BJD Bijuli 480×75 Mob

ତ୍ରିଶଙ୍କୁ ମଣିଷଙ୍କ ବନ୍ଦନା

ଦୁର୍ଗାପ୍ରସାଦ ଆଚାର୍ଯ୍ୟ

BJD Bijuli 480×75 Mob

ବରିଷ୍ଠ, ଗରିଷ୍ଠ ଓ ତଥାକଥିତ ଲବ୍ଧପ୍ରତିଷ୍ଠମାନେ ଅନେକ ସମୟରେ ସୁଯୋଗ ପାଇବା ମାତ୍ରେ ଆମକୁ ନାନା ଉପଦେଶ, ନାନା ସୁସମାଚାର, ନାନା ସୁଭାଷିତ ବଚନ ପ୍ରଦାନ କରିବାରେ କ୍ବଚିତ୍‌ କାର୍ପଣ୍ୟ ପ୍ରକାଶ କରିଥାନ୍ତି। ସେମାନଙ୍କ ସାଫଲ୍ୟର ମୂଳରେ କେଉଁ ଆଦର୍ଶ, କେଉଁ ବିଚାର ରହିଛି ଯଦି ତାଙ୍କୁ ପଚରାଯାଏ, ସେମାନେ ବରାବର କହିଥାନ୍ତି କିପରି ଅର୍ଜୁନ ପରି ସେମାନେ ନିଜର ଲକ୍ଷ୍ୟ ଉପରେ ଏକାଗ୍ର ରହିଥାନ୍ତି। ଏଇମାନେ ବେଶ୍‌ ଗର୍ବଉଲ୍ଲାସର ସହ ଘୋଷଣା କରିଥାନ୍ତି ଯେ ଜୀବନରେ ସେହି ଲୋକ ସଫଳତାର ସ୍ବାଦ ଚାଖିଥାଏ; ସେହି ଲୋକ ମହାନ୍‌ ମଣିଷଙ୍କ ତାଲିକାରେ ନିଜ ନାମକୁ ଦରଜ କରିଥାଏ ଯିଏ ସେ ଥରେ ମାନିନେଇଥିବା ବିଶ୍ବାସ, ବିଚାର ଓ ମୂଲ୍ୟବୋଧରୁ କେବେହେଲେ ବିଚ୍ୟୁତ ହୁଏ ନାହିଁ। କେବେହେଲେ ଗୋଟିଏ ପଟରେ ରହି ଆର ପଟକୁ ଦୃଷ୍ଟି ହଟାଏ ନାହିଁ; କେବେହେଲେ ଅନ୍ୟ କେଉଁ ମତ, ଅନ୍ୟ କେଉଁ ପଥ ଆପଣାଇବାକୁ ମନ ବଳାଏ ନାହିଁ; କିନ୍ତୁ ସତ କଥା ହେଉଛି- ଗୋଟିଏ ଗୋଟିଏ ବିଶ୍ବାସ, ବିଚାରଧାରାକୁ ସମଗ୍ର ଜୀବନକାଳ ଜୀବନ୍ତ, ପ୍ରଜ୍ବଳିତ ରଖି ଏକ ଲୟରେ ତାକୁ ଅନୁସରଣ ଯିଏ କରିଥାଏ, ସେ ପ୍ରଥମେ ନିଜ ଆଖିରେ ଅନ୍ଧପୁଟୁଳିଟିଏ ହିଁ ଶକ୍ତ ଭାବରେ ବାନ୍ଧି ଦେଇଥାଏ।

ଏକାଗ୍ର,ଏକନିଷ୍ଠ ସେହି ହୋଇପାରେ ଯିଏ ଗୋଟିଏ ବିଶେଷ ଅର୍ଥରେ ଏକଦେଶଦର୍ଶୀ ହୋଇ ରହିପାରିବାର କ୍ରୂର ମାନସିକ ଦୃଢ଼ତା ହାସଲ କରିଥାଏ। ସବୁବେଳେ ଆଖିକାନ ଖୋଲାରଖି ଜୀବନଦାଣ୍ଡରେ ଚାଲୁଥିବା ଦରଦୀ, ସ୍ପର୍ଶକାତର ଓ କୋମଳ ହୃଦୟର ମଣିଷମାନେ ଧଳା ସହିତ କଳା, ଆଲୁଅ ସହିତ ଛାଇ, ସମ୍ମୁଖଭାଗ ସହିତ ନେପଥ୍ୟ ଓ ଅନ୍ତରାଳକୁ ଦେଖି ଦେଇଥାନ୍ତି। ଏପରି ଲୋକଙ୍କୁ ଆମେ ଚଞ୍ଚଳଚିତ୍ତ, ଅସ୍ଥିରମନା କହି ‘ଏମାନେ ଏ ବୀରଭୋଗ୍ୟା ବସୁନ୍ଧରାର ବୀରପୁଙ୍ଗବ କେବେ ହୋଇ ପାରିବେ ନାହିଁ’ ବୋଲି ତ୍ବରିତ ରାୟ ଦେଇଥାଉ।

ଆମର ଶାସ୍ତ୍ରପୁରାଣ, ଆମର ପ୍ରସିଦ୍ଧ ଦାର୍ଶନିକ ଚିନ୍ତାନାୟକମାନେ ଆମକୁ ଜୀବନ ଓ ଜଗତର ସବୁଧାରା, ସବୁ ନୀତି ଆଦର୍ଶ ସ୍ଥାନ କାଳ ପାତ୍ର ଅନୁସାରେ କେତେବେଳେ ମହତ୍ତର ଓ କେତେବେଳେ ମହତ୍ତ୍ବହୀନ ହୋଇଥାନ୍ତି ବୋଲି କହିଥିଲେ ମଧ୍ୟ ଯେଉଁମାନେ ଆପଣାର ସ୍ବାର୍ଥସିଦ୍ଧି ପାଇଁ ବା ଉଚ୍ଚାଭିଳାଷ ପରିପୂରଣ ଲକ୍ଷ୍ୟରେ ଗୋଟିଏ, ଗୋଟିଏ ନୀତି, ବିଶ୍ବାସ, ଆଦର୍ଶକୁ ଚରମ ବା ପରମ ଭାବରେ ଗ୍ରହଣ କରିନେଇଥାନ୍ତି, ସେହିମାନେ ହିଁ ଜୀବନଯାତ୍ରାରେ ବରମାଲ୍ୟ ପିନ୍ଧିଥାନ୍ତି। ଏହା ହିଁ ନିର୍ମମ ସତ୍ୟ। ତେଣୁ, ଏଇ ସ୍ତରର ଗୋଷ୍ଠୀମାନେ ଆମକୁ ଗୋଟିଏ ସ୍ବପ୍ନ, ଗୋଟିଏ ବିଶ୍ବାସ, ଆଦର୍ଶରେ ଦୃଢ଼ ରହି ସେହି ଅନୁସାରେ ଜୀବନର ଗତିପଥ ସୁନିର୍ଦିଷ୍ଟ କରିବାକୁ କହିଥାନ୍ତି; କିନ୍ତୁ ଏ ଧରଣର ମାନସିକତା, ଏ ପ୍ରକାର ଦୃଷ୍ଟିଦର୍ଶନ ଆମ ଭାବଲୋକରେ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରେ ନାହିଁ କି?

ଆମର ଏ ବିଚିତ୍ର ସୃଷ୍ଟିରେ ସବୁକିଛି ଅନେକ ଧାର-ବିଶିଷ୍ଟ, ସବୁକିଛି ବହୁ ଆୟାମଯୁକ୍ତ ଓ ବିରୋଧାଭାସପୂର୍ଣ୍ଣ। କିଛି ଏଠି ଚରମ ବା ପରମ ନୁହେଁ। ଦରଦୀ, କୋମଳ, ସ୍ପର୍ଶକାତର ବିଚରା ମଣିଷଟି ସବୁବେଳେ ତ୍ରିଶଙ୍କୁ ପରି ମର୍ତ୍ତ୍ୟ ଓ ସ୍ବର୍ଗର ମଝି ରାଜ୍ୟରେ ଝୁଲି ରହିଥାଏ। ବିଶ୍ବାସ ଅବିଶ୍ବାସ, ଆଦର୍ଶ ଅନାଦର୍ଶର ସେହି ମଧ୍ୟବର୍ତ୍ତୀ ରହସ୍ୟଘନ ଇଲାକାରେ ଅଣ୍ଡାଳି ହୋଇ ଚାଲିଥାଏ। ତା’ର ଆଖି ଦୁଇଟି ସବୁବେଳେ ବିସ୍ପାରିତ ରହି ବାହାର, ଭିତର ସବୁ ଅନ୍ଦିକନ୍ଦିକୁ ଭେଦି ଯାଉଥାଏ; କିନ୍ତୁ ସଂଖ୍ୟାଧିକ ସଫଳ ମଣିଷ ଆଦୌ ଭାବଦୁର୍ବଳ ଓ ସ୍ପର୍ଶକାତର ନହେବା ପାଇଁ ପ୍ରଥମରୁ ପ୍ରଶିକ୍ଷିତ ହୋଇଯାଇଥାନ୍ତି। ଏକମୁହଁା ହୋଇ ଅଗ୍ରସର ହେଲାବେଳେ ଏମାନେ ଅନ୍ୟାନ୍ୟ ବହୁକଥା, ବହୁ ପ୍ରସଙ୍ଗକୁ ଆପଣାର ଚେତନାରୁ ବହିଷ୍କାର କରିଦେଇଥାନ୍ତି। ସେଇଥିପାଇଁ ବହୁ ସମୟରେ ଆମେ ଦେଖୁ କିପରି ତଥାକଥିତ ଲବ୍ଧପ୍ରତିଷ୍ଠମାନେ ଛୋଟଛୋଟ ଅଥଚ ପୂରାପୂରି ମାନବିକ ସ୍ନେହଶ୍ରଦ୍ଧା ଆବେଗ ଦ୍ବାରା ବିଚଳିତ ହୁଅନ୍ତି ନାହିଁ କିମ୍ବା ସେମାନଙ୍କ ସବ୍ୟସାଚୀୟ ଏକାଗ୍ରତା ଭଙ୍ଗ ଦେବାକୁ ଦିଅନ୍ତି ନାହିଁ। ଏମାନେ ଯଦି ଥରେ ଗୋଟିଏ ଧଳା ଉପରେ ଦୃଷ୍ଟିନିବଦ୍ଧ କରିଥିବେ, ସେଇ ଧଳାର ଚାରିପାଖରେ ଯେଉଁ ସ୍ପଷ୍ଟ ଅସ୍ପଷ୍ଟ କଳାବଳୟ ଥିବ, ସେଥିପ୍ରତି ଦୃଷ୍ଟି ଦେବେନାହିଁ। ଏମାନେ ଥରେ ଯଦି କୌଣସି ବିଶ୍ବାସ, ଆଦର୍ଶରେ ନିଜକୁ ପ୍ରତିଷ୍ଠିତ କରିଦେଇଥିବେ ସେଗୁଡ଼ିକ ଯେ ଆଦୌ ସର୍ବୋତ୍ତମ ସବୁବେଳେ ହେଇନଥିବେ, ଏହା ଭାବି ଦ୍ବନ୍ଦ୍ବଗ୍ରସ୍ତ ହେବେ ନାହିଁ, ବିଚଳିତ ହେବେନାହିଁ। ଏମାନେ ସିଧାରାସ୍ତାରେ ଗଲାବେଳେ ଆଉ ଯେଉଁ ଅଙ୍କାବଙ୍କା ଗଳି ରାସ୍ତାଗୁଡ଼ିକୁ ଏଣେତେଣେ ମାଡ଼ି ଯାଇଥାନ୍ତି, ସେସବୁକୁ ଦୃଷ୍ଟିଦିଅନ୍ତି ନାହିଁ।

