ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ସତ୍ୟଭୂଷଣ ସାହୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଦଳ ଭରସା କରିଛି ଏବଂ ପଦ୍ମପୁର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବା ପାଇଁ ଟିକଟ ପ୍ରଦାନ କରିଛି। ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ ପରେ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରାଯିବା ନେଇ ଆଜି ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି।
ପଦ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ସତ୍ୟଭୂଷଣ ସାହୁ କହିଛନ୍ତି ଯେ ସେ ଏହି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କଂଗ୍ରେସର ସବୁ ନେତା ପଦ୍ମପୁରରେ ଶିବିର କରି ଦଳକୁ ବିଜୟୀ କରାଇବେ ବୋଲି ସେ ଆଶା ରଖିଛନ୍ତି। ପଦ୍ମପୁରରେ ସେ ବିଜୟ ହେବା ନେଇ ନିଶ୍ଚିତ ଅଛନ୍ତି ବୋଲି କହିଛନ୍ତି।

ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏହା ପୂର୍ବରୁ ପଦ୍ମପୁରରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୦ରେ ସେ ପ୍ରଥମେ ପଦ୍ମପୁରରୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୫ରେ ପୁଣି ନିର୍ବାଚିତ ହୋଇଥିଲେ। ୨୦୦୪ରେ ତୃତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସତ୍ୟଭୂଷଣ। ୨୦୧୯ ନିର୍ବାଚନରେ ସେ ୩ ନମ୍ବରରେ ରହିଥିବା ସତ୍ୟଭୂଷଣ ୩୨ ହଜାରରୁ ଅଧିକ ଭୋଟ୍ ପାଇଥିଲେ।

Comments are closed.