ଆଧୁନିକ ମନୋବିଜ୍ଞାନ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ମନୁଷ୍ୟ ମାନସିକ ଦୁରବସ୍ଥା ଲାଘବ କରିବା ନିମନ୍ତେ ଦୁଶ୍ଚିନ୍ତାଗୁଡ଼ିକୁ କାଗଜକଲମରେ ଲେଖି ବସିଲେ କେତେକାଂଶରେ ସଫଳତା ମିଳିଥାଏ । ଏହି ପ୍ରକ୍ରିୟାକୁ ମନଗହନ ବର୍ଣ୍ଣନା ବା ‘ଏକ୍ସପ୍ରେସିଭ ରାଇଟିଂ’ କୁହାଯାଏ । ମନୁଷ୍ୟ ଉଦ୍ବିଗ୍ନତାଠାରୁ ଆରମ୍ଭ କରି ଶୋକ ପ୍ରଶମନ ଯାଏ ବିଭିନ୍ନ ନକାରାତ୍ମକ ମାନସିକ ସ୍ଥିତି ସମ୍ଭାଳିବା ଲାଗି ଏହି ପଦ୍ଧତିର ସହାୟତା ନେବା ନିମନ୍ତେ ପରାମର୍ଶ ଦିଆଯାଇଥାଏ ।
ମନଗହନ ବର୍ଣ୍ଣନା ସହ ମାନସିକ ଓ ଶାରୀରିକ ସୁସ୍ଥତା ସଂପର୍କରେ ବିଂଶ ଶତାବ୍ଦୀର ଅଷ୍ଟମ ଦଶକରୁ ଅଧ୍ୟୟନ ଆରମ୍ଭ ହୋଇଥିଲା । ଜେମସ ଡବ୍ୟୁ ପେନବାକେର ନାମକ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟର ଜଣେ ମନସ୍ତାତ୍ତ୍ୱିକ ଅଧ୍ୟାପକ ଏହି ଦିଗରେ ପ୍ରାଥମିକ ଗବେଷଣାମାନ ଆୟୋଜନ କରିଥିଲେ । ସେ ବିଗତ ଚାରି ଦଶକ ଧରି ସକ୍ରିୟ ରହିବା ସଙ୍ଗେ ‘ଦି ହିଲିଂ ପାୱାର ଅଫ ଏକ୍ସପ୍ରେସିଂ ଇମୋସନ୍ସ’(୨୦୧୨) ଓ ‘ଓପନିଂ ଅପ ବାଇ ରାଇଟିଂ ଡ଼ାଉନ’ (୨୦୧୬) ଭଳି ଲୋକାଦୃତ ପୁସ୍ତକମାନ ରଚନା କରିଛନ୍ତି ।
ପେନବାକେରଙ୍କ ୧୯୮୩ର ପ୍ରାଥମିକ ଗବେଷଣାରେ ଦୁଇ ଦଳ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦଳରେ ୪୬ ଜଣଙ୍କୁ ଦିନକୁ ୧୫ ମିନଟ ହିସାବରେ କ୍ରମାଗତଭାବେ ଚାରିଦିନ ମନଗହନର ଅପ୍ରୀତିକର ‘ଟ୍ରମା’ ଘଟଣା, ଚ଼ିନ୍ତା ବା ଆଶଙ୍କା, ଯେ କୌଣସି ବିଷୟରେ କାଗଜକଲମରେ ଲେଖିବାକୁ କୁହାଯାଇଥିଲା। ଦ୍ୱିତୀୟ ଦଳ ଲିଖନ ଅଧିବେଶନଗୁଡ଼ିକରେ ସାମିଲ ହୋଇନଥିଲେ ।
ପ
ରବର୍ତ୍ତୀ ଛଅ ମାସରେ ଦୁଇ ଦଳର ସାଧାରଣ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଇଥିଲା । ଯେଉଁ ଦଳଟି ଲିଖନ ପ୍ରକ୍ରିୟାରେ ଯୋଗ ଦେଇଥିଲେ, ଅପର ଦଳ ତୁଳନାରେ କମ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ତଥ୍ୟ ଦୁଇ ଦଳର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ଇତିହାସରୁ ଜଣାଯାଇଥିଲା । ଅର୍ଥାତ୍, ମନଗହନ ବର୍ଣ୍ଣନା ଉନ୍ନତ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟାବସ୍ଥାରେ ପର୍ଯ୍ୟବସିତ ହୋଇଥାଏ । ପେନବାକେରଙ୍କ ଗବେଷଣା ପରବର୍ତ୍ତୀ ପନ୍ଦର ବର୍ଷରେ ପ୍ରାୟ କୋଡ଼ିଏ ଗୋଟି ଗବେଷଣାରେ ପରୀକ୍ଷିତ ହୋଇଥିଲା । ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ଏହି ବିଷୟରେ ଦୁଇ ଶହ ଗବେଷଣା ନିବନ୍ଧ ପ୍ରକାଶିତ ହୋଇଥିବା ଜଣାଯାଏ ।
ବିଶେଷଜ୍ଞଙ୍କ ମତରେ ମନଗହନ ବର୍ଣ୍ଣନାଜନିତ ଉପକାର ସମସ୍ତଙ୍କ କ୍ଷେତ୍ରରେ ଫଳପ୍ରଦ ନ ହୋଇପାରେ । ଯେଉଁମାନେ ମାନସିକସ୍ତରରେ ଅସୁସ୍ଥ, ଅର୍ଥାତ ଅବସାଦ ବା ‘ପୋଷ୍ଟ-ଟ୍ରମାଟିକ ଷ୍ଟ୍ରେସ ଡିଜଅର୍ଡର’ ଭଳି ରୋଗାକ୍ରାନ୍ତ, ସେମାନେ ଏହି ପ୍ରକ୍ରିୟାରେ ସୁଫଳ ନପାଇପାରନ୍ତି । ବିଭିନ୍ନ ଗବେଷକ ମନଗହନ ବର୍ଣ୍ଣନାର ଫଳାଫଳ ନିଦ୍ରାହୀନତା, ମୁଣ୍ଡବିନ୍ଧା, ମାଇଗ୍ରେନ, ଶ୍ୱାସ, ଆଣ୍ଠୁଗଣ୍ଠି ବିନ୍ଧା, କର୍କଟ ଓ ଏଡ୍ସ ଭଳି ରୋଗାକ୍ରାନ୍ତଙ୍କ ମାନସିକ ଓ ଶାରୀରିକ ସ୍ଥିତି ସଂପର୍କରେ ଅନୁଶୀଳନ କରିଛନ୍ତି । ଅବଶ୍ୟ ମନଗହନ ବର୍ଣ୍ଣନା କିପରି ମାନସିକ ଓ ଶାରିରୀକସ୍ତରରେ ପ୍ରଭାବ ପକାଇପାରେ ସେ ନେଇ ମନସ୍ତତ୍ତ୍ୱବିତ୍ମାନେ ଏକମତ ନଥିବା ଦେଖିବାକୁ ମିଳିଥାଏ । ପୁଣି ଏହା ଏକ ମାତ୍ର ଉପଚାର ନୁହେଁ ।
ମନଗହନ ବର୍ଣ୍ଣନା ସମ୍ପର୍କିତ ଗବେଷଣାର ଅାଦ୍ୟାବସ୍ଥାରେ ଏହା ମାନସିକସ୍ତରରେ ଆଶ୍ୱସ୍ତି ଆଣିଦେବା ବିଶ୍ୱାସ କରାଯାଉଥିଲା । ତେବେ ରଚନା ସମୟ ଓ ପରେ ରକ୍ତଚାପ ଓ ହୃତ୍ସ୍ପନ୍ଦନ ମାପିବା ଦ୍ୱାରା ଏହାର ଅନ୍ୟାନ୍ୟ ଶାରୀରିକ ପ୍ରଭାବକୁ ମଧ୍ୟ ଅଧ୍ୟୟନ ପ୍ରସାରିତ ହେଲା । କୁହାଯାଏ ଯେ ରଚନା ପ୍ରକ୍ରିୟାରେ କେତକ ଅଂଶଗ୍ରହଣକାରୀ ସାମୟିକଭାବେ ଉଦ୍ବିଗ୍ନତା ବଶବର୍ତ୍ତୀ ହେଉଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ତାହା ଆଶ୍ୱସ୍ତି ଆଣି ଦେଇଥାଏ ।
ମନଗହନ ବର୍ଣ୍ଣନାର ଉପାଦେୟତା ମଧ୍ୟରେ ନିଜ ଆବେଗ, ଅନୁଭୂତି ଓ ଚିନ୍ତାଧାରା କାଗଜକଲମରେ ଲେଖିବା ଦ୍ୱାରା ମାର୍ଜିତ ରୂପ ଧାରଣ କରୁଥିବା ପ୍ରଧାନ। ଲିଖିତ ବକ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଆକାରରେ ପରିବର୍ତ୍ତିତ ହେଉଥିବା ହେତୁ ତାହାର ସରଳ ଅର୍ଥ ବୁଝି ହୁଏ । ଦ୍ୱିତୀୟରେ ନିଜ ଆବେଗର ଗତି ପଥ ସଂପର୍କରେ ଅବଗତ ହୋଇ ତାହାକୁ ଆୟତ୍ତ କିମ୍ୱା ନିୟନ୍ତ୍ରିତ କରିବା ସାମର୍ଥ୍ୟ ହାସଲ ହୋଇଥାଏ । ତୃତୀୟରେ ଲିଖନ ପ୍ରକ୍ରିୟାରେ ବ୍ୟକ୍ତିଗତସ୍ତରରେ ନିଜ ମନ ଖୋଲି ହେବା ପରେ ଆବଶ୍ୟକ ସ୍ଥଳେ ତାହା ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବା ସହଜପ୍ରଦ ହୋଇପାରିଥାଏ । ଏତଦ୍ଦ୍ବାରା ବ୍ୟକ୍ତି ନିଜ ମାନସିକ ଅବସ୍ଥା ଉପଶମ ନିମନ୍ତେ ସାମାଜିକ ସହାୟତା ଲୋଡ଼ିବା ସଂଭବ ।
ଅଧ୍ୟୟନରୁ ଜଣାଯାଏ ଯେ କୌଣସି ଅପ୍ରୀତିକର ମାନସିକ ଧକ୍କା ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ମନଗହନ ବର୍ଣ୍ଣନା ଉଚିତ ଫଳାଫଳ ପ୍ରଦାନ କରେ ନାହିଁ । କାରଣ ଦୁଃସ୍ଥିତିକୁ ଗ୍ରହଣ କରିବା ନିମନ୍ତେ ବ୍ୟକ୍ତି ଏକ ରକମ ଅରାଜି ଅବସ୍ଥାରେ ରହିଥାଏ । ଅନ୍ତତଃପକ୍ଷେ ଘଟଣାର ମାସେ ଦୁଇମାସ ଉତ୍ତାରେ ଲିଖନ ପ୍ରକ୍ରିୟାରେ ଅଂଶଗ୍ରହଣ କରାଯାଇପାରେ । ଅପ୍ରୀତିକର ଅନୁଭୂତି କହିବା ବଦଳରେ ଲେଖିବା ଦ୍ୱାରା ପ୍ରାଞ୍ଜଳ ଭାବେ ବ୍ୟକ୍ତ କରିବା ଅବକାଶ ସୃଷ୍ଟି ହୁଏ ।
ମନଗହନ ବର୍ଣ୍ଣନା ବ୍ୟକ୍ତିର ଅନ୍ତର୍ଦୃଷ୍ଟିକୁ ଶାଣିତ କରେ । ନିଜ ରଚନା ନିଜେ ପଢ଼ିବା ଫଳରେ ନିଜସ୍ୱ ଆବେଗ, ଚିନ୍ତା, ବିଶ୍ୱାସ ଓ ବ୍ୟବହାର ଇତ୍ୟାଦି ସଂପର୍କରେ ସଚ଼େତନ ହେବା ସୁଯୋଗ ସୃଷ୍ଟି ହୁଏ । ମାନସିକ ଚ଼ିକିତ୍ସାରେ ଆକ୍ରାନ୍ତଙ୍କୁ ମନଗହନ ବର୍ଣ୍ଣନା ଲାଗି ପରାମର୍ଶ ଦିଆଯାଏ । ଏତଦ୍ଦ୍ବାରା ଅବସାଦ, ଉଦ୍ବିଗ୍ନତା ସୃଷ୍ଟି କରୁଥିବା ଚ଼ିନ୍ତାଧାରାରେ ହସ୍ତକ୍ଷେପ ସମ୍ଭବ ବୋଲି ବିଶ୍ୱାସ କରାଯାଏ ।
ବାର୍ଦ୍ଧକ୍ୟରେ ମାନସିକ ସ୍ୱାସ୍ଥ୍ୟାବସ୍ଥା ସଜାଡ଼ିବା ଦିଗରେ ମନଗହନ ବର୍ଣ୍ଣନାକୁ ସାମୟିକ ଅଭ୍ୟାସ ରୂପେ ଗ୍ରହଣ କରାଯାଇପାରେ । ଏଥିଲାଗି ଦୈନିକ ଭିତ୍ତିରେ ନିର୍ଦ୍ଧାରିତ ସମୟ ଅବଧିରେ ଲିଖନ କାର୍ଯ୍ୟସୂଚ଼ୀ ଆୟୋଜନ ଆବଶ୍ୟକ । ଲେଖକ, ସାମ୍ୱାଦିକଙ୍କ ବ୍ୟତୀତ ଅନ୍ୟମାନେ କାେର୍ଯ୍ୟାପଲକ୍ଷେ ଲେଖା ଭିନ୍ନ ଅନ୍ୟ କିଛି ଲେଖିବାରେ ଅଭ୍ୟସ୍ତ ନଥାନ୍ତି । ସେମାନଙ୍କୁ ହଠାତ ମନକଥା ଲେଖିବା ଅସହଜ ବୋଧ ହୋଇପାରେ । ସାଧାରଣରେ ମନଗହନ ବର୍ଣ୍ଣନା ଲାଗି ଦୈନିକ ୨୦ ମିନଟ ବୈଠକ କ୍ରମାଗତଭାବେ ଚାରି ଦିନରେ ଗୋଟିଏ ଅଧିବେଶନ ସୀମିତ ରଖାଯାଇପାରେ ।
ପ୍ରତ୍ୟେକ ଦିନ ରଚନାର ବିଷୟବସ୍ତୁ ନିଜେ ହିଁ ଠିକ କରିବା, ଲେଖିଲାବେଳେ ଶବ୍ଦବିନ୍ୟାସ ଓ ବ୍ୟାକରଣ ଇତ୍ୟାଦିରେ ଭୁଲଭଟକା ପ୍ରତି ଧ୍ୟାନ ନଦେବା, ନିର୍ଦ୍ଦିଷ୍ଟ ସମୟସୀମାରେ ନିରବଚ୍ଛିନ୍ନ ଭାବେ ଲେଖିଚାଲିବା; ଏପରି କି ସ୍ଥଳବିଶେଷରେ ଅଳ୍ପ କିଛି ଲେଖିବା ପରେ ଅଧିକା ଲେଖିବା କଷ୍ଟକର ହେଲେ ୨୦ ମିନଟ ଧରି ପୂର୍ବଲିଖିତ ଅଂଶକୁ ପୁନର୍ବାର ନକଲ କରିଚାଲିବା ଏବଂ ଏହି ରଚନା ନିଜେ ଥରେ ପଢ଼ିବାପରେ ଚିରି ନଷ୍ଟ କରିଦେବା ଲାଗି ପରାମର୍ଶ ଦିଆଯାଇଥାଏ । ଦେଖାଯାଏ ଯେ ପ୍ରଥମେ ପ୍ରଥମେ ନିଜ ମନକଥା ଲେଖିସାରିବା ପରେ ଅଡୁଆ ବୋଧ ହୁଏ; କିନ୍ତୁ ଘଣ୍ଟାଏ ଦୁଇଘଣ୍ଟା ପରେ ଏହି ଅନୁଭବ ଦୂର ହୋଇଯାଏ ।
‘କୋଭିଡ଼-୧୯’ ମହାମାରୀ ସମସ୍ତଙ୍କ ଜୀବନରେ ସାମଗ୍ରିକଭାବେ ଏକ ଅପ୍ରୀତିକର ଅନୁଭୂତି । ବହୁ ବରିଷ୍ଠ ନାଗରିକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସ୍ଥଳବିଶେଷରେ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି ଓ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହୋଇଛନ୍ତି । ହୁଏତ ମାନସିକସ୍ତରରେ ଆବେଗ ଜମାଟ ବାନ୍ଧି ରହିଥିବ ଏବଂ ତାହା ପରିଷ୍କାର କରିବା ଆବଶ୍ୟକ ବିଚାର କରାଯାଇପାରେ । ପେନବାକେରଙ୍କ ମନଗହନ ବର୍ଣ୍ଣନା ଉପପାଦ୍ୟ ସରଳ, ଖର୍ଚ୍ଚବିହୀନ ଓ ସୁରକ୍ଷିତ । ଏହାକୁ ଡ଼ାଏରୀ ଲେଖା ବା ଦ୍ରୁତଗତିରେ ଚାଲିବା ଭଳି ବ୍ୟାୟାମ ସହ ତୁଳନା କରାଯାଇପାରେ । ଅତଏବ ଥରେ ପରୀକ୍ଷା କଲେ କ୍ଷତି କ’ଣ?


