ପ୍ରତି ଜିଲାରେ ସରିଆ ଅଦାଲତ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ

0

ନୂଆଦିଲ୍ଲୀ : ଦେଶର ପ୍ରତି ଜିଲାରେ ସରିୟା ଅଦାଲତ ବା ଦରୁଲ କ୍ୱାଜା ପ୍ରତିଷ୍ଠା ପାଇଁ ମୁସଲମାନ ସଂଗଠନ ଅଲ୍‍ ଇଣ୍ଡିଆ ମୁସଲିମ୍‍ ପର୍ସୋନାଲ ଲ’ ବୋର୍ଡ (ଏଆଇଏମ୍‍ପିଏଲବି)ର ନିଷ୍ପତ୍ତିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି.ପି ଚୌଧୁରୀ ଏ ସମ୍ପର୍କରେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଏବଂ ଆଇନତଃ ଅସମ୍ଭବ। ଏଆଇଏମ୍‍ପିଏଲବିର ଏଭଳି ଧାର୍ମିକ ଅଦାଲତ ଖୋଲିବା କ୍ଷମତା ନାହିଁ। ଏଭଳି ଏକ ଅବାସ୍ତବ ପ୍ରସ୍ତାବ ସମ୍ପର୍କରେ ବିତର୍କ ସର୍ବାଦୌ ଅନାବଶ୍ୟକ। ସୂଚନାଯୋଗ୍ୟ କି ମୁସଲମାନ ସମ୍ପ୍ରଦାୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ଭାବେ ପରିଚିତ ଏହି ସଂଗଠନ ଦୁଇ ଦିନ ପୂର୍ବେ ନିଜ ସମ୍ପ୍ରଦାୟର ବିଭିନ୍ନ ମାମଲାର ବିଚାର ପାଇଁ ପ୍ରତି ଜିଲାରେ ଇସ୍‍ଲାମିକ ଆଇନ ଆଧାରି ଏଭଳି ଅଦାଲତ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଘୋଷଣା କରିଥିଲା। ସମ୍ପ୍ରତି କେବଳ ଉତ୍ତରପ୍ରଦେଶରେ ଏହି ଧରଣର ୪୦ଟି ଅଦାଲତ କାର୍ଯ୍ୟକ୍ଷମ ରହିଛି। ବିଜେପି ନେତ୍ରୀ ତଥା ବିଶିଷ୍ଟ ଆଇନଜୀବୀ ମିନାକ୍ଷୀ ଲେକ୍ଷୀ ମଧ୍ୟ ମୁସଲିମ ସଂଗଠନର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ସିଆ ୱକଫ୍‍ ବୋର୍ଡର କର୍ମକର୍ତ୍ତା ୱାସିମ ରିଜ୍‍ଭି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ଦେଶରେ ସରିଆ ଅଦାଲତର କୌଣସି ସ୍ଥାନ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply