ସମାଜ ଡିଜିଟାଲ ଡେସ୍କ: ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିବର୍ଷା ସାଙ୍ଗକୁ ମୋର୍ଟାର ମାଡ଼ କରାଯାଉଛି। ଏହାଯୋଗୁ ଗୁରୁବାର ୧୩ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଜାମ୍ମୁର ଜଣେ ବରିଷ୍ଠ ସରକାରୀ ଅଧିକାରୀ ପ୍ରାଣ ହରାଇଛନ୍ତି। ଏହା ସହିତ ଅନ୍ୟ ୨ ଜଣ ସରକାରୀ କର୍ମଚାରୀ ଆହତ ହୋଇଛନ୍ତି।
ପିଟିଆଇ ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀରର ରଜୌରୀ ଜିଲାର ସୀମାନ୍ତରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ଏପ୍ରିଲ ୨୨ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକ୍ ପକ୍ଷରୁ ସୀମାରେ ଗୁଳିଗୋଳା ବର୍ଷଣ କରାଯାଉଛି। ଶୁକ୍ରବାର ରଜୌରୀର ଅତିରିକ୍ତ ଡେପୁଟି କମିସନର (ଏଡିସି) ରାଜ କୁମାର ଥାପା ଏବଂ ଅନ୍ୟ ଦୁଇ ଜଣ କର୍ମଚାରୀ ମୋର୍ଟାର ମାଡ଼ର ଶିକାର ହୋଇଥିଲେ। ଏହା ପରେ ସେମାନଙ୍କୁ ସ୍ଥାନୀୟ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଏଡିସି ରାଜ କୁମାରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି।



