ପରିବହନ ଯାଞ୍ଚ ସମୟରେ ନିଜ କର୍ମଚାରୀଙ୍କ ପାଇଁ ନିୟମ ମୋଡୁଛି ପୁଲିସ

ସମ୍ବଲପୁର : ସଂଶୋଧିତ ପରିବହନ ନିୟମ ୨୦୧୯କୁ ରାଜ୍ୟ ସରକାର ୬ ମାସ କୋହଳ କରିବା ପରେ ଚଳିତ ମାସ ୧ ତାରିଖରୁ ପୁଲିସ ଓ ପରିବହନ ବିଭାଗର ଚଢ଼ଉ ଅଭିଯାନ କଡାକଡି ଭାବରେ ଆରମ୍ଭ ହୋଇଯାଇଛି। ପରିବହନ ନିୟମକୁ କଡାକଡି ଭାବରେ ଲାଗୁ କରିବା ପାଇଁ ପୁଲିସ ଶୂନ୍ୟ ସହନଶୀଳ ନିତି ଅବଲମ୍ବନ ସାରା ରାଜ୍ୟରେ କରିଛି। ଏଣୁ ଏହି କ୍ରମରେ ୧ ତାରିଖରୁ ସମ୍ବଲପୁର ଠାରେ ମଧ୍ୟ ବ୍ୟାପକ ଭାବରେ ବିଭିନ୍ନ ସ୍ଥାନରେ ପୁଲିସ ଓ ପରିବହନ ବିଭାଗ ମିଳିତ ଭାବରେ ଅଭିଯାନ ଚଳାଇଛନ୍ତି।ଏହି କ୍ରମରେ ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକରେ ସୋମବାର ପୂର୍ବାହ୍ନରେ ଚେକିଂ ସମୟରେ ଜଣେ ନାବାଳକ ଚାଳକକୁ ୪୩ ହଜାର ଟଙ୍କା ଜୋରିମାନା କରିଥିବା ବେଳେ କିନ୍ତୁ ପୁଲିସ ବିଭାଗ ନିଜସ୍ୱ କର୍ମଚାରୀଙ୍କ ଗାଡି ଧରିବା ପରେ ଅନ୍ୟ ଗାଡି ନାମରେ ଚାଲାଣ କାଟି ମାମଲାକୁ ରଫାଦଫା କରି ଦେଇଛି।

ସକାଳ ସମୟରେ ଜୋରଦାର ଚେକିଂ କରୁଥିବା ସମୟରେ ରିର୍ଜଭ ପୁଲିସ ଲାଇନରୁ ପୁଲିସ ବିଭାଗର ଏକ ବାଇକରେ ଉମେଶ ଓ ଅନ୍ୟ ଜଣେ ପୁଲିସ କର୍ମଚାରୀ ଲକ୍ଷ୍ମୀ ଟକିଜ ଛକ ଦେଇ ଯାଉଥିଲେ।  ବିନା ହେଲମେଟରେ ଥିବାରୁ ପୁଲିସ ସେମାନଙ୍କୁ ଅଟକାଇ ଥିଲା। ଏଣୁ ଦୁଇ କର୍ମଚାରୀ ବାଇକକୁ ସେହି ଠାରେ ଛାଡି ଜୋରିମାନା ଟଙ୍କା ଆଣିବାକୁ ଯିବା ପାଇଁ କହି ଚାଲି ଯାଇଥିଲେ। କିଛି ସମୟରେ ପରେ ବାଇକ ଚଳାଉଥିବା ପୁଲିସ କର୍ମଚାରୀ ଉମେଶ ଚେକିଂ ସ୍ଥାନକୁ ଯାଇ ହେଲମେଟ ଜୋରିମାନା ପାଇଁ ରସିଦ କାଟି ଥିଲେ। ପୁଲିସ କର୍ମଚାରୀ ଜଣକ ଗାଡି ନେବା ସମୟରେ ସେଠାରେ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ରସିଦରେ ପୁଲିସର ବାଇକ ନଂ ଓଡ଼ି-୦୫- ଏମ୍-୩୬୩୮ ସ୍ଥାନରେ ଅନ୍ୟ ଏକ ସ୍କୁଟର ଗାଡିର ନଂ ଓଡ଼ି -୧୫-ବି-୬୬୮୪ ଉଲ୍ଲେଖ୍ୟ ରହିଥିବାର ଦେଖିବାକୁ ପାଇଥିଲେ। ଏ ସର୍ମ୍ପକରେ ଉପସ୍ଥିତ ଅଧିକାରୀଙ୍କୁ ପଚରାଯିବାରୁ ସେ କଥାକୁ ଏଡାଇ ଯାଇଥିଲେ। ଅନ୍ୟ ପଟରେ ସେହି ରସିଦର ଟଙ୍କା ଆଦାୟ କରା ନ ଯାଇ ତାକୁ ବାକିଆ (ପେଣ୍ଡିଂ) ରଖାଯାଇଛି। ପୁଲିସ ବାଇକ ନଂ ଓଡ଼ି-୦୫- ଏମ୍-୩୬୩୮ ସୁପରିନ୍ଟେଣ୍ଡାନ୍ଟ ଅଫ ପୁଲିସ, କଟକଙ୍କ ନାମରେ ପଞ୍ଜିକୃତ ଥିବା ବେଳେ ରସିଦ କଟାଯାଇଥିବା ଗାଡି ନଂ ଓଡ଼ି -୧୫-ବି-୬୬୮୪ ଝସକେତନ ଦେହେରୀ, ଘେନୁପାଲୀ, ସମ୍ବଲପୁର ନାମରେ ପଞ୍ଜିକୃତ ହୋଇଛି। ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ପୁଲିସ ତାର ନିଜର କର୍ମଚାରୀକୁ ବଞ୍ଚାଇବା ପାଇଁ ଅନ୍ୟ ଗାଡି ମାଲିକଙ୍କ ନାମରେ ଅକରାଣରେ ଅଠା ବୋଳି ଦେଇ ମାମଲାକୁ ରଫାଦଫା କରିଛି। ଏଣୁ ରସିଦ କଟାଯାଇଥିବା ଗାଡି ମାଲିକଙ୍କ ଅଜାଣତରେ ପୁଲିସ ତାର କ୍ଷମତାର ର୍ଦୁଉପଯୋଗ କରି ଏଭଳି କାରନାମା କରି ଅନ୍ୟ ଜଣକ ଉପରେ ଅକାରଣରେ ଅଠା ବୋଳି ଦେଇଛି। ଏ ସର୍ମ୍ପକରେ ସମ୍ବଲପୁର ଆରଟିଓ ଲଳିତ କୁମାର ବେହେରାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଯିଏ ଜରିମାନା ନ ଦେଇ ବାକିଆ ରଖିବ, ତାହା ସେହି ପଞ୍ଜିକୃତ ନମ୍ବରରେ ବାକିଆ ଭାବରେ ଗଡି ଚାଲିଥିବ। ଗାଡି ମାଲିକ ଯେଉଁ ସମୟରେ ଗାଡିର ନବୀକରଣ ଅଥବା ଅନ୍ୟ କୌଣସି କାଗଜପତ୍ର ପାଇଁ ପରିବହନ ବିଭାଗକୁ ଆବେଦନ କରିବେ ସେଥିରେ ସେହି ଜରିମାନା ଟଙ୍କା ସହିତ ଫାଇନ ଯୋଡାଯାଇ ଆଦାୟ କରାଯିବାର ପ୍ରାବଧାନ ରହିଛି। ଏ ସର୍ମ୍ପକରେ ଟ୍ରାଫିକ ଡିଏସପି ହିମାଂଶୁ ବେହେରାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଏଭଳି ସାଧାରଣତଃ ହୁଏ ନାହିଁ। ଆଜି ବହୁତ ଭିଡ ଥିବାରୁ ବୋଧହୁଏ ରସିଦ କଟାଯିବା ସମୟରେ ଅନ୍ୟ ଜଣକଙ୍କ ରସିଦ ସହିତ ଅଦଳବଦଳ ହୋଇଯାଇଥିବ। ଆମେ ଏହାକୁ ଯାଞ୍ଚ କରିବୁ ଯଦି କିଛି ତ୍ରୃଟି ରହିଥାଏ, ତାହା ହେଲେ ପ୍ରକୃତ ଗାଡିର ଚାଲାଣ କଟାଯିବ।

ସମ୍ବଲପୁର ପୁଲିସ ନିଜ ବିଭାଗୀୟ କର୍ମଚାରୀ ମାନଙ୍କୁ ବଞ୍ଚାଇବା ପାଇଁ ଏଭଳି ଅନ୍ୟ ଗାଡି ନାମରେ ରସିଦ କାଟିବାର ପୂର୍ବରୁ ନଜୀର ରହିଛି। ୬ ଏପ୍ରିଲ ୨୦୧୮ ମସିହାରେ ଅଇଁଠାପାଲୀରୁ ବୁଢ଼ାରଜା ରାସ୍ତା ମଧ୍ୟରେ ହେଲମେଟ ଚେକିଂ ଚାଲୁଥିବା ବେଳେ ବିନା ହେଲମେଟରେ ଗାଡି( ଓଡ଼ି-୧୫-J-୨୬୮୯) ପୁଲିସ ଅଧିକାରୀ ପି. ମିଙ୍ଗ ଙ୍କୁ ଛାଡି ଦିଆଯାଇଥିଲା ।  କିନ୍ତୁ କିଛି ସଚେତନ ଯୁବକ ତାଙ୍କୁ ପିଛା କରି ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବାରୁ ପୁଲିସ ବାଧ୍ୟ ହୋଇ ସେହି ଦିନ ରାତ୍ରିରେ ଅଧିକାରୀଙ୍କୁ ଫାଇନ କଟାଯାଇଛି ବୋଲି ସୂଚନା ପ୍ରଦାନ କରି ଚାଲାଣର କପି ଗଣମାଧ୍ୟମକୁ ପ୍ରଦାନ କରିଥିଲା। କିନ୍ତୁ ସେହି ଚାଲାଣରେ ଅଧିକାରୀ ପି.ମିଙ୍ଗଙ୍କ ଗାଡି ନଂ ଓଡ଼ି-୧୫-J-୨୬୮୯ ପରିବର୍ତ୍ତେ ଓଆର-୧୫-ଆର-୦୬୪୩ ନଂ ଉଲ୍ଲେଖ୍ୟ କରି ଅଧିକାରୀଙ୍କୁ ବଞ୍ଚାଇବାର ପ୍ରଚେଷ୍ଟା କରିଥିଲା। ପୁଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଉଛି।

Comments are closed.