ସମ୍ବଲପୁର: ଭାରତୀୟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ୬୭ତମ ରେଳ ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ରେଳବାଇ କମ୍ୟୁନିଟି କେନ୍ଦ୍ର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଦୀପ କୁମାର କହିଥିଲେ ଯେ, ଗତ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ ସମ୍ବଲପୁର ରେଳ ମଣ୍ଡଳର କର୍ମଚାରୀ ଓ ଅଧିକାରୀ ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମଣ୍ଡଳ ଜୋନାଲ ସ୍ତରରେ ୪ଟି ପୁରସ୍କାର ହାସଲ କରିଥିବା ବେଳେ ଆଗାମୀ ଦିନରେ ଆହୁରୀ ଉତ୍ତମ ପ୍ରଦର୍ଶନ କରିବ। ଯାତ୍ରୀ ସୁବିଧା ଓ ନିରାପତ୍ତା ପ୍ରଥମ ପ୍ରାଥମିକତା ଥିବା ବେଳେ ଯାତ୍ରୀ ମାନଙ୍କର ସୁବିଧା ଓ ନିରାପତ୍ତାକୁ ଆହୁରୀ ଉତ୍କୃଷ୍ଟ ଓ ଉନ୍ନତି କରିବା ପାଇଁ ପ୍ରୟାସରତ। କାର୍ଯ୍ୟକ୍ରମରେ ୧୧୬ ଜଣ ରେଳ କର୍ମଚାରୀ ଙ୍କୁ ସେମାନଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ପ୍ରମାଣ ପତ୍ର ଦିଆଯାଇ ସମ୍ମାନୀତ କରାଯାଇଥିଲା।
ଏହି ଅବସରରେ ସମ୍ମାନୀତ ଅତିଥି ରୂପେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଙ୍ଗଠନ ସମ୍ବଲପୁରର ଅଧ୍ୟକ୍ଷା ଇଷା ମଲ୍ଲିକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ ଉପସ୍ଥିତ ରହିଥିଲେ। ଏଥିରେ ମଣ୍ଡଳର ଅଧିକାରୀ ଓ କର୍ମଚାରୀ ମାନେ ପରିବାରବର୍ଗ ସମେତ ଉପସ୍ଥିତ ରହିଥିଲେ। ବରିଷ୍ଠ କାର୍ମିକ ଅଧିକାରୀ ଜୁସୁଫ କବୀର ଅନସାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହାୟକ କାର୍ମିକ ଅଧିକାରୀ ଦିଗାମ୍ବର ପାଢ଼ୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



