ସିଙ୍ଗଲ୍‌ ୱିଣ୍ଡୋରେ ୫ ପ୍ରକଳ୍ପକୁ ମଞ୍ଜୁରି

0

ଭୁବନେଶ୍ୱର:ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ନେଇ ସରକାରଙ୍କ ଏକକ ବାତାୟନ କମିଟି ବୁଧବାର ୫ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏଥିରେ ୧୫୦୮କୋଟି ଟଙ୍କାରେ ଆଲୁମିନିୟମ, ହସ୍ତତନ୍ତ ଓ ତୈଳ ଉତ୍ପାଦନ ପ୍ରକଳ୍ପ ରହିଛି। ୨୧୫୫ଜଣଙ୍କୁ ଆସନ୍ତା ୨ବର୍ଷ ମଧ୍ୟରେ ନିଯୁକ୍ତି ଦେବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି।
ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କ ସୂଚନା ଅନୁଯାୟୀ ଭଦ୍ରକରେ ପଲିଷ୍ଟର ଉତ୍ପାଦନ ଲାଗି ୩୨୪.୦୦୦ଟିପିଏର ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ। ପୂର୍ବ ଭାରତରେ ହେବାକୁ ଥିବା ଏହି ପାର୍କର ୯୭୬କୋଟି ଟଙ୍କାର ବିନିଯୋଗ ହେବାକୁ ଥିବାବେଳେ ୧୮୫ଜଣ ନିଯୁକ୍ତି ପାଇବେ। ସେହିପରି ଅନୁଗୋଳଠାରେ ପ୍ରସ୍ତାବିତ ୨୦୦କୋଟି ଟଙ୍କାର ଆଲୁମିନିୟମ ପାର୍କରେ ୫୦୦ଜଣ ନିଯୁକ୍ତି ପାଇବାକୁ ଥିବାବେଳେ ଖୋର୍ଦ୍ଧା ଇନ୍‍ଷ୍ଟାଣ୍ଟ ପାସ୍ଟା ପ୍ରକଳ୍ପରେ ୭୧କୋଟି ଟଙ୍କା ବିନିଯୋଗରେ ୩୦୦ଜଣଙ୍କୁ ନିଯୁକ୍ତି, ଡେରାଶସ୍ଥିତ ଫୁଡପାର୍କରେ ଶୀତଳଭଣ୍ଡାର ଲାଗି ୬୨କୋଟି ଟଙ୍କା ଖର୍ଚ୍ଚରେ ୨୫୦ଜଣଙ୍କୁ ନିଯୁକ୍ତି ଲାଗି ଲକ୍ଷ୍ୟ ରଖାଯାଇଛି। ବୈଠକରେ ୧୨ଟି ପ୍ରକଳ୍ପ ଅନୁମୋଦନ ପାଇର୍ ରହିଥିଲା ବେଳେ ଏହି ୫ଟିକୁ ମଞ୍ଜୁର ମିଳିଛି। ଏହାସହିତ ଶୁଗୁଣା ଫୁଡ ପାର୍କ ତା’ର ସ୍ଥାନ ପରିବର୍ତ୍ତନ କରାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକରେ ଉନ୍ନୟନ କମିଶନର ଆର୍‍ ବାଲକ୍ରିଷ୍ଣନ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply