ବ୍ୟର୍ଥ ପ୍ରୟାସ

ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ଭାରତର ଅପପ୍ରଚାର କରିବା କେବଳ ତା’ର ବ୍ୟର୍ଥ ପ୍ରୟାସ ବ୍ୟତୀତ ଆଉ କିଛି ନୁହେଁ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିକଟରେ‌ ଚୀନର ବେଜିଂଠାରେ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ାର ଉଦ୍‌ଘାଟନ ଉତ୍ସବରେ ଅଂଶଗ୍ରହଣ କରିବାକୁ ଯାଇଥିବାବେଳେ ପୁଣି ଥରେ କାଶ୍ମୀରକୁ ନେଇ ବିବୃତି ରଖିଥିଲେ। ଅଧିକାଂଶ ଆନ୍ତର୍ଜାତିକ ମଞ୍ଚରେ ପାକିସ୍ତାନର କାଶ୍ମୀର ଦାବି ରହିବା ସାଧାରଣ କଥା; ତେବେ ଏପରି ଅବସରରେ ଇମ୍ରାନ ବା ପାକିସ୍ତାନର ଅନ୍ୟ ପ୍ରତିନିଧି ଯେପରି ଭାରତବିରୋଧୀ ବିବୃତି ଦେଇଆସିଛନ୍ତି, ତାହ ନିଶ୍ଚିତ ନିନ୍ଦନୀୟ। ସେମାନେ ଭାରତର ବିରୋଧ କରିବାକୁ ଯାଇ ବିଭିନ୍ନ ଅପପ୍ରଚାର କରିବାକୁ ମଧ୍ୟ ଚେଷ୍ଟା କରିଆସୁଛନ୍ତି। ଅବଶ୍ୟ ଭାରତର ଦୃଷ୍ଟିକୋଣ ଏ ସମ୍ପର୍କରେ ସ୍ପଷ୍ଟ ରହିଥିବାରୁ ବିଶ୍ବର ବହୁ ଦେଶ ପାକିସ୍ତାନର ଏହି ଦାବି ପ୍ରତି ସେତେ ଗୁରୁତ୍ବ ଦେବା ଦେଖାଯାଏ ନାହିଁ; ତେଣୁ ପାକିସ୍ତାନ ଯେଉଁ ସମର୍ଥନ ଆଶା କରେ ତାହା ତାକୁ ଏ ପର୍ଯ୍ୟନ୍ତ ମିଳୁନାହିଁ। କେବଳ ତୁର୍କୀ, ମାଲେସିଆ ଭଳି କେତେକ ଇସ୍‌ଲାମୀୟ ଦେଶ ନ୍ୟସ୍ତସ୍ବାର୍ଥ ଉଦ୍ଦେଶ୍ୟରେ ତାକୁ ସମର୍ଥନ କରିଆସିଛନ୍ତି; କାରଣ ସେମାନେ ବିଶ୍ବର ଇସ୍‌ଲାମୀୟ ଦେଶଗୁଡ଼ିକର ସଂଗଠନର ନେତୃତ୍ବ ନେବାର ଆକାଙ୍‌କ୍ଷା ପୋଷଣ କରନ୍ତି।
ତେବେ ଚୀନରେ ଇମ୍ରାନଙ୍କ କାଶ୍ମୀର ବିବୃତି ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ, ଗତ କେଇ ମାସ ହେଲା ଚୀନ ଓ ଭାରତର ସମ୍ବନ୍ଧରେ ତିକ୍ତତା ବୃଦ୍ଧି ପାଇଛି। ଚୀନ ସେନା ପକ୍ଷରୁ ସୀମାରେ ବିଭିନ୍ନ ପ୍ରକାରର ସନ୍ଦେହଜନକ ଗତିବିଧି ଜାରି ରଖାଯାଇଛି। ଏହା ଅବଶ୍ୟ ଜଣାଶୁଣା କଥା ଯେ ଚୀନ ପାକିସ୍ତାନକୁ ଏକ ମିତ୍ର ରାଷ୍ଟ୍ର ଭାବେ ଦେଖେ ଓ ତାକୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିଆସୁଛି। ତେଣୁ ପାକିସ୍ତାନ ଚାହୁଁଛି ଯେ ଚୀନ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ମୁଣ୍ଡ ପୂରାଉ ଏବଂ ଭାରତ ଉପରେ ଚାପ ପକାଉ। ଚୀନ କିନ୍ତୁ ତା’ର ଚତୁର ଖେଳ ଜାରି ରଖିଛି ଓ ପାକିସ୍ତାନକୁ ଅନ୍ୟ ପଡ଼ୋଶୀ ରାଷ୍ଟ୍ର ପରି ନିଜ କବଳରେ ରଖିବାରେ ସଫଳ ହୋଇଛି। ଭାରତ କ୍ଷେତ୍ରରେ ଏ କଥା ସମ୍ଭବ ହୋଇନାହିଁ କି ହେବନାହିଁ, ଏ କଥା ସେ ଜାଣେ। ତଥାପି ତା’ର ବିସ୍ତାରବାଦୀ ନୀତି ପାଇଁ ଭାରତକୁ ଅନେକ ସଂଘର୍ଷ କରିବାକୁ ପଡ଼ୁଛି। ଏଥର ଅବଶ୍ୟ କାଶ୍ମୀର ପ୍ରସଙ୍ଗରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଖୋଲାଖୋଲି ଭାରତ ବିରୋଧରେ କିମ୍ବା ପାକିସ୍ତାନ ସପକ୍ଷରେ ମୁହଁ ଖୋଲିନାହାନ୍ତି; କିନ୍ତୁ ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବାପରେ ଯେଉଁ ମିଳିତ ବିବୃତି ଜାରି କରାଯାଇଛି, ତାହା ନିଶ୍ଚୟ ଚିନ୍ତାଜନକ। ଏହି ବିବୃତିରେ ଉଭୟ ଦେଶ ଚୀନ-ପାକ୍‌ କରିଡର୍‌ର କାର୍ଯ୍ୟକୁ ଦ୍ରୁତ କରାଯିବା ଉପରେ ଗୁରୁତ୍ବ ଦେବେ ବୋଲି ସମ୍ମତ ହୋଇଥିବା ଦର୍ଶାଯାଇଛି। ଏହା ଭାରତ ପାଇଁ ଏଇଥିପାଇଁ ଉଦ୍‌ବେଗଜନକ ଯେ ଚୀନ-ପାକ୍‌ କରିଡର ଯେଉଁ ଅଞ୍ଚଳ ଦେଇ ଯିବାର ପ୍ରସ୍ତାବ ରହିଛି, ତାହା ପାକିସ୍ତାନର ଅବୈଧ କବଳିତ ଜାଗା। ଅତଏବ ଚୀନ ନିଜର ସ୍ବାର୍ଥ ହାସଲ ପାଇଁ ପାକିସ୍ତାନ ବେନିୟମ ଭାବେ ନିଜ ଅକ୍ତିଆରରେ ରଖିଥିବା ଅଞ୍ଚଳକୁ ତା’ର ବୋଲି ପରୋକ୍ଷରେ ସମର୍ଥନ ଦେଇଛି ଓ ସାହାଯ୍ୟ ସହାୟତା ମଧ୍ୟ ଯୋଗାଉଛି, ଯାହା ଭାରତ ଦୃଷ୍ଟିରେ ବେଆଇନ। ପୂର୍ବରୁ ଭାରତ ଉକ୍ତ ଅଞ୍ଚଳ ସମ୍ପର୍କରେ ସ୍ପଷ୍ଟ କରିସାରିଛି ଯେ ପାକିସ୍ତାନର ସେସବୁ ଅଞ୍ଚଳ ଉପରେ ଦାବି ଅବୈଧ, ତେଣୁ ତାହା କେବେ ସ୍ବୀକାର୍ଯ୍ୟ ନୁହେଁ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କେବଳ ଚୀନ ନୁହେଁ, ରୁଷିଆଠାରୁ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ନିଜ ପାଇଁ ସମର୍ଥନ ଲୋଡ଼ିଆସିଛନ୍ତି; କିନ୍ତୁ ସେଥିରେ ବିଫଳ ହୋଇଛନ୍ତି। ଏଥର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଚୀନ ଯାଇଥିଲେ ଏବଂ ପାକିସ୍ତାନ ତାଙ୍କଠାରୁ ମଧ୍ୟ ଏ ନେଇ ବିବୃତି ଆଶା କରୁଥିଲା। ସମ୍ଭବତଃ ଚୀନ ମଧ୍ୟ ଏହା ଚାହୁଁଥିଲା ଯେ ରୁଷିଆ କାଶ୍ମୀର ପ୍ରସଙ୍ଗରେ ତା’ର ମତ ରଖୁ। ଚଳିତ ମାସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୁଷିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ହୁଏତ ସେଠାରେ କାଶ୍ମୀର ପ୍ରସଙ୍ଗରେ ରୁଷିଆର ସମର୍ଥନ ଲୋଡ଼ିପାରନ୍ତି। ତେବେ ରୁଷିଆ ଏହି ପ୍ରସଙ୍ଗରେ ସବୁବେଳେ ମୁଣ୍ଡ ପୂରାଇବାକୁ ମନା କରିଆସିଛି ଏବଂ ଭାରତ ଓ ପାକିସ୍ତାନ ନିଜ ଭିତରେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଚାହିଁଛି। ଏ ପର୍ଯ୍ୟନ୍ତ ତା’ର ଏହି ନୀତି ବଦଳିନାହିଁ। ଅନ୍ୟପକ୍ଷରେ ରୁଷିଆ ଓ ଚୀନର ବନ୍ଧୁତା ଏବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ପ୍ରକୃତରେ ୟୁକ୍ରେନ ସୀମାରେ ଏକ ସମ୍ଭାବ୍ୟ ଯୁଦ୍ଧର ସ୍ଥିତିକୁ ନେଇ ରୁଷିଆ ନାଟୋକୁ ତୀବ୍ର ବିରୋଧ କରୁଥିବାବେଳେ ଚୀନ ମଧ୍ୟ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକୁ ତୀବ୍ର ସମାଲୋଚନା କରିଆସୁଛି। ଚୀନ-ରୁଷିଆ ସମ୍ବନ୍ଧ କ୍ରମେ ଘନିଷ୍ଠ ହେଉଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ଅନୁଭବ କରିବା ପରେ ସେମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରକୃତରେ ରୁଷିଆ ତୈଳ, ଗ୍ୟାସ ଓ ସାମରିକ ସାମଗ୍ରୀ ଚୀନକୁ ଯୋଗାଇବା ପାଇଁ ରାଜି ହୋଇଥିବାବେଳେ ତାକୁ ଚୀନ ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରଦାନ କରିବ ବୋଲି ନିକଟରେ ଚୁକ୍ତି କରିଛି। ଚୀନ ଓ ରୁଷିଆ, ଉଭୟଙ୍କୁ ଅଗଣତାନ୍ତ୍ରିକ ଦେଶ ଭାବେ କଳନା କରାଯାଉଥିବାରୁ ସେମାନଙ୍କର ଏହି ବନ୍ଧୁତା ଭବିଷ୍ୟତରେ ବଡ଼ ଆନ୍ତର୍ଜାତିକ ବିପର୍ଯ୍ୟୟକୁ ଜନ୍ମ ଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ କାଶ୍ମୀର ପ୍ରସଙ୍ଗରେ ରୁଷିଆର ମନୋଭାବ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେବେ ରୁଷିଆ ଓ ଚୀନର ନିକଟତା ଭାରତ-ରୁଷିଆର ଦ୍ବିପାକ୍ଷିକ ସମ୍ବନ୍ଧକୁ ପ୍ରଭାବିତ କରିବ ନାହିଁ ବୋଲି ଆଶା କରାଯାଇପାରେ।

Comments are closed.