Patra electronics

ଭାରତ ଗସ୍ତ ପୂର୍ବରୁ ବାଂଲାଦେଶକୁ ଝଟକା, ସାକିବଙ୍କୁ ୨ ବର୍ଷ ବ୍ୟାନ୍‍ କଲା ଆଇସିସି

ଦୁବାଇ: ଭାରତ ଗସ୍ତ ପୂର୍ବରୁ ବାଂଲାଦେଶକୁ ଲାଗିଛି ଶକ୍ତ ଝଟକା। ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ତଥା ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ସାକିବ ଅଲ୍‍ ହାସନଙ୍କୁ ଆଇସିସି ୨ ବର୍ଷ ଲାଗି କ୍ରିକେଟରୁ ବ୍ୟାନ କରିଛନ୍ତି। ବାଂଲାଦେଶ ଖବର କାଗଜର ରିପୋର୍ଟ ମୁତାବକ ସାକିବ ଅଲ୍‍ ହାସନଙ୍କୁ ଜଣେ ବୁକି ମ୍ୟାଚ୍‍ ଫିକ୍ସିଂ କରିବାକୁ ସମ୍ପର୍କ କରିଥିଲା। କିନ୍ତୁ ସାକିବ ଏହି ସୂଚନା ଆଇସିସିକୁ ଦେଇନଥିଲେ। ଏଣୁ ଆଇସିସି ସାକିବଙ୍କୁ ୨ ବର୍ଷ ଯାଏ କ୍ରିକେଟରୁ ବାସନ୍ଦ କରିଛନ୍ତି। ଆଇସିସିର ନିର୍ଦ୍ଦେଶରେ ବାଂଲାଦେଶ କ୍ରିକେଟ ବୋର୍ଡ ସାକିବ ଅଲ୍‍ ହାସନଙ୍କୁ ଅଭ୍ୟାସ ମ୍ୟାଚରୁ ମଧ୍ୟ ବାରଣ କରିଥିଲା। ସାକିବ ଆଇସିସିର ଦୁର୍ନୀତି ନିବାରଣ କୋଡର ଅବହେଳା ସମ୍ବନ୍ଧିତ ଆରୋପକୁ ସ୍ଵୀକାର କରିଛନ୍ତି, ଫଳରେ ଆଇସିସି ତାଙ୍କ ସଜାକୁ ଗୋଟିଏ ବର୍ଷ କମ କରିଛି। ଏହା ସହିତ ସ୍ପଷ୍ଟ ହୋଇଯାଇଛି ଯେ ନଭେମ୍ବର ୩ରୁ ଆରମ୍ଭ ହେଉଥିବା ବାଂଲଦେଶର ଭାରତ ଗସ୍ତରେ ସାକିବ ସାମିଲ ହୋଇ ପାରିବେ ନାହିଁ। ତାଙ୍କୁ ଏହି ଗସ୍ତ ପାଇଁ ତାଙ୍କୁ ଦଳର ଅଧିନାୟକଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ସାକିବଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ୨୦୧୮ ଜାନୁଆରୀରେ ବାଂଲାଦେଶ, ଶ୍ରୀଲଙ୍କା ଓ ଜିମ୍ବାଓ୍ଵେ ମଧ୍ୟରେ ଖେଳାଯାଇଥିବା ତ୍ରିକୋଣୀୟ ଶୃଙ୍ଖଳା ମ୍ୟାଚରେ ବୁକି ମ୍ୟାଚ ଫିକ୍ସିଂ କରିବାକୁ ତାଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ଖବରକୁ ସାକିବ ଆଇସିସିକୁ ଜଣାଇନଥିଲେ। ଆଇସିସିର ନିୟମ ଅନୁସାରେ ଯଦି ଜଣେ ଖେଳାଳିଙ୍କୁ କେହି ବୁକି ମ୍ୟାଚ ଫିକ୍ସିଂ କରିବାକୁ ସମ୍ପର୍କରେ ତେବେ ସେ ଏହାର ସୂଚନା ଆଇସିସିର ଦୁର୍ନୀତି ନିବାରଣ ବୋର୍ଡକୁ ସୂଚନାଦେବେ । କିନ୍ତୁ ସାକିବ ଏହି ଘଟଣାକୁ ଲୁଚାଇଥିଲେ। ଏଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି। ବୁଧବାର ଭାରତ ଗସ୍ତରେ ଆସୁଥିବା ବାଂଲାଦେଶ ଟିମରେ ଆସିବେ ନାହିଁ ବାଂଲାଦେଶର ଏହି ଅଲରାଉଣ୍ଡର। ତାଙ୍କ ଅନୁପସ୍ଥିତିରେ ମୁଜଫିକର ରହିମ ଟେଷ୍ଟ ଏବଂ ମହମ୍ମଦୁଲା ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚର ଅଧିନାୟକ ପଦ ସମ୍ଭାଳିବାର ସମ୍ଭାବନା ରହିଛି।

Comments are closed.