ସମସ୍ୟା କହିଲେ, ପରାମର୍ଶ ଦେଲେ

‘ସମାଜ’ ପାଠକ ମଞ୍ଚ

ଭୁବନେଶ୍ବର : ଲୋକଙ୍କ ନିକଟତର ହେବା, ପାଠକୀୟ ମତ ଲୋଡ଼ିବା, ସ୍ଥାନୀୟ ଅଞ୍ଚଳର ସମସ୍ୟା ଜାଣିବା ପାଇଁ ‘ସମାଜ’ ପକ୍ଷରୁ ଆୟୋଜିତ ହୋଇଥିଲା ‘ପାଠକ ମଞ୍ଚ’। ସୋମବାର ଅପରାହ୍ଣରେ ଭିଏସଏସନଗର ଡି.ଏଲ ଭୁବନେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ପାଠକ ସେମାନଙ୍କ ମତାମତ ଦେଇଥିଲେ। ନିଜ ଅଞ୍ଚଳର ସମସ୍ୟା କହିବା ସହିତ ‘ସମାଜ’ କିଭଳି ଅଧିକରୁ ଅଧିକ ଲୋକଙ୍କ ପ୍ରିୟଭାଜନ ହୋଇପାରିବ ସେ ନେଇ ପରାମର୍ଶ ଦେଇଥିଲେ।
ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠାତା ଡା. କୃପାସିନ୍ଧୁ ସାହୁ କହିଲେ ଯେ, ‘ସମାଜ’ ହେଉଛି ସମାଜର ସମ୍ପତ୍ତି। ଅନ୍ୟ ଖବର କାଗଜଠାରୁ ‘ସମାଜ’ ଭିନ୍ନ। ସତ୍ୟର ପ୍ରକାଶ ହେଲେ ଦୁନିଆର ବିକାଶ ହେବ। ନାଗରିକଙ୍କ ସମସ୍ୟା ତଥା ଅନ୍ୟାନ୍ୟ ଅସୁବିଧାକୁ ‘ସମାଜ’ ସରକାରଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। ଏଭଳି କାର୍ଯ୍ୟକ୍ରମ ରାଜଧାନୀର ସମସ୍ତ ୱାର୍ଡରେ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଭୁବନେଶ୍ବରୀ ମନ୍ଦିର କମିଟି ସଭାପତି ତଥା ଶିକ୍ଷାବିତ ପ୍ରଫେସର ଡ. ଜୟନ୍ତ କୁମାର ପରିଡ଼ା କହିଲେ ଯେ, ବିଶ୍ବର ଶ୍ରେଷ୍ଠ ୫ଶହ ଶିଳ୍ପ ଏବେ ବନ୍ଦ ହୋଇଯାଇଛି, ମାତ୍ର ‘ସମାଜ’ ଦୀର୍ଘ ୧୦୪ ବର୍ଷ ଧରି ଗୋପବନ୍ଧୁଙ୍କ ଆଦର୍ଶକୁ ପାଥେୟ କରି ନିଷ୍ଠାର ସହିତ କାର୍ଯ୍ୟ କରିଆସୁଛି ଓ ପାଠକୀୟ ଆଦୃତି ଲାଭ କରିଛି। ପୁଲିସ ଅଧିକାରୀ ବିକ୍ରମ ମାଣିଆ ପଞ୍ଚସଖା ଏବଂ ସତ୍ୟବାଦୀ ବନବିଦ୍ୟାଳୟ ବିଷୟରେ ମତ ରଖିଥିଲେ। ସତ୍ୟ, ସେବା ଓ ନିଷ୍ଠାର ସହିତ ‘ସମାଜ’ ୧୦୪ ବର୍ଷରେ ପଦାର୍ପଣ କରିଥିବାରୁ ସାଧୁବାଦ ଜଣାଇଥିଲେ। ସାହିତ୍ୟିକ ରାମଚନ୍ଦ୍ର ସାହୁ ଯୁବବର୍ଗଙ୍କୁ ମାର୍ଗଦର୍ଶନ ନିମନ୍ତେ ଆଲେଖ୍ୟ ସ୍ଥାନିତ କରିବାକୁ ପରାମର୍ଶ ଦେଇଥିଲେ। ରାନୁ ଜେନା ‘ସମାଜ’ର ବିଶ୍ବସନୀୟତା ଅକ୍ଷୁଣ୍ଣ ରହିଛି ବୋଲି କହିଥିଲେ। ସଭା ସଂଯୋଜନା କରି ଅଧିବକ୍ତା ଦିଲୀପ ଦାଶଶର୍ମା କହିଲେ ଯେ, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ‘ସମାଜ’ ଚାଲିଛି ଓ ଚାଲିବ। ଆଞ୍ଚଳିକ ଖବରକୁ ଗୁରୁତ୍ବ ଦେବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।
‘ସମାଜ’ ଭୁବନେଶ୍ବର ବ୍ୟୁରୋ ମୁଖ୍ୟ ଗୋପୀନାଥ ବାରିକ୍‌ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶାଖା ମୁଖ୍ୟ ନିହାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ସମ୍ବାଦଦାତା କ୍ଷୀରୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ‘ସମାଜ’ ପରିବାର ପକ୍ଷରୁ ଜିତ୍‌ ପଟ୍ଟନାୟକ, ତାପସ କୁମାର ପତି, ସନ୍ଦୀପ ଚୌଧୁରୀ, ଅଜିତ ଶତପଥୀ, ରଶ୍ମିରଞ୍ଜନ ସ୍ବାଇଁ, ପ୍ରକାଶ କୁମାର ସାହୁ, ଲୁକେଶ କୁମାର ସାହୁ, ଯୋଗେଶ୍ବର ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ପାଠକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସୈନିକ ସ୍କୁଲ ଅଳିଆ ଗଦାକୁ ନେଇ ବର୍ଷିଲେ

ବାଣୀବିହାର-ଭିଏସ୍‌ଏସ୍‌ ନଗର (୩ ନମ୍ବର ଗେଟ୍‌ ସମ୍ମୁଖ) ରାସ୍ତା ଖୋଲାଯାଉ
ଲକ୍ଷ୍ମୀ ବିହାର-ପୁରୁଣା ନନ୍ଦନକାନନ ରାସ୍ତାରୁ ଜବରଦଖଲ ହଟୁ
ଲିଜ୍‌ ହୋଲ୍ଡରୁ ଫ୍ରି ହୋଲ୍ଡ ନିମନ୍ତେ ଫି’ର ପୁନର୍ବିଚାର କରାଯାଉ
ନିମାଇଁ ଚରଣ ଦାସ: ୪ରୁ ୫ଟି ୱାର୍ଡ ବାସିନ୍ଦା ଏବେ ସୈନିକ ସ୍କୁଲ ଅଳିଆ ଗଦା ଦୁର୍ଗନ୍ଧରେ ଛଟପଟ ହେଉଛନ୍ତି। ଏହା ଏବେ ସିଆର୍‌ପି ପର୍ଯ୍ୟନ୍ତ ପହଞ୍ଚିଲାଣି। ନନ୍ଦନକାନନରୁ ଭିଏସ୍‌ଏସ୍‌ ନଗର ରାସ୍ତା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲେ ହେଁ ପଦ‌େ‌କ୍ଷପ ଗ୍ରହଣ କରାଯାଉନାହିଁ। ଲିଜ୍‌ ହୋଲ୍ଡରୁ ଫ୍ରି ହୋଲ୍ଡ ନିମନ୍ତେ ଫି’ର ପୁନର୍ବିଚାର କରାଯାଉ।
ପ୍ରତାପ କୁମାର ନନ୍ଦ: ଡମ୍ପିଂୟାର୍ଡ ‌େ‌ଯାଗୁଁ ସ୍ଥାନୀୟ ଅଞ୍ଚଳରେ ଚର୍ମ ରୋଗ ବ୍ୟାପିଲାଣି। ସନ୍ଧ୍ୟା ହେଲେ ହାଟ ଛକ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଅଣାୟତ୍ତ ହେଉଛି। ରାସ୍ତା ଉପ‌େ‌ର ମାଂସ କଟା ହେବା ଯୋଗୁଁ ଶିଶୁ ଓ ବୟସ୍କଙ୍କ ଉପରେ କୁପ୍ରଭାବ ପଡୁଛି।
ମୃତ୍ୟୁଞ୍ଜୟ ମାଣିକ: ଲକ୍ଷ୍ମୀନଗର ରାସ୍ତା ହୋଇପାରୁନାହିଁ। ସ୍ଥାନୀୟ ଅଞ୍ଚଳର ହାଟକୁ ଅନେକ ଲୋକ ଆସୁଥିବାବେଳେ ଏଠାରେ ଶୌଚାଳୟ ସୁବିଧା ନାହିଁ।
କାଳନ୍ଦୀ ସ୍ବାଇଁ: ମଞ୍ଚେଶ୍ବର ରେଳ ଷ୍ଟେସନ ରାସ୍ତାକୁ ଗୁରୁତ୍ବ ଦିଆଯିବା‌ ଆବଶ୍ୟକ। ଏହାସହିତ ଆମ ଅଞ୍ଚଳରେ ପ୍ରମୁଖ ସମସ୍ୟା ଡମ୍ପିଂୟାର୍ଡର ଦୁର୍ଗନ୍ଧ। ଏହି ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଉ।
ତ୍ରିଲୋଚନ ରଥ: ଭିଏସ୍‌ଏସ୍‌ ନଗର-ବାଣୀବିହାର ପାଦଚଲା ରାସ୍ତାକୁ ବ‌େ‌ର୍ଷ ହେଲା ବନ୍ଦ କରିଦିଆଯାଇଛି। ଏନେଇ ବାରମ୍ବାର ଜଣାଇବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏଥିପ୍ରତି ଗୁରୁତ୍ବ ଦିଆଯାଉ।
ଭାସ୍କର ଚନ୍ଦ୍ର ଚର୍ଚ୍ଚି: ରାସ୍ତାଘାଟଠାରୁ ଆରମ୍ଭ କରି ଡମ୍ପିଂୟାର୍ଡ ପର୍ଯ୍ୟନ୍ତ ଏହି ଅଞ୍ଚଳର ଅନେକ ସମସ୍ୟା ରହିଛି। କର୍ତ୍ତୃପକ୍ଷ ଏଥିପ୍ରତି ଯତ୍ନବାନ ହେବା ଜରୁରୀ।
ନଳିନୀ ମହାନ୍ତି: ବିଏମ୍‌ସି ଲୋକଙ୍କୁ ଯେତିକି ସୁବିଧା ଦେବା କଥା ସେଥିରେ ବିଫଳ ହୋଇଛି। ସ୍ଥାନୀୟ ଅଞ୍ଚଳର ଲୋକେ ସମସ୍ୟାରେ ଛଟପଟ ହେଉଛନ୍ତି।
ମହେଶ୍ବର ବିଶ୍ବାଳ: ଭିଏସ୍‌ଏସ୍‌ନଗରରେ ରାସ୍ତା କାର୍ଯ୍ୟ ଜାରି ରହିଥିବା‌େ‌ବଳେ ସମନ୍ବୟ ଅଭାବ ଯୋଗୁଁ କାର୍ଯ୍ୟ ସଠିକ୍‌ ଭାବେ ହେଉନାହିଁ। ଟି-ସାଇଜର ବ୍ରିଜ୍‌ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।
ସଞ୍ଜୟ ସ୍ବାଇଁ: ଦାୟିତ୍ବରେ ଥିବା ଅଧିକାରୀମାନେ ଅନେକ ସମୟରେ ସମସ୍ୟାକୁ ଉପେକ୍ଷା କରୁଛନ୍ତି। ଏହା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରୁଛି। ଲକ୍ଷ୍ମୀ ବିହାର-ପୁରୁଣା ନନ୍ଦନକାନନ ରାସ୍ତାରୁ ଜବରଦଖଲ ହଟୁ।
ଧରଣୀଧର ରାଉତ: ଭିଏସଏସ୍‌ନଗର ବାସିନ୍ଦା ଏବେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି। ଡମ୍ପିଂୟାର୍ଡ ସମସ୍ୟାରେ ସୁଧାର ଆସୁନଥିବାବେଳେ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି।
ଶଶିଭୂଷଣ ଦାସ: ବାରମ୍ବାର ଦାବି ସତ୍ତ୍ବେ ଡମ୍ପିଂୟାର୍ଡ ସମସ୍ୟା ଦୂର ହୋଇପାରୁନି। ଏଥିପାଇଁ ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି।
ରତନ ଦାସ: ସ୍ଥାନୀୟ ଅଞ୍ଚଳର ରାସ୍ତାଘାଟ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ବିଏମ୍‌ସି ମେୟର ଓ ଆୟୁକ୍ତ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।
ଶୀତଳ ଚନ୍ଦ୍ର ମହାନ୍ତି: ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବରୁ କେତେବେଳେ କେଉଁ କାର୍ଯ୍ୟ ହେଉଛି ତା’ର ସୁଫଳ ମିଳୁନି। ଏହାଦ୍ବାରା ଅଞ୍ଚଳବାସୀ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Comments are closed.