କର୍ମ-ଶ୍ରମ-ଭାଗ୍ୟ ; ଲହୁ ଢାଳୁଥିବା ଲୋକଙ୍କ ଲୁହ ପୋଛିବ କିଏ?
- ଆଜି ଆମେ ‘ଆନ୍ତର୍ଜାତିକ ଶ୍ରମ ଦିବସ’ ଏଭଳି ଏକ ସମୟରେ ପାଳନ କରୁଛେ, ଯେତେବେଳେ ବିଶ୍ୱର କୋଣ-ଅନୁକୋଣରେ କୋଟିକୋଟି ଶ୍ରମଜୀବୀ ହାତ ବାନ୍ଧି କେବଳ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଜୀବିକା, ଜୀବନ, ଭବିଷ୍ୟତ ସବୁକିଛି ବିପନ୍ନ ଓ ଅନିଶ୍ଚିତ। ଦେଶର ବିକାଶ ପାଇଁ ଲହୁ ଢାଳି ତିଆରି କରିଥିବା ରାଜପଥ ଆଜି ତା’ ପାଇଁ ଆଶ୍ରୟସ୍ଥଳ ପାଲଟିଛି। ଦେଶବାସୀଙ୍କ ପ୍ରଗତି ପାଇଁ ଯେଉଁ ଘର ସେ ତିଆରି କରିଥିଲା ସେଥିମଧ୍ୟରୁ କେଉଁଠାରେ ହୁଏତ ଆଜି ତା’କୁ ସଙ୍ଗରୋଧରେ ରହିବାକୁ ପଡ଼ିଥିବ। କର୍ମ-ଶ୍ରମ-ଭାଗ୍ୟର ଉଦାହରଣ ଏହାଠାରୁ ବଡ଼ ଆଉ କ’ଣ ହୋଇପାରେ?
ଏହି ବିଡ଼ମ୍ବନା କେବଳ ଓଡ଼ିଶା କିମ୍ବା ଭାରତର ନୁହେଁ, ବରଂ ବିଶ୍ୱର। ଦେଶଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଶ୍ରମିକମାନଙ୍କ ସ୍ଥିତି ଆଜି ସମସ୍ତଙ୍କୁ ନିର୍ବାକ କରିବାକୁ ବାଧ୍ୟ କରିଛି। ସେହି ନିର୍ବାକ୍ ଦୃଶ୍ୟପଟରୁ ବେଳେବେଳେ କ୍ଷୀଣ ସ୍ୱରଟିଏ ଉଠି କରୋନାର କୋଳାହଳ ଭିତରେ ମିଳାଇ ଯାଉଛି – ‘ଆମେ ବଞ୍ଚିବୁ କେମିତି?’ ଦେଶର ବିକାଶ, ଆମର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଲହୁ ଢାଳୁଥିବା ଶ୍ରମିକମାନଙ୍କ ଲୁହ ପୋଛିବା ପାଇଁ ଆମେ କେତେ ତତ୍ପର, କେତେ ଯତ୍ନଶୀଳ ଓ ସମ୍ବେଦନଶୀଳ, ତାହା ସମସ୍ତେ ସମୀକ୍ଷା କରିବାର ବେଳ ଆସିଛି।
ଶ୍ରମଦାନରେ ଦେଶକୁ ସମୃଦ୍ଧ କରୁଥିବା ଶ୍ରମିକଙ୍କ ଆର୍ଥିକ ସ୍ଥିତି ବିପନ୍ନ ହେଲେ ଦେଶର ଅର୍ଥନୀତି ଦୋହଲି ଯାଏ। ଅଥଚ ସେମାନଙ୍କ ଶ୍ରମଦାନ ଓ ଅବଦାନ ଆମ ପାଇଁ ଗୌଣ ହୋଇ ରହିଯାଉଛି। ଶ୍ରମିକଙ୍କ ଏହି ଯନ୍ତ୍ରଣାସିକ୍ତ କାହାଣୀର ଧାରା ଆବହମାନ କାଳରୁ ଚାଲିଆସିଛି। କରୋନା ମହାମାରୀ ବିପତ୍ତି ସେହି ଇତିହାସରେ କେବଳ ଆଉ ଏକ ଅଧ୍ୟାୟ ଲେଖିଛି।
ବ୍ୟବସ୍ଥାଚକ୍ରର ଆଉ ଏକ ବିଡ଼ମ୍ବନା ହେଲା ଥିଲାବାଲାଙ୍କ ସୁଖ ଓ ସ୍ୱାଚ୍ଛନ୍ଦ୍ୟ ପାଇଁ ସରକାର ଚିନ୍ତା କରନ୍ତି, କିନ୍ତୁ ଶ୍ରମିକ, ଖଟିଖିଆମାନେ ବଞ୍ଚିବା ପାଇଁ ସେମାନଙ୍କୁ ଖୋଦ୍ ସ୍ୱର ଉତ୍ତୋଳନ କରିବାକୁ ପଡ଼େ। ଅବଶ୍ୟ ଶ୍ରମିକଙ୍କ କଲ୍ୟାଣ, ସାମାଜିକ-ଆର୍ଥିକ ନିରାପତ୍ତା ପାଇଁ ଅନେକ ଆଇନ ଓ ଯୋଜନା ପ୍ରଣୀତ ହୋଇଛି, କିନ୍ତୁ ପ୍ରଶାସନିକ ଗଳବାଟରେ ତାହା ସମସ୍ତଙ୍କ ପାଖରେ ପହଞ୍ଚିପାରୁ ନାହିଁ। ତେଣୁ ଶ୍ରମିକ କଲ୍ୟାଣ ଯୋଜନା କେବଳ କାଗଜକଲମରେ ସଫଳ ହୁଏ ଓ ଯୁଗାନ୍ତକାରୀ ସାବ୍ୟସ୍ତ ହୁଏ, କିନ୍ତୁ ସିଂହଭାଗ ଏଥିରୁ ବଞ୍ଚିତ ହୁଅନ୍ତି। ଏଠାରେ ମଧ୍ୟ ଭାଗ୍ୟ କର୍ମ ଉପରେ ପ୍ରାଧାନ୍ୟ ବିସ୍ତାର କରେ। କେନ୍ଦ୍ର ଓ ରଜ୍ୟ ସରକାରଙ୍କ କରୋନା ରିଲିଫ୍ ପ୍ୟାକେଜ୍ କାର୍ଯ୍ୟକାରିତାର ବାସ୍ତବତା – ଏହାର ଏକ ଜ୍ୱଳନ୍ତ ଓ ସଦ୍ୟତମ ଉଦାହରଣ।
ମୁନି, ଋଷି, ଯୁଗାବତାରଙ୍କ ବାଣୀର ସନ୍ଦେଶ ଓ ସଙ୍କେତ ହେଉଛି କର୍ମ ହିଁ ପୂଜା, କର୍ମ ହିଁ ଭାଗ୍ୟ ନିର୍ଦ୍ଧାରକ। ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଶ୍ରମଠାରୁ ବଳି କର୍ମର ବଳିଷ୍ଠ ଉଦାହରଣ ଆଉ କ’ଣ ହୋଇପାରେ। ଅଥଚ ସାମ୍ପ୍ରତିକ ପୃଷ୍ଠଭୂମିରେ ଶ୍ରମଜୀବୀଙ୍କ ପାଇଁ କର୍ମ ସହିତ ଶ୍ରମ ନୁହେଁ, ବରଂ ଭାଗ୍ୟ ଯୋଡ଼ି ହୋଇଯାଇଛି; ଭାଗ୍ୟ ହିଁ ସେମାନଙ୍କ ପାଇଁ ନିର୍ଣ୍ଣାୟକ ହୋଇଛି – ଏହା ଅସ୍ୱୀକାର କରିବାର ବିକଳ୍ପ ନାହିଁ।
Comments are closed.