ଏମଏସଏସ ବିଦ୍ୟାପୀଠରେ ସ୍କାଉଟ ଅଭ୍ୟାସ ଶିବିର

ଆଠଗଡ :  ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ରବିବାର ଏକ ଦିନିକିଆ ସ୍କାଉଟ ଅଭ୍ୟାସ ଶିବିର ଓ ହାତଧୁଆ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମଧୁଲିତା ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍କାଉଟ୍ସର ଦୁଃସାହସିକ ଅନୁଷ୍ଠାନର ଅଧ୍ୟକ୍ଷ ତଥା ନୀଳାଚଳ ଇସ୍ପାତ ନିଗମର ଡିଜିଏମ ସ୍ୱାଧୀନ ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗଦେଇ ସ୍କାଉଟ ଓ ଗାଇଡମାନଙ୍କର ଦେଶ ଓ ସମାଜ ପ୍ରତି ଅବଦାନ ବିଶେଷ କରି ବିପର୍ଯ୍ୟୟ ସମୟରେ ସେବା କାର୍ଯ୍ୟ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ପଣ୍ଡା ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଉପଚାର ଯଥା ସାପ କାମୁଡା, କୁକୁର କାମୁଡା, ଅଗ୍ନି ପୀଡିତଙ୍କୁ କିପରି ସେବା ଓ ଉପଚାର କରାଯିବ ସେ ବିଷୟରେ କୌଶଳ ପ୍ରଦର୍ଶନ କରି ବୁଝାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଟକ ଜିଲ୍ଲା ରୋଭର ଲିଡର ସୁମନ୍ତ କୁମାର ପଣ୍ଡା ପିଲାମାନଙ୍କୁ କମ୍ପାସ, ଏଷ୍ଟିମେସନ ଓ ରୋପ ୱାର୍କ ବିଷୟରେ କୌଶଳ ପ୍ରଦର୍ଶନ ପୂର୍ବକ ପ୍ରଶିକ୍ଷଣ ଦେଇଥିଲେ । ରବିବାର ବିଶ୍ୱ ହାତଧୁଆ ଦିବସ ହୋଇଥିବାରୁ ନିୟମିତ ଭଲକରି ହାତଧୁଆର ଆବଶ୍ୟକତା ଓ ଏହାର ଉପକାର ସଂପର୍କରେ ଦୁଇ ଅତିଥି ବୁଝାଇଥିଲେ। ସ୍କାଉଟମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀ ଓ ଗାଇଡ କ୍ୟାପଟେନ ନମିତା ବିଶୋଇ ଶିବିର ପରିଚାଳନା କରିଥିବା ବେଳେ ଶିକ୍ଷକ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

Comments are closed.