www.samajalive.in
Friday, December 12, 2025
14.1 C
Bhubaneswar

ଶ୍ରୀହୀନ ସପ୍ତଶଯ୍ୟା

ଢେଙ୍କାନାଳ: ପର୍ଯ୍ୟଟନସ୍ଥଳ ସପ୍ତଶଯ୍ୟା ଏବେ ବି ଶ୍ରୀହୀନ ! ଢେଙ୍କାନାଳ ସଦର ମହକୁମାଠାରୁ ୧୫ କି.ମି. ଦୂରରେ ରହିଛି ସପ୍ତଶଯ୍ୟା ପର୍ବତମାଳା ଓ ତନ୍ମଧ୍ୟସ୍ଥ ମହାପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ପୀଠ ସ୍ଥଳ। ବହୁବିଧି ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ସପ୍ତଶଯ୍ୟା ନୈସର୍ଗିକ ଶୋଭାରେ ବିମଣ୍ଡିତ। ଏହା ହେଉଛି କଲରାପତିରିଆ ବାଘ, ହରିଣ, କୁଟୁରା, ଖୁରିଙ୍ଗ, ଗୁରାଣ୍ଡି, ନେପାଳୀ ମୂଷା, ଶାଳିଆପତନୀ, ଝିଙ୍କ, ଅହିରାଜ, ଅଜଗର, କଇଁଛ ଓ ବହୁବିଧ ପକ୍ଷୀଙ୍କର ବାସସ୍ଥଳ।
ସପ୍ତଶଯ୍ୟା ପୀଠ ପ୍ରତିଷ୍ଠାର ୬୫ ବର୍ଷ ପରେ ବି ଏଠାରେ ନିରନ୍ଧ୍ର ଅନ୍ଧକାର ରାଜୁତି କରୁଛି। ସ୍ଥାୟୀ ବିଦ୍ୟୁତ୍‍ ଆଲୋକ କି ସୌରାଲୋକର ବ୍ୟବସ୍ଥା ଏଯାବତ୍‍ ହୋଇ ନାହିଁ। ସପ୍ତଶଯ୍ୟାର ଚିରସ୍ରୋତା ଔଷଧିୟଗୁଣଯୁକ୍ତ ଝରଣା ଏବେ ପ୍ରଦୂଷିତ ଏବଂ ପ୍ଲାଷ୍ଟିକ ପାଣି ଓ ମଦ ବୋତଲରେ ପରିପୂର୍ଣ୍ଣ। ୨୦/୨୫ ବର୍ଷ ତଳେ ଯେଉଁ ଝରଣାର ପଥର ଖୋଲରେ ଶହ ଶହ ଚିଙ୍ଗୁଡି ଓ ଛୋଟ ଛୋଟ କଙ୍କଡା ଦେଖାଯାଉଥିଲେ ଆଜି ସେ ସବୁ ଲୁପ୍ତପ୍ରାୟ। ଜୈବ ବିବିଧତାକୁ ସୁରକ୍ଷା ଦେଉଥିବା ବନ ବିଭାଗ ଏଥିପ୍ରତି ଉଦାସୀନ ରହିଛି। ଝରଣାକୁ ସୁରକ୍ଷିତ ରଖିବାର କୌଣସି ବ୍ୟବସ୍ଥା ନାହିଁ। ଝରଣାର ସ୍ନାନକୁଣ୍ଡ ଭଗ୍ନ ଓ ଦୁର୍ଗନ୍ଧଯୁକ୍ତ ଜଳରେ ପରିପୂର୍ଣ୍ଣ ରହିଛି। ତାରକା ହୋଟେଲମାନଙ୍କର ସନ୍ତରଣାଗାର ଢାଞ୍ଚାରେ ଏହାର ନିର୍ମାଣ ଓ ରକ୍ଷଣାବେକ୍ଷଣା କରାଯାଇପାରନ୍ତା। ଝରଣା ଉପରେ ଷ୍ଟିଲ ତାରର ଘୋଡଣୀ ଲଗାଗଲେ ଅସାମାଜିକଙ୍କଦ୍ୱାରା ଏହା ପ୍ରଦୂଷିତ ହୁଅନ୍ତା ନାହିଁ। ମନ୍ଦିର ନିକଟରେ ଥିବା ସ୍ୱଚ୍ଛ ଝରଣା ଜଳକୁ ସଂରକ୍ଷିତ କରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇପାରନ୍ତା। ପୀଠସ୍ଥ ବିଶ୍ରାମାଗାରର ଛାତ ଫାଟି ଲୁହା ଛଡ଼ ଦେଖାଯାଉଛି। ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ଆଧୁନିକ ସାଜସଜ୍ଜା ଅଭାବରୁ ଏହା ଅବ୍ୟବହୃତ ହୋଇ ପଡିରହିଛି।

 

- Advertisement -

୨୦୧୯-୨୦ ବର୍ଷରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ଦେବୋତ୍ତର ବିଭାଗର ସାଢେ ୬ଲକ୍ଷ ଟଙ୍କାରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣରେ ନିର୍ମିତ କଂକ୍ରିଟ୍‍ ଚଟାଣ ଫାଟିବାକୁ ଲାଗିଲାଣି। ବର୍ଷାଦିନେ ଶିଉଳି ହୋଇ ଗୋଡ ଖସିବା ସାର ହେବ। ମନ୍ଦିର ଗର୍ଭ ଗୃହରେ ସହସ୍ରାଧିକ ଚେମେଣି ବାଦୁଡିଙ୍କ ମଳରେ ପରିବେଶ ପୁତିଗନ୍ଧମୟ ହୋଇ ଉଠୁଛି। ଦିନକୁ ଝୁଡିଏ ମଇଳା ବାହାରୁଛି। ପ୍ରଭୁଙ୍କ ସିଂହାସନର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ନାହିଁ। ମନ୍ଦିର ଚତୁଃପାର୍ଶ୍ବରେ ବର୍ଷେ ହେବ ଲାଗିଥିବା ଲୁହା ସଟରଗୁଡିକରେ ଏଯାଏଁ କୌଣସି ରଙ୍ଗ ଲଗାଯାଇ ନାହିଁ। ମନ୍ଦିର ପରିସର ଓ ପାବଚ୍ଛ ଆଦି ସଫାସୁତୁରା ରଖିବାକୁ କେହି ନାହିଁ। ମନ୍ଦିର ପୂଜକ ତାଙ୍କ ସମୟ ସୁବିଧା ଦେଖି ଯେତିକି ପାରୁଛନ୍ତି ସେତିକି ନିଜେ ସଫା କରୁଛନ୍ତି। ଅଇଁଠା ଖଲିପତ୍ର ମନ୍ଦିର ପରିସରରେ କୁଢ କୁଢ ହୋଇ ଗଦା ହୋଇଛି। ସୁଦୃଶ୍ୟ ଉଦ୍ୟାନର ନାମ ଗନ୍ଧ ନାହିଁ। ପର୍ଯ୍ୟଟକଙ୍କ ଯାତାୟତ ସୁବିଧା ପାଇଁ ସପ୍ତଶଯ୍ୟା ଗ୍ରାମ ବାହାରେ ଏକ ବିକଳ୍ପ ରାସ୍ତାର ଆବଶ୍ୟକତା ଜରୁରୀ ହୋଇପଡିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories