ମାନବିକ ବିଚାରଧାରାରେ ଅଧୋଗତି

ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟରେ ଅବହେଳା ଏକ ସାଧାରଣ ଘଟଣା ହେଲାଣି

ଜୀବନ୍ତ ଗ୍ରହ ପୃଥିବୀର ଚରିତ୍ର ହେଉଛି ପରିବର୍ତ୍ତନ। ଆମେ ଅତୀତ ପୃଥିବୀର ରୂପ, ଗୁଣ, ସ୍ଥିତି, ଅବସ୍ଥିତିକୁ ଲକ୍ଷ୍ୟ କଲେ ପ୍ରତି ଯୁଗରେ, ପ୍ରତି ମୁହୂର୍ତ୍ତରେ ଏହା ପ୍ରାକୃତିକ ସ୍ଥିତିରେ ହେଉ ଅବା ବିଭିନ୍ନ କ୍ଷେତ୍ରରେ ହେଉ ନିଜ ଚରିତ୍ରରେ ପରିବର୍ତ୍ତିତ ହେଉଥିବା ଦେଖିଥାଉ। ସେଇଥିପାଇଁ ଆଜି ପୃଥିବୀ ପୃଷ୍ଠରେ ଯେଉଁଠି ବିଶାଳ ପର୍ବତମାଳା ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛି ସେଠାରେ ଦିନେ (କେତେକ ସ୍ଥାନରେ) ଗଭୀର ସମୁଦ୍ର ଥିଲା। ପୁଣି ଆଜିକାର ମରୁକ୍ଷେତ୍ର ଓ ବରଫସ୍ତୁପରେ ପରିପୂର୍ଣ୍ଣ ଉତ୍ତରମେରୁରେ ଦିନେ ସବୁଜ ବୃକ୍ଷରାଜି ବିଦ୍ୟମାନ ଥିଲା। ସର୍ବୋପରି ଦିନେ ପୃଥିବୀ ବକ୍ଷରେ ଖଣ୍ଡିକିଆ ସ୍ଥଳଭାଗଟିଏ ଥିଲା, ଯାହା ପରବର୍ତ୍ତୀ କାଳରେ ଦୁଇଖଣ୍ଡ ହେଲା ଓ ସେଥିରୁ ୭ଟି ମହାଦେଶ କାଳକ୍ରମେ ବିସ୍ତାରିତ ହୋଇ ପୃଥିବୀକୁ ଏକ ସ୍ବତନ୍ତ୍ର ରୂପ ସାରା ବିଶ୍ବବ୍ରହ୍ମାଣ୍ଡରେ ଦେଇପାରିଲା। ଏହା ହିଁ ବିଶ୍ବର ସବୁଠାରୁ ବୈଚିତ୍ର୍ୟମୟ ଘଟଣା। ଏବେ ମଧ୍ୟ ନୂତନ ମହାଦେଶ ‘ଜିଲାଣ୍ଡିଆ’ ଗଠନ ଅବସ୍ଥାରେ ରହି ସମୁଦ୍ର ଗର୍ଭରୁ କ୍ରମେ ସ୍ଥଳମୁହାଁ ହେବାରେ ଲାଗିଛି। ସାଗରର ନୀଳ ଜଳରାଶିକୁ ଭେଦ କରି ଏହା କେବେ ଅଷ୍ଟ୍ରେଲିଆ ନିକଟବର୍ତ୍ତୀ ଅଞ୍ଚଳରେ ଏକ ନୂତନ ମହାଦେଶର ରୂପ ନେବ ତାକୁ ବୈଜ୍ଞାନିକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ତେବେ ପୃଥିବୀର ପରିବର୍ତ୍ତନ କଥା ଛାଡ଼ି ଆମେ ଯେତେବେଳେ ଏହା ପୃଷ୍ଠର ଜୀବଜଗତ ସମ୍ପର୍କରେ ଆଲୋଚନା କରୁ ସେତେବେଳେ ମନରେ ପ୍ରଶ୍ନ ଉଠେ ଏଠାରେ ବସବାସ କରୁଥଇବା ଜୀବଜନ୍ତୁ କ’ଣ ସୃଷ୍ଟିଠାରୁ ଆଜିଯାଏ ସେମାନଙ୍କ ଚରିତ୍ର, ଆଚରଣ, ଉଚାରଣ, ନୀତି, ଆଦର୍ଶ, ସଂସ୍କୃତି, ପରମ୍ପରା, ଭାଷା ଓ ମାନସିକ ସ୍ତରରେ ସ୍ଥିର ରହିଆସିଛନ୍ତି? ଆମେ ଅନ୍ୟ ଜୀବଜନ୍ତୁ, ପକ୍ଷୀଜଗତ ତଥା ଅଣୁଜୀବଙ୍କ କଥା ଛାଡ଼ି ପୃଥିବୀ ପୃଷ୍ଠର ସବୁଠାରୁ ବୁଦ୍ଧିମାନ ଜୀବ କଥା ଆଲୋଚନା କଲେ ଯେଉଁ ବିଷୟଟି ଆମକୁ ବିଶେଷ ଭାବେ ମର୍ମାହତ କରେ ତାହା ହେଲା ସବୁ ଜୀବଜନ୍ତୁଙ୍କୁ ଏଡ଼ାଇ ମଣିଷ ହିଁ ସଂସାରରେ ପ୍ରଧାନ ଓ ପ୍ରଥମ ଜୀବ ଯେ କି ନିଜର ସୃଷ୍ଟି ପରଠାରୁ ଆଜିସୁଦ୍ଧା ସର୍ବାଧିକ ମାନସିକ ସ୍ତରରେ ପରିବର୍ତ୍ତିତ ହୋଇ ଏବେ ଚରମ ସ୍ବାର୍ଥପରତାକୁ ଅଧିକ ଅଗ୍ରାଧିକାର ଦେଇଚାଲିଛି।
ଅତୀତର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କଲେ ଆମେ ଦେଖୁ ଗୁରୁ ଆଶ୍ରମରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କର ଗୁରୁଙ୍କ ପ୍ରତି ରହିଥିବା ଆଶାତୀତ ଭକ୍ତି, ସେବା ଓ ଉତ୍ସର୍ଗର ଚିତ୍ର। ଗୁରୁ ମଧ୍ୟ ସେହିଭଳି ଥିଲେ ସମାଜ ସଂସ୍କାରକ, ଛାତ୍ରବତ୍ସଳ। କର୍ମରେ ନିଷ୍ଠା ଥିଲା ସେମାନଙ୍କର ଚରିତ୍ର, ଧର୍ମ। ଏବେକାର ସମାଜରେ ଆମେ ଦେଖୁ ହଜାର ହଜାର ଗୁରୁଙ୍କର କାର୍ଯ୍ୟ କିଭଳି ବ୍ୟାବସାୟିକ ମନୋବୃତ୍ତି ସମ୍ପନ୍ନ। ଅବଶ୍ୟ କେତେଜଣ ନୀତିନିଷ୍ଠ ଶିକ୍ଷକ ଅଛନ୍ତି ଯେଉଁମାନେ ଶିକ୍ଷକତା ଭଳି ପବିତ୍ର, ମହାନ୍‌ କାର୍ଯ୍ୟରେ ଯୋଗଦେବା ପାଇଁ ଆଗ୍ରହୀ। ସେହିଭଳି ବିଭିନ୍ନ ବୃତ୍ତିଗତ କାର୍ଯ୍ୟରେ ନିଷ୍ଠାପର କାର୍ଯ୍ୟକୁ ଗୁରୁତ୍ବ ଦିଆନଯାଇ ଅଧିକ ଉପାର୍ଜନ ତଥା କମ୍‌ କାମ ଉପରେ ଏବେ ପ୍ରାଧାନ୍ୟ ଦିଆଯାଉଛି। ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ କଥା ନ କହିବା ଭଲ। ଶିକ୍ଷାଦାନ ଯେ ପୃଥିବୀ ପୃଷ୍ଠର ସବୁଠାରୁ ପୁଣ୍ୟ କାମ ଏହା କେତେଜଣ ବୁଝୁଛନ୍ତି? ଅବଶ୍ୟ ସବୁ ଗୁରୁ ସେପରି ନୁହନ୍ତି। ଅନେକ ନିଜ କର୍ମ ପ୍ରତି ନୀତିନିଷ୍ଠ, ଉଜାଗର ଅଛନ୍ତି। ଚାକିରି ଖଣ୍ଡେ ପାଇଗଲା ପରେ ଅଧିକାଂଶ ଅବହେଳାକୁ ପ୍ରାଧାନ୍ୟ ଦେଇ ମୂଳଲକ୍ଷ୍ୟ ଭୁଲିଯାଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଉଁମାନେ ଶିକ୍ଷକତାରେ ନିଯୁକ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଏଥିପ୍ରତି ଅନାଗ୍ରହୀ ଥିବା ଲକ୍ଷ୍ୟ କରାଯାଉଛି। ଏହାର କାରଣ ସେମାନଙ୍କର ମାସିକ ଦରମା ଧାର୍ଯ୍ୟ। ପ୍ରତ୍ୟେକ କ୍ଲାସ ନେବା ପୂର୍ବରୁ ୨/୩ଘଣ୍ଟା ପ୍ରସ୍ତୁତି ଆବଶ୍ୟକ। ଏତେ ସମୟ ନଷ୍ଟ କରିବାର ଆବଶ୍ୟକତା କ’ଣ! ଘଣ୍ଟାଏ ଦୁଇଘଣ୍ଟା ଅପରେସନ କଲେ ଲକ୍ଷାଧିକ ଟଙ୍କା ସେମାନଙ୍କ ପାଇଁ ଥୁଆ। ଅଧିକାଂଶ ଏବେ ସେବା ଅପେକ୍ଷା ଆୟକୁ ଅଧିକ ଗୁରୁତ୍ବ ଦେଉଛନ୍ତି।
ଏବେ ପ୍ରତ୍ୟେକ କାର୍ଯ୍ୟରେ ଅବହେଳା ଏକ ସାଧାରଣ ଘଟଣା ହେଲାଣି। ଯେ କୌଣସି ସରକାରୀ ଅଫିସରେ ଗୋଟିଏ ସାଧାରଣ ରୁଟିନ୍‌ କାର୍ଯ୍ୟ ହାସଲ କରିବା ପାଇଁ ସାଧାରଣ ଅସହାୟ ବ୍ୟକ୍ତିଟିକୁ ଏବେ ମାସ ମାସ ଏପରି କି ବର୍ଷ ବର୍ଷ ଲାଗିଯାଉଛି। ଦୌଡ଼ି ଦୌଡ଼ି ଲୋକ ଅଣନିଶ୍ବାସୀ ହେଲେ ବି ସେମାନେ ସଫଳ ହେଉନାହାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ହେୟ ମନୋଭାବ ଏକ ସାଧାରଣ ଘଟଣା। ଆମର ଅତୀତର ସମୃଦ୍ଧ ପରମ୍ପରା ଆମକୁ ଅନେକ କଥା ଶିକ୍ଷା ଦେଇଥାଏ। ଏବେ ସେ ସବୁ ଶୁଣିବାକୁ କାହା ପାଖରେ ସମୟ ନାହିଁ। ଅନେକ କାର୍ଯ୍ୟ ହାସଲ ପାଇଁ ଅର୍ଥ ହିଁ ସାମର୍ଥ୍ୟ ହୋଇଛି। ସମସ୍ତଙ୍କ ହାତରେ ମୋବାଇଲ ଫୋନ୍‌, ରାସ୍ତାରେ ଦୁଇଚକିଆ, ଚାରିଚକିଆ ଗାଡ଼ିର ପ୍ରାବଲ୍ୟ। ଏହା ବିକାଶର ଚିତ୍ର ବୋଲି ଆମେ କହିପାରିବା; କିନ୍ତୁ ଅନେକ କ୍ଷେତ୍ରରେ ଏହା ସାମାଜିକ ସଂସ୍କାର, ସଂସ୍କୃତି ଓ ଆଦର୍ଶ ମାନବପଣିଆର ବିଲୋପ ପାଇଁ ସହଯୋଗୀ ହେଉଛି। ଏକବିଂଶ ଶତାବ୍ଦୀକୁ ଆମେ ବିକାଶର ଶତାବ୍ଦୀ କହୁଛୁ; କିନ୍ତୁ ଏହି ସମୟରେ ଆମ ଅଜାଣତରେ ଯାହାସବୁ ଘଟିଚାଲିଛି ତାକୁ ପର୍ଯ୍ୟାଲୋଚନା କଲେ ଏହା ଯେ ବିନାଶର ଶତାବ୍ଦୀ ହେବାକୁ ଯାଉଛି ତାହା କୁହାଯାଇପାରେ। ୧୩ ହଜାରରୁ ଅଧିକ ସଂଖ୍ୟକ ମଣିଷଙ୍କୁ ହତ୍ୟା କରିବା ପାଇଁ ଉଦ୍ଦିଷ୍ଟ ପରମାଣୁ ବୋମା ଏବେ ଏହି ମଣିଷ ହିଁ ଗଦାକରି ରଖିଛି। ଉର୍ବର ମାଟି କ୍ରମେ ବିଷାକ୍ତ ହେଉଛି ଓ କମୁଛି। ଜଳ, ବାୟୁ ସବୁ ବିଷାକ୍ତ, ଏଥିସହିତ ଲୋକଚରିତ୍ର ଅବକ୍ଷୟ ପଥରେ। ଶତାବ୍ଦୀ ଶେଷ ବେଳକୁ ଆମର ଅବସ୍ଥା କ’ଣ ହେବ ସେ କଥା କିଏ ଚିନ୍ତା କରୁଛି। ଯୁଦ୍ଧ, ନରସଂହାର ଓ ବେପରୁଆ ନୀତି ସତେ ଯେପରି ଏବେ ମଣିଷର ଧର୍ମ ଓ କର୍ମ ହୋଇଛି। ଆଜିକାର ମଣିଷ ପାଇଁ ଏବେ କଳେବଳେ କୌଶଳେ ଅଧିକ ଅର୍ଥ ଉପାର୍ଜନ ନୀତି ହୋଇଛି। ନିଷ୍ଠାପର କାର୍ଯ୍ୟ ଗୌଣ ଭୂମିକା ନେଇଛି। ପୂର୍ବପରି ଆଧ୍ୟାତ୍ମିକତା ମନୋଭାବ ଏବେ ବିଲୁପ୍ତ। ଏ ସ୍ଥାନରେ ଲୋକଦେଖାଣିଆ ବାହ୍ୟ ଆଡ଼ମ୍ବର ପ୍ରାଧାନ୍ୟ ବିସ୍ତାର କରିଛି। ନୀତିନିଷ୍ଠ କର୍ମ ହିଁ ଏହି ସମସ୍ୟାରୁ ଆମକୁ ରକ୍ଷା କରିପାରିବ।

Comments are closed.