ମରିଗଲା ଓଡ଼ିଶା ଫେରିବା ଆଶା: ସୁରତରେ ଶବ ହୋଇଗଲେ ସତ୍ୟବାନ; ଗାଁରେ ପତ୍ନୀ ଓ ପୁଅ ବେସାହାରା
ଟ୍ରେନ୍ ଟିକେଟ ପାଇଁ ଗଲା ଜୀବନ
ଭୁବନେଶ୍ବର: ଘରେ ଚାହିଁ ବସିଛନ୍ତି ସ୍ତ୍ରୀ ଆଉ ଭିନ୍ନକ୍ଷମ ପୁଅ । ଘରକୁ ଫେରିବାକୁ ଫୋନ୍ କରି କହିଥିଲେ । ଟ୍ରେନ୍ ଚଳାଚଳ ଆରମ୍ଭ ହେବା କ୍ଷଣି ସେ ଘରକୁ ଫେରିବାକୁ କଥା ଦେଇଥିଲେ । ଘରକୁ ଫେରିବାକୁ କଥା ଦେଇଥିଲେ ସତ୍ୟବାନ । ହେଲେ କଥା ରଖିବା ସମ୍ଭବ ହୋଇ ନ ଥିଲା । ପୁଲିସ ମାଡ଼ରେ ଶେଷରେ ଜୀବନ ଗଲା । ଏପରି ଘଟିଛି ଭଞ୍ଜନଗର ଅଞ୍ଚଳର ସତ୍ୟବାନ ସ୍ବାଇଁଙ୍କ କ୍ଷେତ୍ରରେ ।
ଅଭିଯୋଗ ଅନୁସାରେ ମହାମାରୀ କରୋନାଜନିତ ଲକ୍ଡ଼ାଉନ ଯୋଗୁଁ ଅସହାୟ ହୋଇ ପଡ଼ିଥିବା ସତ୍ୟବାନ ଓଡ଼ିଶା ଫେରିବାକୁ ବ୍ୟଗ୍ର ଥିଲେ । କାମଧନ୍ଦା ବନ୍ଦ ହୋଇ ଯାଇଥିବାରୁ ଓଡ଼ିଶା ଫେରିବା ଭିନ୍ନ ତାଙ୍କ ପାଖରେ ଆଉ କିଛି ଚାରା ନ ଥିଲା । ତେଣୁ ସେ ଟ୍ରେନ୍ ଟିକେଟ ପାଇଁ ଏକ ଟ୍ରାଭେଲ୍ ଏଜେଣ୍ଟ ପାଖକୁ ଯାଇଥିଲେ । ସେତେବେଳେ ସେଠାରେ ପ୍ରବଳ ଭିଡ଼ ଥିଲା ଓ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ଚାର୍ଜ କରିଥିଲା । ମାଡ଼ ଭୟରେ ସତ୍ୟବାନ ଦୌଡ଼ି ଦୌଡ଼ି ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଜ ପରିସରରେ ପଶି ଯାଇଥିଲେ । ମାତ୍ର ପୁଲିସ ସେଠାରେ ପହଞ୍ଚିଥିଲା । ସତ୍ୟ ଓ ଅନ୍ୟମାନେ ରହୁଥିବା ଘରର ତାଲା ଭାଙ୍ଗି ସେମାନଙ୍କୁ ନିସ୍ତୁକ ପିଟିଥିଲେ । ଏଥିରେ ସତ୍ୟ ଗୁରୁତର ହୋଇଥିଲେ ଓ ଏକ ଆମ୍ବୁଲାନ୍ସରେ ତାଙ୍କୁ ଡ଼ାକ୍ତରଖାନା ନିଆଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସତ୍ୟବାନଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି । ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହାଛନା ତାଙ୍କ ପରିବାରକୁ କ୍ଷତିପୂରର ପ୍ରଦାନ ପାଇଁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।
Comments are closed.