ଯେତେବେଳେ ଶିଶୁଟିଏ ପ୍ରଥମେ ବିଦ୍ୟାଳୟକୁ ଯାଏ, ସେ ଥାଏ ଅଜ୍ଞାନ ଓ ଅବୋଧ। ଜୀବନରେ ଭଲ କ’ଣ, ମନ୍ଦ କ’ଣ, ପାପ କ’ଣ ପୁଣ୍ୟ କ’ଣ ଏ ସମ୍ପର୍କରେ ତା’ର ଧାରଣା ନଥାଏ। ଶିକ୍ଷକ ତାକୁ ସେ ସମ୍ପର୍କରେ ଧାରଣା ଦିଅନ୍ତି। ଗଳ୍ପ, କବିତା, ଧର୍ମଶାସ୍ତ୍ର ଆଦିରୁ ଅନେକ ଉଦାହରଣ ଦେଇ ଶିକ୍ଷକ ଶିଶୁକୁ ଭଲ ମଣିଷ ହେବା ପାଇଁ ପ୍ରେରଣା ଦିଅନ୍ତି। ଶିଶୁ ସେ ସବୁ ଶୁଣେ, ସେ ବିଷୟକ ବହି ପଢ଼େ ଓ ଅନେକ କଥା ଶିଖେ। ସାଧୁତା ଅବଲମ୍ବନ କରିବା, ଅହିଂସା ପାଳନ କରିବା, ସତ୍ୟ କହିବା, ଦୟା କରିବା ଆଦି ମଣିଷୋଚିତ ଗୁଣ ବୋଲି ସେ ଜ୍ଞାନ ଅର୍ଜନ କରେ।
ଶିକ୍ଷା ସମାପ୍ତ କଲାପରେ ସେମାନଙ୍କ ମଧ୍ୟରୁ ଅନେକ ହୁଅନ୍ତି ଉଚ୍ଚପଦାଧିକାରୀ। ମାତ୍ର ଅନେକ ସମୟରେ ଦେଖାଯାଏ ବହୁଜ୍ଞାନର ଅଧିକାରୀ ହେବା ସତ୍ତ୍ବେ କେହି କେହି ହୋଇଥାନ୍ତି ମିଥ୍ୟାଚାରୀ, ଅସାଧୁ ଓ ଦୁର୍ନୀତିଗ୍ରସ୍ତ। ‘ଯାହାର ଜ୍ଞାନ ଥାଏ ସେ ଜ୍ଞାନୀ’ ନ୍ୟାୟରେ ଏଭଳି ବ୍ୟକ୍ତିଙ୍କୁ ଜ୍ଞାନୀ କୁହାଯାଇପାରିବ ନାହିଁ; କାରଣ ସେ ସାଧୁତା, ଅହିଂସା, ସତ୍ୟକଥନ ଭଳି ମୂଲ୍ୟବୋଧ- ଶିକ୍ଷକଙ୍କ ନିକଟରୁ ଶିକ୍ଷା କରି ବା ବହି ପଢ଼ି ତାକୁ ଜ୍ଞାନ ବୋଲି ମନେ କରୁଥିଲେ, ମାତ୍ର ତାହା ଜ୍ଞାନ ନଥିଲା, ତାହା ଥିଲା ଜ୍ଞାନର ଏକ ଧାରଣା। ଜ୍ଞାନୀ ସିଏ, ଯିଏ ଜ୍ଞାନକୁ ଉପଲବ୍ଧି କରିଥାଏ, ଅର୍ଥାତ୍ ଯିଏ ଜ୍ଞାନକୁ ନିଜ ଆଚରଣରେ ପ୍ରତିଫଳିତ କରିଥାଏ। ଦୁର୍ନୀତି, ହିଂସା, ମିଥ୍ୟାଚରଣ ଏସବୁ ଦୁର୍ଗୁଣ ବୋଲି ଜ୍ଞାନ ସମସ୍ତଙ୍କ ଅଛି। ଏସବୁର ପଥ ଅନୁସରଣ କଲେ ମଣିଷର ଅଧଃପତନ ହୁଏ ବୋଲି ସମସ୍ତେ ଜାଣନ୍ତି। ତା’ସତ୍ତ୍ବେ ଯେଉଁମାନେ ଅର୍ଜିତ ଜ୍ଞାନକୁ ନିଜ ଆଚରଣରେ ପ୍ରତିଫଳିତ କରନ୍ତି ନାହିଁ ସେମାନେ ଜ୍ଞାନୀ ପଦବାଚ୍ୟ ନୁହନ୍ତି।
ଆଚାର୍ଯ୍ୟ ଦୀପଙ୍କର ଥା’ନ୍ତି ନାଳନ୍ଦା ବିଶ୍ବବିଦ୍ୟାଳୟର ଜଣେ ଜ୍ଞାନପିପାସୁ ଶିକ୍ଷକ। ଥରେ ସେ ଗୋଟିଏ ପୁସ୍ତକ ପଢ଼ୁପଢ଼ୁ ଅର୍ଦ୍ଧଚେତନ ଅବସ୍ଥାକୁ ପ୍ରାପ୍ତ ହୋଇଥାନ୍ତି। ସେହି ସମୟରେ ଆବିର୍ଭୂତ ହେଲେ ବୁଦ୍ଧ। ସେ ଦୀପଙ୍କରଙ୍କୁ ପଚାରିଲେ, ‘ତୁମେ କ’ଣ କରୁଛ?’ ଦୀପଙ୍କର ଉତ୍ତର ଦେଲେ, ‘ମୁଁ ଏହି ବହିରେ ଥିବା ଧର୍ମତତ୍ତ୍ବ ଓ ଦର୍ଶନତତ୍ତ୍ବ ଅଧ୍ୟୟନ କରୁଛି।’ ବୁଦ୍ଧ କହିଲେ- ‘ତୁମେ କେବଳ କିଛି ଶବ୍ଦାର୍ଥ ଅଧ୍ୟୟନ କରୁଛ ଓ ସେଥିରେ ସନ୍ତୁଷ୍ଟ ରହୁଛ। ମାତ୍ର ଏହି ଶବ୍ଦାର୍ଥ ପ୍ରକୃତ ଜ୍ଞାନ ନୁହେଁ। ତାକୁ ଜୀବନରେ ଉପଲବ୍ଧି କରିବା ହେଉଛି ପ୍ରକୃତଜ୍ଞାନ। ସେହିଦିନଠାରୁ ଦୀପଙ୍କରଙ୍କ ଜ୍ଞାନାର୍ଜନ ପଦ୍ଧତି ବଦଳିଗଲା।
ଆମେ ଯାହାକୁ ଜ୍ଞାନ କହୁଛୁ ତାହା ପ୍ରକୃତରେ ଜ୍ଞାନ ନୁହେଁ, ତଥ୍ୟ। ଇଂରେଜ କବି ଟି.ଏସ, ଏଲିଅଟଙ୍କ ଭାଷାରେ – ‘ତଥ୍ୟ ଭିତରେ ଆମେ ଜ୍ଞାନକୁ ହଜାଇ ଦେଇଛୁ।’ (ହୋଏର ଇଜ୍ ଦି ନଲେଜ୍ ଦ୍ୟାଟ୍ ଉଇ ହାଭ୍ ଲଷ୍ଟ ଇନ୍ ଇନ୍ଫରମେସନ) ଏହି ପ୍ରସଙ୍ଗରେ ଫରାସୀ ଲେଖକ ଆନାତୋଲ ଫ୍ରାନ୍ସଙ୍କ ଏକ କାହାଣୀ ଉଲ୍ଲେଖ କରାଯାଇପାରେ। ଜଣେ ରାଜା ଥିଲେ- ସେ ଚାହିଁଲେ ଉପଯୁକ୍ତ ଜ୍ଞାନକୁ ଭିତ୍ତି କରି ଦେଶର ଶାସନ ବିଧି ପ୍ରଣୀତ ହେଉ। ତେଣୁ ସେ ଦେଶର ବିଶିଷ୍ଟ ଜ୍ଞାନୀମାନଙ୍କୁ ଆମନ୍ତ୍ରଣ କଲେ ଓ ବିଭିନ୍ନ ବିଷୟକ ଜ୍ଞାନ ଲିପିବଦ୍ଧ କରିବା ପାଇଁ ନିର୍ଦେଶ ଦେଲେ। ସେହି ଜ୍ଞାନୀମାନଙ୍କୁ ଏକ ପ୍ରାସାଦରେ ରଖାଗଲା। ସେମାନଙ୍କୁ ସାହାଯ୍ୟ କରିବାପାଇଁ ଅନେକ କର୍ମଚାରୀ ନିଯୁକ୍ତ ହେଲେ। ଜ୍ଞାନ ସଂଗ୍ରହ କରି ଲିପିବଦ୍ଧ କରିବାରେ ତିରିଶ ବର୍ଷ ଅତିକ୍ରାନ୍ତ ହେଲା। ଶେଷରେ ସମସ୍ତ ଜ୍ଞାନସମ୍ଭାର ତିନିଶହ ଗ୍ରନ୍ଥରେ ଲିପିବଦ୍ଧ କରି ରାଜାଙ୍କ ସମ୍ମୁଖରେ ଉପସ୍ଥାପିତ କରାଗଲା। ରାଜା କହିଲେ, ଏତେ ପାଠ ପଢ଼ିବା ପାଇଁ ମୋ ପାଖରେ ସମୟ ନାହିଁ। ଏହାକୁ ସଂକ୍ଷିପ୍ତ କରି ଆଣ।’
ଦଶ ବର୍ଷ ପରେ ସେହି ଜ୍ଞାନୀମାନେ ତିନିଶହ ଗ୍ରନ୍ଥକୁ ସଂକ୍ଷିପ୍ତ କରି ପଚାଶଖଣ୍ଡ କରିଦେଲେ। ତଥାପି ରାଜା, ତାକୁ ଆହୁରି ସଂକ୍ଷିପ୍ତ କରି ଗୋଟିଏ ଗ୍ରନ୍ଥରେ ସ୍ଥାନ ଦେବାପାଇଁ ନିର୍ଦେଶ ଦେଲେ। ଏହି ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମଧ୍ୟରେ ଅନେକ ଜ୍ଞାନୀଲୋକଙ୍କର ମୃତ୍ୟୁ ହୋଇଯାଇଥାଏ। ଯେତେଜଣ ବଞ୍ଚି ରହିଲେ ସେମାନେ ବହୁକଷ୍ଟରେ ପୁଣି ପାଞ୍ଚବର୍ଷର ଉଦ୍ୟମରେ ଗୋଟିଏ ଜ୍ଞାନଗ୍ରନ୍ଥ ପ୍ରସ୍ତୁତ କଲେ। ମାତ୍ର ସେମାନେ ସେହି ଗ୍ରନ୍ଥକୁ ରାଜାଙ୍କ ପାଖକୁ ଆଣିବାବେଳକୁ ବୃଦ୍ଧରାଜା ଶେଷ ନିଃଶ୍ବାସ ତ୍ୟାଗ କରୁଥିଲେ। ଏହି କାହାଣୀର ପଣ୍ଡିତମାନେ ଯାହା ସବୁ ସଂକଳନ କରୁଥିଲେ, ତାହା ଥିଲା ତଥ୍ୟ, ଜ୍ଞାନ ନୁହେଁ। ସେ ସବୁ ପଢ଼ି ଜଣେ ପଣ୍ଡିତ ହୋଇପାରେ, ମାତ୍ର ତଦ୍ଦ୍ବାରା ଯଦି ତା’ର ଚେତନାର ବିକାଶ ନ ହେଲା ସେ ଜ୍ଞାନୀ ନୁହେଁ।
ବହୁ ତଥ୍ୟ ସଂଗ୍ରହ କରି ଜଣେ ଦକ୍ଷ ତାର୍କିକ ହୋଇପାରେ, ମାତ୍ର ତାର୍କିକ ମାତ୍ରକେ ଜ୍ଞାନୀ ନୁହନ୍ତି। ଥିଲେ ଜଣେ ବହୁ ଅଧ୍ୟୟନ କରିଥିବା ହେତୁବାଦୀ। ସେ ଆତ୍ମାର ଅସ୍ତିତ୍ବକୁ ସ୍ବୀକାର କରୁ ନଥିଲେ। ଥରେ ସେ ତାଙ୍କ ଜଣେ ଦାର୍ଶନିକ ବନ୍ଧୁଙ୍କୁ ପଚାରିଲେ ‘ମଣିଷ ଭିତରେ ଆତ୍ମା ଥାଏ ବୋଲି ତୁମେ କ’ଣ ବିଶ୍ବାସ କର?’ ଦାର୍ଶନିକ ଉତ୍ତର ଦେଲେ- ନିଶ୍ଚୟ କରେ।’ ହେତୁବାଦୀ ବନ୍ଧୁ ତାଙ୍କୁ ନେଇଗଲେ ଏକ ସଂଗ୍ରହାଳୟକୁ। ସେଠାରେ ଥିବା ଶରୀରତତ୍ତ୍ବ ବିଭାଗର ଏକ କାଚ ଆଲମିରାରେ ଥାଏ ଅନେକ ପାତ୍ର। ଯେଉଁ ଯେଉଁ ଉପାଦାନରେ ମଣିଷ ଶରୀର ଗଢ଼ା ସେହି ଉପାଦାନ ସବୁ ଭିନ୍ନଭିନ୍ନ ପାତ୍ରରେ ରଖାଯାଇଥାଏ ଓ ସେଗୁଡ଼ିକର ନାମ ଲେଖାଯାଇଥାଏ। ଗୋଟିକରେ ଥାଏ କାର୍ବନ, ଗୋଟିକରେ ଥାଏ ଜଳ, ଗୋଟିକରେ ମାଟି ଓ ଆଉ ଗୋଟିକରେ ଫସ୍ଫରସ। ହେତୁବାଦୀ ବନ୍ଧୁ ଦାର୍ଶନିକଙ୍କୁ ବିଦ୍ରୂପ କରି କହିଲେ, ‘ଦେଖ, ମଣିଷ ଶରୀର ଯେଉଁ ଯେଉଁ ଉପାଦାନରେ ଗଢ଼ା ସେ ସବୁ ଏଠାରେ ଦେଖାଇ ଦିଆଯାଇଛି। ମାତ୍ର ଏଠାରେ କୌଣସି ଆଧାର ନାହିଁ ଯେଉଁଠି ଆତ୍ମା ଅଛି।’ ଦାର୍ଶନିକ ବନ୍ଧୁ କହିଲେ,- ‘ମୁଁ ତୁମ ସହ ଯୁକ୍ତି କରିବାକୁ ଚାହେଁ ନାହିଁ।’ ହେତୁବାଦୀ କହିଲେ- ‘ ତୁମର ଯୁକ୍ତି ନାହିଁ, ଯୁକ୍ତି କରିବ କିପରି?’ ଦାର୍ଶନିକ କହିଲେ, ‘ମୁଁ ମୁଠାଏ ମାଟି, କେଇ ଚାମଚ କାର୍ବନ ଓ ଫସଫରସ ଓ ଆଞ୍ଜୁଳାଏ ଜଳ ଭଳି ଜଡ଼ପଦାର୍ଥ ସହ କାହିଁକି ଯୁକ୍ତି କରିବି? ‘ତୁମେ ତ ଏସବୁର ସମାହାର ମାତ୍ର।’ ହେତୁବାଦୀ ଚମକି ପଡ଼ିଲେ। ସେ ବୁଝିପାରିଲେ ଶରୀରରେ ଏହି ଉପାଦାନ ବ୍ୟତୀତ ଏମିତି ଏକ ସତ୍ତା ଅଛି ଯାହା ବିନା ଶରୀର କାର୍ଯ୍ୟକ୍ଷମ ହୋଇପାରେ ନାହିଁ ଓ ତାକୁ ଜାଣିବା ପାଇଁ ବହି ସଂଗୃହୀତ ଜ୍ଞାନ ଯଥେଷ୍ଟ ନୁହେଁ। ଅାତ୍ମା ସମ୍ପର୍କୀୟ ଜ୍ଞାନ ତଥ୍ୟ ବା ତର୍କ ସାପେକ୍ଷ ନୁହେଁ, ଏହା ଅଭିଜ୍ଞତା ସାପେକ୍ଷ। ଏଣୁ ମୁଣ୍ଡକ ଉପନିଷଦରେ କୁହାଯାଇଛି- ‘ନାୟମାତ୍ମା ପ୍ରବଚନେନ ଲଭ୍ୟଃ, ନ ମେଧୟା ନ ବହୂନା ଶ୍ରୁତେନ।’ ଅର୍ଥାତ୍ ପ୍ରବଚନ ଦ୍ବାରା ବା ମେଧା ଦ୍ବାରା ବା ବହୁ ଶାସ୍ତ୍ର ଅଧ୍ୟୟନ ଦ୍ବାରା ଆତ୍ମା ସମ୍ପର୍କରେ ଜ୍ଞାନ ଅର୍ଜନ କରିହୁଏ ନାହିଁ। ଏହା ହେଉଛି ଅନୁଭବର ବିଷୟ।
ଆମେ ଯେଉଁ ତଥ୍ୟକୁ ଜ୍ଞାନ କହୁଛୁ ତାହା ସଂପୂର୍ଣ୍ଣ ନିର୍ଭର ଯୋଗ୍ୟ ନୁହେଁ। ଜ୍ଞାନ ମଧ୍ୟ ପରିବର୍ତ୍ତନଶୀଳ। ଆଜିର ଜ୍ଞାନ ଆସନ୍ତା କାଲି ଅଜ୍ଞାନ ହୋଇପାରେ। ଦିନ ଥିଲା ଆମେ ଗ୍ରହଣ କରି ନେଇଥିଲୁ ସୂର୍ଯ୍ୟ ଘୂରୁଛି ଓ ପୃଥିବୀ ସ୍ଥିର। ମାତ୍ର ଆଜି ଆମେ ଜାଣୁ ପୃଥିବୀ ଘୂରୁଛି ଓ ସୂର୍ଯ୍ୟ ସ୍ଥିର। ଯୋଗୀ ଅରବିନ୍ଦଙ୍କ ଭାଷାରେ – ମଣିଷ ଯାହାକୁ ଜ୍ଞାନ ବୋଲି କହେ ତାହା ମିଥ୍ୟା ବାହ୍ୟରୂପର ଯୁକ୍ତି ସମ୍ମତ ସ୍ବୀକାର। ଆମେ ବୁଦ୍ଧି, ଯୁକ୍ତି ଓ ଇନ୍ଦ୍ରିୟ ମାଧ୍ୟମରେ ଯେ କୌଣସି ବିଷୟକୁ ଜାଣିବାକୁ ଚେଷ୍ଟା କରୁ। ଅବଶ୍ୟ ଏଗୁଡ଼ିକ ଦ୍ବାରା ସ୍ଥୂଳ ଜଗତର ଅନେକ କଥା ଜାଣିହୁଏ। ମାତ୍ର ଏହାଦ୍ବାରା ସୂକ୍ଷ୍ମଜଗତର ରହସ୍ୟ ବୁଝିବା ସମ୍ଭବ ନୁହେଁ। ତାହା ଜାଣିହୁଏ ଆତ୍ମଜ୍ଞାନ ଦ୍ବାରା। ଅରବିନ୍ଦଙ୍କ ଭାଷାରେ- ଆତ୍ମା ଯାହା ଦେଖେ ଓ ଅେଙ୍ଗ ନିଭାଏ ତାହା ହିଁ ଜାଣେ। ଆତ୍ମା କ’ଣ ଦେଖେ ମୁଁ ଜାଣିବି କିପରି- ଏହି ପ୍ରଶ୍ନର ଉତ୍ତର ପାଇଛନ୍ତି ବିଶିଷ୍ଟ ଲେଖକ ମନୋଜ ଦାସ ଶ୍ରୀମାଙ୍କଠାରୁ। ‘ଆତ୍ମା ସମ୍ପର୍କରେ ସଚେତନ ହେବାଦ୍ବାରା ବା ଆତ୍ମାକୁ ଜାଣିବା ଦ୍ବାରା ହିଁ ତାହା ସମ୍ଭବପର ହେବ। ଯେତେବେଳେ ଜଣେ ନିଜ ଆତ୍ମାକୁ ଜାଣେ ବା ଆତ୍ମ ଉପଲବ୍ଧି କରିପାରେ ସେତେବେଳେ ସେ ଆତ୍ମାକୁ ଜାଣିଲା କି ନାହିଁ ସେ ବିଷୟରେ ତା’ ମନରେ ଦ୍ବନ୍ଦ୍ବ ରହେ ନାହିଁ। ଯିଏ ଆତ୍ମାକୁ ଜାଣେ ସେ ବଳେବଳେ ସେ ବିଷୟରେ ନିଶ୍ଚିତ ହୁଏ।’
ବ୍ୟାବହାରିକ ଜ୍ଞାନ କଥା ଅଲଗା। ଭୁକିଲା କୁକୁର କାମୁଡ଼େ ନାହିଁ ହେଉଛି ଅଭିଜ୍ଞତା ପ୍ରସୂତ ଜ୍ଞାନ। ମାତ୍ର ଏହା ମଧ୍ୟ ସବୁବେଳେ ସଂପୂର୍ଣ୍ଣ ଠିକ୍ ହୋଇ ନପାରେ। ଥରେ ଜଣେ ଭଦ୍ରଲୋକ କୁକୁର ପୋଷିଥିବା ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ଯାଇଥାନ୍ତି। ସେ ତାଙ୍କ ଫାଟକରେ ପହଞ୍ଚିବା କ୍ଷଣି ବନ୍ଧୁଙ୍କ କୁକୁର ଭୁକିବା ଆରମ୍ଭ କଲା। ବନ୍ଧୁ ଘର ଭିତରୁ କହିଲେ, ଭିତରକୁ ଚାଲିଆସ। କିଛି ଅସୁବିଧା ହେବନାହିଁ। କଥାରେ ଅଛି ପରା ଭୁକିଲା କୁକୁର କାମୁଡ଼େ ନାହିଁ। ମାତ୍ର ବନ୍ଧୁ ଅଟକିଗଲେ ଓ କହିଲେ, ଏହି କଥାଟି ତୁମକୁ ଜଣା ଅଛି, ମୋତେ ବି ଜଣା ଅଛି, କିନ୍ତୁ କୁକୁରକୁ ଜଣା ଅଛି କି? ‘ ଏହି କଥା କହିବାର ତାତ୍ପର୍ଯ୍ୟ ହେଉଛି କୌଣସି ନିୟମ ସଂପୂର୍ଣ୍ଣ ଅଲଙ୍ଘନୀୟ ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ। ବେଳେବେଳେ ଭୁକିଲା କୁକୁର ବି କାମୁଡ଼ିପାରେ। ଜ୍ଞାନ ପୁସ୍ତକ ପ୍ରସୂତ ନୁହେଁ, ଅଭିଜ୍ଞତା ପ୍ରସୂତ। ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରିବା ଯେ ଆମେ ଅଜ୍ଞାନ। ଏହିପରି ଉପଲବ୍ଧି ହେଲେ ଆମେ ଜ୍ଞାନର ଅନ୍ବେଷଣ କରିପାରିବା। ସେହି ଦୃଷ୍ଟିରୁ ଆମେ ଯେତିକି ଜ୍ଞାନ ଅର୍ଜନ କରିଛୁ ତାହା ଆମ ଅଜ୍ଞାନ ଉପଲବ୍ଧିର ଅବଦାନ। ଆମେ ସର୍ବଦା ଅଜ୍ଞାନରୁ ଜ୍ଞାନ ଆହରଣ ଦିଗରେ ଧାବମାନ। ଏଣୁ କୌଣସି ବିଷୟରେ ସାମାନ୍ୟ ଜ୍ଞାନ ହାସଲ କଲେ ଆମେ ଗର୍ବରେ ଅନ୍ଧ ନ ହୋଇ ଆମ ଅଜ୍ଞାନତା ପ୍ରତି କୃତଜ୍ଞ ଅନୁଭବ କରିବା କଥା ଏବଂ ନମ୍ର ହେବା କଥା।


