍ତୁ ପରିବାର ମଧ୍ୟରେ ନାରୀର ସମ୍ପତ୍ତି ଅଧିକାର ନଥିବା କାରଣରୁ ସେହି ନାରୀ ସେଠାରେ ମଧ୍ୟ ସଂପୂର୍ଣ୍ଣ ସମାନ ନୁହେଁ।

ଅଣଆଦିବାସୀ ସମାଜରେ ପୁରୁଷର ନାରୀ ପ୍ରତି ଚିନ୍ତାଧାରା ବଦଳିବାର ଆବଶ୍ୟକତା ରହିଛି। ବଳାତ୍କାର ପଛରେ ନାରୀ ପ୍ରତି ନ୍ୟୂନ ଦୃଷ୍ଟିଭଙ୍ଗୀ ପୁରୁଷକୁ ଏଭଳି ଅତ୍ୟାଚାର ଲାଗି ତର୍କ ତିଆରି କରିଥାଏ। ସମାଜର ଦୃଷ୍ଟିଭଙ୍ଗୀ ହିଁ ପିଢି ପରେ ପିଢି ବଳାତ୍କାରୀ ତିଆରି କରୁଛି। ସମାଜରେ ଧନୀମାନେ ଆଇନକୁ ପ୍ରଭାବିତ କରିପାରୁଥିବା କାରଣରୁ କେବେ କୌଣସି ଶିଳ୍ପପତି, ଜମିଦାର, ରାଜନେତା ଏଥିଲାଗି ଦଣ୍ଡିତ ହୁଅନ୍ତି ନାହିଁ ବା ବହୁତ କମ ହୋଇଛନ୍ତି। ନାରୀ ଓ ପୁରୁଷ ଉଭୟ ମଣିଷ। ଏହି ସାଧାରଣ କଥାଟି ପରିବାର ମଧ୍ୟରେ, ରାଜନୀତିରେ, ପୁରାଣ ଓ ସଂସ୍କୃତିରେ ପ୍ରତିଫଳିତ ହେଲେ ନାରୀ ବଳାତ୍କାର ଭଳି ଜଘନ୍ୟ ଅପରାଧରୁ ଏ ସମାଜ ସୁରକ୍ଷିତ ହୋଇପାରିବ।

Comments are closed.