ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଅର୍ନ୍ତଗତ ହାଟ ଗାଁ ଗ୍ରାମରେ ଏକ ବିଷଧର ସାପକାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନିରଞ୍ଜନ ମେଣ୍ଡଲୀ(୪୫) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ଘରେ ଶୋଇଥିବା ଅବସ୍ଥାରେ କୌଣସି ଏକ ବିଷଧର ସାପ ନିରଞ୍ଜନଙ୍କୁ କାମୁଡିଥିଲା। ସେଦିନ ଅନ୍ୟ ଏକ ଗାଁକୁ ଯାଇ ଗୁଣିଆ ପାଖରେ ଫୁଙ୍କାଝଡା ପରେ ମେଡିକାଲ ଚିକିତ୍ସା ପାଇଁ ଯିବା ପରିବର୍ତେ ଅବହେଳା ହୋଇ ସେ ଘରେ ରହିଯାଇଥିଲେ।ଏଭଳି ସାମାନ୍ୟତମ ଅବହେଳା ଯୋଗୁଁ ସୋମବାର ସକାଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ପଂହଚାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।
ସୂଚନା ଥାଉ କି, ବର୍ଷାଦିନେ ପ୍ରାୟତଃ ଅଧିକାଂଶ ଲୋକଙ୍କ ସାପ କାମୁଡାରେ ପ୍ରାଣହାନୀ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରତ୍ୟେକ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟି ସ୍ନେକ ଭେନମ ଇଞ୍ଜେକ୍ସନ ମହଜୁଦ୍ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତମାନ ବୌଦ୍ଧ ଜିଲ୍ଲାରେ ୧୩ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଇଞ୍ଜେକ୍ସନ ମହଜୁଦ୍ ଥିବା ବୌଦ୍ଧ ସିଡିଏମଓ ତ୍ରୀଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ସାପକାମୁଡାରେ ଆଘାତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସିଧାସଳଖ ମେଡିକାଲ ପଂହଚା ଯାଇପାରିଲେ ଆଣ୍ଟି ସ୍ନେକ ଭେନମ ଇଞ୍ଜେକ୍ସନ ଚିକିତ୍ସା ଦ୍ୱାରା ସର୍ପାଘାତ ମୃତ୍ୟୁରୁ ଜୀବନ ରକ୍ଷା କରାଯାଇ ପାରିବ ବୋଲି କହିଥିଲେ। ବିଶେଷକରି ସାପକାମୁଡାର ୨ଘଂଟା ସବୁଠାରୁ ମୂଲ୍ୟବାନ ସମୟ ହୋଇଥିବାରୁ ଆଘାତ ବ୍ୟକ୍ତି ସାମାନ୍ୟତମ ବିଳମ୍ବ ନକରି ମେଡିକାଲରେ ପଂହଚିବା ଜରୁରୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି ଏବଂ ସାପ କାମୁଡା ଔଷଧ ଆମ ପାଖରେ ମହଜୁଦ୍ଥିବା କହିଛନ୍ତି।



