www.samajalive.in
Wednesday, December 10, 2025
14.1 C
Bhubaneswar

ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା

ବେରୁଟ: ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଉତ୍ତେଜନା ଜୋର ଧରିଛି। ଲେବାନନ୍‌ସ୍ଥିତ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ଶନିବାର ରାତିରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ହେଜବୋଲ୍ଲା ମାଡ କରିଥିବା ଅଧିକାଂଶ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ନଷ୍ଟ କରିଦେଇଛି। ତେବେ ହେଜବୋଲ୍ଲାର ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ବଡ ପଦକ୍ଷେପ ନେବାର ଆଶଙ୍କା ରହିଛି। ଇସ୍ରାଏଲ ଯଦି ପ୍ରତିଆକ୍ରମଣ କରେ ତେବେ ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ହେବ। ଲେବାନନ୍‌ ସହ ଅନେକ ରାଷ୍ଟ୍ର ଏଥିରେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ। ଏହା ପୂର୍ବରୁ ଇସ୍ରାଏଲ ଉପରେ ଆକ୍ରମଣ ଲାଗି ଇରାନ ଧମକ ଦେଇସାରିଛି। ହମାସ ମୁଖ୍ୟ ଇସ୍‌ମାଇଲ ହାନିୟାକୁ ହତ୍ୟା କରାଯିବାର ପ୍ରତିଶୋଧ ନେବାକୁ ଇରାନ ଓ ଲେବାନନ୍‌ ଧମକ ଦେଇଥିଲେ। ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ଆକ୍ରମଣକୁ
ଓହ୍ଲାଇଥିବାବେଳେ ଆଗାମୀ ଦିନରେ ଇରାନ ଏଥିରେ ଯୋଗଦେବା ନିଶ୍ଚିତ।

ଏପରିକି ରବିବାର ବିଳମ୍ବିତ ରାତିରେ ଇରାନ ଆକ୍ରମଣକୁ ଓହ୍ଲାଇବାର ଆଶଙ୍କା ରହିଥିବା ଆମେରିକା ଓ ଇସ୍ରାଏଲର ଅଧିକାରୀମାନେ କହିଛନ୍ତି। ତେଣୁ ଇସ୍ରାଏଲ ଏବେ ତ୍ରିମୁଖୀ ଯୁଦ୍ଧର ସମ୍ମୁଖୀନ ହେବାକୁ ଯାଉଛି। ଇସ୍ରାଏଲ ଏକକାଳୀନ ଇରାନ, ଲେବାନନ୍ ଓ ପାଲେଷ୍ଟାଇନର ହମାସକୁ ମୁକାବିଲା କରିବ। ହମାସ ସହିତ ଇସ୍ରାଏଲର ଯୁଦ୍ଧ ଲାଗି ରହିଥିବାବେଳେ ଏବେ ଇରାନ ଓ ଲେବାନନ୍‌ ସହିତ ନୂଆ ଯୁଦ୍ଧ ଆରମ୍ଭ ହେବ। ଇରାନ ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ସହିତ ଯୁଦ୍ଧ କରିବାକୁ ଇସ୍ରାଏଲ ପ୍ରସ୍ତୁତ ଥିବା ପୂର୍ବରୁ ଘୋଷଣା କରିଛି। ତେଣୁ ଯୁଦ୍ଧ କରିବାରେ ଇସ୍ରାଏଲ କେବେହେଲେ ପଛଘୁଞ୍ଚା ଦେବ ନାହିଁ। ହମାସ ଭଳି ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ଇରାନ ସାମରିକ ଓ ଅନ୍ୟାନ୍ୟ ସହଯୋଗ କରିଆସୁଛି। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବାକୁ ହେଜବୋଲ୍ଲା ସ୍ବୀକାର କରିଛି। ହେଜବୋଲ୍ଲାର ଜଣେ ବରିଷ୍ଠ କମାଣ୍ଡର କହିଛି ​‌େ​‌ଯ ସେମାନେ ମାଡ କରିଥିବା କ୍ଷେପଣାସ୍ତ୍ର ଇସ୍ରାଏଲର ​‌ମୋସାଭ ବେଟ୍ ହିଲେଲ୍‌ରେ ପଡିଛି। ଏଥିରେ କେତେକ ସାଧାରଣ ଜନତା ଆହତ ହୋଇଛନ୍ତି।

- Advertisement -

ହେଜବୋଲ୍ଲା କହିଛି ଯେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡର ପ୍ରତିଶୋଧ ନେବାକୁ ଏହି ଆକ୍ରମଣ କରାଯାଇଛି। ଲେବାନନ୍‌ର କାଫର କେଲା ଓ ଡେର ସିରିଏନ୍‌ରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରେ ହେଜବୋଲ୍ଲାର ବରିଷ୍ଠ କମାଣ୍ଡର ଫଏଦ ସୁକରଙ୍କ ମୃତ୍ୟୁ ହୋଇଥିଲା। ଇସ୍ରାଏଲ ଉପରେ ହେଜବୋଲ୍ଲା ଆକ୍ରମଣ ଆରମ୍ଭ କରିଥିବାବେଳେ ରବିବାର ରାତି (ସୋମବାର) ଇରାନ ଏହାର ଆକ୍ରମଣ ଆରମ୍ଭ କରିବା ଆଶଙ୍କା ରହିଛି। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଇରାନ ଏହାର ଆକ୍ରମଣ ଧମକରୁ ପଛଘୁଞ୍ଚା ଦେଇପାରେ।
ଇସ୍ରାଏଲ କହିଛି ଯେ ହେଜବୋଲ୍ଲା ମାଡ କରିଥିବା ଅଧିକାଂଶ କ୍ଷେପଣାସ୍ତ୍ରକୁ ଏହାର ଡୋମ୍ ସିଷ୍ଟମ୍ ନଷ୍ଟ କରିଦେଇଛି। ଅଳ୍ପ କେତେକ କ୍ଷେପଣାସ୍ତ୍ର ବେଇଟ୍ ହିଲେଲ୍‌ରେ ପଡିଥିବାରୁ ଏଥିରେ ଅନେକ କ୍ଷତିଗ୍ରସ୍ତ ହୋଇଛି।

ଇସ୍ରାଏଲ ତ୍ରିମୁଖୀ ଯୁଦ୍ଧର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ଆମେରିକା ଏହାକୁ ସହାୟତା ଯୋଗାଇଛି। ମଧ୍ୟପ୍ରାଚ୍ୟରେ ଆମେରିକା ଏହାର ସାମରିକ ଉପସ୍ଥିତିକୁ ବଢାଇଛି। ଆମେରିକା ଏହାର ଯୁଦ୍ଧବିମାନବାହୀ ଯୁଦ୍ଧଜାହାଜ ଆବ୍ରାହମ୍ ଲିଙ୍କନକୁ ମଧ୍ୟପ୍ରାଚ୍ୟରେ ମୁତୟନ କରିଛି। ଏହା ସହିତ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସଂଯୁକ୍ତ ଯୁଦ୍ଧଜାହାଜ ଓ ଯୁଦ୍ଧବିମାନକୁ ଏଠାକୁ ପଠାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନାକୁ ଦେଖି ଆମେରିକା ସମେତ ବ୍ରିଟେନ, ଫ୍ରାନ୍ସ, କାନାଡା, ଭାରତ, ଜୋର୍ଡାନ ଆଦି ରାଷ୍ଟ୍ର ନିଜ ନିଜ ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ଏହିସବୁ ଦେଶ ସେମାନଙ୍କ ନାଗରିକଙ୍କୁ ଲେବାନନ୍‌ ଛାଡି ଚାଲିଆସିବାକୁ ପରାମର୍ଶ ଦେଇଛି।

କେନ୍ଦ୍ର ଇସ୍ରାଏଲ୍‌ର ହୋଲୋନରେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇଜଣ ନାଗରିକ ପ୍ରାଣ ହରାଇଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଇସ୍ରାଏଲର ଜରୁରୀ ସେବା ସଂସ୍ଥା ମାଜେନ ଡାଭିଡ୍ ଆଡୋମର କହିବା ଅନୁଯାୟୀ ରବିବାର ସକାଳେ ଆତଙ୍କବାଦୀ ଜଣଙ୍କ ଛୁରିରେ ୪ଜଣଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ଜଣେ ୮୦ବର୍ଷୀୟ ବୃଦ୍ଧ ଓ ୬୬ ବର୍ଷୀୟା ବୃଦ୍ଧା ପ୍ରାଣ ହରଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ବୃଦ୍ଧା ଜଣଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ବୃଦ୍ଧ ଜଣଙ୍କ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ହୋଲୋନ ସହରର ଦୁଇଟି ସ୍ଥାନରେ ଏହି ଆକ୍ରମଣ ଘଟିଥିଲା। ଆତଙ୍କବାଦୀ ଜଣଙ୍କ ପୁଲିସ ଗୁଳିରେ ପ୍ରାଣ ହରାଇଛି। ମୃତ ଆତଙ୍କବାଦୀ ହେଉଛି ଅମର ରଜାକ କାମେଲ ଓଡେହ (୩୫)। ସେ ପାଲେଷ୍ଟାଇନର ନାଗରିକ ହୋଇଥିବାବେଳେ ତା’ ପାଖରେ ଇସ୍ରାଏଲ ବାସସ୍ଥାନର ପ୍ରମାଣପତ୍ର ନାହିଁ।

ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଉତ୍ତେଜନା ଦେଖାଯାଇଥିବାବେଳେ ହମାସ ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧକ୍ରମରେ ରବିବାର ଗାଜାରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ଗାଜାର ଏକ ସ୍କୁଲ ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିବାରୁ ହମାସ ଆତଙ୍କବାଦୀ ସଂଗଠନର ଜଣେ ସ୍ଥାନୀୟ କମାଣ୍ଡର ସହିତ ୯ ଆତଙ୍କବାଦୀ ଓ ଅନ୍ୟ ୬ଜଣ ପ୍ରାଣ ହରାଇଛନ୍ତି। ହମାସ କହିଛି ଯେ ଇସ୍ରାଏଲ ଆକ୍ରମଣରେ ଏହାର ୱେଷ୍ଟବ୍ୟାଙ୍କର ତୁଲ୍‌କଆର୍ମସ୍ଥିତ ବ୍ରିଗେଡ କମାଣ୍ଡର ପ୍ରାଣ ହରାଇଛି। ଇସ୍ରାଏଲ ସେନା କହିଛି ଯେ ଗାଜାର ୱେଷ୍ଟବ୍ୟାଙ୍କରେ ଆତଙ୍କବାଦ ନିରୋଧ ଅଭିଯାନ ଲାଗି କ୍ଷେପଣାସ୍ତ୍ର ମାଡ କରାଯାଇଥିଲା। ସ୍କୁଲରେ ଆତଙ୍କବାଦୀମାନେ ସେମାନଙ୍କ ଶିବିର ଖୋଲି ଆକ୍ରମଣ ଯୋଜନା ଚଳାଇଥିଲେ। ତେଣୁ ଏହାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories