ସ୍କୁଲରେ ଆଉ ଉଠିବନି ଧୂଆଁ
ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସଜାଡିବା ସାଙ୍ଗକୁ ମଧ୍ୟାହ୍ନଭୋଜନ ରନ୍ଧନ ପ୍ରଣାଳୀ, ପରିବେଶ ପରିଚ୍ଛନ୍ନ ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ବିଦ୍ୟାଳୟଗୁଡିକରେ ଚିରାଚରିତ ଢ଼ଙ୍ଗରେ କାଠଜାଳରେ ହେଉଥିବା ରୋଷେଇକୁ ନିଷେଧ କରାଯାଇଛି। ଏଣିକି ପ୍ରତ୍ୟେକ ବିଦ୍ୟାଳୟରେ କିଭଳି ଧୂମ୍ରବିହୀନ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେବ ଏବଂ ସ୍କୁଲରେ ଧୂଆଁ ନଉଠିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏକ କଡା ନିର୍ଦେଶନାମା ସବୁ ଜିଲାପାଳଙ୍କୁ ଜାରି ହୋଇଛି।
ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପତ୍ରରେ ଦର୍ଶାଇଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେ ପଞ୍ଚାୟତିରାଜ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଏବେ ସବୁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ଦାୟିତ୍ୱ ନେଇଛି। ଏବାବଦକୁ ଯାହା ଅର୍ଥ ଦରକାର ନିଜସ୍ୱ ସମ୍ବଳରୁ ବହନ କରିବ। ଏହାବାଦ୍ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଓ ଓପେପା ଭଳି କେନ୍ଦ୍ରୀୟ ଯୋଜନାରେ ଯାହା ଅର୍ଥ ଆସିବ ତାକୁ ପଞ୍ଚାୟତଗୁଡିକୁ ହସ୍ତାନ୍ତର କରାଯିବ। ଏହାକୁ ନେଇ ରାଜ୍ୟର ୧୫ହଜାର ବିଦ୍ୟାଳୟରେ ଧୂମ୍ରବିହୀନ ଚୁଲା ବ୍ୟବହାର କରାଯାଇ ରୋଷେଇ କରାଯାଉଛି। ଆଗାମୀ ୨ମାସ ମଧ୍ୟରେ ସବୁ ବିଦ୍ୟାଳୟ ରୋଷେଇଘରେ ଧୂମ୍ରବିହୀନ ଚୁଲା ଲାଗିବା ସହିତ ବିଦ୍ୟୁତ୍ ସଂଯୋଗ କରାଯିବ। ବିଦ୍ୟୁତ୍ ଦେୟ ଅର୍ଥ ସଂପୃକ୍ତ ପଞ୍ଚାୟତ ଓ ପୌରାଞ୍ଚଳ କର୍ତ୍ତୃପକ୍ଷ ବହନ କରିବେ। ଏହାସହିତ ବିଦ୍ୟାଳୟର ପରିବେଶ ପରିଷ୍କାର ପରିଚ୍ଛନ୍ନ ସହିତ ପରିମଳ ବ୍ୟବସ୍ଥାକୁ ମଧ୍ୟ ସଜାଡିବାକୁ ହେବ। ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ଓ ପରିମଳ ବ୍ୟବସ୍ଥା ଠିକଣା ହେଲା କି ନାହିଁ ତାହାକୁ ସୁନିଶ୍ଚିତ କରିବାପାଇଁ ନିୟମିତ ତଦାରଖ କରାଯିବ। ଏହିକ୍ରମରେ ସଂପୃକ୍ତ ପଞ୍ଚାୟତ ଓ ପୌରାଞ୍ଚଳ କର୍ତ୍ତୃପକ୍ଷ ପାଇଖାନା ନିର୍ମାଣ ସାଙ୍ଗକୁ ଜଳଯୋଗାଣ ବ୍ୟବସ୍ଥା ଆପଣାଇବେ। ଯଦି ପଞ୍ଚାୟତ ଓ ପୌରାଞ୍ଚଳ କର୍ତ୍ତୃପକ୍ଷ ଅର୍ଥ ଅଭାବ ପଡେ ତେବେ ଚତୁର୍ଥ ଅର୍ଥ କମିଶନଙ୍କ ପାଣ୍ଠିରୁ ଖର୍ଚ୍ଚ ଭରଣା କରାଯାଇ ପାରିବ।
ଏହାବାଦ୍ ଅଧିକ ଅର୍ଥ ଆବଶ୍ୟକ ହେଲେ ବିଭାଗ ସ୍ୱତନ୍ତ୍ର ବଜେଟ ଉପସ୍ଥାପନ କରିବ। ଆଗାମୀ ଦିନରେ ବିଦ୍ୟାଳୟଗୁଡିକର ବାସଗୃହ କିଭଳି ସ୍ୱଚ୍ଛ ଓ ସୁନ୍ଦର ରହିବ ସେ ଦାୟିତ୍ୱ ଏଣିକି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ବୁଝିବେ ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।