www.samajalive.in
Monday, December 8, 2025
14.1 C
Bhubaneswar

କିଏ କହୁଛି ସତ – ପୁଲିସ, ରୁପେଶ, ସୁଶୀଲ ନା ମହିଳା କମିଶନ?

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ ଆଇନ କାନୁନ କେବଳ କାଗଜ କଲମରେ ସୀମିତ ରହିଛି, ପ୍ରକୃତ ପକ୍ଷେ କାହା ସ୍ୱାର୍ଥରେ ମହିଳା ସୁରକ୍ଷା ବ୍ୟବସ୍ଥା ଜାଣିବା ମୁସ୍କିଲ। ସମ୍ପ୍ରତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ‘ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ’ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ହତ୍ୟା ନା ଆତ୍ମହତ୍ୟା? ଘଟଣାରେ ଜଣେ ନା ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି? ଏମିତି ଅନେକ ପ୍ରଶ୍ନ ଅସମାହିତ ରହିଥିବା ବେଳେ ଆଜି (ମଙ୍ଗଳବାର) ମୃତକ ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ରାଜ୍ୟ ମାନବାଧିକାର କମିଶନ ଏବଂ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ରୋକଠୋକ କହିଛନ୍ତି, ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଏକ ହତ୍ୟାକାଣ୍ଡ। ଅନ୍ୟ ପକ୍ଷରେ ଏହି ଘଟଣାରେ ପ୍ରଥମରୁ ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେପି ଗତକାଲି ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦେଇଥିବା ବେଳେ ଦଳର ଆଗ ଧାଡ଼ିର ନେତ୍ରୀ ଲେଖାଶ୍ରୀ ମଧ୍ୟ ପୁଲିସ ଭୂମିକା ସନ୍ଦେହ ଜନକ ବୋଲି କହିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଓ ଆଜି ସୁଶୀଲଙ୍କ ସହ ମଧ୍ୟ ଲେଖାଶ୍ରୀ ମହିଳା କମିଶନଙ୍କ ପାଖକୁ ଯାଇ ଖୋଦ କମିଶନଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି।

ଆଜି ଏକ ଘଟଣାକ୍ରମରେ ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ଓ ବିଜେପି ନେତ୍ରୀ ଲେଖାଶ୍ରୀ ମହିଳା କମିଶନକୁ ଯାଇଥିବା ବେଳେ ସେଠାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ଲେଖାଶ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡିଛି। ସ୍ତ୍ରୀଙ୍କ ପାଇଁ ନ୍ୟାୟ ଭିକ୍ଷା କରି ସୁଶୀଲ ତାଙ୍କ ସ୍ତ୍ରୀକୁ ହତ୍ୟା କରାଯାଇଥିବା କହିଛନ୍ତି। ସେ କହିଛନ୍ତି ଯେ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନାରେ ଅଧିକ ପରିମାଣର କମିଶନ ଦାବି କରିବା ସହ ସରପଂଚଙ୍କ ସ୍ୱାମୀ ରୁପେଶ ତାଙ୍କ ସ୍ତ୍ରୀଙ୍କୁ ନିୟମ ବହିର୍ଭୁତ କାର୍ଯ୍ୟ କରିବା ପାଇଁ ଚାପ ପକାଇଥିଲେ। ଏହି ଘଟଣାରେ ଯାଜପୁର ପୁଲିସର ମନ ଗଢା କାହାଣୀକୁ ପ୍ରତ୍ୟାଖାନ କରି ସେ ପୁଣି ଥରେ ଘଟଣାର ତଦନ୍ତ ଦାବି କରିଛନ୍ତି।

- Advertisement -

ସୁଶୀଲ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି ଯେ ପୁଲିସ ତାଙ୍କ ସ୍ତ୍ରୀର ଚାକିରୀ ଜୀବନକୁ ତଦନ୍ତ ନକରି ବ୍ୟକ୍ତିଗତ ଜୀବନକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଘଟଣାରେ ରାଜ୍ୟ ମହିଳା କମିଶନ ଯାଜପୁର ଯାଇ କମିଶନ ତଦନ୍ତ କରିଛନ୍ତି । ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ ଏବଂ ଆବଶ୍ୟକ ହେଲେ ପୁଣି ଥରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ଅକ୍ଟୋବର ୧୬ରେ ଭତ୍ତା ବାଣ୍ଟି ସାରିବା ପରେ ସ୍ମିତାରାଣୀ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା କିନ୍ତୁ ପୁଲିସ ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ୱାମୀ ରୁପେଶ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ଏହାର ମୂଳ କାରଣ ବୋଲି କହିଥିଲା। ପରେ ରୁପେଶକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ମିତାଙ୍କ ବାପା ଏଭଳି ସମ୍ପର୍କକୁ ଅସ୍ବୀକାର କରିବା ସହ ତାଙ୍କ ଝିଅ ଦୃଢ ମନୋବଳ ସମ୍ପନ୍ନ ଥିଲା ଓ ସେ କେବେ ଆତ୍ମହତ୍ୟା ଭଳି ବାଟ ଆପଣେଇବ ନାହିଁ ବୋଲି କହିଥିଲେ। ଅନ୍ୟ ପକ୍ଷରେ ସରପଞ୍ଚ ତଥା ରୁପେଶଙ୍କ ପତ୍ନୀ ମଧୁସ୍ମିତା ଭଦ୍ର ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି।

ଘଟଣାର ଅନ୍ତରାଳେ…
ମୃତ ସ୍ମିତାରାଣୀଙ୍କ ବାପଘର ବରିରେ ହୋଇଥିବା ବେଳେ ବ୍ଲକରେ କାର୍ଯ୍ୟ କରୁଥିବା ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ କିଛି ବର୍ଷ ହେବ ସପରିବାରେ ଜାରକାରେ ରହୁଛନ୍ତି। ସରପଞ୍ଚଙ୍କ ସ୍ୱାମୀ ରୁପେଶଙ୍କ ଭାଉଜ ଓ ସ୍ମିତାରାଣୀଙ୍କ ପରିବାର ଦୂର ସମ୍ପର୍କୀୟ ବୋଲି ଜଣାପଡିଛି। ପରେ ସ୍ମିତାରାଣୀ ୫/୬ ବର୍ଷ ହେବ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭାବେ ଯୋଗ ଦେବା ପରେ ସରପଞ୍ଚ ମଧୁସ୍ମିତା ଭଦ୍ର, ତାଙ୍କ ସ୍ୱାମୀ ରୁପେଶ ଭଦ୍ର ଓ ସ୍ମିତାରାଣୀଙ୍କ ପରିବାର ଅଧିକ ନିକଟତର ହୋଇଥିଲେ। ବିଭିନ୍ନ ସମୟରେ ଉଭୟ ପରିବାର ସାଥି ହୋଇ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଥିଲେ ବୋଲି ନିକଟ ସମ୍ପର୍କୀୟମାନେ କହିଛନ୍ତି। ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ ତାଳଚେରର ଏକ କମ୍ପାନୀରେ ଇଞ୍ଜିନିଅର ଭାବେ କାର୍ଯ୍ୟ କରନ୍ତି। ସ୍ମିତାରାଣୀ ଜଣେ ଭଲ ଝିଅ, ବୋହୁ ଓ ଅତି ସ୍ନେହୀ ମଣିଷ ଥିଲେ ବୋଲି ଗ୍ରାମବାସୀମାନେ କହିଛନ୍ତି। ସେମାନେ ସ୍ମିତାରାଣୀଙ୍କ ରୁପେଶ ସହ ଖରାପ ସମ୍ପର୍କ କଥାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସ୍ମିତାରାଣୀ ଉପର ଘରକୁ ଯିବା ଓ ଦୀର୍ଘ ସମୟ ନ ଫେରିବା ଦୃଷ୍ଟିରୁ ତଳ ଘରେ ଥିବା ରୁପେଶ ଭଦ୍ର ଓ ଅନ୍ୟ ଚାରି ଜଣ କାହିଁକି ଖୋଜିଲେ ନାହିଁ? ସ୍ମିତାରାଣୀ ଖଟ ଉପରେ ଷ୍ଟୁଲ ପକାଇ ତା ଉପରେ ଚଢି ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଷ୍ଟୁଲ ତଳ ନ ପଡି କିଭଳି ସ୍ଥିର ରହିଲା? ତେବେ ଅନ୍ୟ ଏକ କାରଣ ଅନୁଯାୟୀ, ପଞ୍ଚାୟତକୁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ଉଠାଣ ପାଇଁ ଉଭୟ ସରପଞ୍ଚ ଓ ପିଇଓଙ୍କ ଦସ୍ତଖତ ଆବଶ୍ୟକ ତେଣୁ ସ୍ମିତାରାଣୀଙ୍କୁ ଦସ୍ତଖତ ପାଇଁ ବାଧ୍ୟ କରାଯାଇଥିବା ଓ ସେ ମନା କରିବାରୁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories