www.samajalive.in
Wednesday, December 10, 2025
14.1 C
Bhubaneswar

ନକଲି ଔଷଧର ନକାରାତ୍ମକତା

ନିକଟରେ ନକଲି ଔଷଧ ଜବତ ଶୀର୍ଷକ ଖବର ଓଡ଼ିଶାର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଥିଲା। ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ଦ୍ୱାରା ଔଷଧ ଦୋକାନ ଏବଂ ଔଷଧ ବିତରକଙ୍କଠାରୁ ନକଲି ଔଷଧ ଜବତ ସଚେତନ ନାଗରିକଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ସେମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ନକଲି ଔଷଧ ମାନେ କ’ଣ,ଏହା ଅସଲି ଔଷଧଠାରୁ କିପରି ଭିନ୍ନ ଏବଂ ଏହା ଶରୀର ପାଇଁ କ୍ଷତିକାରକ ନା ନୁହେଁ ଇତ୍ୟାଦି ଇତ୍ୟାଦି।

ନକଲି ଔଷଧ ଯାହାକୁ ଇଂରାଜୀରେ ‘କାଉଣ୍ଟରଫିଟ ମେଡିସିନ’ ବୋଲି କୁହାଯାଇଥାଏ, ତାହା ଏପରି ଏକ ଔଷଧ କିମ୍ବା ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଯାହାର ଉତ୍ପତ୍ତି, ପ୍ରାମାଣିକତା କିମ୍ବା କାର୍ଯ୍ୟକାରିତାକୁ ପ୍ରତାରଣା ଭାବରେ ଉପସ୍ଥାପନ କରିବା ସହିତ ବିକ୍ରୟ କରାଯାଇଥାଏ। ଏହା ସୁଚିନ୍ତିତ ଏବଂ ଯୋଜନାବଦ୍ଧ ଭାବରେ ଅସାଧୁ ବ୍ୟକ୍ତି କିମ୍ବା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏହାର ଏକମାତ୍ର ଉଦ୍ଦେଶ୍ୟ ହେଲା ଅନୈତିକ ଏବଂ ଅସାଧୁ ଉପାୟରେ ବିପୁଳ ଅର୍ଥ ଉପାର୍ଜନ କରିବା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବ୍ୟାଖ୍ୟା ଅନୁସାରେ ସାଧାରଣତଃ ନକଲି ଔଷଧ କିମ୍ବା କାଉଣ୍ଟରଫିଟ ମେଡିସିନ ଏପରି ଏକ ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଯେଉଁଥିରେ ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନ (ଏପିଆଇ) ଆଦୌ ଥାଇନପାରେ କିମ୍ବା ଠିକ ପରିମାଣରେ ନଥାଇପାରେ କିମ୍ବା ନିମ୍ନ-ଗୁଣବତ୍ତାର ହୋଇଥାଇପାରେ । ଏହି ତଥାକଥିତ ଔଷଧ ଅନୁପଯୁକ୍ତ ଭାବରେ ଏବଂ ଅବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ ହୋଇପାରେ କିମ୍ବା ଏହା ଔଷଧ ଲେବଲରେ ନଥିବା ଉପାଦାନ ଧାରଣ କରିଥାଇପାରେ, କିମ୍ବା ଏହା ଭୁଲ କିମ୍ବା ନକଲି ପ୍ୟାକେଜିଂ ଏବଂ ଲେବଲିଂ ସହିତ ଯୋଗାଇ ଦିଆଯାଇ ଥାଇପାରେ । ଏହା ଏପରି ପ୍ୟାକେଜିଂ ହୋଇଥାଏ ଯେମିତି କି ପ୍ରକୃତ ଔଷଧର ଭ୍ରମ ସୃଷ୍ଟି କରିବ। ନକଲି ଔଷଧ ପ୍ରାୟତଃ ଅଯୋଗ୍ୟ ଏବଂ ଅଣତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଅବୈଜ୍ଞାନିକ ଏବଂ ଅପରିଷ୍କାର ଅବସ୍ଥାରେ ଉତ୍ପାଦିତ ହୋଇଥାଏ । ବେଳେବେଳେ ଜୀବାଣୁ ଦ୍ୱାରା ଦୂଷିତ ମଧ୍ୟ ହେବାର ଆଶଙ୍କା ଥାଏ ।

- Advertisement -

ନକଲି ଔଷଧ ଯେ ଖାଲି ଆମ ରାଜ୍ୟ ବା ଦେଶ ପାଇଁ ଏକ ସମସ୍ୟା ତାହା ନୁହେଁ, ଏହା ବିଶ୍ୱର ସମସ୍ତ ଦେଶ ପାଇଁ ଊଣା ଅଧିକେ ଚିନ୍ତାର ବିଷୟ । ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ବିକଶିତ ଦେଶ ତୁଳନାରେ ବିକାଶଶୀଳ ଦେଶଗୁୁଡ଼ିକରେ ନକଲି ଔଷଧର ପ୍ରଚଳନ ଅଧିକ। ନକଲି ଔଷଧ ବ୍ୟବହାରର ଅନେକ କୁପରିଣାମ ଅଛି। ପ୍ରଥମତଃ, ନକଲି ଔଷଧ ବ୍ୟବହାର ଦ୍ୱାରା ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯଥା ଭୁଲ୍‌ ସକ୍ରିୟ ଉପାଦାନରୁ ରୋଗୀର ଶରୀରରେ ଜଟିଳ ପାର୍ଶ୍ୱ ପ୍ରତିକ୍ରିୟାର ଆଶଙ୍କା ଅଧିକ ଥାଏ (ଉଦାହରଣ ସ୍ୱରୂପ ବିଷକ୍ରିୟା), ରୋଗକୁ ଉପଶମ କରିବାରେ କିମ୍ବା ରୋକିବାରେ ଏହାର ବିଫଳତା ଦ୍ୱାରା ଅସୁସ୍ଥତା ଏବଂ ମୃତ୍ୟୁହାର ବୃଦ୍ଧି ପାଇବାର ଆଶଙ୍କା ଥାଏ। ନକଲି ଔଷଧ ଯେ ଖାଲି ରୋଗୀଙ୍କ ଉପରେ କୁପ୍ରଭାବ ପକାଇଥାଏ ତାହା ନୁହେଁ; ଏହା ଦ୍ୱାରା ଡାକ୍ତର, ସାଧୁ ଔଷଧ କମ୍ପାନୀ ତଥା ସରକାରଙ୍କ ମଧ୍ୟ କ୍ଷତି ହୋଇଥାଏ।

ସାଧାରଣତଃ ନକଲି ଔଷଧ ମୂଳ ଔଷଧ ପରି ଦେଖାଯାଏ ଏବଂ ଏହାକୁ ଚିହ୍ନିବା ବହୁତ କଷ୍ଟକର। ସରକାରୀ ଲାଇସେନ୍ସପ୍ରାପ୍ତ ପରୀକ୍ଷାଗାରରେ ରାସାୟନିକ ପରୀକ୍ଷଣ ମାଧ୍ୟମରେ ହିଁ କୌଣସି ଔଷଧ ନକଲି କି ନାହିଁ ତାହା ନିର୍ଭୁଲ ଭାବରେ ଯାଞ୍ଚ କରି ହେବ; ତଥାପି ଔଷଧର ଲେବଲ୍ ଏବଂ ପ୍ୟାକେଜ୍ ଡିଜାଇନର ଶାରୀରିକ ମୂଲ୍ୟାଙ୍କନ ଦ୍ୱାରା ଏହା ନକଲି ନା ନୁହଁ, କିଛି ମାତ୍ରାରେ ଅନୁମାନ କରାଯାଇପାରିବ। ଅନ୍ତତଃ ପକ୍ଷେ ଯେ କୌଣସି ଔଷଧ ଦ୍ରବ୍ୟର ଲେବଲ୍ କିଛି ସୂଚନା ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ ଅଟେ; ଯଥା: ଔଷଧର ବ୍ରାଣ୍ଡ ନାମ, ଔଷଧର ଜେନେରିକ୍ ନାମ, ବ୍ୟବହାର କରିବାର କାରଣ, ଔଷଧର ଆକାର, ଓଜନ, ଚେତାବନୀ, ସତର୍କତା, ବ୍ୟବହାର ନିର୍ଦେଶାବଳୀ, ଉତ୍ପାଦନ ବିବରଣୀ, ଦେଶ ଉତ୍ପତ୍ତି, ବ୍ୟାଚ୍ ସଂଖ୍ୟା। ଏହି ଜିନିଷଗୁଡ଼ିକ ମଧ୍ୟରୁ କୌଣସିଟିର ଅନୁପସ୍ଥିତି ନକଲି ଔଷଧର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ହୋଇପାରେ। ଏହା ସହିତ ଔଷଧ କ୍ରୟ କଲା ବେଳେ ଗ୍ରାହକ ଆଉ କିଛି ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ। ଯଥା ଔଷଧ ଠିକ ଦେଖାଯାଉଛି ନା ନାହିଁ, ରଙ୍ଗ ଫିକା ପଡ଼ିଯାଇଛି କି? ରୋଗୀ ଯଦି କୌଣସି ଔଷଧ ନିୟମିତ ସେବନ କରୁଛନ୍ତି ଏବଂ ସେହି ସମାନ ବ୍ରାଣ୍ଡର ସମାନ ଔଷଧ ନିକଟରେ କ୍ରୟ କରିଛନ୍ତି ଏବଂ ତାହା ଅନୁରୂପ ଭାବରେ କାର୍ଯ୍ୟ କରୁନାହିଁ କିମ୍ବା କିଛି ନୂଆ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଲା ତା’ ହେଲେ ଅବିଳମ୍ବେ ନିଜ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।

ଏଇଠି ଆମମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଯେ ଜେନେରିକ ଔଷଧ ଯଦିଚ ବ୍ରାଣ୍ଡେଡ ଔଷଧ ଅପେକ୍ଷା ଶସ୍ତା ଅଟେ, ତଥାପି ଏହା ବିଲକୁଲ ନକଲି ଔଷଧ ନୁହେଁ। ଜେନେରିକ୍ ଔଷଧ ବ୍ରାଣ୍ଡେଡ ଔଷଧଗୁଡିକ ଅପେକ୍ଷା କମ୍ ପ୍ରଭାବଶାଳୀ ନୁହନ୍ତି। ଜେନେରିକ୍ ଔଷଧର ମାତ୍ରା, ପାର୍ଶ୍ୱ ପ୍ରତିକ୍ରିୟା ସବୁ ବ୍ରାଣ୍ଡେଡ୍ ଔଷଧ ପରି। ଜେନେରିକ୍ ଔଷଧଗୁଡ଼ିକୁ ମଧ୍ୟ ବ୍ରାଣ୍ଡେଡ୍ ଔଷଧ ପରି ସମସ୍ତ ଗୁଣାତ୍ମକ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ। ବ୍ରାଣ୍ଡେଡ୍ ଔଷଧ ପରି ଜେନେରିକ୍ ଔଷଧଗୁଡିକ ମଧ୍ୟ ବଜାରରେ ପ୍ରବେଶ କରିବା ପୂର୍ବରୁ ସଂପୃକ୍ତ ଭେଷଜ ନିରୀକ୍ଷକଙ୍କଠାରୁ ଅନୁମତି ଏବଂ ଲାଇସେନ୍ସ ପାଇବା ଆବଶ୍ୟକ ହୋଇଥାଏ । ବ୍ରାଣ୍ଡେଡ୍ ଔଷଧ ତୁଳନାରେ ଜେନେରିକ୍ ଔଷଧ ଅପେକ୍ଷାକୃତ ଶସ୍ତା ହେବାର ମୁଖ୍ୟ କାରଣ ହେଲା ଜେନେରିକ୍ ଔଷଧ ଉତ୍ପାଦନରେ କମ୍‌ ଅର୍ଥ ବ୍ୟୟ ହୋଇଥାଏ। ସାଧାରଣତଃ ବ୍ରାଣ୍ଡେଡ୍ ଔଷଧଗୁଡିକ ସେମାନଙ୍କର ସୁରକ୍ଷା ଏବଂ କାର୍ଯ୍ୟକାରିତା ପ୍ରମାଣ କରିବା ବ୍ୟୟ ସାପେକ୍ଷ; ପଶୁ ଏବଂ କ୍ଲିନିକାଲ୍ ଅଧ୍ୟୟନ ଦେଇ ଯିବାକୁ ପଡିଥାଏ । ଜେନେରିକ୍ ଔଷଧ ଯେହେତୁ ‘ଓରିଜିନେଟର’, ବ୍ରାଣ୍ଡେଡ୍ ଔଷଧର ସମାନ ସକ୍ରିୟ ଉପାଦାନ ବ୍ୟବହାର କରିଥାନ୍ତି, ତେଣୁ ସେଗୁଡ଼ିକୁ ସେହି ସମାନ ପରୀକ୍ଷା କରିବାକୁ ପଡ଼େନାହିଁ । ଏହା ଦ୍ୱାରା ଜେନେରିକ୍ ଔଷଧ ଉତ୍ପାଦନକାରୀଙ୍କ ଟଙ୍କା ସଞ୍ଚୟ ହୋଇଥାଏ ଏବଂ ଗ୍ରାହକମାନେ ଏହି ସଞ୍ଚୟରୁ ଉପକୃତ ହୁଅନ୍ତି।

ନକଲି ଔଷଧର ପ୍ରାଦୁର୍ଭାବକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଏକାଧିକ ପଦକ୍ଷେପ ନେଉଛନ୍ତି। ସରକାର ଅନେକ ସ୍ଥାନରେ ଔଷଧ ଗୁଣବତ୍ତା ପରୀକ୍ଷଣ ପାଇଁ ଲାଇସେନ୍ସପ୍ରାପ୍ତ ପରୀକ୍ଷାଗାର ସ୍ଥାପନ କରୁଛନ୍ତି। ଏହାଛଡା ନକଲି ଔଷଧ ବ୍ୟବସାୟର ପ୍ରତିକାର ପାଇଁ ଭାରତ ସରକାର ଶୀଘ୍ର ‘ଟ୍ରାକ୍‌ ଏଣ୍ଡ ଟ୍ରେସ୍‌’ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଘରୋଇ ବଜାରରେ ବହୁଳ ଭାବରେ ବ୍ୟବହାର ବିକ୍ରି ହେଉଥିବା ପ୍ରଥମ ୩୦୦ ଔଷଧର ପ୍ୟାକେଜିଂ ଉପରେ ବାରକୋଡ୍(QR କୋଡ୍‌) ଲାଗୁ କରିବା ବାଧ୍ୟତାମୂଳକ ହେବ। ଟ୍ୟାବଲେଟ୍, କ୍ୟାପସୁଲ୍, ସିରପ୍ ଉତ୍ପାଦନରେ ଏପିଆଇଗୁଡ଼ିକ ମୁଖ୍ୟ କଞ୍ଚାମାଲ ଭାବରେ ବ୍ୟବହୃତ ହୁଏ। ଏହି ଏ.ପି.ଆଇ ପ୍ୟାକେଜିଂ ଉପରେ ମଧ୍ୟ QR କୋଡ୍ ବାଧ୍ୟତାମୂଳକ ହେବ। ଏହି ସଂକେତଗୁଡ଼ିକ ଔଷଧ ସମ୍ବନ୍ଧୀୟ ସୂଚନାକୁ ପ୍ରାମାଣ୍ୟ କରିବ। ଗ୍ରାହକମାନେ ସରକାରୀ ପୋର୍ଟାଲରେ ଏହି ଅନନ୍ୟ ଆଇଡି କୋଡିଫାଏଡ କରିପାରିବେ ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ଏହାକୁ ଟ୍ରାକ୍ କରିପାରିବେ। ଏହା ସହିତ ଜନସାଧାରଣଙ୍କୁ ମଧ୍ୟ ଔଷଧ କ୍ରୟ କରିବା ସମୟରେ ଅଧିକ ସଚେତନ ରହିବାକୁ ପଡ଼ିବ ଏବଂ କିଛି ବ୍ୟତିକ୍ରମ ଅନୁମାନ କଲେ ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ। ଆମେ ଆଶା କରିବା ଯେ ଏହି ସବୁ ପଦକ୍ଷେପ ଦ୍ୱାରା ନକଲି ଔଷଧର ପ୍ରାଦୁର୍ଭାବ ଦୂର ହୋଇପାରିବ। ଅର୍ଥ ରୋଜଗାର କରିବା ଅଧିକାର ସମସ୍ତଙ୍କର ଅଛି; କିନ୍ତୁ ନିରୀହ ରୋଗୀଙ୍କୁ ବିପଦକୁ ଠେଲି ଦେଇ ଅର୍ଥ ଉପାର୍ଜନ କରିବା ଏକ ଅକ୍ଷମଣୀୟ ଅପରାଧ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories