ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ପ୍ରକୃତି ଓ ଅନ୍ୟମାନଙ୍କ ସହିତ ମିଶି ରହିବା ଆମମାନଙ୍କ ଏକ ସହଜାତ ପ୍ରବୃତ୍ତି। ସେଥିପାଇଁ ଧର୍ମ ନିର୍ବିଶେଷରେ ମାନବ ସଭ୍ୟତାରେ ଅନ୍ନପ୍ରାଶନ ଠାରୁ ଆରମ୍ଭ କରି ଅେନ୍ତ୍ୟଷ୍ଟିକ୍ରିୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାମାଜିକ ପ୍ରଥା ଖଞ୍ଚା ଯାଇଛି। ଏହା ସହିତ ଅନେକ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ। ଏହି ସବୁ ଅବସରଗୁଡିକରେ ଓ ପରିବାରର ସୁଖ ଦୁଃଖ ସମୟରେ ସମସ୍ତେ ଏକାଠି ହୁଅନ୍ତି ଓ ପରସ୍ପର ପ୍ରତି ସ୍ନେହ, ପ୍ରେମ, ଶ୍ରଦ୍ଧା ,ଆଦର, ମମତା ଓ ସମ୍ମାନ ପ୍ରକଟ କରନ୍ତି। ମନୁଷ୍ୟ ଓ ମନୁଷ୍ୟ ମଧ୍ୟରେ ସମ୍ପର୍କ ଯେତିକି ଉନ୍ନତ ହେବ ତାହା ଉଭୟ ବ୍ୟକ୍ତିଗତ ଓ ସାମୂହିକ ଉତ୍କର୍ଷ ଆଣିବାରେ ସକ୍ଷମ ହୁଏ; କିନ୍ତୁ ବର୍ତ୍ତମାନ ଏଥିରେ ଭଟ୍ଟା ଦେଖିବାକୁ ମିଳୁଛି। ଯଦିଓ ଜନସଂଖ୍ୟା ବୃଦ୍ଧି ପାଉଛି; କିନ୍ତୁ ଆଜି ମଣିଷ ଏକୁଟିଆ ହୋଇଯାଉଛି।
ମାନବ କେଉଁ କେଉଁ କାରଣରୁ ଏକୁଟିଆ ହୋଇ ଯାଉଛି ତାକୁ ବୁଝିବା ପୂର୍ବରୁ ବିଜନତାର ପରିଭାଷା କ’ଣ ତାକୁ ବୁଝିବାକୁ ହେବ। ଏହାଦ୍ବାରା ସମସ୍ୟା କେଉଁ ସ୍ତରରେ ରହିଛି ତାହା ଜଣାପଡ଼େ। ମନସ୍ତତ୍ତ୍ବ ବିଜ୍ଞାନ ଅନୁସାରେ ଯଦି କୌଣସି ବ୍ୟକ୍ତିର ସାମାଜିକ ସମ୍ପର୍କ ଉଭୟ ଗୁଣାତ୍ମକ ଓ ପରିମାଣ ଭାବରେ କ୍ଷତିଗ୍ରସ୍ତ ହୁଏ ତେବେ ସେ ଏକୁଟିଆପଣର ଶିକାର ହୋଇଛନ୍ତି ବୋଲି ଧରାଯାଏ। ଏହାଦ୍ବାରା କିଛି ଲକ୍ଷଣ ପ୍ରକାଶ ପାଏ। ଯାହାର ସାମାଜିକ ସମ୍ପର୍କ ବିଚ୍ଛିନ୍ନ ହୁଏ ତାଙ୍କୁ କିଛି ଭଲ ଲାଗେ ନାହିଁ। ସେମାନେ ବହୁତ ଦୁଃଖୀ ହୋଇ ଯାଆନ୍ତି ଓ ନିଜର ଦୈନିକ ଜୀବନ ଶୈଳୀ ବାଧାପ୍ରାପ୍ତ ହୁଏ। ଠିକ୍ ସମୟରେ ଉଠିବା, ନିଜର ନିତ୍ୟକର୍ମ ସମ୍ପୂର୍ଣ୍ଣ କରିବା, ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରିବା ଇତ୍ୟାଦି ସମ୍ଭବ ହୁଏ ନାହିଁ। ଫଳରେ ମାନସିକ ଅବସାଦ ଦେଖାଯାଏ ଓ ଏହା ଅନ୍ୟ ବ୍ୟାଧିକୁ ନିମନ୍ତ୍ରଣ କରେ। ଆମେରିକାର ସର୍ଜନ ଜେନେରାଲ (ଆମେରିକାର ଜନ ସ୍ବାସ୍ଥ୍ୟ ସେବା ବିଭାଗର ମୁଖ୍ୟ ଅଧିକାରୀ) ଭାରତୀୟ ବଂଶୋଦ୍ଭବ ଡାକ୍ତର ବିବେକ ହେଲେଗ୍ରେ ମୂର୍ତ୍ତି ପ୍ରାୟ କହନ୍ତି ଯେ ସମଗ୍ର ବିଶ୍ବରେ ଏକୁଟିଆପଣ ଏକ ମହାମାରୀର ରୂପ ଧାରଣ କରିବାକୁ ଯାଉଛି। ସେ ଏହି ବିଷୟରେ ଲେଖିଥିବା “ଟୁଗେଦର” (ଏକାଠି) ଶୀର୍ଷକ ଏକ ଇଂରାଜୀ ପୁସ୍ତକରେ କହିଛନ୍ତି ଯେ ଆମେ ଯେତେବେଳେ କ୍ଷୁଧାର୍ତ୍ତ କିମ୍ବା ତୃଷାର୍ତ୍ତ ଥାଉ ଆମ ମସ୍ତିଷ୍କ ଭୋକ ଓ ଶୋଷ ମାଧ୍ୟମରେ ଆମେ ଯଥାଶୀଘ୍ର ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ପାଇଁ ସଙ୍କେତ ପ୍ରେରଣ କରିଥାଏ। ଠିକ୍ ସେହିପରି ମନର ଏକାକୀଭାବ ଆମର ସାମାଜିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ଏକ ସଙ୍କେତ ସ୍ୱରୂପ।
ଗତ ନଭେମ୍ବର ପହିଲା ଦିନ ବିଶ୍ୱର ଅଗ୍ରଣୀ ସାମାଜିକ ବିଶ୍ଲେଷଣ ଓ ପରାମର୍ଶଦାତା ସଙ୍ଗଠନ ଗ୍ୟାଲଅପ୍ ଓ ମେଟା (ଫେସବୁକ୍ ଓ ହ୍ୱାଟ୍ସ ଅପ ସେବା ପ୍ରଦାନକାରୀ) ମିଳିତ ଭାବରେ ସମଗ୍ର ବିଶ୍ବରେ ଏକୁଟିଆପଣ କିପରି ସ୍ଥିତିରେ ରହିଛି ତାହା ଉପରେ ଏକ ବିବରଣୀ ପ୍ରକାଶିତ କରିଛନ୍ତି। ବିଶ୍ବର ୧୪୨ଟି ଦେଶରେ ଲୋକଙ୍କ ସାମାଜିକ ସମ୍ପର୍କ କିପରି ସ୍ଥିତିରେ ରହିଛି ତାହା ଉପରେ ଏକ ବଡ ଧରଣର ସର୍ବେକ୍ଷଣ କରାଯାଇଥିଲା। ଏହି ସର୍ବେକ୍ଷଣ ଅନୁସାରେ ବିଶ୍ୱରେ ପ୍ରାୟ ଏକ ଶହ କୋଟି ଲୋକ ଏକୁଟିଆପଣ ଭାବନାରେ ବୁଡି ରହିଛନ୍ତି । ବିଶ୍ବର ପ୍ରାୟ ୭୭ ଶତାଂଶ ଯୁବବର୍ଗକୁ ଏହି ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚୀନକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇ ପାରି ନ ଥିଲା। ତେଣୁ ଏକୁଟିଆ ଯୁବକ ଓ ଯୁବତୀମାନଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଇଛି। ମୋଟାମୋଟି ଗ୍ୟାଲଅପ ର କହିବା କଥା ବିଶ୍ୱର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଏକୁଟିଆ ଅଛନ୍ତି। ପନ୍ଦରରୁ ଅଠର ବୟସ ଯୁବବର୍ଗରେ ୨୫ ଶତାଂଶ ଲୋକ ଏକୁଟିଆ ଭାବ ଅନୁଭବ କରୁଥିବା ବେଳେ ୧୯ରୁ ୨୯ ବୟସ ବର୍ଗରେ ୨୭ ପ୍ରତିଶତ, ୩୦ରୁ ୪୪ ବୟସ ବର୍ଗରେ ୨୫ ଶତାଂଶ, ୪୫ ରୁ ୬୪ ବୟସ ବର୍ଗରେ ୨୨ ପ୍ରତିଶତ ଓ ୬୫ ବର୍ଷରୁ ଅଧିକ ବର୍ଗରେ ୧୭ ପ୍ରତିଶତ ଲୋକ ଅତ୍ୟଧିକ ମାତ୍ରାରେ ବିଜନତା ଭାବ ଦ୍ବାରା ପ୍ରଭାବିତ ହେଉଛନ୍ତି। ଏହା ସହିତ ଉଭୟ ପୁରୁଷ ଓ ମହିଳା ଏହା ଦ୍ବାରା ସମାନ (୨୪ ଶତାଂଶ) ଭାବରେ ପ୍ରଭାବିତ ହେଉଛନ୍ତି।
ଭାରତୀୟ ସଂସ୍କୃତି ଓ ପରମ୍ପରା ମନୁଷ୍ୟକୁ ଏକୁଟିଆ ରହିବା ପାଇଁ ସୁଯୋଗ ପ୍ରଦାନ କରୁନଥିଲେ ମଧ୍ୟ ଅତ୍ୟାଧୁନିକ ଜୀବନଶୈଳୀ କିନ୍ତୁ ମାନବକୁ ଏକୁଟିଆ ରହିବା ପାଇଁ ବାଧ୍ୟ କରୁଛି। ଭାରତୀୟମାନେ ବର୍ତ୍ତମାନ ମୁଖ୍ୟତଃ କର୍ମ ନିଯୁକ୍ତି ସନ୍ଧାନରେ ଵିଦେଶକୁ ଯାତ୍ରା କରୁଛନ୍ତି। ଗତ ମୌସୁମୀ ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ପ୍ରଦାନ କରାଯାଇଥିବା ଏକ ତଥ୍ୟ ଅନୁଯାୟୀ ବିଗତ ଅଢେଇ ବର୍ଷ ମଧ୍ୟରେ ୨୮ ଲକ୍ଷ ଭାରତୀୟ କର୍ମ ନିଯୁକ୍ତି ପ୍ରାପ୍ତ କରିବା ପାଇଁ ବିଦେଶ ଗସ୍ତ କରିଛନ୍ତି। ଅନୁରୂପ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ତଥ୍ୟ ଅନୁଯାୟୀ ୨୦୨୨ ରେ ସାଢ଼େ ସାତ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ବିଦେଶକୁ ଯାତ୍ରା କରିଛନ୍ତି। ଯେଉଁ ଭାରତୀୟମାନେ କର୍ମ ନିଯୁକ୍ତି କିମ୍ବା ଉଚ୍ଚ ଶିକ୍ଷା ପାଇଁ ବିଦେଶରେ ବସବାସ କରନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ବ୍ୟକ୍ତି ଏକୁଟିଆପଣର କବଳରେ ରହନ୍ତି। ବିଶ୍ବ ଶିକ୍ଷା ସେବା ନାମକ ଏକ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏକ ଗୁରୁତ୍ବପୂର୍ଣ୍ଣ ସର୍ବେକ୍ଷଣ ଅନୁସାରେ ଆମେରିକାରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୪୨ ଶତାଂଶ ଏକୁଟିଆପଣ ହେତୁ ଅବସାଦଗ୍ରସ୍ତ ରହନ୍ତି। କେବଳ ଯେଉଁ ଧନୀ ପରିବାରର ସଦସ୍ୟମାନେ କୌଣସି କାରଣରୁ ବିଦେଶରେ ରହୁଛନ୍ତି କେବଳ ସେମାନେ ଯେ ଏକୁଟିଆ ରହିବା ପାଇଁ ବାଧ୍ୟ ହେଉଛନ୍ତି ତାହା ନୁହେଁ। ଦେଶ ମଧ୍ୟରେ ଯେଉଁମାନେ ଶିକ୍ଷା ଗ୍ରହଣ କରିବା ଓ କର୍ମ ନିଯୁକ୍ତି ସନ୍ଧାନରେ ଅନ୍ୟ ରାଜ୍ୟରେ ବସବାସ କରିବା ପାଇଁ ବାଧ୍ୟ ହେଉଛନ୍ତି ସେମାନେ ମଧ୍ୟ ଏକୁଟିଆ ରହିବା ପାଇଁ ପ୍ରାୟ ବାଧ୍ୟ ହୁଅନ୍ତି। ୨୦୨୦-୨୧ ମଧ୍ୟରେ ୩୮ ଲକ୍ଷ ଛାତ୍ରଛାତ୍ରୀ ଓ ୯୦ ଲକ୍ଷ ଲୋକ କର୍ମ ନିଯୁକ୍ତି ସନ୍ଧାନରେ ଭାରତ ମଧ୍ୟରେ ପ୍ରବାସୀ ହୋଇଥିଲେ।
ଏହା ସହିତ ଭାରତୀୟ ସମାଜରେ ଯୌଥ ପରିବାରର ବଡ ଭୂମିକା ରହିଛି। ପ୍ରାୟ ସତୁରି ଦଶକ ପୂର୍ବରୁ ଏକକ ପରିବାରକୁ ଭଲ ଦୃଷ୍ଟିରେ ଦେଖାଯାଉ ନ ଥିଲା; କିନ୍ତୁ ବର୍ତ୍ତମାନ ସମୟ ବିପରୀତ। ଅଧୁନା ଯୌଥ ପରିବାର କଥା ଶୁଣିଲେ କିଛି ଲୋକ ନାକ ଟେକୁଛନ୍ତି। କ୍ୟାଣ୍ଟ ନାମକ ଏକ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦ୍ୟ ପ୍ରକାଶିତ ସର୍ବେକ୍ଷଣ ବିବରଣୀ ଅନୁଯାୟୀ ଭାରତରେ ଏକକ ପରିବାରର ବୃଦ୍ଧି ପରିଲକ୍ଷିତ ହୋଇଛି। ମାତ୍ର ଚାରିଟି ସଦସ୍ୟ ଥିବା ପରିବାରର ସଂଖ୍ୟା ଭାରତର ମୋଟ ପରିବାର ସଂଖ୍ୟାର ଅଧା। ବିଗତ ଦେଢ଼ ଦଶନ୍ଧି ମଧ୍ୟରେ ଏକକ ପରିବାର ସଂଖ୍ୟାରେ ତିନି ଚତୁର୍ଥାଂଶ ବୃଦ୍ଧି ହୋଇଛି। ଏହା ଫଳରେ ଏହାର ଏକ ବଡ ନକାରାତ୍ମକ ପ୍ରଭାବ ପରିବାରର ସର୍ବାଧିକ ବୟସ୍କ ଲୋକଙ୍କ ଉପରେ ପଡୁଛି। ସେମାନେ ପରିବାର ମଧ୍ୟରେ ରହି ମଧ୍ୟ ଏକୁଟିଆ ଜୀବନ ଯାପନ କରୁଛନ୍ତି। ଏହା ଫଳରେ ସେମାନେ ମାନସିକ ଅବସାଦରେ ବୁଡି ରହୁଛନ୍ତି। ଏଜ ୱେଲ ଫାଉଣ୍ଡେସନ ନାମକ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ ୪୮ ଶତାଂଶ ବୃଦ୍ଧବୃଦ୍ଧା ଏକୁଟିଆ ରହୁଛନ୍ତି। ବୟସର ଅପରାହ୍ଣରେ ଯେଉଁ ଅବସ୍ଥାରେ ସେମାନଙ୍କ ସୁଖ ଦୁଃଖରେ ନିହାତି ଜଣେ ସେମାନଙ୍କ ପାଖରେ ରହିବା ଆବଶ୍ୟକ ସେ ସମୟରେ ଅତ୍ୟନ୍ତ ନିରାଶ ଓ ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରିବା ପାଇଁ ବାଧ୍ୟ ହେଉଛନ୍ତି।
ଭାରତୀୟ ଯୁବ ବର୍ଗ ବର୍ତ୍ତମାନ ନିଜ କାମରେ ଏତେ ବ୍ୟସ୍ତ ରହନ୍ତି ଯେ ସେମାନେ ପରିବାରରେ ଯେତିକି ସମୟ ଦେବା କଥା ତାହା ସମ୍ଭବ ହେଉନାହିଁ। ନିକଟରେ ଭାରତର ବିଶିଷ୍ଟ ଶିଳ୍ପପତି କେ ନାରାୟଣ ମୂର୍ତ୍ତି କହିଲେ ଯେ ଭାରତୀୟ ଯୁବବର୍ଗ ସପ୍ତାହକୁ ସତୁରି ଘଣ୍ଟା କାମ କରିବା ଆବଶ୍ୟକ ଯାହା ଫଳରେ ଭାରତ ଅଗ୍ରଗତି କରି ପାରିବ; କିନ୍ତୁ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ଭଲ ଦରମା ଓ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଗୋଟିଏ ଭାରତୀୟ ପୁରୁଷ ସପ୍ତାହରେ ୫୩ ଘଣ୍ଟା କାମ କରୁଥିବା ବେଳେ ଏକ ମହିଳା ୪୬ ଘଣ୍ଟା କାର୍ଯ୍ୟ କରନ୍ତି। ଏହା ଜାପାନ ଠାରୁ ୨୫ ଶତାଂଶ ଅଧିକ। ଉଲ୍ଲେଖଯୋଗ୍ୟ ଯେ ଜାପାନୀମାନଙ୍କୁ ବିଶ୍ୱରେ ସର୍ବାଧିକ ପରିଶ୍ରମୀ ବୋଲି ଆକଳନ କରାଯାଇଥାଏ। ଭାରତୀୟ ଯୁବବର୍ଗ ଆମେରିକୀୟ ଓ ଜର୍ମାନୀମାନଙ୍କ ଠାରୁ ମଧ୍ୟ ଅଧିକ ପରିଶ୍ରମୀ। ମନସ୍ତତ୍ତ୍ବ ବିଜ୍ଞାନୀମାନେ କହନ୍ତି ଅତ୍ୟଧିକ କାର୍ଯ୍ୟ ଚାପ ସାମାଜିକ ସମ୍ପର୍କକୁ ଖରାପ ଅବସ୍ଥାକୁ ଟାଣିନିଏ ଓ ଏକୁଟିଆପଣ ଉତ୍ପନ୍ନ କରାଇବା ପାଇଁ ସାହାଯ୍ୟ କରେ।
ଏକୁଟିଆପଣ ହେତୁ ବିଶେଷ ଭାବରେ ଯୁବବର୍ଗ ଇଣ୍ଟରନେଟର ଆଶ୍ରୟ ନିଅନ୍ତି। ଓଟିଟିରେ ଚଳଚ୍ଚିତ୍ର ଦେଖିବା, ସାମାଜିକ ଗଣମାଧ୍ୟମ ମଞ୍ଚରେ ସକ୍ରିୟ ରହିବା କିମ୍ବା ଅନ୍ଲାଇନ ଖେଳ ଖେଳିବା ଇତ୍ୟାଦି ମାଧ୍ୟମରେ ସାମାଜିକ ସମ୍ପର୍କ ସ୍ଥାପନ କରିବା କିମ୍ବା ନିଜର ସମୟ ଅତିବାହିତ କରିବା ପାଇଁ ଚେଷ୍ଟା କରୁଛନ୍ତି; କିନ୍ତୁ ଏହା ଲାଭ କରିବା ପରିବର୍ତ୍ତେ ଅଧିକ କ୍ଷତି କରୁଛି। ଭାରତରେ ପ୍ରକୃତରେ ଏକୁଟିଆପଣର ସ୍ଥିତି କ’ଣ ତାହାର କୌଣସି ସରକାରୀ ତଥ୍ୟ ନାହିଁ। ସରକାର ଓ ନାଗରିକମାନେ ଏହାକୁ ଗୁରୁତର ସହିତ ନିଅନ୍ତି ନାହିଁ। ଆମେରିକାରେ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ଆଲୋଚନାଚକ୍ର ଅନୁଷ୍ଠିତ ହୁଏ ଓ ସମସ୍ତେ ନିଜର ସମସ୍ୟା ଓ ଅନୁଭୂତି କହନ୍ତି; ତେଣୁ ଭାରତରେ ମଧ୍ୟ ଏହି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହେବା ଉଚିତ୍। ସାମାଜିକ ବିଜ୍ଞାନୀମାନଙ୍କ ମତରେ ଦୁର୍ବଳ ଆର୍ଥିକ ସ୍ଥିତି ଏକାକୀଭାବ ବୃଦ୍ଧି ପାଇଁ ସାହାଯ୍ୟ କରେ। ତେଣୁ ଏହା ସହିତ ଦାରିଦ୍ର୍ୟ ଦୂର କରିବା ପାଇଁ ମଧ୍ୟ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ।
ସନ୍ତୋଷ କୁମାର ମିଶ୍ର
ବେଲେଶ୍ବର, ନୟାବଜାର, କଟକ ଦୂରଭାଷ:୯୪୩୭୧୨୮୪୬୪ msantosh64@gmail.com



