ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ……

ମଣିପୁର ଘଟଣା ପାଇଁ ଦେଶବାସୀ ମର୍ମାହତ

ପୃଥିବୀ ପୃଷ୍ଠର ମୋଟ ୧୯୫ଟି ଦେଶ ମଧ୍ୟରେ ଆମ ଦେଶ ଭାରତର ସଂସ୍କୃତି, ପରମ୍ପରା, ସଂସ୍କାର ସ୍ବତନ୍ତ୍ର। ଭାରତବାସୀ ପୁଣି ଏକ ସ୍ବତନ୍ତ୍ର ଆବେଗର ଅଧିକାରୀ ଯେଉଁମାନେ ଆମ ଜନ୍ମଭୂମିକୁ ମା’ର ସମ୍ମାନରେ ଭୂଷିତ କରି ପୂଜା କରିଥା’ନ୍ତି। ଅନ୍ୟ କେଉଁ ଦେଶରେ ଏଭଳି ପରମ୍ପରା ଦେଖାଯାଏ ନାହିଁ। ଆମ ଦେଶର ସାମାଜିକ ପରମ୍ପରା ମଧ୍ୟ ଅନନ୍ୟ। ଆମ ପୁରାଣ ଶାସ୍ତ୍ରରେ ଯେଉଁ ମହାନ ବାର୍ତ୍ତା ଉଲ୍ଲେଖ ରହିଛି ତାହା ହେଲା, ‘‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା।’’ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ, ପୂଜା କରାଯାଏ, ସେଠାରେ ଦେବତାମାନେ ଖୁସିରେ ବିଚରଣ କରନ୍ତି। ଆମ ଦେଶ ପୁଣି ଲୀଳାବତୀ, ଆତ୍ରେୟୀ, ମୈତ୍ରେୟୀ, ଭାନୁମତୀଙ୍କ ଭଳି ଅନେକ ବିଦୂଷୀ ମହିଳାଙ୍କୁ ଜନ୍ମଦେଇ ଗର୍ବିତ। ଅତୀତରେ ଆମ ଦେଶରେ ଦ୍ରୌପଦୀଙ୍କୁ ଅସମ୍ମାନିତ କରିବାର ଫଳସ୍ବରୂପ ଭୟଙ୍କର ମହାଭାରତ ଯୁଦ୍ଧ ହେବାର କରୁଣ ଦୃଶ୍ୟ ଓ ଧ୍ବଂସଲୀଳା ସହିତ ଆମେ ଅବଗତ। ରାମାୟଣରେ ମଧ୍ୟ ସୀତାଙ୍କୁ ଅପମାନିତ କରିବାର ଫଳ ରାବଣର ବିନାଶ ପାଇଁ ଯେ ମୁଖ୍ୟ କାରଣ ହୋଇଥିଲା ଏହା ଆମେ ସବୁ ଜାଣିଥାଉ। ଆମର ଦୀର୍ଘ ଅତୀତରୁ ଆମେ ଯାହା ଦେଖିଛୁ ତାହା ହେଲା ଯେଉଁଠାରେ ନାରୀମାନଙ୍କୁ ଅସମ୍ମାନିତ କରାଯାଇଛି ସେଠାରେ ନିଶ୍ଚିତ ଭାବେ ଅନେକ ବିନାଶକାରୀ ଘଟଣା ଘଟିଛି।
ତେବେ ଆଜିର ଦିନରେ ଯେତେବେଳେ ପରିବାରକୁ ସଶକ୍ତ କରୁଥିବା ମହିଳାମାନେ ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବହୁବିଧ ଯୋଜନାରେ ଅଂଶୀଦାର ହୋଇ ପରିବାର, ସମାଜର ଉନ୍ନତିରେ ଭାଗୀଦାର ହୋଇ ଚାଲିଛନ୍ତି, ସେତେବେଳେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ସମ୍ମାନହାନି ଓ ପ୍ରତ୍ୟେକ ଦିନ ନାରୀମାନଙ୍କ ପ୍ରତି ହିଂସା ଆଚରଣ ପ୍ରଦର୍ଶନ କରିବା ଭଳି ଘଟଣା ବୃଦ୍ଧି ପାଇବା ଆମର ସଂସ୍କାର, ସଂସ୍କୃତିର ସ୍ଥିତି ଓ ନୀତିନିୟମ ପାଳିବାର ପରମ୍ପରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏବେ ନାରୀମାନଙ୍କ ସଂଖ୍ୟା ଆମ ଦେଶରେ କମିବାରେ ଲାଗିଛି। ୨୦୧୫ ଗଣନା ଅନୁସାରେ ଆମ ଦେଶରେ ନାରୀମାନଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ ଥାଇ ଶତକଡ଼ା ୫୧ ଦଶମିକ ୭ ରହିଥିବାବେଳେ ଏବେ ଏହି ହାର ଶତକଡ଼ା ୪୮ଦଶମିକ ୫କୁ କମି ଆସିଛି। ଅର୍ଥାତ୍‌ ପ୍ରତି ଏକହଜାର ପୁତ୍ର ସନ୍ତାନ ସହିତ ୯୦୭ ଜଣ କନ୍ୟା ସନ୍ତାନ ଏବେ ଜନ୍ମ ନେଉଛନ୍ତି। ନାରୀ ସଶକ୍ତୀକରଣ ଯୋଜନା ମାଧ୍ୟମରେ ଏବେ ଆମ ଦେଶରେ ପ୍ରାୟ ୪କୋଟି ପାଖାପାଖି ମହିଳା ବିଭିନ୍ନ କ୍ଷେତ୍ରରେ କାମ କରି ପରିବାରକୁ ସଶକ୍ତ କରିବା ସହିତ ଦେଶର ଅର୍ଥନୀତିକୁ ଆଗେଇ ନେବାରେ ସହଯୋଗୀ ହୋଇପାରିଥିବାବେଳେ ଏ କ୍ଷେତ୍ରରେ ଆମ ଦେଶର ପୁରୁଷକୈନ୍ଦ୍ରିକ ସମାଜରେ ୩୬କୋଟି ପୁରୁଷ ସେମାନଙ୍କର ଦକ୍ଷତା ମାଧ୍ୟମରେ ରୋଜଗାରକ୍ଷମ ହୋଇପାରିଛନ୍ତି।
ଆମକୁ ସ୍ବୀକାର କରିବାକୁ ହେବ ଯେ ନାରୀମାନଙ୍କ ପ୍ରତି ନ୍ୟୂନ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କେବଳ ଯେ ଆମ ଦେଶର ପୁରାତନ ସାମାଜିକ ବ୍ୟବସ୍ଥା ଓ ପରମ୍ପରାକୁ ଭାଙ୍ଗିଦେବ ତାହା ନୁହେଁ ; ପରନ୍ତୁ ଏବେ ମଣିପୁରରେ ଘଟିଥିବା ମହିଳାଙ୍କ ପ୍ରତି ଅମାନବିକ ଆଚରଣ ଆମ ଦେଶର ୧୪୨କୋଟି ଜନତା କେତେଜଣ ଲୋକଙ୍କ କୁ-ଆଚରଣ ପାଇଁ ବିଶ୍ବ ଦରବାରରେ ନିଜକୁ ଅପମାନିତ ମନେ କରିବେ। ଆମ ଆଗରେ ଘଟିଥିବା ଦିଲ୍ଲୀର ନିର୍ଭୟା ଘଟଣା ମନରୁ ଲିଭି ନଥିବାବେଳେ ମଣିପୁରରେ ଦୁଇଜଣ ମହିଳାଙ୍କୁ ସାଧାରଣରେ ଉଲଗ୍ନ କରାଯିବା ଭଳି ଅବିଶ୍ବସନୀୟ ଦୁଃଖଦ ଲୋମହର୍ଷଣକାରୀ ଘଟଣା ଉତ୍ତେଜନା ସୃଷ୍ଟି କରିବା ସହ ଦେଶବାସୀଙ୍କୁ ମର୍ମାହତ କରିଛି। ଆଜିର ସଭ୍ୟସମାଜରେ ମହିଳାମାନଙ୍କୁ ନିର୍ଯାତନା ଦେବା ଆଦୌ ଗ୍ରହଣୀୟ ହେଉନଥିବାବେଳେ ସେମାନଙ୍କ ପ୍ରତି ନିର୍ଯାତନା ହାର ବୃଦ୍ଧିପାଇବା ଉଦ୍‌ବେଗର ବିଷୟ। ଏବେ ବେଳ ଆସିଛି କନ୍ୟା ଭ୍ରୂଣ ହତ୍ୟାକୁ କଠୋର ହସ୍ତରେ ଦମନ କରାଯିବା, ଯୌତୁକ ଜନିତ ନିର୍ଯାତନାକୁ ବନ୍ଦ କରାଯିବା ଓ ଏଥି ସହିତ ସଂପୃକ୍ତ ଥିବା ଲୋକଙ୍କ ଉପରେ ତ୍ବରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।
ଏକ ଆକଳନରୁ ଜଣାଯାଏ ଯେ ଗୃହିଣୀମାନଙ୍କର ଜୀବନର ଶତକଡ଼ା ୭୫ଭାଗ ସମୟ କେବଳ ରନ୍ଧାବଢ଼ା, ପରିବାର ଯତ୍ନ ନେବାରେ ଯାଇଥାଏ। ଭାରତ ଭଳି ଏକ ଦେଶରେ ମଣିପୁରରେ ଘଟିଥିବା ଜଘଣ୍ୟ କାଣ୍ଡ ଆମର ଅତୀତର ସବୁ ପରମ୍ପରା, ମାନବବାଦକୁ କୁଠାରଘାତ କରିବା ଭଳି ମନେହୁଏ। ଏ କ୍ଷେତ୍ରରେ ତ୍ବରିତ ନ୍ୟାୟ ପ୍ରଦାନ ସହ କଠୋର କାର୍ଯ୍ୟାନୁଷ୍ଠାନ ଆଶା କରାଯାଏ। ଏହା ହିଁ ଆଜିର ଆଧୁନିକ ମାନବ ସମାଜ ନିରାପଦ ଭାବେ ତିଷ୍ଠି ରହିବା ପାଇଁ ଏକାନ୍ତ ଆବଶ୍ୟକ।

Comments are closed.