www.samajalive.in
Monday, December 15, 2025
16.1 C
Bhubaneswar

ସୀମା ପରିସ୍ଥିତି ନେଇ ଚିନ୍ତା ବଢ଼ୁଛି

ଭାରତର ଉତ୍ତର ଓ ଉତ୍ତର ପୂର୍ବ ସୀମାନ୍ତରେ ଦୀର୍ଘକାଳରୁ ବିବାଦ ଲାଗି ରହିଛି। ଉଭୟ ପାକିସ୍ତାନ ଏବଂ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ପାଇଁ ବରାବର ବିପଦ ହୋଇ ରହିଛନ୍ତି। ଶତ୍ରୁ ପକ୍ଷର ସମସ୍ତ ଷଡଯନ୍ତ୍ର ପଣ୍ଡ କରିବାକୁ ଭାରତୀୟ ସେନା ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏହା ସ‌େ‌ତ୍ତ୍ବ ପାକସ୍ତାନର ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ ଭାରତ ମଧ୍ୟକୁ ଅନୁପ୍ରବେଶ କରି ଅଘଟଣ ଘଟାଇବାରେ ଲାଗିଛନ୍ତି। ଦୀପାବଳି ପୂର୍ବରୁ ଜମ୍ମୁ କାଶ୍ମୀରର କେତେକ ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ରେଞ୍ଜର୍ସ ଅସ୍ତ୍ରବିରତି ବୁଝାମଣା ଉଲ୍ଲଙ୍ଘନ କରି ଯେଭଳି ଭାବରେ ଭାରତୀୟ ପୋଷ୍ଟ ଉପରକୁ ଆକ୍ରମଣ କଲେ ତାହାର ଉଚିତ୍‌ ଜବାବ ତାଙ୍କୁ ଦିଆଗଲା। ତାହା ପରେ ବି ସେମାନଙ୍କ ଔଦ୍ଧତ୍ୟ ଟିକିଏ ବି କମିନାହିଁ। ଶିକ୍ଷା, ଦୀକ୍ଷା, ଆବଶ୍ୟକ ମୋୖଳିକ ସୁବିଧା ସୁଯୋଗରୁ ବଞ୍ଚିତ ତଥା ମୁଠାଏ ଦାନା ପାଇଁ କିଛି ପାକିସ୍ତାନୀ ନାଗରିକ ଭାରତକୁ ସାମାଜିକ ଗଣମାଧ୍ୟମରେ ନାଲିଆଖି ଦେଖାଇବାକୁ ପଛାଉ ନାହାନ୍ତି। ଚୀନ ମଧ୍ୟ ତାହାର ଖଳବୁଦ୍ଧିରେ ଖେଳ ଖେଳୁଛି। ଏଭଳି ପରିସ୍ଥିତିରେ ମ୍ୟାଁମାରରେ ଯେଉଁଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଭାରତର ଚିନ୍ତା ବଢାଇ ଦେଇଛି। ସେ ଦେଶରେ ହିଂସାକାଣ୍ଡ ଓ ସଂଘର୍ଷ କାରଣରୁ ମ୍ୟାଁମାର ନାଗରିକମାନେ ଭାରତର ସୀମାନ୍ତ ରାଜ୍ୟ ମିଜୋରାମ ମଧ୍ୟକୁ ପ୍ରବେଶ କରି ଶରଣ ନେବାରେ ଲାଗିଛନ୍ତି। ମିଜୋରାମର ଜୋଖାୱାତର୍‌କୁ ଲାଗି ରହିଥିବା ମ୍ୟାଁମାର୍‌ର ରିହ୍‌ଖାୱଦର୍‌ ଅଞ୍ଚଳରେ ସରକାରୀ ସୈନ୍ୟ ଏବଂ ଜୁଣ୍ଟା ବିରୋଧୀ ସଶସ୍ତ୍ର ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଚାଲିଛି। ଏହି କାରଣରୁ ଉକ୍ତ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ମ୍ୟାଁମାର ନାଗରିକ ମିଜୋରାମ୍‌ ମଧ୍ୟକୁ ପ୍ରବେଶ କରିବାରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରେ ସେ ଦେଶର ସାଧାରଣ ନାଗରିକଙ୍କ ସହିତ ୪୦ରୁ ଅଧିକ ସୈନ୍ୟ ରହିଛନ୍ତି। ଅବଶ୍ୟ ଆମ ଦେଶ ସୀମାନ୍ତରେ ସଜାଗ ଥିବା ସୁରକ୍ଷା ବାହିନୀ ଅନେକଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦେଇଛନ୍ତି; କିନ୍ତୁ ଯେଉଁମାନେ ଗଳାବାଟ ଦେଇ ପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି। ତାହା ସହିତ ସେମାନଙ୍କୁ ମାନବୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ସେ ଦେଶରେ ସଂଘର୍ଷ କାରଣରୁ ପାଖାପାଖି ଲକ୍ଷେ ଲୋକ ନିଜ ଘରଦ୍ବାର ଛାଡିଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି। ଇତିମଧ୍ୟରେ ସେମାନେ ମିଜୋରାମରୁ ଏହାର ପଡୋଶୀ ଭାରତୀୟ ରାଜ୍ୟଗୁଡିକୁ ମଧ୍ୟ ଆସିବା ଆରମ୍ଭ କରିଦେଇଛନ୍ତି। ମ୍ୟାଁମାରରେ ୨୦୨୧ ଫେବୃଆରୀ ଜୁଣ୍ଟା ସାମରିକ ବିଦ୍ରୋହ କରି କ୍ଷମତା ଦଖଲ କରିଥିଲା। ସେବେଠାରୁ ସରକାରୀ ସୈନ୍ୟ ଏବଂ ଜୁଣ୍ଟା ଗୋଷ୍ଠୀ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଘଟିଚାଲିଛି। ସୂଚନାଯୋଗ୍ୟ ଯେ ମଣିପୁର ବିବାଦ ଏବଂ ରକ୍ତାକ୍ତ ସଂଘର୍ଷରେ ମ୍ୟାଁମାର ପଟୁ ବେଆଇନ ଭାବରେ ଆସିଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଥିବା ଅଭିଯୋଗ ଉଠିଥିଲା। ଚୀନ ନିଜେ ଉତ୍ତର ପୂର୍ବରେ ଭାରତ ପାଇଁ ବିପଦ ସାଜିଥିବାବେଳେ ମ୍ୟାଁମାର, ବାଂଲାଦେଶ ଭଳି ରାଷ୍ଟ୍ର ଜରିଆରେ ଭାରତ ମଧ୍ୟକୁ ଚୋରାରେ ଅସ୍ତ୍ରଶସ୍ତ୍ର ପଠାଇ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ଉସୁକାଇବାରେ ଲାଗିଛି। ବାଂଲାଦେଶକୁ ପାକିସ୍ତାନରୁ ମୁକ୍ତ କରି ଏକ ସ୍ବାଧୀନ ରାଷ୍ଟ୍ର ଗଠନରେ ଭାରତ ପ୍ରମୁଖ ଭୂମିକା ନେଇଥିବା କଥା ସମସ୍ତେ ଜାଣନ୍ତି। ସେହି ସମୟରେ ସେଠାରୁ ଚାଲିଆସିଥିବା ହଜାର ହଜାର ସଂଖ୍ୟକ ବଙ୍ଗୀୟ ଶରଣାର୍ଥୀଙ୍କୁ ଭାରତ ଏଠାରେ ଆଶ୍ରୟ ଦେବାପରେ ଶେଷରେ ସେମାନଙ୍କୁ ଏଠାରେ ସ୍ଥାୟୀ ଭାବରେ ବସବାସ କରିବା ସୁଯୋଗ ଦେଇଛି। ଏହାକୁ ନେଇ ଅନେକ ସମୟରେ କିଛି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେଉଛି। ଅନୁରୂପ ଭାବରେ ତିବ୍‌ବତୀୟ ଶରଣାର୍ଥୀ ହଜାର ହଜାର ସଂଖ୍ୟାରେ ଭାରତର ବିଭିନ୍ନ ରାଜ୍ୟରେ ରହୁଛନ୍ତି। ଏମାନଙ୍କ ବ୍ୟତୀତ ପ୍ରାୟ ପ୍ରତିଦିନ ବହୁ ସଂଖ୍ୟାରେ ବାଂଲାଦେଶୀ ନାଗରିକ ସ୍ଥଳ ଓ ଜଳପଥରେ ଆମ ଦେଶ, ବିଶେଷକରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ଅନୁପ୍ରବେଶ କରିବାରେ ଲାଗିଛନ୍ତି। ସେମାନେ ଉପକୂଳ ଅଞ୍ଚଳ‌‌େ‌ର ଆଡ୍ଡା ଜମାଇ ଚୋରା ନିଶା କାରବାର ସହିତ ନାନାଦି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ରାଜନୈତିକ ସ୍ବାର୍ଥ ପାଇଁ କିଛି ରାଜନେତା ସେମାନଙ୍କୁ ଆଶ୍ରୟ ଦେଇ ଭାରତର ସ୍ଥାୟୀ ନାଗରିକ ପ୍ରମାଣପତ୍ର ଦେଇସାରିଲେଣି। ଏହା ଆମ ଦେଶର ସାର୍ବଭୋୖମତ୍ବ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ଭଳି କଥା ହୋଇଛି। ଏଭଳି ଅନୁପ୍ରବେଶକାରୀ ନାନା ଗମ୍ଭୀର ଅପରାଧରେ ଲିପ୍ତ ରହି ଧରାପଡୁଛନ୍ତି। ସେମାନଙ୍କର ସମ୍ପର୍କ ପାକିସ୍ତାନ, ଚୀନ ଆଦି ଶତ୍ରୁ ରାଷ୍ଟ୍ରସହ ରହୁଥିବା ମଧ୍ୟ ତଦନ୍ତ ସମୟରେ ଜଣାପଡ଼ିଛି। ଏବେ ମିଜୋରାମ୍‌ରେ ମ୍ୟାଁମାର୍‌ ନାଗରିକ ପ୍ରବେଶ କରି ଶରଣ ଲୋଡିବା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। ସେଠାରେ ଶାନ୍ତି ଫେରାଇ ଆଣିବାକୁ ଭାରତ ସରକାର ନିବେଦନ କରୁଛନ୍ତି। ତାହା ନହେଲେ ଏହି ମ୍ୟାଁମାର ଶରଣାର୍ଥୀ ସମସ୍ୟା ଦିନେ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories