ବିଜ୍ଞାନ ମେଳାରେ ସାମାଜିକ ମୂଲ୍ୟବୋଧ

କିଛି ମାସ ପୂର୍ବେ ବିଦ୍ୟାଳୟ ସ୍ତରୀୟ ଏକ ବିଜ୍ଞାନମେଳାରେ ଯୋଗ ଦେବାର ସୁଯୋଗ ମିଳିଥିଲା। ମେଳାରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ପ୍ରକଳ୍ପ ସ୍ଥାନ ପାଇଥିଲା। ମାନେ ଦୁଇ ଶହରୁ ଊର୍ଦ୍ଧ୍ବ କୁନିକୁନି ବୈଜ୍ଞାନିକମାନଙ୍କ ଉପସ୍ଥିତି ବିଦ୍ୟାଳୟ ପରିବେଶକୁ ବିଜ୍ଞାନମୟ କରିଦେଇଥିଲା। କୁନି ବୈଜ୍ଞାନିକମାନଙ୍କ ଉତ୍ସାହ, ମନରେ ନିଜ ପ୍ରକଳ୍ପ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବାର ଆତ୍ମବିଶ୍ବାସ ଓ ଆତ୍ମ ସନ୍ତୁଷ୍ଟି ଅନୁଭବୀ ହିଁ ବୁଝିପାରିବ। ପ୍ରକଳ୍ପ ଗୁଡ଼ିକୁ ବିଷୟବସ୍ତୁ ଆଧାରରେ ବିଭାଜିତ କରି ସ୍ବତନ୍ତ୍ର ଭାବରେ ସଜାଇ ରଖିବାକୁ ସୁବ୍ୟବସ୍ଥା ହୋଇଥିଲା। ନାମ ପଞ୍ଜୀକରଣ ପରେ କ୍ରମାଙ୍କ ସଂଖ୍ୟା ଅନୁସାରେ ପ୍ରକଳ୍ପ ସଜାଡିବାର ବ୍ୟବସ୍ଥା ଆୟୋଜକଙ୍କ ପରିଶ୍ରମର ପରାକାଷ୍ଠାକୁ ସ୍ପଷ୍ଟ ସଙ୍କେତ ଦେଉଥିଲା। ଚିରାଚରିତ ଢଙ୍ଗରେ ଅତିଥିମାନଙ୍କ ବିଳମ୍ବିତ ଉପସ୍ଥିତି ଯୋଗୁଁ ସାମାନ୍ୟ ସମୟଗତ ବ୍ୟତିକ୍ରମ ପରେ ଆରମ୍ଭ ହେଲା ବିଜ୍ଞାନ ମେଳା। ଔପଚାରିକ ଉଦ୍‌ଘାଟନ ପରେ ବିଚାରକ ମଣ୍ଡଳୀଙ୍କ ପରିଦର୍ଶନ ଆରମ୍ଭ ହେଲା। ପିଲାମାନେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏକଦାମ୍ ପ୍ରସ୍ତୁତ।
ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି କୁନିକୁନି ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ କରିବା। ସେମାନଙ୍କ ମଧ୍ୟରେ ଗବେଷଣାତ୍ମକ ଦୃଷ୍ଟିକୋଣ ଓ ପ୍ରାମାଣିକ ତଥ୍ୟ ତଥା ସିଦ୍ଧାନ୍ତ ଆଧାରରେ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧି କରିବା। ବିଶେଷକରି ପାଠ୍ୟପୁସ୍ତକ, ଶିକ୍ଷାଦାନ ଓ ଦୈନନ୍ଦିନ ଜୀବନ ମଧ୍ୟରେ ଥିବା ବୈଜ୍ଞାନିକ ସମ୍ବନ୍ଧର ଉଜାଗର କରି ବିଜ୍ଞାନକୁ ଅତି ନିକଟରୁ ଦେଖିବା, ପରଖିବା ଓ ଉପଯୋଗ କରିବା ଭଳି ବାସ୍ତବ ଜ୍ଞାନ ଓ ଅନୁଭୂତି ସାଉଁଟିବା ବିଜ୍ଞାନ ମେଳାର ଉଦ୍ଦେଶ୍ୟ ବୋଲି ଗ୍ରହଣ କରାଯାଇପାରେ। ସେଥିପାଇଁ ସରକାରୀ ସ୍ତରରେ ଏଭଳି ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟ ସ୍ତରରେ ହେଉଥିବା ମେଳା ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ଭାବରେ ପ୍ରତିଷ୍ଠିତ କରିବା ସହ ଦେଶ ଓ ବିଶ୍ବର ମଙ୍ଗଳ ପାଇଁ ନିଜକୁ ସମର୍ପି ଦେବାରେ ପ୍ରୋତ୍ସାହିତ କରିଥାଏ। ତେବେ ଏଭଳି ବିଜ୍ଞାନ ମେଳାରେ କେବଳ ଯେ ବୈଜ୍ଞାନିକ ସିଦ୍ଧାନ୍ତ ସମ୍ପର୍କରେ ପିଲାମାନେ ଅବଗତ ହୁଅନ୍ତି ବା ସେମାନଙ୍କ ବୈଜ୍ଞାନିକ ମନୋବୃତ୍ତିର ଉନ୍ମେଷ ହୁଏ ତାହା ନୁହେଁ,ଏହା ପିଲାଙ୍କ ଭିତରେ ସାମାଜିକ ମୂଲ୍ୟବୋଧର ବିକାଶ ମଧ୍ୟ କରାଇଥାଏ। ବିଭିନ୍ନ ବିଦ୍ୟାଳୟରୁ (ସରକାରୀ/ବେସରକାରୀ, ଗ୍ରାମାଞ୍ଚଳ/ସହରାଞ୍ଚଳ, ବିଭିନ୍ନ ମାଧ୍ୟମ ଯଥା ଓଡ଼ିଆ/ଇଂରାଜୀ )ବିଭିନ୍ନ ସାମାଜିକ, ଆର୍ଥିକ ଓ ବୈ।ଦ୍ଧିକ ବର୍ଗର ପିଲାଙ୍କ ସହ ବିଭିନ୍ନ ଶ୍ରେଣୀର ପିଲାଙ୍କ କୁମ୍ଭମେଳା ହେଉଛି ଏଭଳି କାର୍ଯ୍ୟକ୍ରମ। ପିଲାମାନେ ପରସ୍ପର ଭେଟନ୍ତି। ନିଜ ପ୍ରକଳ୍ପ, ପରିବାର ଓ ବିଦ୍ୟାଳୟ ସମ୍ବନ୍ଧରେ ଆଲୋଚନା ଓ ଭାବ ବିନିମୟ କରନ୍ତି। ପରସ୍ପର ମଧ୍ୟରେ ବନ୍ଧୁତା ସୃଷ୍ଟି ହୁଏ। ଏଭଳି କାର୍ଯ୍ୟକ୍ରମ ଦ୍ବାରା ପିଲାଙ୍କ ଭିତରେ ଆବେଗିକ ବୁଦ୍ଧ୍ୟାଙ୍କର ବିକାଶ ହେବା ସହ ସାମାଜିକ ସଦ୍‌ଭାବନା ଓ ସମରସତାର ବିକାଶ ହୋଇଥାଏ। ଏହାର ପ୍ରଭାବ ଭବିଷ୍ୟତ ଜୀବନରେ ମଧ୍ୟ ପଡ଼ିଥାଏ। ଫଳତଃ ସେମାନେ ଜଣେ ଜଣେ ଦାୟିତ୍ବବାନ ନାଗରିକ ଓ ସମାଜର ଅଗ୍ରଣୀ ସଦସ୍ୟ ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହେବାରେ ବିଶେଷ ଲାଭବାନ ହୋଇଥାନ୍ତି।
ତେବେ ବିଜ୍ଞାନ ମେଳାରେ କେତେକ ଦୃଶ୍ୟ ମୋ ଭଳି ଅନେକ ଅଭିଭାବକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କଲା। ପ୍ରଥମରେ ଅତିଥିମାନେ ବିଳମ୍ବରେ ପହଞ୍ଚି ପିଲାଙ୍କ ଆଗରେ ନିଜର ସମୟାନୁବର୍ତ୍ତୀ ମୂଲ୍ୟବୋଧର କମିକୁ ପ୍ରଦର୍ଶନ କଲେ। ଅତିଥି ଯେତେ ବଡ ପଦପଦବୀର ହୁଅନ୍ତୁ ନା କାହିଁକି ଶିକ୍ଷା ଅନୁଷ୍ଠାନକୁ ଗଲାବେଳେ ସମୟ ଜ୍ଞାନ ରହିବା ଦରକାର କାରଣ ସେଠାରେ ଅପେକ୍ଷା କରିଥିବା କୁନିକୁନି ଶିକ୍ଷାର୍ଥୀଗଣ ଦେଶର ଭାଗ୍ୟ ଓ ଭବିଷ୍ୟତ। ଠିକ୍ ସମୟରେ କାର୍ଯ୍ୟକ୍ରମ ଆରମ୍ଭ ନହେବା ଅର୍ଥ ସେମାନଙ୍କ ମନରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମୟ ଜ୍ଞାନର ଅନାଦର କରି ସେମାନଙ୍କୁ ମଧ୍ୟ ସମୟାନୁବର୍ତ୍ତୀ ନହେବାକୁ ପ୍ରରୋଚିତ କରିବା ସହ ସମାନ। ଦ୍ବିତୀୟରେ ଅତିଥିମାନଙ୍କ ଆଗମନ ପରେ ବ୍ୟବସ୍ଥାରେ ଥିବା ବ୍ୟକ୍ତି ବିଶେଷଙ୍କ ବିକଳ ରୂପ ଓ ସେମାନଙ୍କୁ ଆପ୍ୟାୟିତ କରି ବାହାବା ନେବାର ସଂକୀର୍ଣ୍ଣ ମାନସିକତା ପିଲାଙ୍କୁ କ’ଣ ଶିକ୍ଷା ଦେବ ତାହା ବିଚାର କରିବା ଉଚିତ। ଅତିଥିଙ୍କୁ ସତ୍କାର କରିବା ଆମ ସଂସ୍କାର, ପରମ୍ପରା ଓ ବିଚାର ପଦ୍ଧତିର ଅଙ୍ଗ; କିନ୍ତୁ ସେମାନଙ୍କୁ ଖୁସି କରି ନିଜର ଫାଇଦା ନେବାକୁ ଉଦ୍ୟମ ହେବା ନିନ୍ଦନୀୟ। ବିଶେଷକରି ଶିକ୍ଷକ ଶିକ୍ଷୟିତ୍ରୀମାନେ ସମାଜରେ ନିଜର ସ୍ଥାନ ଓ ସମ୍ମାନ ଭୁଲି ବଡବଡିଆଙ୍କ ଚାପଲୁସି କରିବା ଅର୍ଥ ପିଲାମାନଙ୍କୁ ନିଜ ଅସହାୟତା ପ୍ରଦର୍ଶନ କରିବା ଯାହା ସମାଜ ପାଇଁ ଶୁଭଙ୍କର ନୁହେଁ; କିନ୍ତୁ ଅନେକାଂଶରେ ଏଭଳି ଆଚରଣ ଦେଖିବାକୁ ମିଳେ। ଅବଶ୍ୟ ଏ‌ହା ବେଳେବେଳେ ଅନିଚ୍ଛାକୃତ ଓ ବାଧ୍ୟବାଧକତାରେ ହୋଇଥାଏ। ତୃତୀୟରେ ଅତିଥିମାନଙ୍କ ହାବଭାବ, ପ୍ରକଳ୍ପ ଦେଖି ଅପ୍ରସ୍ତୁତ ଭାବେ ପ୍ରଶ୍ନ ପଚାରିବାର ମାନସିକତା ଓ ବିଶେଷକରି କିଛି ପିଲାଙ୍କୁ ନଜରଅନ୍ଦାଜ କରି ଚାଲିଯିବା କୁନିକୁନି ବୈଜ୍ଞାନିକମାନଙ୍କ ଭିତରେ କେତେ ଯେ ଆଘାତ ଦିଏ ତାହା କଥାରେ ପ୍ରକାଶ କରିହେବ ନାହିଁ। ପିଲାମାନେ ଏଭଳି କହନ୍ତି ମୋତେ ଅତିଥିମାନେ ପଚାରିଲେ ନାହିଁ କି ଅନେଇଲେ ନାହିଁ କିନ୍ତୁ ପାଖ ପିଲାଟିକୁ ବହୁ ସମୟ ପଚାରିଲେ ଓ ତାଙ୍କ ପରିଚୟ ପଚାରିବା ସହ ବାପାମାଆଙ୍କ ବିଷୟରେ ପଚାରିଲେ। ଏଭଳି ଅନେକ ଅଭାବନୀୟ ଘଟଣା ସେମାନଙ୍କୁ ଦୁର୍ବଳ କରିଦିଏ। ଫଳରେ ପିଲାଟି ନିଜକୁ ଦୁର୍ବଳ ଓ ନିକୃଷ୍ଟ ବୋଲି ତିରସ୍କାର କରେ। ତେଣୁ ଅତିଥିମାନଙ୍କ ଆଚରଣ ସର୍ବସ୍ପର୍ଶୀ ଓ ସମାବେଶୀ ହେବା ଉଚିତ।ମୋର ମନେ ଅଛି ଅନେକ କୁନିକୁନି ପିଲା ଗାଁରୁ ଆସିଥିଲେ ଅତି ସାଧାରଣ ପ୍ରକଳ୍ପ ନେଇ। ବୋଧହୁଏ ସେମାନେ ପ୍ରଥମ ଥର ସହରକୁ ଆସିଥାଇ ପାରନ୍ତି। ସେମାନଙ୍କ ପୋଷାକ ଓ ସରଳ ଆଚରଣ ସହରୀ ଓ ଧନୀ ପିଲାଙ୍କ ସହ ସମକକ୍ଷ ହୋଇ ନପାରେ କିନ୍ତୁ ସେମାନେ ଯେଉଁ ଉତ୍ସାହ ନେଇ ଆସିଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳକୁ ବୃଦ୍ଧି କରିବା ଅତିଥିମାନଙ୍କ ପ୍ରମୁଖ ଦାୟିତ୍ବ ଥିଲା। ଅତିଥି ଓ ବିଚାରକ ମଣ୍ଡଳୀ ଭାବିବା ଦରକାର ମେଳାରେ ଭାଗନେଇଥିବା ପ୍ରତ୍ୟେକ ପ୍ରତିଭାଗୀ ସମାନ ସ୍ନେହ, ଆଦର ଓ ପ୍ରୋତ୍ସାହନ ପାଇବା ଉଚିତ। ଯଦି ଅତିଥିମାନଙ୍କ ସମୟ ନାହିଁ ପିଲାଙ୍କ ପାଖରେ ଠିଆ ହୋଇ ପ୍ରୋତ୍ସାହିତ କରିବା ପାଇଁ ସେମାନେ ସେଭଳି କାର୍ଯ୍ୟକ୍ରମକୁ ନ ଆସିବା ଭଲ। ଚତୁର୍ଥରେ ନିଜ ପିଲାଙ୍କୁ ପ୍ରଥମ କରିବାର ପ୍ରତିଯୋଗିତା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଥିଲା।ବିଚାରକ ମଣ୍ଡଳୀଙ୍କୁ ପ୍ରଭାବିତ କରିବା କାହାର ଅଧିକାର ନୁହେଁ। ସେଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯତ୍ନବାନ ହେବା ଉଚିତ। ନିଜ ପିଲା ପ୍ରତିଭାଗୀ ହୋଇଥିଲା ମଧ୍ୟ ନିଜର ଆଚରଣ ଶିକ୍ଷକ ଶିକ୍ଷୟିତ୍ରୀ ଭଳି ହେବା ଉଚିତ; କିନ୍ତୁ ତାହା ଦେଖିବାକୁ ମିଳିଲା ନାହିଁ। ନିଜ ପିଲା ପାଖକୁ ଯାଇ ବିଚାରକ ମଣ୍ଡଳୀଙ୍କୁ ପରିଚିତ କରାଇବା କେଉଁ ନୈତିକତାର ପରିଚାୟକ! ଯେଉଁ ଗରିବ ଗାଉଁଲୀ ପିଲାଟି ନିଜ ସୀମିତ ସମ୍ବଳ ଭିତରେ କିଛି ସାମଗ୍ରୀ ସଂଗ୍ରହ କରି ବୈଜ୍ଞାନିକ ହେବାର ସ୍ବପ୍ନ ନେଇ ଆସିଛି ତାକୁ ଅନାଦର କରିବା, ତା’ର ସାଧାରଣ ପ୍ରକଳ୍ପକୁ ତାଚ୍ଛଲ୍ୟ କରିବା ବା ପଦୁଟିଏ ନ ପଚାରି ଚାଲିଯିବା କେଉଁ ପ୍ରକାର ମାନସିକତା ! ଏହା ପିଲାଙ୍କ ଭିତରେ ନିରାଶା ଭାବ ସୃଷ୍ଟି କରେ। ତେଣୁ ବିଜ୍ଞାନ ମେଳା ଭଳି ଗୋଷ୍ଠୀଗତ କାର୍ଯ୍ୟକ୍ରମରେ ସାମାଜିକ ଦିଗକୁ ବିଶେଷ ଦୃଷ୍ଟି ଦେବା ଅତ୍ୟନ୍ତ ପ୍ରୟୋଜନ। ଫଳତଃ ପିଲାଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ସହ ସାମାଜିକ ମୂଲ୍ୟବୋଧର ମଧ୍ୟ ବିକାଶ ହୋଇପାରିବ। ଏତିକି ସହଯୋଗ ପ୍ରତିଭାଗୀଙ୍କୁ ବୈଜ୍ଞାନିକ, ନେତା, ସାମାଜିକ କର୍ମୀ ଓ ସର୍ବୋପରି ଭଲ ନାଗରିକ ହେବାରେ ସୁଯୋଗ ସୃଷ୍ଟି କରି ପାରିବ।

ଡ.ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର,
ବିକ୍ରମଦେବ ବିଶ୍ବବିଦ୍ୟାଳୟ, କୋରାପୁଟ
ଦୂରଭାଷ: ୯୪୩୭୯୧୪୮୧୮

Comments are closed.