ଚିର ଜାଗ୍ରତ ତ୍ରିଲୋଚନଙ୍କ ତୃତୀୟ ନୟନ
‘ଜାତସ୍ୟ ହି ଧ୍ରୁବୋ ମୃତ୍ୟୁ’- ଏକଥା ଜାଣି ମଧ୍ୟ ତ୍ରିଲୋଚନଙ୍କ ଯୋଗନିଦ୍ରା ଶେଷନିଦ୍ରାରେ ପରିଣତ ହେବାର ଦୁଃସମ୍ବାଦ ଅଶେଷ ଦୁଃଖ ଦେଲା। ରାଜନୀତିରେ ମୂଲ୍ୟବୋଧକୁ ସାବ୍ୟସ୍ତ କରିଥିବା ଜଣେ ପ୍ରବୀଣ ରାଜନୀତିଜ୍ଞ ତ୍ରିଲୋଚନ କାନୁନ୍ଗୋଙ୍କର ବିକଳ୍ପ ନାହିଁ। ପ୍ରାର୍ଥନା ଥିଲା ତାଙ୍କର ପାଥେୟ, ଜୀବନ ଓ ଜଗତ ପ୍ରତି ଆଶୀର୍ବାଦ, ଶ୍ରଦ୍ଧା ଓ ସହାନୁଭୂତି ଥିଲା ତାଙ୍କ ଜୀବନର ମୂଳମନ୍ତ୍ର। ସେ ଥିଲେ ମିଷ୍ଟଭାଷୀ, ସ୍ୱୟଂସିଦ୍ଧ, ସ୍ୱୟଂପ୍ରଭ, ସ୍ୱଳ୍ପଭାଷୀ ମଣିଷ। ନିରାଡ଼ମ୍ବର ଜୀବନ, ଆଧ୍ୟାତ୍ମିକ ଚିନ୍ତନ, ସରଳ ସ୍ୱଭାବ, ଅମାୟିକ ଆଚରଣ ଏବଂ ନିରଳସ କର୍ମ ତାଙ୍କ ବ୍ୟକ୍ତିତ୍ୱକୁ କରିଥିଲା ମହିମାମୟ। ସୌମ୍ୟକାନ୍ତି ଓ ସରସ ବ୍ୟକ୍ତିତ୍ୱ ଯେକୌଣସି ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା ଏବଂ ହୃଦ୍ବୋଧ କରାଉଥିଲା ଯେ, ଏ କାଳରେ ବି ଜଣେ ଭଲ ମଣିଷ ଆମ ଗହଣରେ ଅଛନ୍ତି। ସେ ଥିଲେ ସମସ୍ତଙ୍କର ପ୍ରିୟ ‘ତିଲୁ ଭାଇ’।
୧୯୪୦ ମସିହା ସେପ୍ଟେମ୍ବର ମାସ ୧୨ତାରିଖରେ ତତ୍କାଳୀନ କଟକ ଜିଲାର ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ତ୍ରିଲୋଚନ କାନୁନ୍ଗୋ। ତାଙ୍କର ବାଲ୍ୟଜୀବନ କଟିଥିଲା ଗ୍ରାମ୍ୟ ପରିବେଶରେ। ସୁନ୍ଦରଗାଁ ହାଇସ୍କୁଲରୁ ମାଟ୍ରିକ୍ ପାସ୍ ପରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଗଣିତରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଛାତ୍ରଜୀବନରୁ ହିଁ ନିଜର ମେଧା, ନିର୍ଭୀକତା, ବାଗ୍ମିତା ଓ ପ୍ରତିଭାର ପରିଚୟ ଦେଇଥିଲେ। ୧୯୬୬ ମସିହାରେ ସେ ଥିଲେ ରେଭେନ୍ସା କଲେଜର ପ୍ରେସିଡେଣ୍ଟ। ସେବେଠୁ ତ୍ରିଲୋଚନଙ୍କ ନେତୃତ୍ୱ ପ୍ରତିଭା ସ୍ପଷ୍ଟ ହୋଇଥିଲା। ରାଜନୀତିରେ ‘ନୀତି’ ଶବ୍ଦକୁ ସେ ଗୁରୁତ୍ୱ ଦେଇ ଛାତ୍ରସମାଜକୁ ଦିଗ୍ଦର୍ଶନ ଦେଇଥିଲେ।
ପରବର୍ତ୍ତୀ କାଳରେ ସକ୍ରିୟ ରାଜନୀତି କ୍ଷେତ୍ରରେ ତ୍ରିଲୋଚନ ଅନେକ ପଦପଦବୀରେ କାମ କରିଛନ୍ତି। ରାଜନୀତିରେ ନୀତି, ଆଦର୍ଶ, କର୍ତ୍ତବ୍ୟପରାୟଣତା, ସ୍ୱଚ୍ଛତା, ନିର୍ଭୀକତା, ସମାଜ ପ୍ରତି ଦାୟିତ୍ୱବୋଧ ଭଳି ସଦ୍ଗୁଣ ଗୁଡ଼ିକର ଜ୍ୱଳନ୍ତ ଉଦାହରଣ ଭାବରେ ସମସାମୟିକ ରାଜନେତାଙ୍କୁ ଚମତ୍କୃତ କରିଥିଲେ। ତାଙ୍କର କର୍ମଜୀବନର ଶୁଭାରମ୍ଭ ହୋଇଥିଲା ଶିକ୍ଷକତାରୁ। ସେ ୧୯୭୧ରେ ଗୋବିନ୍ଦପୁର ଆସନରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ପୁନର୍ବାର ୧୯୭୪ରେ କଟକ ସହରରେ ନିର୍ବାଚନ ଲଢ଼ି ଜୟଯୁକ୍ତ ହୋଇଥିଲେ ଓ ବିଧାୟକ ପଦ ଗ୍ରହଣ କରିଥିଲେ। ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓ ତ୍ରିଲୋଚନ ବିଧାୟକ ଥିବା ସମୟରେ ନେତା ଓ ମନ୍ତ୍ରୀମାନଙ୍କର ସମ୍ପତ୍ତି ତାଲିକା ପ୍ରସଙ୍ଗରେ ଜଣେ କେହି ଅଭିଯୋଗ କରିଥିଲେ ଯେ, ତ୍ରିଲୋଚନ କାନୁନ୍ଗୋଙ୍କର ସିଡିଏରେ ଏକ ଘର ଅଛି, ଯାହାର ତାଲିକା ସେ ଦେଇନାହାନ୍ତି। ସ୍ୱାଭିମାନୀ ତ୍ରିଲୋଚନ ଦୃଢ଼ତାର ସହ କହିଥିଲେ, “ଦୁଇଦିନ ଭିତରେ ମୋତେ ପ୍ରମାଣ ଦରକାର ଯେ, ମୋର ସିଡିଏରେ ଘର ଅଛି। ଯଦି ତା’ ନ ହୁଏ ତେବେ ମୁଁ ମୋ ପଦରୁ ଇସ୍ତଫା ଦେବି।” ଦୁଇଦିନ ଭିତରେ ତାଙ୍କର ଘର ଅଛି କି ନା ତା’ର ପ୍ରମାଣ କେହି ଦେଇପାରିଲେ ନାହିଁ। ସମସ୍ତଙ୍କ ବାରଣ ସତ୍ତ୍ବେ ତ୍ରିଲୋଚନ ଦୁଇଦିନ ପରେ ବିଧାୟକ ପଦରୁ ଇସ୍ତଫା ଦେଇଦେଲେ। ଇସ୍ତଫା ଦେବା ସମୟରେ ତ୍ରିଲୋଚନ କହିଥିଲେ “ସ୍ୱଚ୍ଛତା ଓ ସାଧୁତା ଏବଂ ନୈତିକତା ହେଉଛି ମୋର ପୁଞ୍ଜି, ତା’ ଉପରେ ଯଦି ଲୋକଙ୍କ ଆସ୍ଥା ନାହିଁ ତେବେ ମୋର ରାଜନୀତିରେ ସ୍ଥାନ ନାହିଁ।” ପରେ ଜଣାପଡ଼ିଲା ଯେ, ସିଡିଏରେ ଜନୈକ ତ୍ରିଲୋଚନ କାନୁନ୍ଗୋଙ୍କର ଏକ ଘର ଅଛି। ସେହି ଘର ମାଲିକଙ୍କ ସହ ତ୍ରିଲୋଚନଙ୍କର କୌଣସି ସମ୍ପର୍କ ନାହିଁ। ଆଜିର ରାଜନୀତିରେ ଏଭଳି ସ୍ୱାଭିମାନୀ ବ୍ୟକ୍ତି ବିରଳ।
୧୯୭୮ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସେ କଟକ ପୌର ପରିଷଦର ନଗରପାଳ ହୋଇଥିଲେ। ଏହି ସମୟରେ ସେ କଟକ ସହରରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ। ମାତ୍ର ସେ ହାରିଯାଇଥିଲେ। ତତ୍କ୍ଷଣାତ୍ ତ୍ରିଲୋଚନ ପୌର ପରିଷଦର ନଗରପାଳ ପଦରୁ ଇସ୍ତଫା ଦେଇଥିଲେ। କହିଥିଲେ “ଯଦି ମୋ ଉପରେ କଟକ ନଗରବାସୀମାନଙ୍କର ଭରସା ନାହିଁ ତେବେ ମୁଁ ପୌର ପରିଷଦର ନଗରପାଳ କାହିଁକି ରହିବି?” ଏ ସମ୍ପର୍କରେ ସମସ୍ତଙ୍କର ନମସ୍ୟ ତ୍ରିଲୋଚନଙ୍କର ଏକଦା ପ୍ରିନ୍ସିପାଲ ତଥା ଶିକ୍ଷକ ଡ. ସଦାଶିବ ମିଶ୍ର ତାଙ୍କୁ ବୁଝାଇ କହିଥିଲେ, “କଟକ ନଗରବାସୀ ତୁମକୁ କାହିଁକି ଭୋଟଦେଲେ ନାହିଁ ଜାଣିବା ଉଚିତ୍। ତୁମେ ତାଙ୍କ ପାଇଁ ଏତେ ଭଲ କାମ କରୁଥିଲ ଯେ, ସେମାନେ ତୁମକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିଲେ। ତୁମକୁ ଛାଡ଼ିଲେ ଆଉ କେହି ନଗରପାଳ ସାଧାରଣ ଲୋକଙ୍କ ପାଇଁ ପ୍ରାଣପାତ କରି କାମ କରିବେ ବୋଲି ସେମାନଙ୍କର ବିଶ୍ୱାସ ନଥିଲା।” ଅବଶ୍ୟ ପରେ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ଦ୍ୱିତୀୟବାର କଟକ ପୌର ପରିଷଦର ନଗରପାଳ ଭାବେ କାର୍ଯ୍ୟ କରିବା ସମୟରେ ସେ ସହରର ପରିମଳ ଓ ମଶାମରା ଅଭିଯାନକୁ ତ୍ୱରାନ୍ୱିତ କରିଥିଲେ। ସେତିକିବେଳେ ସେ କଟକର ଖାନ୍ନଗର ଅଞ୍ଚଳରେ ଏକ ଭବ୍ୟ ପବ୍ଲିକ୍ ଲାଇବ୍ରେରୀ ନିର୍ମାଣ କରିଥିଲେ। ସେହି ଲାଇବ୍ରେରୀର ଅବସ୍ଥା ଏବେ କ’ଣ ସେକଥା କଟକବାସୀ ଜାଣନ୍ତି। ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଜଗତସିଂହପୁର ଲୋକସଭା ସଦସ୍ୟ ଭାବେ ସେ କାର୍ଯ୍ୟ କରିଥିଲେ। ସାଂସଦ କାର୍ଯ୍ୟକାଳ ପୂରଣ ହେବା ପରେ ଓଡ଼ିଶାର ତଥା ଭାରତବର୍ଷର ରାଜନୀତିର ଚିତ୍ର ତାଙ୍କୁ ବେଶ୍ କଷ୍ଟ ଦେଇଥିଲା। ସେ ଆଉ ରାଜନୀତି କ୍ଷେତ୍ରକୁ ଆସିଲେ ନାହିଁ। ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ। ୧୯୯୩ ମସିହାରେ କଟକ ମହାନଗର ତରଫରୁ ମତେ ଏବଂ କବି ରମାକାନ୍ତ ରଥଙ୍କୁ ସେ ସହିଦ ଭବନଠାରେ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଦେଇଥିଲେ କାରଣ ସେହି ସମୟରେ ରମାକାନ୍ତ ପାଇଥିଲେ ସରସ୍ୱତୀ ସମ୍ମାନ ଏବଂ ମୁଁ ପାଇଥିଲି ମୂର୍ତ୍ତିଦେବୀ ପୁରସ୍କାର।
ଏମର୍ଜେନ୍ସି ସମୟରେ ତ୍ରିଲୋଚନ ଅଠରମାସ କାଳ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ କାହାରିକୁ ଜଣାନଥିଲା। ଜଗତସିଂହପୁର କଲେଜର ପ୍ରାଧ୍ୟାପିକା ତ୍ରିଲୋଚନଙ୍କର ପତ୍ନୀ ଅଗସ୍ତି ଚାରି ପିଲାଙ୍କୁ ନେଇ କିପରି ମନସ୍ତାପରେ ଥିଲେ ତାହା କାହାରିକୁ ବୁଝାଇ ହେବ ନାହିଁ। ତ୍ରିଲୋଚନ କେଉଁ ଜେଲ୍ରେ ଥିଲେ ତାହା ମଧ୍ୟ କାହାରିକୁ ଜଣା ନଥିଲା। ଯେତେବେଳେ ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା କଥା ସେ ଜିଦ୍ ଧରିଲେ ଯେ, ତ୍ରିଲୋଚନ କାନୁନ୍ଗୋ ଜେଲ୍ରୁ ମୁକ୍ତ ନହେଲେ ସେ ଶପଥ ଗ୍ରହଣ କରିବେ ନାହିଁ। ତାହା ହିଁ ହେଲା। ଅନେକ ଝଡ଼ଝଞ୍ଜା ଭିତରେ ମଧ୍ୟ ତ୍ରିଲୋଚନ ନିଜର ନୀତି ଓ ଆଦର୍ଶରୁ ଟଳି ନଥିଲେ। ରାଜନୀତିରେ ତ୍ରିଲୋଚନ ଏକ ବିରଳ ବ୍ୟକ୍ତିତ୍ୱ ହୋଇ ଚିରକାଳ ସମସ୍ତଙ୍କୁ ବିସ୍ମିତ, ବିମୁଗ୍ଧ ଓ ଦୀକ୍ଷିତ କରୁଥିବେ।
ତ୍ରିଲୋଚନଙ୍କ ଗ୍ରାମ ନିକଟବର୍ତ୍ତୀ ଅଡଶପୁର ଅଞ୍ଚଳରେ କଲେଜ ନଥିବାରୁ ଅନେକ ମେଧାବୀ ଛାତ୍ର ସମ୍ବଳ ଅଭାବରୁ ସହର କଲେଜରେ ପାଠ ପଢ଼ିବାରୁ ବଞ୍ଚିତ ହେଉଥିଲେ। ସ୍ଥାନୀୟ ଲୋକ କଲେଜ ପାଇଁ ଦାବି କରିଆସୁଥିଲେ। ଅଡ଼ଶପୁରର ଉଦୟନାଥ ସାହୁ ନାମକ ଜଣେ ବଦାନ୍ୟ ବ୍ୟକ୍ତି ବିଶ୍ୱାସର ସହ ସତୁରି ହଜାର ଟଙ୍କା ତ୍ରିଲୋଚନଙ୍କ ହାତରେ ଅର୍ପଣ କରି କଲେଜଟିଏ ଗଢ଼ିଦେବା ପାଇଁ ଅନୁରୋଧ କରିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ସମର୍ଥନ କରିଥିଲେ କାରଣ ସମସ୍ତେ ତ୍ରିଲୋଚନଙ୍କ ନିର୍ମଳ ଭାବମୂର୍ତ୍ତି ପ୍ରତି ଆସ୍ଥାଭାଜନ ଥିଲେ। କଲେଜ କାର୍ଯ୍ୟ ଆରମ୍ଭ ହେଲା। ତ୍ରିଲୋଚନଙ୍କ ଦୂରଦୃଷ୍ଟି(ଭିଜନ୍), କଠୋର ପରିଶ୍ରମ ଏବଂ ଆତ୍ମଶକ୍ତି ବଳରେ ଆଜି ଅଡ଼ଶପୁରର ୟୁ.ଏନ୍. କଲେଜ ଏକ ବିଶ୍ୱବିଦ୍ୟାଳୟର ରୂପ ନେବାକୁ ଯାଉଛି। ଗ୍ରାମାଞ୍ଚଳରେ ଏପରି ଏକ ମହାବିଦ୍ୟାଳୟ ଓଡ଼ିଶାରେ ନାହିଁ। ଶେଷ ଜୀବନରେ ମଧ୍ୟ ସେ ପ୍ରତିଦିନ କଟକରୁ ଅଡ଼ଶପୁର କଲେଜକୁ ଯାଉଥିଲେ ଏବଂ ସଂଧ୍ୟାରେ ଫେରୁଥିଲେ। ଶ୍ରୀମତୀ ଅଗସ୍ତି ଓ ମୁଁ ରେଭେନ୍ସା କଲେଜରେ ସହପାଠିନୀ ଥିଲୁ ଓ ରେଭେନ୍ସା କଲେଜ ହଷ୍ଟେଲରେ ରହୁଥିଲୁ। ଅଗସ୍ତି ସେତେବେଳେ ଜଣାଶୁଣା କବି। ତେଣୁ ତାଙ୍କ ସହ ମୋର ଅନ୍ତରଙ୍ଗତା ସେହି କାରଣରୁ। ଆଜି ପର୍ଯ୍ୟନ୍ତ ଆମର ଅନ୍ତରଙ୍ଗତା ସେହିପରି ନିବିଡ଼ ଅଛି। ପ୍ରତିଦିନ ଆମେ ରାତିରେ ପରସ୍ପରର ଭଲମନ୍ଦ ଫୋନ୍ରେ ବୁଝୁ। ତ୍ରିଲୋଚନ ବାବୁ ସାଂସଦ ଥିବାବେଳେ ମୁଁ ଆମ ବାଲିକୁଦା ହାଇସ୍କୁଲ୍ର ଲାଇବ୍ରେରୀ ପାଇଁ ସାହାଯ୍ୟ ମାଗିଥିଲି। ସେ ଆନନ୍ଦର ସହ ଏମ୍.ପି. ଲ୍ୟାଡ୍ରୁ ଦୁଇଲକ୍ଷ ଟଙ୍କା ଦାନ ଦେଇଥିଲେ।
ତ୍ରିଲୋଚନ ଗଣିତ ଶାସ୍ତ୍ରର ଛାତ୍ର ଥିଲେ ହେଁ ସବୁ ବିଷୟରେ ତାଙ୍କର ଅଗାଧ ଜ୍ଞାନ ବିସ୍ମିତ କରିଦିଏ। ସେ ଥିଲେ ପୁସ୍ତକପ୍ରେମୀ ଏବଂ ଲାଇବ୍ରେରୀ ଗଢ଼ିବା ତାଙ୍କର ଏକ ସାରସ୍ୱତ ବିଳାସ ଥିଲା। ଅଡ଼ଶପୁର କଲେଜର ଭବ୍ୟ ଲାଇବ୍ରେରୀ ତାଙ୍କ ଦିଗ୍ଦର୍ଶନର ପ୍ରତୀକ। ଅସୁସ୍ଥତାର ପୂର୍ବଦିନ ପର୍ଯ୍ୟନ୍ତ ସେ ଖରାରେ ବୁଲି ବୁଲି ନିଜେ କଟକ ଓ ଭୁବନେଶ୍ୱର ବହି ଦୋକାନରୁ ବାଛି ବାଛି ବହି କିଣୁଥିଲେ। କଲେଜ ପାଇଁ ଅବିଶ୍ରାନ୍ତ କାର୍ଯ୍ୟ କରୁଥିଲେ ସେ। କଲେଜ ପରିବେଶ ତାଙ୍କ ବିନା ସହସା ନିଷ୍ପ୍ରାଣ ଲାଗୁଥିଲେ ମଧ୍ୟ ତାଙ୍କର ଆତ୍ମା ସେଠି ଅଛି। ତ୍ରିଲୋଚନଙ୍କ ବିନିଦ୍ର ତୃତୀୟ ନୟନ ଯେଉଁ ସ୍ୱପ୍ନ ଦେଖେ ତାହା ଅଧା ରହେ ନାହିଁ। ଅଡ଼ଶପୁର କଲେଜକୁ ୟୁନିଭର୍ସିଟି ଭାବରେ ଦେଖିବାର ସ୍ୱପ୍ନ ତାଙ୍କର ଥିଲା। ସେ ସ୍ୱପ୍ନ ନିଶ୍ଚୟ ସାକାର ହେବ, ଏହା ମୋର ବିଶ୍ୱାସ। ପ୍ରଥମଥର ଅଡ଼ଶପୁର କଲେଜରେ ମୁଁ ପହଞ୍ଚିବା ମାତ୍ରେ ଅନୁଭବ କରିଥିଲି ଯେ, ଏହା ଏକ ବିଶ୍ୱବିଦ୍ୟାଳୟର ସମକକ୍ଷ ଏବଂ ଖୁବ୍ ଶୀଘ୍ର ବିଶ୍ୱବିଦ୍ୟାଳୟରେ ପରିଣତ ହେବା ଉଚିତ୍। ବିଭିନ୍ନ ବୃକ୍ଷରାଜିରେ ଶୋଭିତ ସବୁଜିମାଭରା ଶାନ୍ତିନିକେତନ ଭଳି ଏହି କଲେଜର ପରିବେଶ। ଜଣେ ଲୋକର ଉଦ୍ୟମରେ ଏତେ ବଡ଼ କଲେଜଟିଏ ଗଢ଼ିଉଠିବା ସମସ୍ତଙ୍କୁ ଚକିତ କରେ। ବୋଧଗୟାରୁ ଏକ ବୋଧିଦ୍ରୁମ ସେ ଅଧ୍ୟାପକ ବିଜୟ ନାୟକଙ୍କ ଦ୍ୱାରା ମଗାଇଥିଲେ। ସେହି ବୋଧିଦ୍ରୁମକୁ କଲେଜ କ୍ୟାମ୍ପସ୍ରେ ରୋପଣର ସୌଭାଗ୍ୟ ମୋର ହୋଇଥିଲା।
ତ୍ରିଲୋଚନଙ୍କର ଆଜି ମଧ୍ୟ କଟକ ସହରରେ ଘର ନାହିଁ। ତାଙ୍କର ଘର କ’ଣ ହୋଇଥାନ୍ତା? ନିଜ ଗାଁ ଓ ଆଖପାଖ ଅଞ୍ଚଳର ସମସ୍ତଙ୍କ ଘର ତାଙ୍କ ପାଇଁ ଉନ୍ମୁକ୍ତ ଥିଲା। ଗାଁ ଥିଲା ତାଙ୍କର ଜୀବନ। ତ୍ରିଲୋଚନଙ୍କ ଶେଷଯାତ୍ରା ଗାଁ ବଡ଼ମୂଳେଇକୁ ହୋଇଥିଲା। ଶେଷଯାତ୍ରାର ଦୃଶ୍ୟ ସୂଚାଉଥିଲା ଗାଁରେ ଆବାଳବୃଦ୍ଧବନିତାଙ୍କ ସେ ପ୍ରିୟ ଥିଲେ।
ତ୍ରିଲୋଚନଙ୍କର ତୃତୀୟନୟନ ନିଦ୍ରିତ ନୁହେଁ। ସେ ଚିରକାଳ, ପ୍ରିୟ ଗ୍ରାମବାସୀ, ଓଡ଼ିଶାବାସୀ ଓ ତାଙ୍କ କଲେଜର ଛାତ୍ରସମାଜ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ତୃତୀୟ ନୟନର ସ୍ୱପ୍ନରେ ମନ୍ତ୍ରିତ କରୁଥିବେ। ତ୍ରିଲୋଚନଙ୍କ ତିରୋଧାନରେ ତାଙ୍କ ପରିବାର ଶୋକାକୁଳ, ତାଙ୍କର ବନ୍ଧୁପରିଜନ ବ୍ୟଥିତ ଏବଂ ମର୍ମାହତ। ଜାଣିନଥିଲି ମୋ ପ୍ରିୟ ବାନ୍ଧବୀ (ଢେଉ)ର ପ୍ରିୟତମ ଜୀବନସାଥୀଙ୍କ ପାଇଁ ମତେ ହିଁ ଅକ୍ଷମ ଅକ୍ଷରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ହେବ ବୋଲି। ଏହା ମୋ ପାଇଁ ଏକ ଦାରୁଣ ଦୁଃଖଦାୟକ କାର୍ଯ୍ୟ।
ଅବିନାଶୀ ଆତ୍ମା ବିନାଶଶୀଳ ଦେହର ଅସ୍ଥାୟୀ ବାସିନ୍ଦା ଜାଣି ମଧ୍ୟ ମଣିଷ ପୃଥିବୀକୁ ଏବଂ ପଞ୍ଚଭୂତ ଶରୀରକୁ ସ୍ଥାୟୀ ମନେକରେ ଏବଂ ପ୍ରିୟଜନର ମହାପ୍ରସ୍ଥାନରେ ମ୍ରିୟମାଣ ହୋଇଯାଏ। ତ୍ରିଲୋଚନଙ୍କ ତିରୋଧାନ ଆଜି ସମସ୍ତଙ୍କୁ ମ୍ରିୟମାଣ କରିଛି। ଦେଶ ଏକ କ୍ରାନ୍ତିକାରୀ କର୍ତ୍ତବ୍ୟନିଷ୍ଠ ସତ୍ପୁରୁଷଙ୍କୁ ହରାଇଛି। ତାଙ୍କର ପରିବାର ଯାହା ହରାଇଛନ୍ତି ତାହା ଭାଷାରେ ପ୍ରକାଶ କରିହେବ ନାହିଁ। ଏହି ଶୋକରୁ ଉତ୍ତୀର୍ଣ୍ଣ ହେବା ପାଇଁ ଈଶ୍ୱର ତାଙ୍କୁ ମନୋବଳ ଦେବେ। ତ୍ରିଲୋଚନଙ୍କ ଜୀବନଚର୍ଯ୍ୟା ଯେଉଁ ଶିକ୍ଷା ତାଙ୍କ ପରିବାରକୁ ଦେଇଛି ସେହି ଶିକ୍ଷା ଏହି ଚରମ ଦୁଃଖ ସମୟରେ ସମସ୍ତଙ୍କୁ ସାନ୍ତ୍ୱନା ଦେବ।
ଈଶ୍ୱର ତାଙ୍କର ଅମର ଆତ୍ମାର ସଦ୍ଗତି କରନ୍ତୁ ଏବଂ ତାଙ୍କର ପରିବାରକୁ ଏହି ଦାରୁଣ ଦୁଃଖକୁ ଅତିକ୍ରମ କରିବାର ଶକ୍ତି ଦିଅନ୍ତୁ। ତ୍ରିଲୋଚନଙ୍କର ତିରୋଧାନ ନାହିଁ। ତାଙ୍କ ନୀତି ଓ ଆଦର୍ଶର ଛନ୍ଦେ ଛନ୍ଦେ ପ୍ରିୟଜନଙ୍କ ଅଶ୍ରୁଳ ପ୍ରେମାଞ୍ଜଳିରେ ସେ ଅମର ହୋଇ ରହିବେ। ହେ ବନ୍ଧୁ ପ୍ରଣାମ!
ପ୍ରତିଭା ରାୟ
ଆଖ୍ୟାୟିକା, ୨୭, ଗଜପତି ନଗର, ଭୁବନେଶ୍ବର-୭୫୧୦୦୫
Comments are closed.