ସର୍ବଦା ଭାବ ଆବେଗରେ ଲୁତୁପୁତୁ ହେଉଥିବା ବିଚରା ମରମୀ ମଣିଷଟି ଉଜ୍‌ବେକିସ୍ତାନ ଲୋକକଥାର ସେହି ମୁଲ୍ଲା ନସିରୁଦ୍ଦିନ୍‌ଙ୍କ ପରି ‘ବାଦୀ’ର କଥାକୁ ଶତ ପ୍ରତିଶତ ଠିକ୍‌ କହିଥାଏ ଓ ‘ପ୍ରତିବାଦୀ’ର କଥାକୁ ବି ଶତ ପ୍ରତିଶତ ଠିକ୍‌ ବୋଲି କହିଥାଏ। ମୁଲ୍ଲାଙ୍କ ପରି ସେ କୌଣସି ଗୋଟିଏ ନିଷ୍କର୍ଷ, ସିଦ୍ଧାନ୍ତରେ ପହଞ୍ଚିପାରେ ନାହିଁ; କାରଣ ସେ ସବୁବେଳେ ସବୁ ଦିଗରୁ ପହଁରି ଆସୁଥିବା କ୍ଷୀଣ ବା ତୀକ୍ଷ୍‌ଣ ଆଲୋକରେଖାଗୁଡ଼ିକୁ ଦେଖି ଦେଇଥାଏ; କେତେ କେତେ ଡାକ, କେତେ କେତେ ଆହ୍ବାନଗୁଡ଼ିକୁ ଶୁଣି ଦେଇଥାଏ। ଏମାନେ ସେଇ ସଫଳ, ପ୍ରତିଷ୍ଠିତ ମଣିଷମାନଙ୍କ ପରି ହସିବାବେଳେ କେବଳ ହସି ପାରନ୍ତିନାହିଁ କି କାନ୍ଦିବାବେଳେ କେବଳ କାନ୍ଦିପାରନ୍ତି ନାହିଁ। ଏମାନଙ୍କ ଜୀବନ ସବୁବେଳେ ହସକାନ୍ଦ, ଆଲୋକଅନ୍ଧାର, ସତ୍ୟମିଥ୍ୟା, ବିଶ୍ବାସ ଅବିଶ୍ବାସର ଏକ ଗୋଳିଆମିଶା ସଂସ୍କରଣ ପାଲଟିଯାଇଥାଏ। ଏମାନେ ଯେହେତୁ ଆଖି କାନ ସବୁବେଳେ ଖୋଲାରଖି ଭିତର ଓ ବାହାରର ସବୁ ଚିତ୍ର, ସବୁୁ ଶବ୍ଦ, ସବୁ ଡାକ ଦେଖିଥାନ୍ତି, ଶୁଣିଥାନ୍ତି, ଏମାନେ ଆଦୌ ଏକବ୍ରତୀ ହୋଇପାରି ନଥାନ୍ତି। ଆଦୌ ସେହି ବିପର୍ଯ୍ୟୟ ସୃଷ୍ଟିକାରୀ ମଣିଷମାନଙ୍କ ପରି ଗୋଟିଏ ବିଶ୍ବାସ, ଗୋଟିଏ ବିଚାର, ଗୋଟିଏ ଠାକୁରକୁ ନିର୍ମମ ଏକନିଷ୍ଠତାର ସହ ଅନୁସରଣ କରି ନଥାନ୍ତି। ତେଣୁ, ଏମାନେ ତଥାକଥିତ ଜ୍ଞାନୀ, ମାନୀ, ବୁଦ୍ଧିଜୀବୀମାନଙ୍କ ପରି ଗୋଟିଏ ‘ବାଦ’ରେ ଏକାଗ୍ର ହୋଇ ନଥାନ୍ତି। ଏମାନେ ଗୋଷ୍ଠୀଭୁକ୍ତ, ସଂପ୍ରଦାୟଭୁକ୍ତ ହେଲେ ବି କେବେହେଲେ ଗୋଷ୍ଠୀବାଦୀ ବା ସଂପ୍ରଦାୟବାଦୀ ହୋଇ ହଇଚଇ ସୃଷ୍ଟି କରିନଥାନ୍ତି। ଜୀବନ ଓ ଜଗତ ବହୁ ପଥ, ବିବିଧ ଭାବବିଚାର, ଦର୍ଶନ, ଆଦର୍ଶର ସମାହାର, ସମ୍ମେଳନ ବୋଲି ଏମାନଙ୍କୁ ସବୁବେଳେ ବୋଧ ହେଉଥିବାରୁ ଏମାନେ କଦାପି, କସ୍ମିନକାଳେ ମୌଳବାଦୀ ହୋଇ ପାରିନଥାନ୍ତି- କାରଣ ଆମେ ଜାଣୁ ଯିଏ ଗୋଟିଏ ନୀତି, ଗୋଟିଏ ବିଚାର ବା ଆଦର୍ଶକୁ ଚରମ ବା ପରମ ବୋଲି ଭାବେ ଓ ତାହା ହିଁ ଜୀବନ ଓ ଜଗତର ଏକମାତ୍ର ଶ୍ରେୟମାର୍ଗ ବୋଲି ଭାବେ, ସେ ହିଁ ନିର୍ଭେଜାଲ ମୌଳବାଦୀଟିଏ ହୋଇଥାଏ।

ଏହି ଦୃଷ୍ଟିକୋଣରୁ ଯଦି ଆମେ ମଧ୍ୟବର୍ତ୍ତୀ ଇଲାକାରେ ସବୁବେଳେ ଦୋଳାୟମାନ ଅବସ୍ଥାରେ ରହୁଥିବା ତ୍ରିଶଙ୍କୁ ମଣିଷମାନଙ୍କୁ ନିଚ୍ଛକ ସତମଣିଷ ବୋଲି କହିବା, ତେବେ ବିଶେଷ ଦୃଷ୍ଟିସଂପନ୍ନ ଲୋକେ ଆମ ସହିତ ଦ୍ବିମତ ହେବାର ସମ୍ଭାବନା କ୍ଷୀଣ ନିଶ୍ଚୟ।

Comments are closed.