କରୋନାର ପ୍ରଭାବ କେବଳ ଜନଜୀବନ ଉପରେ ନୁହେଁ, ପରିବେଶ ଉପରେ ମଧ୍ୟ କୁପ୍ରଭାବ ପକାଇଛି। ମହାମାରୀରେ ଶବ ସଂସ୍କାର ପାଇଁ ବିପୁଳ ପରିମାଣର କାଠ ଆବଶ୍ୟକ ହେଉଛି। ଏଥିଯୋଗୁଁ ସବୁଜିମା ଭରା ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। କରୋନାରେ ଦେଶରେ ଏବେ ଦୈନିକ ହଜାରହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ସବୁ ସ୍ଥାନରେ ବୈଦ୍ୟୁତିକ ଚୁଲା ସୁବିଧା ନାହିଁ। ଏଣୁ ଅଧିକାଂଶ ସ୍ଥାନରେ କାଠ ଦ୍ବାରା ଶବ ଦାହ କରାଯାଉଛି ଅଥବା ପୋତା ଯାଇ ବିଧି ସମ୍ପନ୍ନ କରାଯାଉଛି। ଦେଶରେ ମୃତକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ସତ୍କାର ପାଇଁ ବିପୁଳ ପରିମାଣର କାଠ ବ୍ୟବହୃତ ହେଉଛି। ଗୁଜରାଟ ପରି ରାଜ୍ୟକୁ ଅବଲୋକନ କଲେ ଶବଦାହ ପାଇଁ ଜଙ୍ଗଲ କିପରି ଧୀରେଧୀରେ ନଷ୍ଟ ହେବାରେ ଲାଗିଛି ତାହା ସହଜେ ବୁଝିହେବ। ଏହି ରାଜ୍ୟର ସୁରତ, ଅହମଦାବାଦ, ବରୋଦା ଓ ରାଜକୋଟ ସହରରେ ଦୈନିକ ପ୍ରାୟ ୬ ଶହ ମୃତକଙ୍କ ଅନ୍ତିମ ସତ୍କାର କରାଯାଉଛି। ଏଥିପାଇଁ ଦୈନିକ ୯୬ ହଜାର କିଲୋଗ୍ରାମ କାଠର ଆବଶ୍ୟକତା ରହିଛି। କରୋନା ପୀଡ଼ିତଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଆବଶ୍ୟକ।
ଏପଟେ କାଠ ପାଇଁ ଜଙ୍ଗଲ କଟାଯାଉଥିବାରୁ ପ୍ରକୃତି ଦତ୍ତ ଅମ୍ଳଜାନ ହ୍ରାସ ପାଉଛି। ନିକଟସ୍ଥ ଜଙ୍ଗଲରୁ ସୁରତକୁ ଦୈନିକ ୧୦ରୁ ୧୨ ଟ୍ରକ କାଠ ଆସିଥାଏ। ଗତ ୧୫ ଦିନ ମଧ୍ୟରେ କେବଳ ଶବ ଦାହ ପାଇଁ ୧୪ ଲକ୍ଷ ୪୦ ହଜାର କିଲୋ କାଠ ଜାଳି ଦିଆଯାଇଥିବା ଜଣାପଡ଼ିଛି। ଶବ ସତ୍କାର ପାଇଁ ଦକ୍ଷିଣ ଗୁଜରାଟରେ ଥିବା ଜଙ୍ଗଲରୁ ଦୈନିକ ବିପୁୁଳ ସଂଖ୍ୟାରେ ଗଛ କଟା ହେଉଛି। ଚଳିତ ବର୍ଷ ଆରମ୍ଭରୁୁ ରାଜ୍ୟରେ କାଠ ବ୍ୟବସାୟ ଆଶାତୀତ ବୃଦ୍ଧି ପାଇଛି। ଏହାର ଫାଇଦା ଉଠାଉଛନ୍ତି କାଠ ମାଫିଆ। ରାଜ୍ୟର ବନ ବିଭାଗ ଏହାକୁ ରୋକି ପାରୁନାହିଁ।
ଶବ ସତ୍କାର ପାଇଁ ସହରର ବିଭିନ୍ନ ସ୍ଥାନରେ ଶବଦାହ କେନ୍ଦ୍ର ଖୋଲା ଯାଇଛି। ଏଠାକାର କର୍ମଚାରୀଙ୍କ କହିବାନୁଯାୟୀ ଜଣେ ମୃତ ବ୍ୟକ୍ତିର ଦାହ ସଂସ୍କାର ପାଇଁ ପ୍ରାୟ ୧୫୦ରୁ ୧୬୦ କିଲୋ କାଠ ଆବଶ୍ୟକ ହୋଇଥାଏ। ଏହାର ମୂଲ୍ୟ ପ୍ରାୟ ୨୧ ଶହ ଟଙ୍କା। ସୁରତରେ ଥିବା ମୁକ୍ତିଧାମଗୁଡ଼ିକରେ ଦୈନିକ ପ୍ରାୟ ୨ଲକ୍ଷ ୮୮ ହଜାର କିଲୋ କାଠ ଜଳାଯାଉଛି। ଏପଟେ ମୁକ୍ତିଧାମଗୁଡ଼ିକରେ ଜାଗା ମିଳୁ ନଥିବାରୁ ଖୋଲା ପଡ଼ିଆରେ ଦୈନିକ ପ୍ରାୟ ୨୫ଟି ଶବ ସତ୍କାର କରାଯାଉଛି।
ଅହମଦାବାଦରେ ୩୦୦, ବରୋଦାରେ ଶହେ ଓ ରାଜକୋଟରେ ଦୈନିକ ୮୦ ଜଣ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରାଯାଇଥାଏ। ଏଥିପାଇଁ ୩ ସହରରେ ଦୈନିକ ୭୭ ଟନ କାଠ ବ୍ୟବହୃତ ହୋଇଥାଏ। ବିଭିନ୍ନ ସହରରେ ବୈଦ୍ୟୁତିକ ଶବଗୃହ କମ୍ ଥିବାରୁ ଅଧିକ ସଂଖ୍ୟାରେ କାଠ ଦ୍ବାରା ଶବ ଦାହ କରାଯାଉଛି। ବୈଦ୍ୟୁତିକ ଶବଗୃହରେ ୩ କିମ୍ବା ୪ଟି ଶବର ସତ୍କାର ପରେ ଯନ୍ତ୍ରକୁ କିଛି ସମୟ ପାଇଁ ବିଶ୍ରାମ ଦିଆଯାଇଥାଏ। ଏଣୁ ଏହି ଶବଗୃହ କ୍ରମାଗତ ଶବ ଦାହ କରିବାରେ ଅସମର୍ଥ। ଏହାର ବିକଳ୍ପ ଭାବେ କାଠ ବ୍ୟବହାର କରାଯାଉଛି। ଗତ କିଛିଦିନ ହେଲା ଗୁଜରାଟରେ କରୋନାଜନିତ ମୃତକଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଉଥିବାରୁ କାଠର ଘୋର ଅଭାବ ଦେଖାଦେଇଛି । ଏଥିପାଇଁ ଚିନି କଳଗୁଡ଼ିକରୁ ଶୁଖିଲା ଆଖୁ ଛେଦା ଅଣାଯାଇ ଶବ ଦାହ କରାଯାଉଛି। ହିନ୍ଦୁ ଧର୍ମରେ ଶବକୁ କାଠ ଦ୍ବାରା ପୋଡ଼ି ସତ୍କାର କରାଯିବା ବିଧି ବହୁ ପୂର୍ବରୁ ପ୍ରଚଳିତ ହୋଇ ଆସୁଛି। ଏଥିପାଇଁ ଯେ ଦିନେ କାଠର ଅଭାବ ଦେଖାଦେବ ସେକଥା କେହି ଭାବି ନଥିଲେ।
ହିନ୍ଦୁ ପାରମ୍ପରିକ ରୀତିନୀତିରେ କୌଣସି ଶବ ପୋଡ଼ି ପାଉଁଶ ହେବାକୁ ୧ ରୁ ୨ ଘଣ୍ଟା ସମୟ ଲାଗିଥାଏ। କାଠ ପରିବର୍ତ୍ତେ ବୈଦୁତିକ ଚୁଲା ବ୍ୟବହାର କରିବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ନାହିଁ। ମିଳିତ ଜାତିସଂଘ ଚିଠା ଅନୁଯାୟୀ ଶବଦାହ ପାଇଁ ଭାରତରେ ବର୍ଷକୁ ପ୍ରାୟ ୫୦ରୁ ୬୦ ନିୟୁତ ଗଛ କଟା ଯାଇଥାଏ। ଏଥିରୁ ୫ ଲକ୍ଷ ଟନ ପାଉଁଶ ଓ ୮ ନିୟୁତ ଟନ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୋଇଥାଏ। ଏକ ଚିଠା ଅନୁଯାୟୀ ଆମ ଦେଶରେ ବାର୍ଷିକ ପ୍ରାୟ ୭ ନିୟୁତ ହିନ୍ଦୁ ଧର୍ମାବଲମ୍ବୀଙ୍କ ମୃତ୍ୟୁ ଘଟିଥାଏ। ଏଥିପାଇଁ ବିପୁଳ ପରିମାଣର କାଠ ବ୍ୟବହୃତ ହୋଇଥାଏ। ଦେଶର ସର୍ବବୃହତ୍ ଶବଦାହ କେନ୍ଦ୍ର ବାରାଣସୀର ମଣିକର୍ଣ୍ଣିକା ଘାଟରେ ଦୈନିକ ଶତାଧିକ ଶବ ସତ୍କାର କରାଯାଇଥାଏ। କରୋନା କାଳରେ ବିଭିନ୍ନ ଶବଦାହ କେନ୍ଦ୍ରକୁ ଛାଡ଼ି ଖୋଲା ପଡ଼ିଆରେ ଶବଦାହ ବିଧି ସମ୍ପନ୍ନ କରାଯାଉଛି। ଯେତେ ସଂଖ୍ୟକ ଗଛ କଟାଯାଉଛି ସେହି ଅନୁଯାୟୀ ଲଗାଯାଉ ନାହିଁ। ଫଳରେ ପରିବେଶରେ ଭାରସାମ୍ୟ ରକ୍ଷା ହୋଇପାରୁନାହିଁ।
କରୋନା କେବଳ ମାନବ ଜାତି ନୁହେଁ, ପରିବେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି। ଏହି ମହାମାରୀ ପାଇଁ ଆମେ ଯେତେ ସତର୍କତା ଅବଲମ୍ବନ କରୁଛନ୍ତି, ପରିବେଶ ରକ୍ଷା ପାଇଁ ସେତେଟା ଉଦ୍ୟମ କରୁନାହାନ୍ତି। ଶବ ଦାହ ପାଇଁ କାଠ ବ୍ୟବହାର ପ୍ରସଙ୍ଗ କ୍ଷୁଦ୍ର ମନେହେଉଥିଲେ ହେଁ ଏହାର ପ୍ରଭାବ ଗୁରୁତର। ମହାମାରୀର ଆଢୁଆଳରେ ଏହି ପ୍ରସଙ୍ଗ ସମସ୍ତଙ୍କ ପାଇଁ ଅଗୋଚର ପାଲଟି ଯାଇଛି। ପରମ୍ପରାକୁ ସମ୍ମାନ ଜଣାଇ ଆମେ ଶବଦାହ କରି ଆସୁଛନ୍ତି। ଅପରପକ୍ଷେ ଯଦି ଗଛ ନରହିବ ଆମେ ଆମ ପରମ୍ପରା ବଜାୟ ରଖି ପାରିବା କି? ଏପରି କ୍ଷେତ୍ରରେ ଏନଜିଟିର ନିୟମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ ମନେହୁଏ।


