www.samajalive.in
Wednesday, December 10, 2025
23.1 C
Bhubaneswar

ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ଦେଶ ଓ ବିଦେଶରେ ସ୍ୱାଗତ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ସର୍ବସମ୍ମତ ରାୟକୁ ଦେଶ ଓ ବିଦେଶର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଗତକାଲି ସୁପ୍ରିମକୋର୍ଟର ୫ଜଣିଆ ସାମ୍ବିଧାନିକ ପୀଠ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ରାୟ ଶୁଣାଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁସାରେ ଅଯୋଧ୍ୟାର ୨.୭୭ ଏକର ବିବାଦୀୟ ଜମି ଏବେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ। ସେହି ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ସଂପୃକ୍ତ ଜମିକୁ କେନ୍ଦ୍ର ସରକାର ଏକ ଟ୍ରଷ୍ଟକୁ ହସ୍ତାନ୍ତରିତ କରିବେ। ଏହାଛଡ଼ା ଅଯୋଧ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଗୋଟିଏ ମସ୍‍ଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦିଆଯିବ।

ଆମେରିକାରେ ବସବାସ କରୁଥିବା ଭାରତୀୟମାନେ ଏହି ରାୟକୁ ସ୍ୱାଗତ କରିବା ସହ କହିଛନ୍ତି, ବହୁ ଦିନରୁ ଚାଲି ଆସୁଥିବା ଏହି ମାମଲାର ସମାଧାନ ଉଭୟ ହିନ୍ଦୁ ଓ ମୁସଲିମଙ୍କ ପାଇଁ ବିଜୟ ଅଟେ। ଏହି ନିଷ୍ପତ୍ତି ପ୍ରତ୍ନତତ୍ତ୍ୱବିତ, ଐତିହାସିକ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ପାଇଁ ମଧ୍ୟ ବିଜୟ ବୋଲି ସେମାନେ କହିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ ଏହି ରାୟ ପ୍ରକାଶ ପରେ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଦେଶର ବିଚାର ବିଭାଗୀୟ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି। ଏହାଫଳରେ ବର୍ଷବର୍ଷ ଧରି ଲାଗି ରହିଥିବା ପୁରୁଣା ବିବାଦର ସମାଧାନ ହୋଇଛି। ଅଦାଲତଙ୍କ ଏହି ରାୟକୁ ସମଗ୍ର ଦେଶ ସହୃଦୟତାର ସହ ସମର୍ଥନ ଜଣାଇଛି। ସେ କହିଛନ୍ତି ପୁରୁଣା ଅଯୋଧ୍ୟା ବିବାଦର ସମାଧାନ ହେବା, ସେହିଦିନ କର୍ତ୍ତାରପୁର କରିଡର ଖୋଲିବା ଏବଂ ଏକା ତାରିଖରେ ୩୦ ବର୍ଷ ତଳେ ବର୍ଲିନ ପ୍ରାଚୀରର ପତନ ଘଟିବା ଘଟଣା ଏକତାର ବାର୍ତ୍ତା ବହନ କରେ।

ଅଯୋଧ୍ୟା ରାୟ ଉପରେ ମତାମତ ଦେଇ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି ଯେ ଏହା ଦ୍ୱାରା ଦେଶର ବିଚାର ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ବଢ଼ିବ। ଏକ ଟ୍ୱିଟ୍‍ ବାର୍ତ୍ତାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ରାୟ ଦେଶର ଏକତା ଓ ଅଖଣ୍ଡତାକୁ ଆହୁରି ମଜବୁତ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ୍‍ ନକ୍‍ଭୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା କାହାର ବିଜୟ ବା କାହାର ପରାଜୟ ହୋଇଛି, ତାହା ଦେଖିବା ଅନୁଚିତ। କଂଗ୍ରେସ କହିଛି ଏହା ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି ଏବଂ ଏହା ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି ଯେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ଧର୍ମନିରପେକ୍ଷ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ସର୍ବୋଚ୍ଚ ଅଦାଲତ ସର୍ବସମ୍ମତିକ୍ରମେ ଯେଉଁ ଐତିହାସିକ ରାୟ ଦେଇଛନ୍ତି, ତାହାକୁ ସମସ୍ତେ ସମ୍ମାନ କରିବା ଉଚିତ। ଉତ୍ତରପ୍ରଦେଶ ସୁନ୍ନୀ କେନ୍ଦ୍ରୀୟ ୱାକଫ୍‍ ବୋର୍ଡ ଅଧ୍ୟକ୍ଷ ଜଫର ଅହମ୍ମଦ ଫାରୁକୀ ଯିଏ କି ଏହି ମକଦ୍ଦମାରେ ଜଣେ ପ୍ରମୁଖ ପକ୍ଷ ଥିଲେ, ସେ ମଧ୍ୟ ରାୟକୁ ସ୍ୱାଗତ କରିଛନ୍ତି। ମାମଲାର ଅନ୍ୟତମ ପକ୍ଷ ଇକବାଲ ଅନ୍‍ସାରୀ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସେ ଚାଲେଞ୍ଜ କରିବେ ନାହିଁ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories