www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟସଭାରେ ଏସ୍‍ସି/ଏସ୍‍ଟି ଆଇନ ସଂଶୋଧନ ବିଧେୟକ ଗୃହୀତ

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସ୍‍ସି/ଏସ୍‍ଟି) ଅତ୍ୟାଚାର ନିରୋଧ ଆଇନ ସଂଶୋଧନ ବିଧେୟକ ଗୁରୁବାର ରାଜ୍ୟସଭାରେ ଗୃହୀତ ହୋଇଛି। ଏହା ପୂର୍ବରୁ ମଙ୍ଗଳବାର ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇଥିଲା। ଏହାସହ ଏସ୍‍ସି/ଏସ୍‍ଟି ଆଇନ ଅଧୀନରେ ରୁଜୁ ଏଫ୍‍ଆଇଆର୍‍କୁ ଭିତ୍ତି କରି ତୁରନ୍ତ କୌଣସି ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ଲଗାଇଥିବା ରୋକ୍‍ ସମାପ୍ତ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ଏସସି/ଏସଟି ଆଇନର ଦୁରୁପଯୋଗ ରୋକିବାକୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏସସି/ଏସଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇପାରିବ ନାହିଁ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ପାହ୍ୟାର ଜଣେ ପୁଲିସ ଅଧିକାରୀ ଅଭିଯୋଗର ତଦନ୍ତ କରିବା ପରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବ। ସେହିପରି ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାକୁ ହେଲେ ତାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ। ଏହି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାର ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନରେ କୌଣସି ପ୍ରକାର କଟକଣା ରହିବ ନାହିଁ। ଏହି ରାୟକୁ ନେଇ ଦଳିତ ସମ୍ପ୍ରଦାୟ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏପ୍ରିଲ ୨ରେ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା। ଏହି ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୧ଜଣଙ୍କର ମୃତ୍ୟୁ ହୋଇଥିଲା।
ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ୧୯୮୯ର ଗୁରୁତ୍ୱପୂର୍ଣ୍ଣ ଧାରା ସଂଶୋଧନ ଦ୍ୱାରା ଅପରାଧ ଘଟାଉଥିବା ସରକାରୀ ଅଧିକାରୀଙ୍କୁ ସୁରକ୍ଷା ମିଳିବ ବୋଲି ଦଳିତ ବର୍ଗ ପକ୍ଷରୁ ଦର୍ଶାଯାଇଥିଲା। ଏଥିସହ ଉଚ୍ଛେଦ ହୋଇଥିବା ଧାରା ପୁନଃ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ଦଳିତମାନେ ସମୟସୀମା ପ୍ରଦାନ କରିଥିଲେ। ଦଳିତ ବର୍ଗର ଦାବିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ରାୟ ପରିବର୍ତ୍ତନ ନିମନ୍ତେ ଉପରୋକ୍ତ ବିଧେୟକ ଆଣିବାକୁ ବିଜେପି ଏବଂ ଲୋକ ଜନଶକ୍ତି ପାର୍ଟି (ଏଲ୍‍ଜେପି) ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ବିଭିନ୍ନ ଦଳର ଦଳିତ ସାଂସଦମାନେ ଏହି ଦାବିକୁ ସମର୍ଥନ କରିଥିଲେ। ଏହି କ୍ରମରେ ମଙ୍ଗଳବାର ଲୋକସଭାରେ ଓ ଗୁରୁବାର ରାଜ୍ୟସଭାରେ ଏହି ବିଧେୟକ ପାରିତ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories