ଟିଟିଲାଗଡ଼: ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଥିବା ମହିଳାଙ୍କ ସଶକ୍ତି କରଣ ନେଇ “ମିଶନ ଶକ୍ତି” ଯୋଜନାରେ ବିଗତ କିଛି ବର୍ଷ ଧରି ପ୍ରୟାସ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ପୌରାଂଚଳ, ବିଜ୍ଞାପିତ ପରିଷଦ ତଥା ବ୍ଲକ ମୂଖ୍ୟାଳୟରେ ସ୍ୱତନ୍ତ୍ର ମହିଳା ହାଟ ପ୍ରତିଷ୍ଠା ହେବ। ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳି କ୍ଷେତ୍ରରୁ ଏହା ଶୁଭାରମ୍ଭ ହେବ। ଆସନ୍ତା ୩୧ତାରିଖରେ ମନ୍ତ୍ରୀ ଶ୍ରୀମତି ସାହୁ ତଥା ବିଭାଗୀୟ ଉଚ୍ଚ ଅଧିକାରୀ, ବଲାଙ୍ଗିର ଜିଲାପାଳଙ୍କ ଉପସ୍ଥିତିରେ ଏସଏଚଜି ହାଟ ଟିଟିଲାଗଡ ଠାରେ ଉଦଘାଟନ ହେବ। ଏନେଇ ସ୍ଥାନୀୟ ପୌର ପରିଷଦ ସଭା ଗୃହରେ ଉପଜିଲାପାଳ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମହିଳା ଗୋଷ୍ଠି ପ୍ରତିନିଧି, ସରକାରି ଅଧିକାରୀ, ବ୍ୟାଙ୍କ ପ୍ରତିଷ୍ଠାନ ପ୍ରତିନିଧି, ବ୍ୟବସାୟୀ ପ୍ରତିନିଥି, ବୁଦ୍ଧିଜୀବୀଙ୍କ ଗହଣରେ ଏନେଇ ପୁର୍ଣ୍ଣାଙ୍ଗ ଆଲୋଚନା ହୋଇଛି। ପୌର ନିର୍ବାହି ଅଧିକାରୀ ସନ୍ତୋଷ ବେହେରା ସଭାରେ ସମସ୍ତ ମହିଳା ଗୋଷ୍ଠି ନିଜ ଉତ୍ପାଦନ ବିକ୍ରୟ ପାଇଁ ପ୍ରତ୍ୟେକ ଶୁକ୍ରବାର ହାଟ ବସିବ। ପୌର ପରିଷଦ ଅନ୍ତର୍ଗତ ୨୫୦ଟି ମହିଳା ଗୋଷ୍ଠି ତଥା ୧୦ ଗୋଟି ମହାସଂଘ ଏହି ହାଟରେ ସାମିଲ ହେବେ। ସ୍ଥାନୀୟ ଗୋବପନ୍ଧୁ ପାର୍କ ପରିସରରେ ସପ୍ତାହକୁ ପ୍ରତି ଶୁକ୍ରବାର ହାଟ ବସିବ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ୟ୍ୟନ୍ତ ହାଟ ବସିବ। ହାଟ ସଫଳ ହେଲେ ଏହାକୁ ସପ୍ତାହକୁ ଦୁଇ ଥର ବସିବାକୁ ବ୍ୟବସ୍ଥା କରାଯିବ। ଏନେଇ ମହିଳା ଗୋଷ୍ଠିଙ୍କୁ ମଜଭୁତ କରିବା ପାଇଁ ବ୍ୟାଙ୍କ ଋଣ, ଉତ୍ପାଦକ ଗୋଷ୍ଠିଙ୍କ ଠାରୁ ସ୍ୱଲ୍ପ ଦରରେ ମାଲ କ୍ରୟ, ପରିବହନ ସୁବିଧା ଆଦି ପ୍ରଦାନ କରାଯିବ। ବଜାରରେ ବ୍ୟାପକ ପୁଲିସ ସୁରକ୍ଷା, ପାନୀୟ ଜଳ ବ୍ୟବସ୍ଥା, ଶୋଚାଳୟ, ପଲିଥିନ ମୁକ୍ତ ବ୍ୟବସ୍ଥା କରାଯିବ।
Popular Categories



