ମାତୃଭାଷାରେ ବୈଷୟିକ ଶିକ୍ଷାକୁ ନେଇ ସଘନ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଡ. କସ୍ତୁରୀରଙ୍ଗନ କମିଟିର ଜାତୀୟ ଶିକ୍ଷାନୀତି-୨୦୨୦ରେ ମାତୃଭାଷାରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି କମିଟିରେ ଅନେକ ଅଭିଜ୍ଞ ଓ ଦକ୍ଷ ଶିକ୍ଷାବିତ୍ଙ୍କ ସହ ବିଶ୍ୱବିଖ୍ୟାତ ଗଣିତଜ୍ଞ ଡ. ମଞ୍ଜୁଳ ଭାର୍ଗବ ସଦସ୍ୟ ଥିଲେ। ଦେଶସାରା ବିଭିନ୍ନ ଶିକ୍ଷାବିତ୍ଙ୍କଠାରୁ ମତାମତ ସଂଗ୍ରହ କରି ବ୍ୟାପକ ବିଚାର ପରେ ଜାତୀୟ ଶିକ୍ଷାନୀତି-୨୦୨୦ ଚିଠା ପ୍ରସ୍ତୁତ କରାଯାଇଥିଲା। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ଶିକ୍ଷାନୀତି-୨୦୨୦କୁ କାର୍ଯ୍ୟକାରୀ କରିବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି। କେତେକ ବୁଦ୍ଧିଜୀବୀ ମାତୃଭାଷାରେ ବିଜ୍ଞାନ ଓ ବୈଷୟିକ ଶିକ୍ଷାକୁ ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ବିରୋଧ କରୁଥିବା ଦେଖାଯାଇଛି। ତେବେ କଥା ହେଲା, ଭାରତ କ’ଣ ପୃଥିବୀର ପ୍ରଥମ ଦେଶ ହେବ, ଯାହା ମାତୃଭାଷାରେ ବିଜ୍ଞାନ ଓ ବୈଷୟିକ ଶିକ୍ଷାଦାନ କରିବ? କାହିଁ କେଉଁ କାଳରୁ ରୁଷ୍, ଚୀନ୍, ଜର୍ମାନୀ, ସ୍ପେନ୍, ଫ୍ରାନ୍ସ, ଇଟାଲୀ, ପର୍ତ୍ତୁଗାଲ, ଜାପାନ ପ୍ରଭୃତି ବିଶ୍ୱର ଅଗ୍ରଣୀ ରାଷ୍ଟ୍ରଗୁଡ଼ିକରେ ସେମାନଙ୍କ ମାତୃଭାଷାରେ ବିଜ୍ଞାନ ଓ ବୈଷୟିକ ଶିକ୍ଷାଦାନ କରାଯାଉଛି। କେବଳ ସ୍କୁଲ ସ୍ତରରେ ନୁହେଁ, ବରଂ ସ୍ନାତକ, ସ୍ନାତକୋତ୍ତର ଓ ଗବେଷଣାରେ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ, ପରୀକ୍ଷା ସମ୍ପାଦିତ ହୁଏ। ଏହି ସବୁ ରାଷ୍ଟ୍ରରେ ଶିକ୍ଷାଦାନ ଅତି ଉଚ୍ଚକୋଟୀର ହୋଇଥିବାରୁ ବିଦେଶରୁ ଅନେକ ଛାତ୍ର ଏହି ଦେଶଗୁଡ଼ିକୁ ପଢ଼ିବାକୁ ଆସନ୍ତି। ସେମାନଙ୍କ ପାଇଁ କି ବ୍ୟବସ୍ଥା କରାଯାଏ? ବିଦେଶୀ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ ନିଜକୁ ପଞ୍ଜିକୃତ କରିବା ପୂର୍ବରୁ ସ୍ୱତନ୍ତ୍ରଭାବେ ସେ ଦେଶର ଭାଷା ଶିଖନ୍ତି ଓ ପରୀକ୍ଷାଦେଇ ଉତ୍ତୀର୍ଣ୍ଣ ହୁଅନ୍ତି। କିଛି ଦେଶରେ ବିଦେଶୀ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ଓ ଗବେଷଣାରେ ଇଂରାଜୀ ଭାଷାରେ ଶିକ୍ଷାଲାଭର ସୁଯୋଗ ପାଉଥିବାବେଳେ, କେତେକ ଦେଶରେ ଏ ସୁବିଧା ନାହିଁ। ତେଣୁ ଖାଲି ଇଂରାଜୀ ଭାଷାରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ଲାଭ କଲେ କ’ଣ ଆମ ଛାତ୍ରଛାତ୍ରୀମାନେ ଇଂଲଣ୍ଡ ଓ ଆମେରିକା ବ୍ୟତୀତ ବିଶ୍ୱର ଆଉ କୌଣସି ଉନ୍ନତ ଦେଶରେ ସହଜରେ ଶିକ୍ଷା ଓ କର୍ମସଂସ୍ଥାନ ପାଇପାରିବେ? ଏକ ସମ୍ପର୍କ ଭାଷା (ଲିଙ୍କ୍ ଲାଙ୍ଗୁଏଜ) ଭାବେ ଇଂରାଜୀ ସମସ୍ୟାକୁ କିଛିମାତ୍ରାରେ ଲାଘବ କରିପାରେ; କିନ୍ତୁ ଏହା ସମ୍ପୂର୍ଣ୍ଣ ସମାଧାନ ନୁହେଁ। ନିଜ ମାତୃଭାଷାରେ ଶିକ୍ଷାଲାଭ କରୁଥିବାରୁ ଜର୍ମାନୀ, ଜାପାନ୍, ଇଟାଲୀ, ରୁଷ, ଚୀନ ଓ ଅନ୍ୟାନ୍ୟ ଦେଶ କ’ଣ ଇଂରାଜୀ ଭାଷାଭାଷୀ ଦେଶଠାରୁ ଜ୍ଞାନଗରିମାରେ ପଛରେ ପଡ଼ିଯାଇଛନ୍ତି ? ୨୦୨୧ରେ ନୋବେଲ୍ ପୁରସ୍କାର ପାଇଥିବା ସାତ ଜଣ ବୈଜ୍ଞାନିକଙ୍କ ମଧ୍ୟରୁ ଇଂଲଣ୍ଡ ଓ ଆମେରିକାର ଜଣେ ଲେଖାଏଁ ହୋଇଥିବାବେଳେ ଜାପାନର ଜଣେ, ଇଟାଲୀର ଜଣେ, ଲେବାନନ୍ର ଜଣେ ଓ ଜର୍ମାନୀର ଦୁଇଜଣ ! ନୋବେଲ୍ ପୁରସ୍କାରର ଇତିହାସକୁ ତର୍ଜମା କଲେ ଏହି ଏକା ପ୍ରକାର ପରିସଂଖ୍ୟାନ ଦେଖିବାକୁ ମିଳିବ।
ମାତୃଭାଷାରେ ଶିକ୍ଷାଲାଭ ଖାଲି ଏକ ଜାତୀୟତାବୋଧର କଥା ନୁହେଁ, ବରଂ ବିଜ୍ଞାନସମ୍ମତ। ଗବେଷକ କାରୋଲିନ୍ ସାଭେଜ୍ କହନ୍ତି, “ମାତୃଭାଷାରେ ପାଠ ପଢ଼଼ିଲେ ବିଷୟକୁ ଭଲଭାବେ ବୁଝିହୁଏ। ସର୍ଜନାତ୍ମକ, ବିଶ୍ଳେଷଣାତ୍ମକ ଚିନ୍ତନ ଓ ଭାଷାରେ ଦକ୍ଷତା ପରିଲକ୍ଷିତ ହୁଏ।” ବିଶିଷ୍ଟ ମନସ୍ତତ୍ତ୍ୱବିତ୍ ଭିଗୋଟ୍ସ୍କି କହନ୍ତି ଯେ ମାତୃଭାଷା ବ୍ୟକ୍ତିର ବ୍ୟକ୍ତିତ୍ୱ, ଚିନ୍ତା ଓ ସାମଗ୍ରିକ ଜୀବନକୁ ରୂପ ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ। ପ୍ରସିଦ୍ଧ ମନସ୍ତତ୍ତ୍ୱବିତ୍ ଆଲିସ୍ ମାଡୋ ପ୍ରୋଭରବିଓ କହନ୍ତି, “ଆମ ମାତୃଭାଷାରେ ଆମେ ଚିନ୍ତା କରିଥାଉ, ସ୍ୱପ୍ନ ଦେଖୁ ଓ ମନୋଭାବ ପ୍ରକାଶିତ କରିଥାଉ।” ୟୁନେସ୍କୋରେ ଅବସ୍ଥାପିତ ଗବେଷକ ଇରିନା ବୋକୋଭା କହନ୍ତି, “ବହୁଭାଷୀ ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷାପାଇଁ ମାତୃଭାଷାରେ ଉଚ୍ଚମାନର ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି।” ପ୍ରତ୍ୟେକ ଭାଷାର ନିଜସ୍ୱ ସଂସ୍କୃତି, ରୂପ, ରଙ୍ଗ, ଲୟ ରହିଛି ଓ ପ୍ରତ୍ୟେକ ମଣିଷ ପାଇଁ ଏହା ଏକ ଅମୂଲ୍ୟ ସମ୍ପତ୍ତି। ଭାଷା ମଣିଷର ପରିଚୟ। ମାତୃଭାଷା ଜାତିର ସାମାଜିକ, ସାଂସ୍କୃତିକ ସ୍ୱାଧୀନତାର ପ୍ରତୀକ। ଛୟାଳିଶ ବର୍ଷ ପର୍ଯ୍ୟନ୍ତ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ରହିଥିବା, ଇଂରାଜୀ ଭାଷାରେ ଅସାଧାରଣ ଦକ୍ଷତାଥିବା ମହାତ୍ମା ଗାନ୍ଧୀ ତାଙ୍କ ରାଜନୈତିକ ବିଚାରକୁ ଗୁଜୁରାଟୀ ଭାଷାରେ ‘ହିନ୍ଦ୍ ସ୍ୱରାଜ’ ପୁସ୍ତକରେ ଲେଖିଥିଲେ। ଆତ୍ମଜୀବନୀ “ସତ୍ୟର ପ୍ରୟୋଗ” ମଧ୍ୟ ଲେଖିଥିଲେ ଗୁଜୁରାଟୀ ଭାଷାରେ। ଉତ୍କଳମଣି ଗୋପବନ୍ଧୁ ଓ ପଞ୍ଚସଖା ସତ୍ୟବାଦୀ ବନବିଦ୍ୟାଳୟ ମାଧ୍ୟମରେ ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ଦାନପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ। ଆମ ସ୍ୱାଧୀନଚେତା ପୂର୍ବଜଙ୍କ ପାଇଁ ଆଜି ଆମ ଜନସଂଖ୍ୟାର ସିଂହଭାଗ ମାଟ୍ରିକ୍ୟୁଲେସନ୍ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଲାଭ କରୁଛନ୍ତି। ସେମାନେ ଯଦି ତାଙ୍କ ସହକର୍ମୀ ଯେଉଁମାନେ ଇଂରାଜୀ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ପାଠ ପଢ଼଼ିଛନ୍ତି ସେମାନଙ୍କ ଠାରୁ ଅଯୋଗ୍ୟ ହୋଇଥାନ୍ତେ ମୟୂରଭଞ୍ଜ ଜିଲାର ଖୁଣ୍ଟା ବ୍ଲକର କୁଆମରା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍ୟୁଲେସନ୍ ପାସ୍ କରିଥିବା ଡ. ଅଜିତ୍ କୁମାର ମହାନ୍ତି ଆଜି ଦେଶର ସର୍ବୋତ୍ତମ ଗବେଷଣା ପ୍ରତିଷ୍ଠାନ ଭାଭା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)ର ନିେର୍ଦଶକ, କନ୍ୟାକୁମାରୀ ଜିଲାର ମେଲା ସାରାକ୍ଲାଲ୍ ଭିଲାଇ ଗ୍ରାମର ତାମିଲ୍ ମାଧ୍ୟମ ବିଦ୍ୟାଳୟରୁ ମାଟ୍ରିକ୍ୟୁଲେସନ୍ ପାସ୍ କରିଥିବା ଡ. କେ. ଶିବନ୍ ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅଧ୍ୟକ୍ଷ ହୋଇପାରି ଥାଆନ୍ତେ କି ? ଏ ତାଲିକା ବହୁତ ଲମ୍ବା। ଖାଲି ଭାରତରେ ନୁହେଁ ବିଦେଶକୁ କର୍ମକ୍ଷେତ୍ର ରୂପେ ବାଛିଥିବା ଆଗଧାଡ଼ିର ବୈଜ୍ଞାନିକମାନେ ମଧ୍ୟ ମାତୃଭାଷାରେ ଶିକ୍ଷାଲାଭ କରିଥିବାର ପ୍ରମାଣ ରହିଛି। ୧୯୮୩ ମସିହାରେ ନୋବେଲ୍ ପୁରାସ୍କାର ପାଇଥିବା ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଡ. ସୁବ୍ରମଣ୍ୟନ୍ ଚନ୍ଦ୍ରଶେଖର ମାଟ୍ରିକ୍ୟୁଲେସନ୍ ପାସ୍ କରିଥିଲେ ତାମିଲ୍ ମାଧ୍ୟମରେ ପଢ଼଼ାଯାଉଥିବା ‘ହିନ୍ଦୁ ଉଚ୍ଚବିଦ୍ୟାଳୟ’ରୁ। ତେଣୁ ମାତୃଭାଷା ଯେ ଜ୍ଞାନଲାଭରେ ଏକ ଅନ୍ତରାୟ ଏ ଧାରଣା ଅମୂଳକ, ଉଦ୍ଭଟ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଦାନ ପୂର୍ବରୁ ଏଥିନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହେବା ଜରୁରୀ। ପ୍ରଥମ ଆବଶ୍ୟକତା ହେଲା ଉଚ୍ଚମାନର ପାଠ୍ୟପୁସ୍ତକ, ସହାୟକ ପୁସ୍ତିକା, ଲୋକପ୍ରିୟ ବିଜ୍ଞାନ ପୁସ୍ତକ, ବିଜ୍ଞାନ ଓ ବୈଷୟିକ ଅଭିଧାନ ଓ ଭାଷାକୋଷ। ଯୁକ୍ତ ଦୁଇ ପାଇଁ ରାଜ୍ୟର ପାଠ୍ୟପୁସ୍ତକ ସଂସ୍ଥା ପାଠ୍ୟପୁସ୍ତକ ପ୍ରକାଶ କରୁଥିବାବେଳେ ଛାତ୍ରଛାତ୍ରୀମାନେ ସେଗୁଡ଼ିକୁ ନ ପଢ଼଼ି ତାଙ୍କ ପସନ୍ଦର ଲେଖକମାନଙ୍କ ବହି ପଢ଼ନ୍ତି ଓ ପରୀକ୍ଷାରେ ଭଲ କରନ୍ତି। ତେଣୁ ମାତୃଭାଷାରେ ପାଠ୍ୟପୁସ୍ତକ, ଭାଷାକୋଷ ଓ ଅଭିଧାନ କେବଳ ସରକାରୀ ନିୟନ୍ତ୍ରଣରେ ରହିବା ଉଚିତ ନୁହେଁ। ସମସ୍ତଙ୍କୁ ଏଥିପାଇଁ ସ୍ୱାଧୀନତା ଓ ପ୍ରୋତ୍ସାହନ ଦେବା ଜରୁରୀ। ଯେଉଁ ଅଧ୍ୟାପକ ଓ ଗବେଷକମାନଙ୍କର ଉଭୟ ମାତୃଭାଷାରେ ଓ ବିଷୟ ଉପରେ ଦଖଲ ଥିବ, ସେଇମାନେ ହିଁ କେବଳ ମାତୃଭାଷାରେ ଭଲ ବହି ଲେଖିପାରିବେ। ଆଉ ଗୋଟିଏ କଥା ଯୋଗ୍ୟତାର ବିକଳ୍ପ ନାହିଁ। ମେଧାବୀ ପିଲାମାନେ ମାତୃଭାଷାରେ ନ ପଢ଼଼ିଲେ ଏ ବ୍ୟବସ୍ଥାରୁ ଦକ୍ଷ ମାନବ ସମ୍ବଳ ଆଶା କରିବା ମଧ୍ୟ ବୃଥା। ତେଣୁ ସ୍ୱାଧୀନଚେତା ପ୍ରତ୍ୟେକ ନାଗରିକ ସରକାରଙ୍କ ଏ ସାଧୁ ପ୍ରୟାସରେ ସହଭାଗୀ ହେବା ଉଚିତ। ଏଥିପାଇଁ ପ୍ରାରମ୍ଭିକ ଅବସ୍ଥାରେ ବ୍ୟାପକ ଅର୍ଥ ଓ ଯଥେଷ୍ଟ ସମୟର ଆବଶ୍ୟକତା ରହିଛି। ସମ୍ପ୍ରତି ଜାତୀୟ ଉତ୍ପାଦର ପ୍ରାୟ ୩.୧ ପ୍ରତିଶତ ଶିକ୍ଷାପାଇଁ ବ୍ୟୟବରାଦ ହୋଇଛି। ସରକାର ଯଦି ଶିକ୍ଷା ବଜେଟ୍କୁ ଜାତୀୟ ଉତ୍ପାଦର ଦଶ ପ୍ରତିଶତ କରିପାରନ୍ତି, ମାତୃଭାଷାରେ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ପଥ ପ୍ରଶସ୍ତ ହୋଇପାରିବ।
ଭାଷା ଜ୍ଞାନଲାଭର କେବଳ ଏକ ମାଧ୍ୟମ, ସ୍ୱୟଂ ଜ୍ଞାନ ନୁହେଁ। ମାତୃଭାଷା ହୀନମନ୍ୟତା ଦୂରକରି ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ବିଶିଷ୍ଟ ଭାଷାତତ୍ତ୍ବବିତ୍ ଲିୱିସ୍ଙ୍କ ମତରେ ମାତୃଭାଷାରେ ଦକ୍ଷଥିବା ବ୍ୟକ୍ତି ଅନ୍ୟ ଯେ କୌଣସି ଭାଷା ମାତ୍ର ତିନିମାସରେ ଶିଖିପାରିବେ। ତେଣୁ ମାତୃଭାଷା ସହିତ କେବଳ ଇଂରାଜୀ ନୁହେଁ, ଜର୍ମାନ, ସ୍ପାନିଶ୍, ରଷିଆନ୍, ଫ୍ରେଞ୍ଚ୍, ମାଣ୍ଡାରିନ୍, ଜାପାନିଜ୍ ପ୍ରଭୃତି ଜ୍ଞାନ ବିଜ୍ଞାନରେ ସମୃଦ୍ଧ ବିଶ୍ୱର ପ୍ରମୁଖ ଭାଷା ଶିଖିବାପାଇଁ ସରକାରୀ ଓ ବେସରକାରୀ ସୁଯୋଗ ସୃଷ୍ଟି କରାଯାଉ ଓ ପ୍ରୋତ୍ସାହନ ଦିଆଯାଉ। ଏହା ବିଭିନ୍ନ ବିକଶିତ ଦେଶରେ ଆମକୁ କାମ କରିବାପାଇଁ ସୁଯୋଗ ଦେବ ଓ କାର୍ଯ୍ୟକ୍ଷେତ୍ରରେ ସହଜ ଓ ସଫଳ କରିବ।
ଯୋଗଜନ୍ମା ବୈଜ୍ଞାନିକ, ୧୯୩୩ରେ ନୋବେଲ୍ ପୁରସ୍କାରରେ ସମ୍ମାନିତ ବୈଜ୍ଞାନିକ ଡ. ଇର୍ୱିନ୍ ସ୍ରୋଡିଞ୍ଜର କହିଥିଲେ, “ଭାରତ ଉପନିଷଦର ଦେଶ। ଉପନିଷଦ ସତ୍ୟର ପ୍ରବକ୍ତା, ଅନୁସନ୍ଧିତ୍ସାର ଦ୍ୟୋତକ।” (ହ୍ୱାଟ୍ ଇଜ୍ ଲାଇଫ୍) ଭାରତ ଥିଲା ତାଙ୍କ ପ୍ରଣମ୍ୟ ମାଟି। ଅନ୍ତତଃ ଆମେ ଆଚରଣ ଓ ଉଚ୍ଚାରଣରେ ଏ କଥା ପ୍ରମାଣିତ ନ କରିବା ଯେ ଆଜି ବି ଆମେ ଗୋଟିଏ ଉପନିବେଶ।

