ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ମାନେଶ୍ୱର ଠାରେ ସ୍ଥିତ ମାନ୍ଧାତା ବାବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ତଥା ସମ୍ପାଦକ ଗଣ୍ଡାରାମ ଘଡିଏଲ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ସମ୍ବଲପୁରର ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ବିଶିଷ୍ଟ ନାଟ୍ୟକାର ଓ ଶିକ୍ଷାବିତ ସନ୍ତୋଷ ପ୍ରଧାନ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ହୀରାଲାଲ ବାରିକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଅତିଥି ମାନେ ସମୟାନୁବର୍ତ୍ତିତା ଏବଂ ଶୃଙ୍ଖଳା ଦ୍ୱାରା ଜୀବନରେ ସଫଳତା ମିଳିଥାଏ, ପାସ ଫେଲରୁ ମଣିଷର ଚରିତ୍ର ଜଣାପଡେ ନାହିଁ ବରଂ ତାର କର୍ମ ତାକୁ ଶ୍ରେଷ୍ଠ କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ଇତିହାସ ଅଧ୍ୟାପକ ଡ. ସତ୍ୟନାରାୟଣ ଠାକୁର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଘଡିଏଲ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭା କାର୍ଯ୍ୟକୁ ଓଡିଆ ଅଧ୍ୟାପକ ତୋଷଧର ବାରିକ ସଂଯୋଜନା କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ପ୍ରଧାନ ନୂତନ ଶ୍ରେଣୀ ଗୃହକୁ ଉଦଘାଟନ କରିବା ସହିତ ଚାରାରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନମୋହକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସମେତ ଅଞ୍ଚଳବାସୀ ଯୋଗ ଦେଇଥିଲେ।



