୪ ଦିନିଆ ଇଡି ହାଜତରେ ସଞ୍ଜୟ ରାଉତ
ମୁମ୍ବଇ : ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୪ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହାଜତକୁ ପଠାଇ ଦିଆଯାଇଛି। ରବିବାର ଇଡି ସଞ୍ଜୟଙ୍କୁ ପ୍ରଥମେ ଅଟକ ରଖିବ ପରେ ବିଳମ୍ବିତ ରାତିରେ ଗିରଫ କରିଥିଲା। ସୋମବାର ତାଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଇଡିର ଆବେଦନ ଆଧାରରେ ତାଙ୍କୁ ଅଗଷ୍ଟ ୪ ପର୍ଯ୍ୟନ୍ତ ହାଜତକୁ ପଠାଇ ଦିଆଯାଇଛି। ପିଏମ୍ଏଲଏ ସ୍ବତନ୍ତ୍ର କୋର୍ଟ ବିଚାରପତି ଏମଜି ଦେଶପାଣ୍ଡେ କହିଛନ୍ତି ଯେ ଇଡି ସଞ୍ଜୟଙ୍କୁ ୮ଦିନ ପାଇଁ ହାଜତକୁ ନେବାକୁ ଦାବି କରିଥିଲା। ମାତ୍ର ତାଙ୍କୁ ୪ଦିନ ପାଇଁ ହାଜତକୁ ପଠାଯାଇଛି। ଇଡି ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ସ୍ବତନ୍ତ୍ର ଓକିଲ ହିତେନ ଭେନେଗାଓଁକର ଯୁକ୍ତି ବାଢିଥିଲେ ଯେ ସଞ୍ଜୟଙ୍କ ପରିବାର ପାତ୍ର ଚାୱଲା ଜମି ଦୁର୍ନୀତିରୁ ପ୍ରତ୍ୟକ୍ଷ ଲାଭ ପାଇଛନ୍ତି। ଗିରଫ ପୂର୍ବରୁ ଇଡି ତାଙ୍କ ଘରେ ରବିବାର ସକାଳେ ଚଢଉ କରି ୧୧.୫ ଲକ୍ଷ ଟଙ୍କା ଜବତ କରିଥିଲା। ଏହା ପରେ ତାଙ୍କୁ ଅଟକ ରଖି ୮ଘଣ୍ଟା ଜେରା କରିଥିଲା। ଜେରା ପରେ ତାଙ୍କୁ ଗିରଫ କରିଥିଲା।
ଜମି ଦୁର୍ନୀତି ଅଭିଯୋଗକୁ ସଞ୍ଜୟ ରାଉତ ଖଣ୍ଡନ କରିଥିବାବେଳେ ଏହା ତାଙ୍କ ବିରୋଧରେ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ଠାକରେ କହିଛନ୍ତି ଯେ ରାଜନୈତିକ ପ୍ରତିଶୋଧ ନେବା ଲାଗି ସଞ୍ଜୟଙ୍କୁ ଗିରଫ କରାଯାଇଛି। ସଞ୍ଜୟଙ୍କୁ ଗିରଫ କରାଯିବା ପରେ ଉଦ୍ଧବ ଠାକରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଠାକରେ ଦଳୀୟ ସାଂସଦ ଅରବିନ୍ଦ ସାୱନ୍ତଙ୍କ ସହିତ ସଞ୍ଜୟଙ୍କ ବାସଭବନକୁ ଯାଇ ମା’, ପତ୍ନୀ ଓ ପିଲାମାନଙ୍କୁ ଭେଟିବା ପୂର୍ବକ ସମବେଦନା ଜଣାଇଥିଲେ। ସଞ୍ଜୟଙ୍କ ଗିରଫକୁ ନେଇ ଔରଙ୍ଗାବାଦ ଓ ନାସିକରେ ଶିବସେନା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି ଯେ ସଞ୍ଜୟଙ୍କ ବିରୋଧରେ ଇଡି ନେଇଥିବା କାର୍ଯ୍ୟାନୁଷ୍ଠାନ ତଥ୍ୟ ପ୍ରମାଣ ଆଧାରିତ। ଏହା ଉପରେ ଅଦାଲତ ଅନୁଧ୍ୟାନ କରିବା ପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ନାହିଁ।
Comments are closed.