ଭୁବନେଶ୍ୱର(ମହେଶ ଶର୍ମା) : ସଂସଦର ଚଳିତ ଅଧିବେଶନରେ ବିଜୁ ଜନତାଦଳର ସାଂସଦ ମହିଳା ସଂରକ୍ଷଣ ବିଧେୟକ ଗୃହୀତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବେ। ଏନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ବିଧେୟକ ଦୀର୍ଘ ୨୪ ବର୍ଷ ଧରି ସଂସଦରେ ପଡି ରହିଛି। ଜାତି ଆଧାରରେ ସଂରକ୍ଷଣ ମଧ୍ୟରେ ପଛୁଆ ବର୍ଗର ମହିଳାଙ୍କ ସଂରକ୍ଷଣ ଦାବିକୁ ନେଇ ଏହି ବିଧେୟକ ଗୃହୀତ ହୋଇ ପାରୁ ନାହିଁ। ସେତେବେଳେ ଲାଲୁ ପ୍ରସାଦ ଯାଦବ ଏବଂ ମୁଲାୟମ ସିଂହ ଯାଦବ ଏହାର ବିରୋଧ କରି ସଂରକ୍ଷଣ ମଧ୍ୟରେ ସଂରକ୍ଷଣର ଦାବି ଉଠାଇଥିଲେ।
ଦେଶରେ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠାରେ ଶାସକ ବିଜୁ ଜନତା ଦଳ ୩୩ ପ୍ରତିଶତ ମହିଳାଙ୍କୁ ନିର୍ବାଚନ ଲଢିବା ପାଇଁ ଟିକଟ ଦେବା ଆରମ୍ଭ କରିଥିଲା। ଯାହାକୁ ସାରା ଦେଶରେ ପ୍ରଶଂସା କରାଯାଇଥିଲା। କେବଳ ଏତିକି ନୁହେଁ ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଏଭଳି ଏକ ପ୍ରସ୍ତାବ ବିଧାନସଭାରେ ମଧ୍ୟ ଗୃହୀତ କରାଇଛନ୍ତି। ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଜୁ ଜନତା ଦଳ ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିଛି। ରାଜନୀତିରେ ମହିଳାଙ୍କ ଯୋଗଦାନ କମ୍ ହେବା କାରଣରୁ ବିଗତ ୨୪ ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍ ସଂସଦରେ ଅଟକି ରହିଛି। ୧୯୯୬ରେ ପ୍ରଥମ ଥର ପାଇଁ ଏହି ବିଲ୍ ଆଗତ କରାଯାଇଥିଲା। ୨୦୧୦ରେ ମଧ୍ୟ ଏହା ରାଜ୍ୟ ସଭାରେ ଗୃହୀତ ହୋଇଥିଲା। କିନ୍ତୁ ଲୋକସଭାରେ ଅଟକି ରହି ଯାଇଥିଲା। ସପା, ବସପା, ଏବଂ ଆରଜେଡିର ବିରୋଧ ଏବଂ ସଂରକ୍ଷଣ ମଧ୍ୟରେ ପୁଣି ସଂରକ୍ଷଣ ରଖିବା ଦାବି ଯୋଗୁଁ ଏହା ପାସ ହୋଇପାରି ନ ଥିଲା। ସ୍ୱର୍ଗତ ଗୀତା ମୁଖାର୍ଜୀ ଏହା ସପକ୍ଷରେ ରିପୋର୍ଟ ଦେଇଥିଲେ।

୧୯୯୬ ଦେବେଗୌଡା ସରକାର ସଂସଦରେ ପ୍ରଥମ ଥର ପାଇଁ ମହିଳା ସଂରକ୍ଷଣ ବିଲ୍ ଆଗତ କରିଥିଲେ। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ର ନକଲ ମଧ୍ୟ ଚିରା ଯାଇଥିଲା। ମହିଳା ସଂରକ୍ଷଣ ବିଲରେ ସଂସଦ ଓ ବିଧାନସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ପ୍ରସ୍ତାବ ରହିଛି। ୨୦୧୦ରେ ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା କିନ୍ତୁ ଲୋକସଭାରେ କଂଗ୍ରେସର ବହୁମତ ନ ଥିବାରୁ ବିଲ୍ ଗୃହୀତ ହୋଇପାରି ନ ଥିଲା।
ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି ଯେ, ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରାଇବା ପାଇଁ ସଂକଳ୍ପବଦ୍ଧ। ଅନ୍ୟପକ୍ଷରେ ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେକୌଣସି ପ୍ରକାରରେ ଏହାକୁ ଗୃହୀତ କରାଇବା ପାଇଁ ଦଳ ପ୍ରୟାସ କରିବ। ବଜେଟ ଅଧିବେଶନ କାଳରେ ତାଙ୍କ ଦଳ ଏହି ପ୍ରସଙ୍ଗ ଉଠାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି।
ତେବେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରୁଥିବା ଲୋକଙ୍କ ଯୁକ୍ତି ହେଲା ଦଳିତ ଏବଂ ଓବିସି ମହିଳାଙ୍କ ପାଇଁ ଭିନ୍ନ କୋଟା ଆଧାରରେ ସଂରକ୍ଷଣ ରଖାଯାଉ। ୩୩ ପ୍ରତିଶତ ସଂରକ୍ଷଣରେ ଭିନ୍ନ କୋଟା ରହିବା ଆବଶ୍ୟକ। ସାଧାରଣ ଏବଂ ଦଳିତ, ଓବିସି ମହିଳାଙ୍କ ସାମାଜିକ ସ୍ଥିତିରେ ବହୁତ ପ୍ରଭେଦ ରହିଛି। ସେହିପରି ଦଳିତ ଏବଂ ଓବିସି ମହିଳାମାନେ ଅଧିକ ଶୋଷଣର ଶିକାର ହୋଇଛନ୍ତି ବୋଲି ବିଲକୁ ବିରୋଧ କରୁଥିବା ଦଳ କହିଛନ୍ତି। ୧୯୯୭ରେ ଜେଡିୟୁ ନେତା ଶରଦ ଯାଦବ, ମହିଳାଙ୍କ ପ୍ରତି ଉପହାସ କରି ବୟାନ ଦେଇ କହିଥିଲେ ଯେ, ଏଠାକୁ ଛୋଟ ଛୋଟ ଚୁଟି ରଖି ଆସିଥିବା ମହିଳାମାନେ ଆମ ସମାଜର ମହିଳାମାନଙ୍କ ବିଷୟରେ କଥା କହିପାରିବେ ? ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହା ଉପରେ ମତ ଦେଇ କହିଥିଲେ, ଯେ ମହିଳା ସଂରକ୍ଷଣ ବିଧେୟକ ଗୃହୀତ ନ ହେବା ହେଉଛି ଦୁର୍ଭାଗ୍ୟପୂର୍ଣ୍ଣ କଥା ଏବଂ ଏହାକୁ ପାସ୍ କରାଇବାରେ ପ୍ରକୃତ ସଂକଳ୍ପ ରାଜନୈତିକ ଦଳଙ୍କ ମଧ୍ୟରେ ରହିବା ଆବଶ୍ୟକ।
ସେହିପରି ବିଏସପି ସୁପ୍ରିମୋ ମାୟାବତୀଙ୍କ କହିଛନ୍ତି ଯେ, ତାଙ୍କ ଦଳର ମତ ହେଲା ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ରହିଛି। ତେବେ ତା’ ପୂର୍ବରୁ ଦଳିତ ଏବଂ ଓବିସି ମହିଳାଙ୍କ ପାଇଁ ଅଲଗା ସଂରକ୍ଷଣ ରହିବା ଆବଶ୍ୟକ।
ବିଶିଷ୍ଟ ସମାଜସେବୀ ତଥା ରାଜ୍ୟ ମହିଳା ମିଶନର ପୂର୍ବତନ ସଦସ୍ୟା ନମ୍ରତା ଚଢା କହିଛନ୍ତି, ଯେ ମହିଳା ସଂରକ୍ଷଣ ବିଧେୟକକୁ ଆଉ ଅଟକାଇ ରଖିବା ଉଚିତ ନୁହେଁ। ମହିଳାମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବା ପାଇଁ ଦୀର୍ଘ ସମୟ ଧରି ପଡି ରହିଥିବା ଏହି ବିଧେୟକ ଗୃହୀତ ହେବା ଜରୁରୀ। ଯାହାଦ୍ବାରା ଆମକୁ ନିଜର ହକ୍ ମିଳି ପାରିବ।

ସାମାଜିକ କର୍ମୀ ଶୁଭଶ୍ରୀ ଦାସ ଏ ସଂପର୍କରେ କହିଛନ୍ତି ଯେ, ପୁରୁଷମାନଙ୍କୁ ମହିଳାଙ୍କର ରାଜନୀତିରେ ସକ୍ରିୟ ଅଂଶଗ୍ରହଣର ଭୟ ରହିଛି। ଯଦି ମହିଳାମାନେ ଆଗକୁ ଆସିଯିବେ ତେବେ ସେମାନଙ୍କର(ପୁରୁଷମାନଙ୍କର)ରାଜନୀତି ପ୍ରଭାବିତ ହେବ। ନେତାମାନେ କେବେ ମଧ୍ୟ ମହିଳାମାନଙ୍କୁ ନିଜ ସମକକ୍ଷ ହେବାକୁ ଦେବେ ନାହିଁ।
ସୂଚନାଯୋଗ୍ୟ ପଛୁଆବର୍ଗର ମହିଳାମାନଙ୍କୁ ସଂରକ୍ଷଣ ଦେବା ନେଇ ଦାବି କରୁଥିବା ଦଳ ହିଁ ମହିଳା ସଂରକ୍ଷଣ ବିଧେୟକକୁ ପ୍ରତ୍ୟେକ ଥର ଲୋକସଭାରେ ବିରୋଧ କରୁଛନ୍ତି। ୧୯୯୮ରେ ଯେତେବେଳେ ତତ୍କାଳୀନ ଆଇନ ମନ୍ତ୍ରୀ ଥମ୍ବି ଦୁରାଇ ବିଲ୍ ଆଗତ କରିବାକୁ ଠିଆ ହୋଇଥିଲେ ତ, ତାଙ୍କ ହାତରୁ ବିଲର ନକଲ ଛଡାଇ ନିଆଯାଇ ଚିରି ଦିଆ ଯାଇଥିଲା। ଅଧିକାଂଶ ପୁରୁଷ ସାଂସଦ ଅନୁଭବ କରୁଛନ୍ତି ଯେ, ଯଦି ସେମାନଙ୍କର ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଯିବ ତ, ସେମାନେ ପୁଣି କେବେ ଲୋକସଭା ସଦସ୍ୟ ହୋଇ ପାରିବେ ନାହିଁ। ଛୋଟ ଦଳମାନେ ମଧ୍ୟ ଅନୁମାନ କରୁଛନ୍ତି ଯେ, ସେମାନଙ୍କୁ ମିଳୁଥିବା ଜନାଦେଶ ମଧ୍ୟ ହାତରୁ ଖସିଯିବ।



