ବଜେଟ ଖର୍ଚ୍ଚ ମାନ୍ଦା : ପଛରେ ପଡ଼ିଛନ୍ତି ପ୍ରମୁଖ ବିଭାଗ

ଡିସେମ୍ବର ସୁଦ୍ଧା ବ୍ୟୟ : ପଞ୍ଚାୟତିରାଜ ୩୭%, ଗ୍ରାମ୍ୟ ଉନ୍ନୟନ ୪୦%, ବୃହତ ଉଠା ଜଳସେଚନ ୩୮%

ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସମ୍ପଦ ବିଭାଗ ପାଇଁ ବଜେଟରେ ଥିବା ବ୍ୟୟବରାଦ ଠିକଣା ଭାବେ ଖର୍ଚ୍ଚ ହୋଇପାରି ନାହିଁ। ଆର୍ଥିକ ବର୍ଷର ତୃତୀୟ ତୈ- ମାସିକ ସୁଦ୍ଧା ମୋଟ ବଜେଟ ବ୍ୟୟବରାଦର ୬୦ପ୍ରତିଶତ ଖର୍ଚ୍ଚ କରିବାକୁ ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିୟମାବଳି ଜାରି କରାଯାଇଥିବା ସତ୍ତ୍ୱେ ଏଥିରେ ବ୍ୟତିକ୍ରମ ଘଟୁଥିବା ଲକ୍ଷ୍ୟ କରାଯାଉଛି। ୨୦୨୧-୨୨ ଆର୍ଥିକ ବର୍ଷର ଜାନୁଆରୀ ସୁଦ୍ଧା ରାଜ୍ୟର ପ୍ରମୁଖ ବିଭାଗଗୁଡ଼ିକ ମଧ୍ୟରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମୋଟ ବ୍ୟୟବରାଦର ମାତ୍ର ୩୭ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ୪୦ ପ୍ରତିଶତ ଏବଂ ବୃହତ ଉଠାଜଳସେଚନ ବାବଦରେ ଜଳସମ୍ପଦ ବିଭାଗର ମାତ୍ର ୩୮ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ନିକଟରେ ଅନୁଷ୍ଠିତ ଉଚ୍ଚ ଶକ୍ତିସମ୍ପନ୍ନ କମିଟି ବୈଠକରେ ଏଥିନେଇ ଉନ୍ନୟନ ଆୟୁକ୍ତ କ୍ଷୋଭ ପ୍ରକାଶ କରିବା ସହିତ ବଜେଟ ବ୍ୟୟବରାଦ ଖର୍ଚ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଓ ନିର୍ମାଣାଧୀନ ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବିଶେଷକରି ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଆରଆଇଡ଼ିଏଫ) ବାବଦରେ ବିଭିନ୍ନ ପ୍ରକଳ୍ପ ପାଇଁ ମିଳିଥିବା ଅର୍ଥ ଖର୍ଚ୍ଚ କରିବାର ଅବଧି ୨୦୨୨ ମାର୍ଚ୍ଚ ସୁଦ୍ଧା ଶେଷ ହେଉଥିବାରୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କୁହାଯାଇଛି।
ଉଚ୍ଚ କ୍ଷମତା ସମ୍ପନ୍ନ କମିଟିରେ ୪୦୮୮କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯିବା ସହିତ ଉନ୍ନୟନ ଆୟୁକ୍ତଙ୍କ ମଞ୍ଜୁରି କ୍ରମେ ନାବାର୍ଡ଼କୁ ପଠାଯାଇଛି। ଏହାଛଡ଼ା ଆରଆଇଡ଼ିଏଫ ବାବଦରେ ୩୭ଟି ନୂତନ ପ୍ରକଳ୍ପ ପାଇଁ ୨୫କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପାଣ୍ଠିରେ ତୁଷରା-ଗୁଡ଼ଭେଲା ରାସ୍ତାର ତେଲ ସେତୁର ଦକ୍ଷିଣ ପାର୍ଶ୍ବ ସଂଯୋଗୀ ରାସ୍ତା ନିର୍ମାଣ ସହିତ ନାବାର୍ଡ଼ ସହାୟତାରେ କଳାହାଣ୍ଡି ଜିଲାର ଧର୍ମଗଡ଼-ଗୋଲମୁଣ୍ଡା-ସିନିପାଲି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।
ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ବୃହତ ଉଠା ଜଳସେଚନ ପ୍ରକଳ୍ପ(ମେଗା ଲିଫ୍ଟ ପ୍ରୋଜେକ୍ଟ) ସମୀକ୍ଷାରୁ ଜଣାପଡ଼ିଛି ଯେ ରାଜ୍ୟରେ ୭,୪୯୫କୋଟି ଟଙ୍କା ବିନିଯୋଗରେ ୬ଟି ପର୍ଯ୍ୟାୟରେ ୨୦୮ଟି ମେଗାଲିଫ୍ଟ ଯୋଜନା ହାତକୁ ନିଆଯାଇଛି। ୨୦୨୧ ଡିସେମ୍ବର ସୁଦ୍ଧା ସେଥିରୁ ୧୭୦ଟି ସମ୍ପୂର୍ଣ୍ଣ ହୋଇପାରିଛି। ଏହାଦ୍ୱାରା ୨,୦୮,୩୨୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି ହୋଇପାରିଛି। ଅବଶିଷ୍ଟ ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରହିଛି।
ବୃହତ ଉଠାଜଳସେଚନ ବାବଦରେ ୫୨୧କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟବରାଦ ହୋଇଥିବାବେଳେ ଗତ ଡ଼ିସେମ୍ବର ଶେଷ ସୁଦ୍ଧା ମାତ୍ର ୪୮ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ତେଣୁ ତୁରନ୍ତ ପାଣ୍ଠି ବିନିଯୋଗ କରିବା ଓ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ସୁଦ୍ଧା ୪୧ଟି ଯୋଜନା ସମ୍ପୂର୍ଣ୍ଣ ହୋଇଛି ଏବଂ ଅତିରିକ୍ତ ୫୩,୧୪୨ହେକ୍ଟର ଜଳସେଚନ ସୁଯୋଗ ସୃଷ୍ଟି କରାଯାଇପାରିଛି। ଅବଶିଷ୍ଟ ୩୮ଟି ନିର୍ମାଣାଧୀନ ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି। ଆଗାମୀ ରବି ଋତୁ ପାଇଁ ୪୦ହଜାର ହେକ୍ଟରକୁ ଜଳସେଚନ ପାଇଁ ଯୋଜନା କରାଯାଇଛି। ଆର୍ଥିକ ବର୍ଷ ଶେଷ ହେବାକୁ ହାତରେ ଆଉ ମାତ୍ର ୩ ମାସ ଥିବାବେଳେ ବଜେଟ ବ୍ୟୟବରାଦର ପ୍ରାୟ ୫୦% ଅର୍ଥ କିପରି ଖର୍ଚ୍ଚ ହେବ ସେଥିନେଇ ସଂଶୟ ଦେଖାଦେଇଛି। ତେବେ କୋଭିଡ କାଳରେ ଖର୍ଚ୍ଚ ମାନ୍ଦା ଥିବାରୁ ଏବେ ଏହାକୁ ତ୍ବରାନ୍ବିତ କରାଯାଉଛି।

Comments are closed.