ସଙ୍ଗମ ଏକ୍ସପ୍ରେସରୁ ବିସ୍ଫୋରକ ସାମଗ୍ରୀ ଜବତ
ନୂଆଦିଲ୍ଲୀ : ଆହ୍ଲାବାଦରୁ ମିରଟ ଯାତ୍ରା କରୁଥିବା ସଙ୍ଗମ ଏକ୍ସପ୍ରେସର ଏକ ଶୌଚାଳୟ ମଧ୍ୟରୁ ପୁଲିସ ସନ୍ଦିଗ୍ଧ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜଣେ ଯାତ୍ରୀ ଏହି ସାମଗ୍ରୀଙ୍କୁ ଦେଖିବାପରେ ଟିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଟ୍ରେନଟିକୁ ହାପୁର ଷ୍ଟେସନରେ ଅଟକ ରଖି ସବୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ସବୁ ବଗିକୁ ତନ୍ନ ତନ୍ନ ଭାବେ ଯାଞ୍ଚ କରିବାପରେ ଏହି ସନ୍ଦିଗ୍ଧ ସାମଗ୍ରୀକୁ ଠାବ କରାଯାଇଥିଲା। ଗୋଟିଏ ଟର୍ଚ୍ଚରେ କିଛି ବିଦ୍ୟୁତ ତାର ସଂଯୋଗ କରାଯାଇଥିବାବେଳେ ଏକ ବ୍ୟାଟେରି ମଧ୍ୟ ସଂଲଗ୍ନ କରାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ରେଳବାଇ ପୁଲିସ ଏହି ତଲାସି ଅଭିଯାନ ଚଳାଇଥିଲା। ତେବେ ଏହା ବୋମା କି ନୁହେଁ, ତାହା ଜାଣିବାକୁ ଉକ୍ତ ସାମଗ୍ରୀକୁ ପରୀକ୍ଷାଗାରକୁ ପଠାଯାଇଛି।