www.samajalive.in
Saturday, December 13, 2025
21.1 C
Bhubaneswar

ରାଜପଥରୁ କର୍ତ୍ତବ୍ୟପଥ

ଜୀବନରେ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଧାରିତ ମାର୍ଗରେ ଚାଲିବା ବଡ଼ କଠିନ ହୋଇପଡି଼ଲା; କିନ୍ତୁ ସହରରେ ନିର୍ମିତ ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିବା ଖୁବ୍‍ ସହଜ ମନେ ହେଲା; ତେଣୁ ଆମେ ଭାରତବର୍ଷର ପ୍ରତ୍ୟେକ ରାଜଧାନୀ ଓ ପ୍ରମୁଖ ସହରଗୁଡ଼ିକର ମୁଖ୍ୟ ମାର୍ଗଗୁଡ଼ିକର ନାମ ମହାତ୍ମା ଗାନ୍ଧୀ ମାର୍ଗ କରିଦେଲୁ। ଦିନକୁ ଦିନ ଲୋକଙ୍କର ସେବା ନିମନ୍ତେ କାର୍ଯ୍ୟ କରିବା ଆମ ପାଇଁ ଅସମ୍ଭବ ହୋଇପଡି଼ଲା, ତେଣୁ ଆମେ ରାଜ୍ୟ ସଚି଼ବାଳୟର ନାମ ପରିବର୍ତ୍ତନ କରି ଲୋକସେବା ଭବନ କରିଦେଲୁ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଆମେ ଅସମର୍ଥ ହୋଇପଡ଼ିଲୁ, ତେଣୁ ଆମେ ରାଜଧାନୀ ଦିଲ୍ଲୀର ମୁଖ୍ୟ ରାଜପଥର ନାମ ପରିବର୍ତ୍ତନ କରି କର୍ତ୍ତବ୍ୟପଥ ରଖିଦେଲୁ।

ଆଜି ସହରର ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରତ୍ୟହ େଚାରି, ଡକାୟତି, ହତ୍ୟା, ବଳାତ୍କାର ପୂର୍ବବତ୍‌ ଚାଲୁରହିଛି। ଅସାମାଜିକ ବ୍ୟକ୍ତିମାନଙ୍କର ବାରମ୍ବାର ହିଂସାତ୍ମକ ଆକ୍ରମଣରେ ମହାତ୍ମା ଗାନ୍ଧୀ ମାର୍ଗ ରକ୍ତାକ୍ତ ହୋଇପଡି଼ଛି ଏବଂ ଅନତିଦୂରରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ତବ୍ଧହୋଇ ଏହାର ସାକ୍ଷ୍ୟ ପ୍ରଦାନ କରୁଛି। ଲୋକସେବା ଭବନ ପୂର୍ବବତ୍‌ ଏକ ଦୁର୍ଗ ସଦୃଶ ଲୋକଙ୍କର ଅପହଞ୍ଚରେ ରହିଛି। ଏଠି ଲୋକ କ’ଣ ମାଛିଟିଏ ପଡି଼ଲେ ନବଖଣ୍ଡ ହୋଇଯାଉଛି। ଏହାର ଅଭ୍ୟର୍ଥନା କକ୍ଷରେ ଥରେ ଅଭିଜ୍ଞତା ହାସଲ କରିବା ପରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଭ୍ୟର୍ଥନାର ଅର୍ଥ ଅଣ୍ଡାଳିବାକୁ ପଡୁଛି। ପୁଲିସ କମିସନର କାର୍ଯ୍ୟାଳୟର ନାମ ବର୍ତ୍ତମାନ ପୁଲିସ ସେବା ଭବନରେ ପରିବର୍ତ୍ତନ ହୋଇଯାଇଛି ସତ; କିନ୍ତୁ ଏହାର ଭାବମୂର୍ତ୍ତିରେ ସାମାନ୍ୟତମ ପରିବର୍ତ୍ତନ ହୋଇନାହିଁ। ଆଜି ବି ପୁଲିସ ନାଁ ଶୁଣିଲେ ଲୋକଙ୍କ ଛାତିରେ ସନ୍ତୁଷ୍ଟି ପରିବର୍ତ୍ତେ ଗୋଟେ ଅହେତୁକ ଭୟର ଛନକା ପଶିଯାଉଛି।

- Advertisement -

ରାଜଧାନୀ ଦିଲ୍ଲୀର ନୂତନ କର୍ତ୍ତବ୍ୟପଥରେ ପୂର୍ବବତ୍‍ ଆମର କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକାର ବିଶିଷ୍ଟ ଓ ଅତି ବିଶିଷ୍ଟ ବ୍ୟକ୍ତିବୃନ୍ଦ ପ୍ରତ୍ୟହ ଯାତୟାତ କରୁଛନ୍ତି। ଦୁର୍ଭାଗ୍ୟର କଥା ଯେ ରାଜପଥ ହେଉ କି କର୍ତ୍ତବ୍ୟପଥ ହେଉ ଏମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରୁନାହାନ୍ତି। ଯିଏ କାର୍ଯ୍ୟପାଳିକା ସିଏ କ୍ଷମତା ନିଶାରେ ଅନ୍ଧ ହୋଇପଡୁଛି; ଯିଏ ବ୍ୟବସ୍ଥାପିକା ସିଏ କାର୍ଯ୍ୟପାଳିକାଙ୍କ ନିୟନ୍ତ୍ରଣରେ ଅନ୍ଧ ସଦୃଶ ବ୍ୟବହାର କରୁଛି; ଆଉ ଯିଏ ନ୍ୟାୟପାଳିକା ସିଏ ତ ସହଜରେ ଆଖିରେ ପୁଟୁଳି ବାନ୍ଧି ଅନ୍ଧତ୍ୱକୁ ବରଣ କରିନେଇଛି। ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ସଦୃଶ ଜଣେ କାନ ଥାଇ ଶୁଣୁନାହିଁ, ଜଣେ ପାଟି ଥାଇ କହୁନାହିଁ ଆଉ ଜଣେ ଆଖି ଥାଇ ବି ଦେଖୁନାହିଁ। କର୍ତ୍ତବ୍ୟର ଅବହେଳା ନିମନ୍ତେ ଆପଣ କାହାକୁ ଦୋଷ ଦେଇ କାହା ପାଖରେ ଅଭିଯୋଗ କରିବେ?

ଥରେ ପିଲାଦିନେ ଦୁର୍ଯ୍ୟୋଧନ ଓ ଦୁଃଶାସନ ଗୋଟିଏ ବେଙ୍ଗକୁ ଖେଳିବା ବାହାନାରେ ଅସହ୍ୟ ଯନ୍ତ୍ରଣା ଦେଉଥିଲେ। ମୃତପ୍ରାୟ ବେଙ୍ଗଟିକୁ ଦେଖି ତା ମା’ ବେଙ୍ଗୁଲି କାନ୍ଦିବାକୁ ଲାଗିଲା ଆଉ କହିଲା “ମୁଁ ଯାଉଛି ଏମାନଙ୍କ ବିରୁଦ୍ଧରେ ରାଜାଙ୍କ ପାଖରେ ଅଭିଯୋଗ କରିବି।” ବାପା ବେଙ୍ଗ କହିଲା “କିଛି ଲାଭ ନାହିଁ କାରଣ ଆମ ରାଜା ଧୃତରାଷ୍ଟ୍ର ଅନ୍ଧ ଅଟନ୍ତି। ସେ କେବଳ ଆଖିରେ ଅନ୍ଧ ନୁହନ୍ତି, ପୁତ୍ର ସ୍ନେହରେ ମଧ୍ୟ ଅନ୍ଧ ଅଟନ୍ତି।” ମା’ ବେଙ୍ଗୁଲି କହିଲା “ଆମ ରାଣୀ ମା’ ଅତ୍ୟନ୍ତ ଧର୍ମାତ୍ମା ଓ ନ୍ୟାୟବନ୍ତ ଅଟନ୍ତି। ସେ ଉଚି଼ତ ନ୍ୟାୟ ଦେବେ। ମୁଁ ଯାଉଛି ତାଙ୍କୁ କହିବି।” ବାପା ବେଙ୍ଗ କହିଲା “କିଛି ଲାଭ ନାହିଁ କାରଣ ତାଙ୍କର ଆଖି ଥିଲେ କ’ଣ ହେବ ସେ ଆଖିରେ ପୁଟୁଳି ବାନ୍ଧି ଅନ୍ଧତ୍ୱକୁ ବରଣ କରିଛନ୍ତି।” ଏହି କାହାଣୀ ସଦୃଶ ଆମର ଏଠି ରାଜପଥ ହେଉ କି କର୍ତ୍ତବ୍ୟପଥ ହେଉ ଶାସକବୃନ୍ଦ କ୍ଷମତା ମୋହରେ ଅନ୍ଧ ହୋଇଯାଇଛନ୍ତି।

ବନ୍ଧୁଗଣ, କେବଳ ନାମ ପରିବର୍ତ୍ତନ କରିଦେଲେ ବ୍ୟକ୍ତି କିମ୍ବା ବସ୍ତୁର ଚରିତ୍ର ପରିବର୍ତ୍ତନ ହୋଇଯାଏ ନାହିଁ। ଘରର ନାମ ମାତୃଭବନ ରଖିଦେଲେ ମା’ର ସେବା ହୁଏ ନାହିଁ। ସେହି ଭବନର ମା’ମାନେ ଜରାଶ୍ରମରେ ଲୁହ ଗଡ଼ଉଛନ୍ତି। ଦୟାନିଧିମାନେ ନିର୍ଦୟ ଓ କରୁଣାନିଧିମାନେ ନିଷ୍କରୁଣ ହେବାର ଅନେକ ଉଦାହରଣ ରହିଛି। ଅନ୍ଧର ନାମ ପଦ୍ମଲୋଚନ ହୋଇପାରେ, ଡାହା ମିଛୁଆର ନାମ ହରିଶ୍ଚନ୍ଦ୍ର ହୋଇପାରେ କିମ୍ବା ଶ୍ରବଣକୁମାର ନାମ ଧାରଣ କରି ମା’ ବାପାଙ୍କୁ ଯାତନା ମଧ୍ୟ ଦେଇପାରେ। କର୍ତ୍ତବ୍ୟପଥ ନାମକରଣ ଆପଣଙ୍କର କର୍ତ୍ତବ୍ୟର ପରିଚୟ ଦିଏ ନାହିଁ ଯେପରି ରାଜପଥ ନାମକରଣ ଥାଇ ମଧ୍ୟ ଆପଣଙ୍କର କର୍ତ୍ତବ୍ୟ ପାଳନରେ ସାମାନ୍ୟତମ ଅବରୋଧ ସୃଷ୍ଟି କରେନାହିଁ।

ଏହି ପ୍ରଥାକୁ ଅନୁକରଣ କରି ରାଜଭବନର ନାମ କର୍ତ୍ତବ୍ୟଭବନ କରିଦେଲେ ରାଜ୍ୟପାଳମାନଙ୍କର ଦିଲ୍ଲୀ ଦରବାର ପ୍ରତି ଅନୁରକ୍ତିର କୌଣସି ପରିବର୍ତ୍ତନ ହୁଏ ନାହିଁ କି ରାଜଧାନୀର ନାମ କର୍ତ୍ତବ୍ୟଧାନୀ ରଖିଦେଲେ ଦିଲ୍ଲୀ ସହରର ପ୍ରଦୂଷଣ କମ ହୋଇଯାଏ ନାହିଁ କି ରାଜଭୋଗର ନାମ କର୍ତ୍ତବ୍ୟଭୋଗ କରିଦେଲେ ଏହାର ସ୍ୱାଦ ପରିବର୍ତ୍ତନ ହୋଇଯାଏ ନାହିଁ। ଓଡ଼ିଆରେ ଏକ ସୁପ୍ରସିଦ୍ଧ ଜଗନ୍ନାଥ ଭଜନ ଅଛି “ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ରଥ ପଥ କିଛି ନୁହେଁ, ସବୁ ସେଇ କାଳିଆ ଦେବତା।” ଅର୍ଥାତ୍‌ ରଥ ଓ ପଥମାନେ ନିମିତ୍ତ ମାତ୍ର। ଏମାନେ କିଛି ନୁହନ୍ତି। ସବୁ ହେଉଛନ୍ତି ସେହି ରଥାରୂଢ଼ ଓ ପଥାରୂଢ଼ ପ୍ରଭୁ ଶ୍ରୀ ଜଗନ୍ନାଥ।

ଗଧଟିଏ ପଣ୍ଡିତ ମହାଶୟଙ୍କୁ ପ୍ରଶ୍ନ କଲା, “ଆଜ୍ଞା, ମୁଁ ଯେତେବେଳେ ଜଣେ ଗରିବ ମୂର୍ତ୍ତିକାର ପାଖରେ ଥିଲି ସେତେବେଳେ ମୋତେ ଦେଖି ଲୋକମାନେ ବଜାରରେ ମୁଣ୍ଡିଆ ମାରୁଥିଲେ। ଏବେ ଜଣେ ଧନୀ ସାହୁକାର ପାଖରେ ଅଛି, କିନ୍ତୁ ମୋତେ ଆଉ ସେମାନେ ଆଗ ଭଳି ମୁଣ୍ଡିଆ ମାରୁନାହାନ୍ତି; କାହିଁକି?” ପଣ୍ଡିତ ମହାଶୟ କହିଲେ “ତୁ ଯେତେବେଳେ ମୂର୍ତ୍ତିକାର ପାଖରେ ଥିଲୁ ସେ ତୋ ପିଠି ଉପରେ ଲକ୍ଷ୍ମୀ, ଗଣେଶ ଓ ଜଗନ୍ନାଥଙ୍କର ମୂର୍ତ୍ତି ସବୁ ରଖି ବଜାରକୁ ବିକ୍ରି କରିବାକୁ ଯାଉଥିଲା। ଲୋକେ ସେହିମାନଙ୍କୁ ଭକ୍ତିର ସହିତ ମୁଣ୍ଡିଆ ମାରୁଥିଲେ। ସାହୁକାର ବର୍ତ୍ତମାନ ତୋ’ ପିଠିରେ ଡାଲି, ଚାଉଳ ଓ ଗହମ ସବୁ ରଖି ବଜାରକୁ ନେଉଛି; ତେଣୁ ଲୋକମାନେ ସେଗୁଡ଼ାକୁ ମୁଣ୍ଡିଆ ମାରୁନାହାନ୍ତି। ଲୋକେ ତୋତେ ନୁହେଁ, ତୋ’ ଉପରେ ଯାଉଥିବା ଠାକୁରମାନଙ୍କୁ ମୁଣ୍ଡିଆ ମାରୁଥିଲେ। ଏବେ ବୁଝିଲୁ।”

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories